ETV Bharat / bharat

Same Sex Marriage: ଅଟକାଇ ପାରିଲାନି ସମାଜର ଶିକୁଳି, ବିବାହ ବନ୍ଧନରେ ବାନ୍ଧି ହେଲେ ସମଲିଙ୍ଗୀ

author img

By ETV Bharat Odisha Team

Published : Oct 27, 2023, 6:31 PM IST

Updated : Oct 27, 2023, 7:15 PM IST

Same Sex Marriage in Bihar
ବିହାରରେ ସମଲିଙ୍ଗୀ ବିବାହ

ବିହାରରେ ଦୁଇ ଜଣ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହାକୁ ଉଭୟଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ

ପାଟନା: ଏକ ବିବାହ ଉତ୍ସବରେ ଦେଖା । କଥାବାର୍ତ୍ତା ହେଉ ହେଉ ଦୁହେଁ ଦୁହିଁଙ୍କୁ ହୃଦୟ ଦେଇ ବସିଲେ । ବର୍ଷେରୁ ଅଧିକ ସମୟ ଧରି କଥାବାର୍ତ୍ତା । ଆଉ ଶେଷରେ ନେଲେ ସାରା ଜୀବନ ଏକାଠି ରହିବାର ପ୍ରତିଶୃତି । ସମଲିଙ୍ଗୀ ହୋଇ ବି ଦୁହେଁ ଦୁହିଁଙ୍କ ଆଡକୁ ଆକର୍ଷିତ ହୋଇଥିଲେ । ଉଭୟ ମନରେ ଜାଗି ଉଠିଥିବା ପ୍ରେମ ସମାଜର ଶିକୁଳିକୁ ଭାଙ୍ଗି ନେଇଛି ବିବାହର ରୂପ । ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିନଥିଲେ ବି ବିହାର ଦୁଇ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ବିହାରରେ ଦେଖିବାକୁ ମିଳିଛି ଏହି ସମଲିଙ୍ଗୀ ବିବାହ । ଦୁଇ ଜଣ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଲକ୍ଷ୍ମୀପୁର ଥାନା ସ୍ଥିତ ଦେଗଘି ଗାଁର ହୋଇଥିବାବେଳେ ଅନ୍ୟ ଜଣେ ଲଖଇସରାୟ ଜିଲ୍ଲାର ଇସଲି ଥାନା ଅନ୍ତର୍ଗତ ଗେରୁଆ ପୁରସୁଣ୍ଡାର ହୋଇଥିବା ଜଣାପଡିଛି ।

୨୪ ଅକ୍ଟୋବରରେ ହୋଇଥିଲା ବିବାହ:

ଉଭୟ ଗତ ୨୪ ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡିଛି । ଜମୁଇରେ ଥିବା ଏକ ମନ୍ଦିରକୁ ଯାଇ ସେମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ସୂଚନା ଅନୁସାରେ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବାବେଳେ ସେମାନେ ପରସ୍ପରକୁ ଜୀବନ ସାଥୀ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ସମାଜରେ ସମଲିଙ୍ଗୀ ସମ୍ପର୍କ ଗ୍ରହଣୀୟ ନଥିବାବେଳେ ଏସବୁ ବିଷୟରେ ଭ୍ରୁକ୍ଷେପ ନକରି ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଦେଢ ବର୍ଷ ଧରି ଥିଲା ପ୍ରେମ ସମ୍ପର୍କ:

ଜମୁଇର ଅଶୋକ ତାନ୍ତିଙ୍କ ଝିଅ ନିଶା କୁମାରୀ ଓ ଲଖିସରାୟର କାମେଶ୍ବର ତାନ୍ତିଙ୍କ ଝିଅ କୁମକୁମ କୁମାରୀଙ୍କ ମଧ୍ୟରେ ପ୍ରାୟ ବର୍ଷେରୁ ଊର୍ଦ୍ଧ୍ବ ସମୟ ଧରି ପ୍ରେମ ସମ୍ପର୍କ ଥିଲା । ଆଉ ଏହି ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ସ୍ଥିର କରି ସେମାନେ ବିବାହ କରିଛନ୍ତି । ସମାଜର ସମସ୍ତ ବାଧାବିଘ୍ନକୁ ଖାତିର ନକରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ସମଲିଙ୍ଗୀ ଦମ୍ପତି । ସୂଚନା ଅନୁସାରେ, ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବାବେଳେ ସେମାନେ ପରସ୍ପରର ସଂସ୍ପର୍ଶରେ ଆସିଥିଲେ । ମୋବାଇଲରେ କଥାବାର୍ତ୍ତା ପରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା ।

ପ୍ରେମୀ ଯୁଗଳଙ୍କ ପରିବାରର ବିରୋଧ :

ଉଭୟଙ୍କ ବିବାହ ସମୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହି ଖବର ପରିବାରଲୋକଙ୍କ ପାଖରେ ପହଞ୍ଚିଥିଲା । ଏସବୁ ଜାଣିବା ପରେ ଉଭୟଙ୍କ ପରିବାର ଲୋକେ ବିରୋଧ କରିଥିଲେ । ତେଣୁ ଏହି ଦୁଇ ଯୁବତୀ ଘରୁ ପଳାଇଆସି ପାଟନାରେ ରହିବାକୁ ଲାଗିଲେ । ଏହାପରେ ନିଶାଙ୍କ ପିତା କୁମକୁମଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ଝିଅକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିୟୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ହେଲେ ଅପହରଣ ନୁହେଁ, ଉଭୟ ସ୍ବଇଚ୍ଛାରେ ବିବାହ କରିଥିବା ନେଇ ତଦନ୍ତରେ ଜଣାପଡିଥିଲା ।

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରସଙ୍ଗ:

ନିକଟରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଶୁଣାଣି କରି ଏହାକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ମନା କରିଥିଲେ । ଏହି ପ୍ରସଙ୍ଗରେ ଭିନ୍ନ ଆଇନ ଆଣିବା ଅଧିକାର ସଂସଦ ଏବଂ ବିଧାନସଭା ଉପରେ ନ୍ୟସ୍ତ କରିଥିଲେ ସର୍ବୋଚ୍ଚ ଅଦାଲତ । ତେବେ ଏଭଳି ସ୍ଥିତିରେ କ'ଣ ହେବ ଏହି ସମଲିଙ୍ଗୀ ଦମ୍ପତିଙ୍କ ଭବିଷ୍ୟତ ତାକୁ ନେଇ ପ୍ରଶ୍ନ ଉଠିଛି।

ଏହା ବି ପଢନ୍ତୁ...Same Sex Marriage Verdict: କଣ କହୁଛନ୍ତି ଆଇନଜୀବୀ

Last Updated :Oct 27, 2023, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.