ETV Bharat / business

Loan Application: ଲୋନ ଆବେଦନ ଖାରଜ ହେଉଛି କି ? କରନ୍ତୁ ଏହି କାମ

author img

By

Published : Jan 22, 2023, 2:24 PM IST

ଲୋନ ଆବେଦନ ଖାରଜ ହେଲେ କଣ କରିବେ
ଲୋନ ଆବେଦନ ଖାରଜ ହେଲେ କଣ କରିବେ

ଘର କିଣିବା ହେଉ ଅବା ଗାଡି, ଲୋକେ ଲୋନ ନେଇଥାନ୍ତି । ହେଲେ ଅନେକ ସମୟରେ ବ୍ୟାଙ୍କ ଗ୍ରାହକଙ୍କ ଲୋନ ଆବେଦନ ଖାରଜ କରିଦେଇଥାନ୍ତି । କମ୍ କ୍ରେଡିଟ ସ୍କୋର, ଅନୁପଯୁକ୍ତ ଆୟ, EMI ପ୍ରଦାନରେ ବିଳମ୍ବ ଇତ୍ୟାଦି ଆବେଦନ ଖାରଜ ହେବାର ପ୍ରମୁଖ କାରଣ ହୋଇପାରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଘର କିଣିବା ହେଉ ଅବା ଗାଡି ଅଧିକାଂଶ ଲୋକେ ଲୋନ ନେଇଥାନ୍ତି । ଲୋନ ପାଇଁ ଆମେ ମୁଖ୍ୟତଃ ବ୍ୟାଙ୍କ ଯାଇଥାଉ । ସେହିପରି ଅପ୍ରତ୍ୟାଶିତ ଆବଶ୍ୟକତା ସମୟରେ ଆମେ ପର୍ସନାଲ ଲୋନ ନିମନ୍ତେ ଆବେଦନ କରିଥାଉ । ଯାହାର ସୁଧହାର ସାମାନ୍ୟ ଅଧିକ । ତେବେ ଯଦିଓ ଆମେ ଲୋନ ଆପ୍ଲିକେସନ/ଆବେଦନରେ ସମସ୍ତ ବିବରଣୀ ଦେଇଥାଏ, ତଥାପି ବେଳେବେଳେ ବ୍ୟାଙ୍କ ଏହାକୁ ପ୍ରତ୍ୟାଖାନ କରିଥାଏ । ଏହିଭଳି ସ୍ଥିତିରୁ କିପରି ଦୂରେଇ ରହିବେ ଆସନ୍ତୁ ଜାଣିବା ।

ସମ୍ପ୍ରତ୍ତି ବ୍ୟାଙ୍କ ସୁଧହାର କ୍ରମଶଃ ବୃଦ୍ଧି ପାଉଛି । ଏକ ରିପୋର୍ଟ ଅନୁଯାୟୀ, ରିଟେଲ ଲୋନର ଚାହିଦା ମଧ୍ୟ ବଢୁଛି । ଏଥିପାଇଁ ପ୍ରତ୍ୟେକ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ପ୍ରତିଟି ଲୋନ ଆବେଦନକୁ ଅତି ଯତ୍ନର ସହ ଯାଞ୍ଚ କରୁଛନ୍ତି । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହା ଜନିତ ଲାଭ ଓ କ୍ଷତି ଉପରେ ଭଲ ଭାବେ ବିଚାର କରୁଛନ୍ତି । ଏପରି ସ୍ଥିତିରେ ଯଦି ଆପଣଙ୍କ ଲୋନ ଆବେଦନ ଖାରଜ ହୋଇଯାଏ, ତେବେ ଏହାର କାରଣ ଖୋଜନ୍ତୁ ।

ସାଧାରଣତଃ ବ୍ୟାଙ୍କ କିମ୍ବା ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (NBFC) ଲୋନ ଆବେଦନ ପ୍ରତ୍ୟାଖାନ କରିବାର କାରଣ ସ୍ପଷ୍ଟ କରିଥାନ୍ତି । କମ୍ କ୍ରେଡିଟ ସ୍କୋର, ଅନୁପଯୁକ୍ତ ଆୟ, ପୂର୍ବରୁ କିସ୍ତି ଆୟର ୫୦ ପ୍ରତିଶତ ଥିଲେ ଅଥବା ଲଗାତାର ଚାକିରିରେ ପରିବର୍ତ୍ତନ, ଇଏମଆଇ ପ୍ରଦାନରେ ବିଳମ୍ବ ଇତ୍ୟାଦି ଏହି ଆବେଦନ ଖାରଜ ହେବାର ମୁଖ୍ୟ କାରଣ ହୋଇପାରେ । ସେହିପରି ଯଦି କ୍ରେଡିଟ ରିପୋର୍ଟରେ ତ୍ରୁଟି ପରିଲକ୍ଷିତ ହୁଏ ତାହାହେଲେ ଆର୍ଥିକ ସଂସ୍ଥା ଲୋନ ଆବେଦନ ଆଗ୍ରହ୍ୟ କରିଦେଇଥାନ୍ତି ।

