ETV Bharat / bharat

କାଶ୍ମୀରରେ ଜି-20 ସମ୍ମିଳନୀ ବୈଠକ ଆୟୋଜନକୁ ପାକିସ୍ତାନର ନିନ୍ଦା, ଜବାବ ରଖିଲା ଭାରତ

author img

By

Published : Apr 13, 2023, 8:15 PM IST

କାଶ୍ମୀରରେ ଜି-20 ସମ୍ମିଳନୀ ବୈଠକ ଆୟୋଜନକୁ ନେଇ ଆପତ୍ତି ଉଠାଇବା ସହ ପାକିସ୍ତାନ କରିଥିଲା ନିନ୍ଦା । ଜବାବରେ ଭାରତ କହିଲା କାଶ୍ମୀରରେ ଅନ୍ୟ ଭାଗ ପରି ଭାରତର ଏକ ଅବିଚ୍ଛେଦ୍ୟ ଅଂଶ । ଅଧିକ ପଢନ୍ତୁ

କାଶ୍ମୀରରେ ଜି 20 ସମ୍ମିଳନୀ ବୈଠକକୁ ନିନ୍ଦା କରିଥିଲା ପାକିସ୍ତାନ, ଜବାବ ରଖିଲା ଭାରତ
କାଶ୍ମୀରରେ ଜି 20 ସମ୍ମିଳନୀ ବୈଠକକୁ ନିନ୍ଦା କରିଥିଲା ପାକିସ୍ତାନ, ଜବାବ ରଖିଲା ଭାରତ

ନୂଆଦଲ୍ଲୀ: ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଜାରି ରହିଛି ଜି-20 ସମ୍ମିଳନୀର ଆୟୋଜନ । ଏନେଇ ଏକାଧିକ କାର୍ଯ୍ୟକ୍ରମ ଦେଶର ଭିନ୍ନଭିନ୍ନ ସହରରେ ଆୟୋଜନ ଜାରି ରହିଥିବା ବେଳେ କାଶ୍ମୀରରେ ମଧ୍ୟ ସମ୍ମିଳନୀର କିଛି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । କାଶ୍ମୀରରେ ଏହି ସମ୍ମିଳନୀର ବୈଠକ ଆୟୋଜନକୁ ନେଇ ଆପତ୍ତି ଉଠାଇବା ସହ ନିଷ୍ପତ୍ତିକୁ କାଶ୍ମୀରକୁ ନିଜର ବୋଲି ଦାବି କରି ଆସୁଥିବା ପାକିସ୍ତାନ ନିନ୍ଦା କରିଥିଲା । ତେବେ ଏହି ପ୍ରସଙ୍ଗରେ ପାକିସ୍ତାନକୁ ଜବାବ ଦେଇଛି ଭାରତ । ଜମ୍ମୁ, କାଶ୍ମୀର ଓ ଲଦାଖ ଦେଶର ଅନ୍ୟ ଅଂଶ ପରି ଭାରତର ଅବିଚ୍ଛେଦ୍ଯ ଅଙ୍ଗ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ ।

ସାପ୍ତାହିକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ମନ୍ତ୍ରଣାଳୟ ମୁଖପାତ୍ର ଅରନ୍ଦିମ ବାଗଚି କହିଛନ୍ତି, ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରୁଥିବା ବେଳେ ଏହାର ବିଭିନ୍ନ ବୈଠକ ଦେଶର ବିଭିନ୍ନ ପ୍ରାନ୍ତରେ ଆୟୋଜିତ କରାଯାଉଛି । ତେବେ ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, କାଶ୍ମୀର, ଜମ୍ମୁ ଓ ଲଦାଖରେ ଏହାର ବୈଠକ ଚୂଡାନ୍ତ କରିବା ଏକ ସ୍ବାଭାବିକ ପ୍ରକ୍ରିୟା । କାରଣ ଏହି ତିନି ସ୍ଥାନ ମଧ୍ୟ ଭାରତର ଅନ୍ୟ ଅଂଶ ପରି ଅବିଚ୍ଛେଦ୍ଯ ଅଙ୍ଗ ।

