ETV Bharat / city

୧୨୧ କୋଟି ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ

author img

By

Published : Apr 30, 2021, 8:52 PM IST

୩୩ ହଜାର ସ୍କୁଲ୍‌ରେ ‘ମୋ ସ୍କୁଲ୍‌’ । ପଞ୍ଚମ ଥର ପାଇଁ ଆଗରେ ବାଲେଶ୍ୱର । ‘ମୋ ସ୍କୁଲ୍‌’ ପକ୍ଷରୁ ପର୍ଯ୍ୟାୟକ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ହେବ ଭର୍ଚୁଆଲ୍ ବୈଠକ । ଅଧିକ ପଢନ୍ତୁ...

୧୨୧ କୋଟିର ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ
୧୨୧ କୋଟିର ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ

ଭୁବନେଶ୍ବର: ‘ମୋ ସ୍କୁଲ୍ ଅଭିଯାନ’ର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶାର ୨୪ଟି ଜିଲ୍ଲାର ମୋଟ ୧୨୧ କୋଟି ୨୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୩୬ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ୍ ଅଭିଯାନ" ସହ ଯୋଡ଼ି ହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୧.୭୭ କୋଟି, କଟକରେ ୫୩ ଲକ୍ଷ ୫୪ ହଜାର, ଭଦ୍ରକରେ ୩୬ ଲକ୍ଷ ୩୩ ହଜାର, ଅନୁଗୁଳରେ ୩୩ ଲକ୍ଷ ୧୮ ହଜାର ଏବଂ ବରଗଡ଼ରେ ୧୮ ଲକ୍ଷ ୫୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ଏହାସହ ବିଭିନ୍ନ ସିଏସ୍‌ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୫ କୋଟି ୫୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି ।

ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୨୧ କୋଟି ୨୬ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲାରେ ଲଗାତାର ୫ମ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏ କ୍ଷେତ୍ରରେ ଜିଲ୍ଳାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭୂମିକାକୁ କାର୍ଯ୍ୟନିର୍ବାହୀ ପରିଷଦ ପ୍ରଶଂସା କରିଛନ୍ତି ।


ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୬ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୩୩ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି । ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ପୁରାତନ ଛାତ୍ରଙ୍କୁ ଜିଲ୍ଲା, ବ୍ଲକ୍ ଓ ସ୍କୁଲ୍‌ସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏଯାବତ୍ ୧୩ଟି ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଧନ୍ୟବାଦ ପତ୍ର ପ୍ରଦାନ କରାଯାଇଛି । ଆସନ୍ତା ମେ’ ୧୫ ସୁଦ୍ଧା ସମସ୍ତ ଜିଲ୍ଲାରେ ବିଦ୍ୟାଳୟସ୍ତରରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏହି ଧନ୍ୟବାଦ ପତ୍ର ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି ।


ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେଶନ କାର୍ଯ୍ୟକ୍ରମ’କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ମାଧ୍ୟମିକ ଶିକ୍ଷା ପରିଷଦ, ଶିକ୍ଷକ ଶିକ୍ଷା ଓ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ୍ ପରିଷଦ(ଟିଇ ଆଣ୍ଡ୍ ଏସ୍‌ସିଇଆର୍‌ଟି) ସହଯୋଗରେ ରାଜ୍ୟର ୧ ହଜାର ଉଚ୍ଚ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦିଆଯାଉଛି । ବିଶ୍ୱସ୍ତରୀୟ ମାନରେ ଭିତ୍ତିଭୂମି ବିକାଶ ସହ ପିଲାମାନଙ୍କ ପାଠପଢାରେ କିଭଳି ଉନ୍ନତି ଅଣାଯାଇପାରିବ ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଆରମ୍ଭ ହୋଇଛି । ସିଏସ୍‌ଆର୍ ପାଣ୍ଠିରୁ ମିଳୁଥିବା ଅନୁଦାନ ସହ ‘ମୋ ସ୍କୁଲ୍‌’ର ଦୁଇଗୁଣା ସହାୟତା ରାଶିକୁ ମିଶାଇ ପ୍ରତ୍ୟେକ ବିଦ୍ୟାଳୟର ବିକାଶ କରାଯିବାକୁ ଲକ୍ଷ୍ୟ ରହିଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ‘ସେଣ୍ଟର୍ ଫର୍ ଏନ୍‌ଭାରୋମେଣ୍ଟ୍ ଷ୍ଟଡିଜ୍‌’ ସହଯୋଗରେ ୧ ହଜାର ସ୍କୁଲ୍‌ରେ ‘ଏନର୍ଜି କ୍ଲବ୍‌’ ପ୍ରତିଷ୍ଠା କରାଯିବ । ବିଦ୍ୟାଳୟଗୁଡ଼ିକରେ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ଏବଂ ଏ ସମ୍ପର୍କିତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ କରିବାକୁ ପ୍ରତ୍ୟେକ ବିଦ୍ୟାଳୟକୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବ ।


ସେହିଭଳି ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ୍ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ସ୍ୱତନ୍ତ୍ର ଅଡିଟର୍‌ମାନଙ୍କୁ ନିୟୋଜିତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍‌ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରତି ପୁରାତନ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅପ୍ରତ୍ୟାଶିତ ଆଗ୍ରହ ପ୍ରକାଶ ପାଇଛି । ବିଭିନ୍ନ ବର୍ଗର ଲୋକ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବା ବେଳେ ‘ମୋ ସ୍କୁଲ୍‌’ ପକ୍ଷରୁ ପର୍ଯ୍ୟାୟକ୍ରମେ ପୋଷ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ୧୩୮୦ ଜଣ ବ୍ୟକ୍ତିବିଶେଷ ବିଭିିନ୍ନ ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓଏସ୍‌ଇପିଏ), ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆର୍‌ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, ମୋ ସ୍କୁଲ୍ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.