ସେଥିପାଇଁ ସର୍ବଦା ଉତ୍ତମ କ୍ରେଡିଟ୍ ରିପୋର୍ଟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଭଲ କ୍ରେଡିଟ ସ୍କୋର ପାଇବାକୁ ହେଲେ ଲୋନ କିସ୍ତିଗୁଡିକ ଠିକ୍ ସମୟରେ ପୈଠ କରିବା ଆବଶ୍ୟକ । ୩୦୦ରୁ ୯୦୦ ପର୍ଯ୍ୟନ୍ତ କ୍ରେଡିଟ୍‌ ସ୍କୋର୍‌ ଆପଣଙ୍କ ଋଣ ପରିଶୋଧ କ୍ଷମତାକୁ ଦର୍ଶାଇଥାଏ । କ୍ରେଡିଟ ସ୍କୋର୍‌ ଉପରେ ଥରେ ମାତ୍ର ନଜର ପକାଇ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆଶାୟୀ ଋଣକର୍ତ୍ତାଙ୍କ ସମ୍ପର୍କରେ ଧାରଣା ପାଇଥାନ୍ତି ।

ଯଦି ତାଙ୍କର କ୍ରେଡିଟ୍‌ ସ୍କୋର୍‌ ୭୫୦ରୁ ଅଧିକ, ତାହେଲେ ସେ ବିଶ୍ବାସଯୋଗ୍ୟ ଋଣକର୍ତ୍ତା ବିବେଚିତ ହୁଅନ୍ତି । ଯଦି ଆପଣଙ୍କ କ୍ରେଡିଟ ସ୍କୋର ୭୫୦ରୁ କମ୍, ଏପରି ସ୍ଥଳେ ବ୍ୟାଙ୍କ ଲୋନ ଆବେଦନ ଖାରଜ କରିବାର ସମ୍ଭାବନା ଅଧିକ ଥାଏ । ତେବେ ଯଦି କମ୍ କ୍ରେଡିଟ ସ୍କୋର ଯୋଗୁଁ ଆପଣଙ୍କ ଆବେଦନ ଖାରଜ ହେଉଛି ତେବେ ସ୍କୋର ବୃଦ୍ଧି ଉପରେ ଗୁରୁତ୍ବ ଦିଅନ୍ତୁ । ଠିକ୍ ସମୟରେ କିସ୍ତି ଓ କ୍ରେଡିଟ୍ କାର୍ଡ ବିଲ୍ ପୈଠ କରିବା ଦ୍ବାରା ସ୍କୋର କ୍ରମଶଃ ବୃଦ୍ଧି ପାଇଥାଏ ।

ସେହିପରି କିଛି ଦିନ ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କମ୍ କରାନ୍ତୁ । ପୂର୍ବରୁ ଥିବା କାର୍ଡ ଗୁଡିକୁ ରବ୍ଦ କରନ୍ତୁ ନାହିଁ । ନୂତନ କ୍ରେଡିଟ କାର୍ଡ ପାଇଁ ଆବେଦନ କରିବା ଦ୍ବାରା କ୍ରେଡିଟ ସ୍କୋର ଉପରେ ଖରାପ ପ୍ରଭାବ ପଡିଥାଏ । ଏହାସହିତ EMI ଗୁଡିକ ଆପଣଙ୍କ ମୋଟ ଆୟର ୪୦-୪୫ ପ୍ରତିଶତରୁ ଅଧିକ ହେବା ଅନୁଚିତ୍ । ଯଦି ଆପଣଙ୍କ EMI ଓ ଆୟ ଅନୁପାତ ସମାନ ଦେବେ ବ୍ୟାଙ୍କଗୁଡିକ ନୂଆ ଲୋନ ଦେବାକୁ ବିଚାର କରିବେ ନାହିଁ । କାରଣ ଯେତେଥର ଆପଣ ଲୋନ କମ୍ବା କ୍ରେଡିଟ କାର୍ଡ ପାଇଁ ଆବେଦନ କରନ୍ତି, ଏହାର ସବିଶେଷ ତଥ୍ୟ ଆପଣଙ୍କ କ୍ରେଡିଟ ରିପୋର୍ଟରେ ଯୋଡି ହୋଇଥାଏ । ଏହିସବୁ କାରଣ ଯୋଗୁଁ ଯଦି ଆପଣଙ୍କ ଲୋନ ଆବେଦନ ଥରେ ଖାରଜ ହୁଏ, ତାହାହେଲେ ଆଗକୁ ମଧ୍ୟ ଏହାର ପୁନରାବୃତ୍ତି ହେବ । ଯାହାକି ଆପଣଙ୍କ ପାଇଁ ଏକ ବଡ ସମସ୍ୟା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.