ETV Bharat / bharat

ସଂସଦ ସୁରକ୍ଷାରେ ତ୍ରୁଟି: ୫ ଅଭିଯୁକ୍ତଙ୍କ ବିରୋଧରେ UAPAରେ ମାମଲା ରୁଜୁ

author img

By ETV Bharat Odisha Team

Published : Dec 14, 2023, 10:16 AM IST

Parliament Security Breach: ସଂସଦ ସୁରକ୍ଷାରେ ଗୁରୁତର ତ୍ରୁଟି ଘଟଣା । ୫ ଅଭିଯୁକ୍ତଙ୍କ ବିରୋଧରେ UAPAରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

ସଂସଦ ସୁରକ୍ଷାରେ ତ୍ରୁଟି
ସଂସଦ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବଳୟକୁ ଭେଦି ଦୁଇ ଯୁବକ ଲୋକସଭାରେ ପଶିବା ଘଟଣା ସାରା ଦେଶକୁ ଆଚମ୍ବିତ କରିଛି । ସଂସଦ ସୁରକ୍ଷାରେ ଏହି ଗୁରୁତର ତ୍ରୁଟି ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠନ କରାଯାଇଥିବା ବେଳେ ଦିଲ୍ଲୀ ପୋଲିସ ମଧ୍ୟ ୟୁଏପିଏ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଂସଦରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ୫ ଅଭିଯୁକ୍ତଙ୍କ ବିରୋଧରେ UAPA(ଅସାମାଜିକ କାର୍ଯ୍ୟକଳାପ ନିରୋଧ ଆଇନ)ରେ ମାମଲା ରୁଜୁ ହୋଇଛି । ଏବେ ବି ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସଂସଦରେ ପଶିବାକୁ ଗୁରୁଗ୍ରାମରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ସେହି ୬ ଅଭିଯୁକ୍ତ ଗତ ୪ ବର୍ଷ ହେଲା ପରସ୍ପରକୁ ଜାଣିଥିଲେ ଏବଂ କିଛି ଦିନ ଆଗରୁ ଏହି କାଣ୍ଡ ଭିଆଇବାକୁ ଯୋଜନା କରିଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସେମାନେ ପରସ୍ପର ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥିଲେ । ଗତକାଲି ଅଧିବେଶନ ଚାଲିଥିବା ସମୟରେ ଅଭିଯୁକ୍ତ ସାଗର ଶର୍ମା ଓ ମନୋରଞ୍ଜନ ଡି ସଂସଦ ଭବନ ମଧ୍ୟକୁ ପ୍ରବେଶ କରି ହଳଦିଆ ରଙ୍ଗର ଗ୍ୟାସ ସ୍ପ୍ରେ କରିଥିଲେ । ଆଉ ଦୁଇ ଅଭିଯୁକ୍ତ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗ୍ୟାସ ସ୍ପ୍ରେ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ସଂସଦ ସୁରକ୍ଷା ଭଙ୍ଗର ବଡ଼ ଖୁଲାସା: ଗୁରୁଗ୍ରାମରେ ହୋଇଥିଲା ବ୍ଲୁ ପ୍ରିଣ୍ଟ୍, ଘର ମାଲିକ ଗିରଫ

୨୦୦୧ ଡିସେମ୍ବର ୧୩ରେ ଭାରତର ସଂସଦ ଉପରେ ଆକ୍ରମଣ ହୋଇଥିଲା । ପୁଣିଥରେ ଡିସେମ୍ବର ୧୩ରେ ସଂସଦ ଉପରେ ଆକ୍ରମଣ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ କିଛି ଦିନ ଧମକ ଦେଇଥିଲା । ଏହାକୁ ନେଇ ଦିଲ୍ଲୀ ପୋଲିସ ବି ହାଇଆଲର୍ଟରେ ରହିଥିଲା । ତଥାପି ସଂସଦ ଆକ୍ରମଣର ବାର୍ଷିକୀରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଭାବନୀୟ ଘଟଣା ଘଟି ଯାଇଥିଲା । ସାଗର ଶର୍ମା ଏବଂ ମନୋରଞ୍ଜନ ଡି. ମହୀଶୂର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ଭିଜିଟର ପାସ୍‌ରେ ଆସିଥିଲେ । ଅଧିବେଶନର ଶୂନ୍ୟକାଳରେ ଦୁହେଁ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁଥିଲେ ଏବଂ ଚପରେ ଲୁଚାଇ ରଖିଥିବା କାନ୍‌ଷ୍ଟାରରୁ ହଳଦିଆ ଗ୍ୟାସ୍ ସ୍ପ୍ରେ' କରିଥିଲେ ।

ଠିକ୍ ସେହି ସମୟରେ ଆଉ ଦୁଇ ଅଭିଯୁକ୍ତ ଅନମୋଲ ସିନ୍ଦେ ଏବଂ ନୀଲମ ଦେବୀ ସଂସଦ ଭବନ ବାହାରେ କଲର୍ ସ୍ପ୍ରେ' କରି 'ତାନସାହି ନେହିଁ ଚଲେଗା' ନାରା ଦେଇଥିଲେ । ପୋଲିସ ସାଗାର, ମନୋରଞ୍ଜନ, ଅନମୋଲ, ନିଲମ ସହିତ ତାଙ୍କର ଆଉ ଜଣେ ସହଯୋଗୀ ବିଶାଲକୁ ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଥିବା ବେଳେ ପୋଲିସ ତାକୁ ଧରିବାକୁ ଖୋଜାଖୋଜି କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.