ETV Bharat / bharat

Union Budget 2023: ବିରୋଧୀ କହିଲେ ନିର୍ବାଚନୀ ବଜେଟ, ବଢିବ ଦରଦାମ ଓ ବେକାରୀ

author img

By

Published : Feb 1, 2023, 5:07 PM IST

ସାଧାରଣ ବଜେଟକୁ ନେଇ ବିରୋଧୀ କହିଲେ ନିର୍ବାଚନୀ ବଜେଟ । ସ୍ଥାନ ପାଇନି ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ବେକାରୀ ଓ ଦରଦାମ ପୁଣି ବଢିବ । ଅଧିକ ପଢନ୍ତୁ

Union Budget 2023
Union Budget 2023

ହାଇଦ୍ରାବାଦ: ଆଜି ସଂସଦରେ ଉପସ୍ଥାପିତ ହୋଇଛି ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଏନଡିଏ ସରକାରର ଦ୍ବିତୀୟ ପାଳିର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ବୁଧବାର) ଏହି ବଜେଟ ଉପସ୍ଥାପନ କରିଛନ୍ତି । ତେବେ ବଜେଟକୁ ପ୍ରଶଂସା କରିବା ସହ ଅର୍ଥମନ୍ତ୍ରୀ ସୀତାରଣକୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ଚିରାଚରିତ ଭାବେ ବଜେଟକୁ ସମାଲୋଚନା କରିଛନ୍ତି ଏକାଧିକ ବିରୋଧୀ ଦଳ ।

ଏହା ଏକ ଭବିଷ୍ୟତବାଦୀ ବଜେଟ ନୁହେଁ, ଜନତା ଓ ଗରିବ ବିରୋଧୀ ବଜେଟ ବୋଲି ଏକାଧିକ ରାଜନୈତିକ ଦଳର ମୁଖ୍ୟ କହିଛନ୍ତି । ଆଜିର ଏହି ବଜେଟ ଦେଶରେ ବେକାରୀ ଦୂରୀକରଣ ଦିଗରେ କୌଣସି ସହାୟତା ପ୍ରଦାନ କରିବା ନାହିଁ ବରଂ ଏହାକୁ 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି । ଏହା ଏକ ଭବିଷ୍ୟତବାଦୀ ନୁହେଁ ବରଂ ନିର୍ବାଚନୀ ବଜେଟ ବୋଲି ଏକାଧିକ ବିରୋଧୀ ଦଳର ନେତା କହିଛନ୍ତି ।

ଆଜିର ବଜେଟରେ କରଦାତାକୁ ମିଳିଥିବା ଆଶ୍ବସ୍ତିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ‘‘ ଆଜି ବଜେଟରେ 7ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କୁ ଆୟକର ମୁକ୍ତ କରିବା ନିଷ୍ପତ୍ତି ସମସ୍ତ ବର୍ଗକୁ ସୁଫଳ ଦେଇପାରିବ ନାହିଁ । ଏହି ବଜେଟରେ କୌଣସି ନୂତନ ଆକାଂକ୍ଷା ନାହିଁ । ଏହା ଏକ ଅନ୍ଧକାର ବଜେଟ । ମତେ ଅଧ ଘଣ୍ଟା ସମୟ ଦିଅ, ଗରିବଙ୍କ ପାଇଁ କିପରି ବଜେଟ ପ୍ରସ୍ତୁତ ହେବା ଆବଶ୍ୟକ, ମୁଁ ଦେଖାଇଦେବି ।’’

ସେହିପରି ଅନ୍ୟତମ ଚର୍ଚ୍ଚିତ ବିଜେପି ବିରୋଧୀ ନେତା ଆପ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ବଜେଟରେ ଦିଲ୍ଲୀକୁ ମିଳିଥିବା ଅନୁଦାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ଷ 2022-23 ରେ ଦିଲ୍ଲୀବାସୀ 1.75 କୋଟି ଟଙ୍କା ଆୟକର ରିଟର୍ଣ୍ଣ ଜମା କରିଥିଲେ ସୁଦ୍ଧା ଚଳିତ ବଜେଟରେ ଦିଲ୍ଲୀ ପାଇଁ ମାତ୍ର 325 କୋଟି ଟଙ୍କାର ବ୍ୟୟବରାଦ ହେବା କେନ୍ଦ୍ରର ପାତରଅନ୍ତର ନୀତି । ସେହିପରି ଚଳିତ ବଜେଟରେ ଦରଦାମ ବୃଦ୍ଧି ଓ ବକାରୀ ହ୍ରାସ ଦିଗରେ କୌଣସି ଧ୍ୟାନ ଦିଆଯାଇନଥିବା ଅଭିଯୋଗ କରିଛନ୍ତି କେଜ୍ରିଓ୍ବାଲ ।

