ETV Bharat / bharat

ନୂଆବର୍ଷରେ ଦେଶରେ ଗଡିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

author img

By

Published : Dec 30, 2022, 4:40 PM IST

ନୂଆବର୍ଷରେ ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ହାଇଡ୍ରୋଜେନ୍ ଟ୍ରେନ୍ ସେବା । ଜାଣନ୍ତୁ କଣ ରହିଛି ଏହାର ବିଶେଷତା । ଅଧିକ ପଢନ୍ତୁ

hydrogen train
ହାଇଡ୍ରୋଜେନ୍ ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଲଓ୍ବେ ବିଭାଗର ନୂଆ ବର୍ଷ ଭେଟି । ନୂଆବର୍ଷରେ ଦେଶରେ ଗଡିବ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଯାତ୍ରୀବାହୀ ହାଇଡ୍ରୋଜେନ ଦ୍ବାରା ପରିଚାଳିତ ଟ୍ରେନ (India First hydrogen passenger Train ) । ଜଳବାୟୁ ପରିବର୍ତ୍ତନ ଓ ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଭାରତୀୟ ରେଳବାଇ ଏହି ନୂତନ ପଦକ୍ଷେପ ଗ୍ରହଣ କରିଛି । ପ୍ରଦୂଷଣ କରୁଥିବା ଡିଜେଲ ଇଞ୍ଜିନ ସ୍ଥାନରେ ଏହି ହାଇଡ୍ରୋଜେନ ଟ୍ରେନ ଯାତାୟତ କରିବ । ତେବେ ଦୈନିକ ଚଳାଚଳ କରୁଥିବା ଟ୍ରେନଠାରୁ ଏହା ସାମାନ୍ୟ ଛୋଟ ରହିବ ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା ବେଳେ ଏହାର ସମାଧାନ ପାଇଁ ସମଗ୍ର ବିଶ୍ବ ଚେଷ୍ଟା ଜାରି ରଖିଛି । ଏହାର ଏକ ଅଂଶ ଭାବରେ ଦେଶରେ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଏହି ହାଇଡ୍ରୋଜେନ ଟ୍ରେନ ଚଲାଇବାକୁ ଗୁରୁତ୍ବାରୋପ କରାଯାଉଛି । ବର୍ତ୍ତମାନ ରେଳ ବିଭାଗ ଜୀବାଶ୍ମ ଇନ୍ଧନ ଉପରେ ଅଧିକ ନିର୍ଭରଶୀଳ । ବିମାନ ଯାତ୍ରା ଅପେକ୍ଷା ରେଳ ଯାତ୍ରା ଅଧିକ ପରିବେଶ ଅନୁକୂଳ ଅଟେ । ତେବେ International Greenhouse Emissionsରେ ରେଳବାଇର ଅଂଶ 1 ପ୍ରତିଶତ ଅଟେ । ଏହାର ମୁଖ୍ୟ କାରଣ ହେଉଛି ଡିଜେଲ ଇଞ୍ଜିନ । କିଛି ରେଳ କମ୍ପାନୀ ମିଳିତ ଜାତିସଂଘର 'ରେସ୍ ଟୁ ଜିରୋ' ଅନୁଯାୟୀ ୨୦୫୦ ସୁଦ୍ଧା କାର୍ବନ ମୁକ୍ତ ରେଳ ନିର୍ମାଣ ନେଇ ଲକ୍ଷ୍ୟ ରଖିଛନ୍ତି । ମୁଖ୍ୟତ ହାଇଡ୍ରୋଜେନ ଟ୍ରେନ ନିର୍ମାଣ ଲକ୍ଷ୍ୟରେ ରହିଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଇନ୍ଧନ ଚାଳିତ ଟ୍ରେନ୍ ଗୁଡିକ ସେହି ରୁଟ୍ ପାଇଁ ସର୍ବୋତ୍ତମ ରହିବ ଯେଉଁଠି ବିଦ୍ୟୁତ ସଂଯୋଗ ନାହିଁ । ଜର୍ମାନୀ ଏହି ଦିଗରେ ପଦକ୍ଷେପ ନେଇଛି । ଚଳିତ ବର୍ଷ ଅଗଷ୍ଟରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଜର୍ମାନୀରେ ଗଡିଥିଲା । ଏହାର ନାମ 'କୋରାଡିଆ ଦ୍ୱୀପ' । ଏହାକୁ ଏଲଷ୍ଟମ୍ ଦ୍ୱାରା ଡିଜାଇନ୍ କରାଯାଇଛି । ଜର୍ମାନୀର ଲୋୟର ସାକ୍ସୋନି ଅଞ୍ଚଳରେ 62 ମିଲ୍‌ ମାର୍ଗରେ 14ଟି ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ କରୁଛି ।

ହାଇଡ୍ରୋଜେନ ଟ୍ରେନର ଉପକାରିତା

ହାଇଡ୍ରୋଜେନ ଟ୍ରେନ ପରିବେଶ ପାଇଁ ଅତ୍ୟନ୍ତ ଉତ୍କୃଷ୍ଟ । ଏଗୁଡ଼ିକରୁ କାର୍ବନ ନିର୍ଗତ ହୁଏ ନାହିଁ(zero carbon emissions) । ଏଟି ଟ୍ରେନରୁ ଜଳ ଏବଂ ବାୟୁ ନିର୍ଗତ ହୋଇଥାଏ । ଯେଉଁ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ନାହିଁ ସେଠାରେ ଏହି ଟ୍ରେନ ବରଦାନ ସଦୃଶ । ଅନ୍ୟ ଟ୍ରେନ ଅପେକ୍ଷା ଏହି ଟ୍ରେନରେ ଶବ୍ଦର ମାତ୍ରା କମ ରହିବ । 20 ମିନିଟ୍ ମଧ୍ୟରେ ଏଥିରେ ଇନ୍ଧନ ଭର୍ତ୍ତି କରାଯାଇପାରିବ ।

ହାଇଡ୍ରୋଜେନ ଟ୍ରେନର ବିଶେଷତା

କୋରାଡିଆ ଦ୍ୱୀପ ଟ୍ରେନ୍ ଗୁଡିକ ହାଇଡ୍ରୋଜେନ୍ ଇନ୍ଧନ-ସେଲ୍ ଟେକ୍ନୋଲୋଜିରେ ଚାଲିଥାଏ । ଏଥିରୁ ପରିବେଶକୁ କ୍ଷତି ପହଞ୍ଚାଉଥିବା ଭଳି କୌଣସି କ୍ଷତିକାରକ ନିର୍ଗତ ହୁଏ ନାହିଁ । ଏହା ବାର୍ଷିକ ପ୍ରାୟ 16 ଲକ୍ଷ ଲିଟର ଡିଜେଲ ସଞ୍ଚୟ କରିବ । ଫଳସ୍ୱରୂପ ପ୍ରତିବର୍ଷ 4 ହଜାର ଟନ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ଉପରେ ରୋକ ଲାଗିବ । ଥରେ ଇନ୍ଧନ ଭରିବା ପରେ ଏହି ଟ୍ରେନ୍ଗୁଡିକ ଏକ ହଜାର କିମି ଯାତ୍ରା କରିବ । ହାଇଡ୍ରୋଜେନ୍ ଟ୍ରେନ୍ ପ୍ରତି ଘଣ୍ଟାରେ ସର୍ବାଧିକ 140 କିମି ଅତିକ୍ରମ କରିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.