ETV Bharat / bharat

ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସରକାରଙ୍କ ନୋଟିସ, ଡିପଫେକ୍‌ ନହଟାଇଲେ ମିଳିବନି ସେଫ ହର୍ବର ଅଧିନିୟମ ସଂରକ୍ଷଣ

author img

By ETV Bharat Odisha Team

Published : Nov 18, 2023, 5:46 PM IST

ଡିପଫେକ୍‌ ମାମଲାରେ ଗମ୍ଭୀର ହେଲେ ସରକାର । ସମସ୍ତ ସୋସିଆଲ ମିଡିଆକୁ ନୋଟିସ୍‌ । ଡିପଫେକ୍‌ କଣ୍ଟେଣ୍ଟକୁ ଚିହ୍ନଟ କରି ପ୍ରତିହତ ନକଲେ, ମିଳିବନି ‘ସେଫ ହର୍ବର’ ଧାରା ଅନୁସାରେ ସଂରକ୍ଷଣ । ଅଧିକ ପଢନ୍ତୁ

ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସରକାରଙ୍କ ନୋଟିସ, ଡିପଫେକ୍‌ ନହଟାଇଲେ ମିଳିବନି ସେଫ ହର୍ବର ଅଧିନିୟମ ସଂରକ୍ଷଣ
ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସରକାରଙ୍କ ନୋଟିସ, ଡିପଫେକ୍‌ ନହଟାଇଲେ ମିଳିବନି ସେଫ ହର୍ବର ଅଧିନିୟମ ସଂରକ୍ଷଣ

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍‌ ଇନଟେଲିଜେନ୍ସି ଆଧାରିତ ଡିପଫେକ୍‌ ସଫ୍ଟଓ୍ବେର ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି (ଶନିବାର) ଏ ସମ୍ପର୍କରେ ଏକ ବଡ ବୟାନ ଦେଇଛନ୍ତି । କେନ୍ଦ୍ର ସରକାର ଖୁବ ଶୀଘ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକ ସହ ଏହି ଗମ୍ଭୀର ପ୍ରସଙ୍ଗ ଆଲୋଚନା କରିବେ । ଯଦି ପ୍ଲାଟଫର୍ମଗୁଡିକ ଏହାକୁ ପ୍ରତିହତ କରିବା ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପ ନ ନିଅନ୍ତି ତେବେ ସେମାନଙ୍କୁ ବୁକ କରାଯିବ । ଆଇଟି ଅଧିନିୟମ ଅନୁସାରେ 'ସେଫ ହର୍ବର' ଧାରାର ସଂରକ୍ଷଣ ପାଇବାରୁ ସେମାନେ ବଞ୍ଚିତ ହେବେ ।

ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ଉତ୍ତର ରଖି ବୈଷ୍ଣବ କହିଛନ୍ତି,‘‘ଡିପଫେକ ଏବେ ସାରା ଦେଶ ପାଇଁ ଏକ ଗମ୍ଭୀର ପ୍ରସଙ୍ଗ । ଆମେ ଏ ସମ୍ପର୍କରେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛୁ । ସେମାନେ ଏପରି କଣ୍ଟେଣ୍ଟକୁ ଚିହ୍ନଟ କରିବା ଓ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛୁ । ସେମାନେ ନୋଟିସ ଅନୁସାରେ, ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି । ଯଦି ସେମାନେ ଡିପଫେକ୍‌ କଥାବସ୍ତୁକୁ ପ୍ରତିହତ କରିବା ଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ ବା ପଦକ୍ଷେପ ଗ୍ରହଣ ନକରିନ୍ତି, ସେମାନଙ୍କୁ ପ୍ରଯୁକ୍ତିବିଦ୍ୟା ଅଧିନିୟନର ‘ସେଫ ହର୍ବର’ ଧାରାର ଲାଭ ମିଳିବ ନାହିଁ ।’’

ଆହୁରି ମଧ୍ୟ ବୈଷ୍ଣବ କହିଛନ୍ତି, ଏହି ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହ ନିଆଯାଉଛି । ଆମେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଏକ ବୈଠକ ଡାକିବାକୁ ଯାଉଛୁ । ଆସନ୍ତା 3-4 ଦିନ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇପାରେ । ଡିପଫେକକୁ ପ୍ରତିହତ କରିବା ଉପରେ ଗ୍ରହଣ କରିବାକୁ ଥିବା ପଦକ୍ଷେପ ଓ ପ୍ରୟାସ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ ।

ଏହା ମଧ୍ୟ ପଢନ୍ତୁ :- ‘3 ଡିସେମ୍ବର, କଂଗ୍ରେସ ଛୁ ମନ୍ତର’: ରାଜସ୍ଥାନରେ ଗେହେଲଟ ସରକାରକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ

ନିକଟରେ ଡିପଫେକ ମାଧ୍ୟମରେ ଏକାଧିକ ଅଭିନେତା ଓ ଅଭିନେତ୍ରୀଙ୍କ ଫେକ ଫଟୋ ଓ ଭିଡିଓ ସର୍କୁଲେଟ ହୋଇସାରିଛି । ଏହା ଭାଇରାଲ ହେବା ପରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏବେ ସରକାର ଏହାର ପ୍ରତିରୋଧ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ସରକାର ନୋଟିସ ଜାରି କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ ନିଜର ଚିନ୍ତାବ୍ୟକ୍ତ କରିଥିଲେ । କୃତ୍ରିମ ବୁଦ୍ଧିମତା ଆଧାରିତ ଏହି ଡିପଫେକ ସମାଜରେ ସଙ୍କଟ ସ-ଷ୍ଟି କରିବା ସହ ଅସନ୍ତୋଷ ସୃଷ୍ଟି କରିପାରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗଣମାଧ୍ୟମ ଏହାର ଦୂରୋପଯୋଗ ନେଇ ସମାଜରେ ଜାଗୃତତା ସୃଷ୍ଟି କରିବା ପାଇଁ ସେ ଆହ୍ବାନ ମଧ୍ୟ ଦେଇଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.