ପିଡିପି ମୁଖ୍ୟ ତଥା କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ମଧ୍ୟ ବଜେଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଟ୍ୟାକ୍ସରେ ବୃଦ୍ଧି ଘଟୁଛି, କିନ୍ତୁ ଜନକଲ୍ୟାଣକାରୀ ଯୋଜନାରେ ଲୋକଙ୍କୁ ସହାଯ୍ୟ ମିଳୁନି । ଏପରି ପଲିସି ଫଳରେ ଗରିବୀର ରେଖାରୁ ଉପରକୁ ଉଠିଥିବା ବର୍ଗ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇ ପୁଣି ତଳେ ଦାରିଦ୍ର୍ୟର ସୀମାରେଖା ତଳକୁ ଚାଲିଯିବେ । ଏପରି ତୃଟିପୂର୍ଣ୍ଣ ବଜେଟ ସାଧାରଣ ଲୋକଙ୍କ ମେରୁଦଣ୍ଡରେ ଶକ୍ତ ପ୍ରହାର ଲାଗିଥିବା କହିଛନ୍ତି ମୁଫତି । ସେହିପରି ଏନସି ମୁଖ୍ୟ ଫାରୁକ ଅବଦ୍ଦୁଲା ମଧ୍ୟ ବଜେଟକୁ ବିଫଳ ବଜେଟ ବୋଲି ଦର୍ଶାଇଛନ୍ତି ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବଜେଟକୁ ନେଇ ସରକାରଙ୍କୁ ଘେରିଛନ୍ତି । ଏହା ଏକ ନିରାଶାଜନକ ବଜେଟ ଓ ଏଥିରେ କୌଣସି ଆଶା ଦେଖାଯାଉନଥିବା ଅଖିଳେଶ କହିଛନ୍ତି । ଏହା ଦେଶରେ ମୁଦ୍ରାସ୍ଫିତି ଓ ବେକାରୀକୁ ବୃଦ୍ଧି କରିବ । ଦେଶର କୃଷକ, ସାଧାରଣ ବର୍ଗ ଓ ମଧ୍ୟବିତ ଶ୍ରେଣୀ ଏଥିରେ କୌଣସି ଲାଭ ପାଇବେ ନାହିଁ ବରଂ କିଛି ନିର୍ଦ୍ଦିଷ୍ଟ ବିତ୍ତଶାଳୀ ବର୍ଗ ଏହି ବଜେଟରେ ବିଶେଷ ଭାବେ ଲାଭବାନ ହେବା ନେଇ ଅଖିଳେଶ ହିନ୍ଦୀରେ ଟ୍ବିଟ୍‌ କରି କହିଛନ୍ତି ।

ତୃଣମୂଳ କଂଗ୍ରେସ ସାଂସଦ ଶତୃଘ୍ନ ସିହ୍ନା ମଧ୍ୟ ଏହି ବଜେଟକୁ ‘‘ହମ ଦୋ, ହମାରେ ଦୋ’’ ବଜେଟ ବୋଲି କହି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା କେ ସି ବେଣୁଗୋପାଲ କହିଛନ୍ତି, ଏହି ବଜେଟରେ ଦେଶର ବେକାରୀ ସମସ୍ୟା ଓ ଦରଦାମ ଅହେତୁକ ବୃଦ୍ଧି ପ୍ରସଙ୍ଗକୁ ଦୃଷ୍ଟି ଦିଆଯାଇନାହିଁ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯେ, ଚାଷୀଙ୍କ ପରିବର୍ତ୍ତେ ବୀମା କମ୍ପାନୀଗୁଡିକ ହିଁ ଅଧିକ ଲାଭବାନ ହେବେ । ସେହିପରି ଦଳର ଅନ୍ୟତନ ବରିଷ୍ଠ ନେତା ଶଶୀ ଥରୁର ମଧ୍ୟ ବେକାରୀ ଓ ଗରିବି ପ୍ରସଙ୍ଗ ଉଠାଇ ବଜେଟକୁ ବିଫଳ ବଜେଟ ଭାବେ ଚିତ୍ରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.