ତେବେ ଏବେ ମଧ୍ୟ ବିଭିନ୍ନ ସହରରେ ଜି-20 ସମ୍ମିଳନୀର ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହେବା ଜାରି ରହିଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ସମଗ୍ର ବିଶ୍ବ ମାନଚିତ୍ରରେ ସ୍ଥାନ ସୃଷ୍ଟି କରିଥିବା କାଶ୍ମୀରରେ ଜି-20 ପର୍ଯ୍ୟଟନ ଓ୍ବାର୍କିଂ ଗ୍ରୁପ ମିଟିଂ ରଖାଯାଇଛି । ଏହି ବୈଠକ ମେ’ 22ରୁ ଆରମ୍ଭ ହୋଇ 24 ପର୍ଯ୍ୟନ୍ତ, ଅର୍ଥାତ ଦୁଇ ଦିନ ଧରି ଜାରିରହିବ । ସେହିପରି ଅବିଭକ୍ତ କାଶ୍ମୀରର ଅନ୍ୟ ଦୁଇ ପ୍ରମୁଖ ସ୍ଥାନ ଲଦ୍ଦାଖ ଓ ଶ୍ରୀନଗରରେ ମଧ୍ୟ ଜି-20 ସମ୍ମିଳନୀର କନସଲଟେଟିଭ ଫୋରମ ଅନ ୟୁଥ୍‌ ଆଫେୟାର୍ସର ବୈଠକ ଶୃଙ୍ଖଳା ରଖାଯାଇଛି । ଯାହାକୁ ନେଇ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ପ୍ରାୟତଃ ଶେଷ ହେବାକୁ ଯାଉଛି । ହେଲେ କାଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ବୀକାର ନକରି ନିଜର ବୋଲି ଦାବି କରିଆସୁଥିବା ପାକିସ୍ତାନ, ଏହି ଆୟୋଜନକୁ ନେଇ ଆପତ୍ତି ଉଠାଇବା ସହ ନିଷ୍ପତ୍ତିକୁ ନିନ୍ଦା ମଧ୍ୟ କରିଥିଲା ।

ଚଳିତ ମାସ (ଏପ୍ରିଲ)11 ତାରିଖରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଭାରତର ଏହି ନିଷ୍ପତ୍ତିକୁ ନିନ୍ଦା କରିଥିଲା । ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଥିଲା, ଭାରତ କାଶ୍ମୀରକୁ ବଳପୂର୍ବକ ଭାବେ ଅକ୍ତିଆର କରି ରଖିଛି । ସେଠାରେ ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବୈଠକ ଆୟୋଜନ କରିବା ନିଷ୍ପତ୍ତି ଉଚିତ ନୁହେଁ । ଭାରତର ଏହି ପଦକ୍ଷେପ ଜାତିସଂଘ ସୁରକ୍ଷା ପରିଷଦର ଅନ୍ତର୍ଜାତୀୟ ନିୟମର ଉଲ୍ଲଙ୍ଘନ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏହି ବିବୃତ୍ତି ପାଠ କରି ଦର୍ଶାଇଥିଲେ ।

ହେଲେ ଏହି ମନ୍ତବ୍ୟକୁ ଭାରତ ଏତେ ଗମ୍ଭୀରତାର ସହ ନେଇନାହିଁ । କାରଣ ସ୍ବାଧୀନତା ପରବର୍ତ୍ତୀ ସମୟରୁ ପାକିସ୍ତାନ କାଶ୍ମୀରକୁ ଭାରତର ଅଂଶ ବୋଲି ସ୍ବୀକାର କରିବାରେ କୁଣ୍ଠାବୋଧ କରି ଆସିଛି । ହେଲେ ପାକିସ୍ତାନର ଏହି ଯୁକ୍ତି ଅନ୍ତର୍ଜାତୀୟ ସମୁଦାୟ ନିକଟରେ ଗ୍ରହଣୀୟ ହୋଇପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.