ETV Bharat / bharat

Cabinet Decision: ୩ ଲକ୍ଷ ଯାଏଁ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି

author img

By

Published : Aug 17, 2022, 8:21 PM IST

ଏଣିକି ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫ ପ୍ରତିଶତ ସୁଧ ରିହାତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଏଣିକି ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ (Union Cabinet) ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫ ପ୍ରତିଶତ ସୁଧ ରିହାତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ତେଣୁ ସବୁ ଋଣ ଲଗାଣକାରୀ ଆର୍ଥିକ ସଂସ୍ଥା ଯଥା: ସରକାରୀ ବ୍ୟାଙ୍କ, ଘରୋଇ ବ୍ୟାଙ୍କ (Public Sector Banks, Private Sector Bank) କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ବାଣିଜ୍ୟିକ ବ୍ୟାଙ୍କ ମାନଙ୍କ ସହ ସିଧାସଳଖ ଯୋଡି ହୋଇଥିବା କମ୍ପ୍ୟୁଟରୀକୃତ ପ୍ରାଥମିକ କୃଷି ସମିତିମାନଙ୍କୁ ବାର୍ଷିକ ଦେଢ ପ୍ରତିଶତ ସୁଧ ରିହାତି ମିଳିବ । ଆର୍ଥିକ ଋଣ ଲଗାଣକାରୀ ସଂସ୍ଥାମାନେ ଏହି ଦେଢ ପ୍ରତିଶତ ସୁଧ ରିହାତି ସୁବିଧା ଚାଷୀମାନଙ୍କୁ ଯୋଗାଇ ଦେବେ । ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି ବିଶିଷ୍ଟ କୃଷି ଋଣ ଉପରେ ଏହି ରିହାତି ସୁବିଧା ମିଳିବ।

ସୁଧ ଛାଡ ସୁବିଧା ନିମନ୍ତେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୩୪ ହଜାର ୮୫୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଅତିରିକ୍ତ ବଜେଟ ବ୍ୟବସ୍ଥା କରାଯାଇଛି ।

ସୁଧ ରିହାତିରେ ବୃଦ୍ଧି କାରଣରୁ କୃଷି ଋଣ ଯୋଗାଣରେ ସ୍ଥିରତା ସୁନିଶ୍ଚିତ ହେବ । ଋଣପ୍ରଦାନକାରୀ ସଂସ୍ଥା, ବିଶେଷ କରି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଧିକ ଋଣ ଦେବାକୁ ସେମାନେ ସକ୍ଷମ ହୋଇପାରିବେ । ଏହା ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଯଥେଷ୍ଟ କୃଷି ଋଣ ଉପଲବ୍ଧ କରାଇବ ।

ପାଣ୍ଠି ବାବଦ ଖର୍ଚ୍ଚରେ ବୃଦ୍ଧିକୁ ସହ୍ୟ କରିବାରେ ବ୍ୟାଙ୍କମାନେ ସକ୍ଷମ ହେବେ । କୃଷକମାନଙ୍କୁ ସେମାନଙ୍କର କୃଷି ଆବଶ୍ୟକତା ପାଇଁ ଋଣ ପ୍ରଦାନ କରିପାରିବେ । ଏହାଦ୍ବାରା ଅଧିକରୁ ଅଧିକ ଚାଷୀ ଋଣର ଲାଭ ପାଇପାରିବେ । ଏହାବ୍ୟତୀତ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟତା ମିଳିବ । କାରଣ ସ୍ୱଳ୍ପ ଅବଧି କୃଷି ଋଣ ପଶୁପାଳନ, ମତ୍ସ୍ୟ ପାଳନ ସମେତ ସବୁ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟରେ ସହାୟତା ପାଇଁ ପ୍ରଦାନ କରାଯାଇଥାଏ ।

ଚାଷୀମାନେ ବାର୍ଷିକ ୪% ସୁଧ ହାରରେ ସ୍ୱଳ୍ପକାଳୀନ କୃଷି ଋଣ ନେବା ଜାରି ରଖିପାରିବେ ଏବଂ ଠିକ ସମୟରେ ଋଣ ପରିଶୋଧ ନିମନ୍ତେ ସକ୍ଷମ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.