ETV Bharat / bharat

Delhi earthquake: ଦିଲ୍ଲୀରେ ବଡ ଧରଣର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 5.6

author img

By ETV Bharat Odisha Team

Published : Nov 6, 2023, 4:46 PM IST

Updated : Nov 6, 2023, 5:18 PM IST

ମାତ୍ର କିଛି ଦିନର ବ୍ୟବଧାନ ମଧ୍ୟରେ ବଡ ଧରଣ ଭୂକମ୍ପରେ ଥରିଲା ରାଜଧାନୀ । ତୀବ୍ରତା 5.6 । ଅଧିକ ପଢନ୍ତୁ

Delhi earthquake: ଦିଲ୍ଲୀରେ ବଡଧରଣର ଭୂକମ୍ପ, ତୀବ୍ରତା 5.6
Delhi earthquake: ଦିଲ୍ଲୀରେ ବଡଧରଣର ଭୂକମ୍ପ, ତୀବ୍ରତା 5.6

ନୂଆଦିଲ୍ଲୀ: ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି ବଡ ଧରଣ ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ । ଆଜି ଅପରାହ୍ନରେ 5.6 ମ୍ୟାଗ୍ନିଚ୍ଯୁଡ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଆଜି ଅପରାହ୍ନ 4.16ରେ ଏହି କମ୍ପନ ଦିଲ୍ଲୀ ସମେତ ଉତ୍ତର ଭାରତର ଅନ୍ୟ କିଛି ସ୍ଥାନରେ ଅନୁଭୂତ ହୋଇଥିବାର ସୂଚନା ରହିଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି ।

ଜାତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ଉତ୍ତରରେ 233 କି.ମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ଦିଲ୍ଲୀ-ଏନସିଆର ଓ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ ଏହି କମ୍ପନର ଝଟକା ଲାଗିଛି । ନେପାଳରେ ମଧ୍ୟ ଏହି କମ୍ପନ ଅନୁଭୂତ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ କିମ୍ବା ଅନ୍ୟ ସ୍ଥାନରୁ କୌଣସି କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇନି । କୌଣସି ପରବର୍ତ୍ତୀ ଆଲର୍ଟ ମେସେଜ ମଧ୍ୟ ଜାରି କରାଯାଇନି ।

ଶୁକ୍ରବାର ନେପାଳରେ 6.4 ତ୍ରୀବତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାୟ 157 ଲୋକଙ୍କ ମୃତ୍ୟୁ ହୋଇଥିଲା । ଶତାଧିକ ଘର ଭାଙ୍ଗି ପଡିଥିଲା ବେଳେ ଏବେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି । 2015 ମସିହା ପରଠାରୁ ହିମାଳୟନ କ୍ଷେତ୍ରରେ ଅନୁଭୂତ ହୋଇଥିବା ଏହା ସବୁଠୁ ବଡ ଭୂକମ୍ପ ଥିଲା । ନେପାଳରେ ସର୍ବାଧିକ ସକ୍ରିୟ ଟେକ୍ଟୋନିକ ଜୋନ ରହିଛି । ଯାହାକି ଭୂକମ୍ପ ସୃଷ୍ଟି ହେବାର ସର୍ବାଧିକ ଆଶଙ୍କା ସୃଷ୍ଟି କରିଥାଏ ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ ସମେତ ଉତ୍ତର ଭାରତରେ 6.2 ତୀବ୍ରତା ସହ ଭୂକମ୍ପ ଝଟକା, ନେପାଳ କେନ୍ଦ୍ରସ୍ଥଳ !

ଗତମାସ (ଅକ୍ଟୋବର) 3 ତାରିଖରେ ଦିଲ୍ଲୀ ସମେତ ଉତ୍ତର-ଭାରତ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । କିଛି ସମୟ ମଧ୍ୟରେ ଦୁଇଟି କମ୍ପନ ଅନୁଭୂତ ହୋଇଥିଲା । ମାତ୍ର ଦୁଇ ମିନିଟ ବ୍ୟବଧାନରେ ଦୁଇଥର କମ୍ପନ ଅନୁଭବ ହୋଇଥିଲା । ରିକ୍ଟର ସ୍କେଲରେ ପ୍ରଥମ କମ୍ପନର ତୀବ୍ରତା 4.6 ମ୍ୟାଗ୍ନିଚ୍ୟୁଡ୍‌ ଓ ପରବର୍ତ୍ତୀ କମ୍ପନ 6.2 ମ୍ୟାଗ୍ନିଚ୍ୟୁଡ ରହିଥିଲା । ଉଭୟ କମ୍ପନର କେନ୍ଦ୍ରସ୍ଥଳ ନେପାଳ ବୋଲି ଜଣାପଡ଼ଥିଲା । ରାଜଧାନୀ ଦିଲ୍ଲୀ, ଏନସିଆର ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର-ବିହାର, ପଞ୍ଜାବ, କାଶ୍ମୀର, ହିମାଚଳ ପ୍ରଦେଶର କିଛି ସ୍ଥାନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ବାରମ୍ବାର ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 6, 2023, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.