ETV Bharat / bharat

ଚୋରି ଅଭିଯୋଗରେ ବର୍ବରତା: ପରିସ୍ରା ପିଆଇଲେ, ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଲଗାଇଲେ

author img

By

Published : Aug 6, 2023, 7:25 PM IST

ଉତ୍ତର ପ୍ରଦେଶରେ ବର୍ବରତା । ଚୋରି ଅଭିଯୋଗରେ ଦୁଇ ନାବାଳକଙ୍କୁ ବର୍ବର ନିର୍ଯାତନା । ହାତଗୋଡ଼ ବାନ୍ଧି ମାଡ଼ ମାରିଲେ, ପରିସ୍ରା ପିଆଇଲେ । ଭିଡିଓ ଭାଇରାଲ ହେବା ପରେ 6 ଗିରଫ । ଅଧିକ ପଢ଼ନ୍ତୁ

UP: 2 ନାବାଳକଙ୍କୁ ପରିସ୍ରା ପିଆଇଲେ ଦୁର୍ବୃତ୍ତ, ଭାଇରାଲ ହେଲା ଭିଡିଓ
UP: 2 ନାବାଳକଙ୍କୁ ପରିସ୍ରା ପିଆଇଲେ ଦୁର୍ବୃତ୍ତ, ଭାଇରାଲ ହେଲା ଭିଡିଓ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସିଦ୍ଧାର୍ଥନଗର ଜିଲ୍ଲାରୁ ଆସିଛି ଏକ ବର୍ବରକାଣ୍ଡ । ଚୋରି ଅଭିଯୋଗରେ ଦୁଇ ନାବାଳକଙ୍କୁ ବାନ୍ଧି ବର୍ବର ନିର୍ଯାତନା ଦିଆଯାଇଛି । ଦୁଇ ନାବଳକ ପୀଡ଼ିତଙ୍କୁ ମାଡ଼ ମାରି ପରିସ୍ରା ପିଆଇବା ସହ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଲଗାଯାଇଥିବା ଜଣାପଡିଛି । ଏପରକି ଉଭୟ ନାବାଳକ ପୀଡିତଙ୍କୁ କିଛି ଇଞ୍ଜେକ୍ସନ ମଧ୍ୟ ଦିଆଯାଇଛି । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଭାଇରାଲ ଭିଡିଓ ଅନୁସାରେ, ଦୁଇଜଣ ନାବାଳକଙ୍କୁ କିଛି ବ୍ୟକ୍ତି ସଙ୍ଘବଦ୍ଧ ନିର୍ଯାତନା ଦେଉଛନ୍ତି । ସେମାନଙ୍କୁ ମାଡ଼ ମରାଯିବା ସହ ଏକ ବୋତଲରେ ପରିସ୍ରା ପିଆ ଯାଉଛି । ସେମାନଙ୍କୁ କଞ୍ଚାଲଙ୍କା ଖାଇବାକୁ ବାଧ୍ୟ କରଯିବା ସହ ଗୁପ୍ତାଙ୍ଗରେ ମଧ୍ୟ କଞ୍ଚାଲଙ୍କା ଲଗାଯାଉଥିବାର ଭିଡିଓରେ ଦେଖିବାକୁ ମିଳିଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଘଟଣାଟି ଅଗଷ୍ଟ 4 ତାରିଖରେ ପ୍ରାର୍ଥ ବଜାର ଥାନା ଅଧୀନ କାନ୍ତି ଚୌରାହାର ଏକ ଚିକେନ ଦୋକାନରେ ଘଟିଛି । ଦୁଇ ନାବାଳକଙ୍କୁ ଟଙ୍କା ଚୋରି ଅଭିଯୋଗରେ କିଛି ବ୍ୟକ୍ତି ଏପରି ବର୍ବର ନିର୍ଯାତନା ଦେଇଛନ୍ତି । ଏବେ ଭିଡିଓ ଭାଇରାଲ ହେବା ପରେ ପୋଲସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ 6 ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ସେମାନଙ୍କୁ ଜେରା ଜାରି ରହିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ । ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଭିଡିଓ ବିଚଳିତ କରିବା ପରି । ତେଣୁ ଉକ୍ତ ଭିଡିଓକୁ ମଧ୍ଯ ଇଣ୍ଟରନେଟ୍‌ର ସମସ୍ତ ପ୍ଲାଟ୍‌ଫର୍ମରୁ ହଟାଇବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଥିବା ସ୍ଥାନୀୟ ଏଏସ୍‌ପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- MP Urinating Case: ଅଭିଯୁକ୍ତ ଘରେ ବୁଲିଲା ବୁଲଡୋଜର, ହାତ ଯୋଡି ନେହୁରା ହେଲେ ମା’

ମଧ୍ୟ ପ୍ରଦେଶରେ ଜୁଲାଇ 5 ତାରିଖରେ ଏକ ଲଜ୍ଜାଜନକ ଭିଡିଓ ଭାଇରାଲ ହେବା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା । ପ୍ରବେଶ ଶୁକ୍ଳା ନାମକ ଜଣେ ବ୍ୟକ୍ତି ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲେ । ଭିଡିଓ ଭାଇରାଲ ହେବା ପରେ ପ୍ରଦେଶ କଂଗ୍ରେସ ସିଧା ସ୍ଥାନୀୟ ବିଜେପି ବିଧାୟକ କେଦାରନାଥ ଶୁକ୍ଳା ଓ ରାଜ୍ୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଥିଲା । ଅଭିଯୁକ୍ତ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଓ ସେ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ବୋଲି ଦର୍ଶାଇ ଏକାଧିକ ଫଟୋ ପୋଷ୍ଟ କରିଥିଲା କଂଗ୍ରେସ । ତାର ମାତ୍ର କିଛି ଘଣ୍ଟା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ତାର ଘର ଉପରେ ବୁଲଡୋଜର ଚଢ଼ାଇ ଦେଇଥିଲା ସ୍ଥାନୀୟ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.