ETV Bharat / bharat

INDIA VS NDA: ସୋସିଆଲ ମିଡିଆ ବାୟୋ ବଦଳାଇଲେ ଆସାମ ମୁଖ୍ୟମନ୍ତ୍ରୀ, INDIA ପରିବର୍ତ୍ତେ ଲେଖିଲେ ‘ଭାରତ’

author img

By

Published : Jul 19, 2023, 10:32 PM IST

ବିରୋଧୀ ମେଣ୍ଟର ନାମ ଘୋଷଣା ପରେ ତୁରନ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ବାୟୋ ବଦଳାଇଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । INDIA ପରିବର୍ତ୍ତେ ଲେଖିଲେ ‘ଭାରତ’ । ଅଧିକ ପଢନ୍ତୁ

INDIA VS NDA: ସୋସିଆଲ ମିଡିଆ ବାୟୋ ବଦଳାଇଲେ ଆସାମ ମୁଖ୍ୟମନ୍ତ୍ରୀ,  INDIA ପରିବର୍ତ୍ତେ ଲେଖିଲେ ‘ଭାରତ’
INDIA VS NDA: ସୋସିଆଲ ମିଡିଆ ବାୟୋ ବଦଳାଇଲେ ଆସାମ ମୁଖ୍ୟମନ୍ତ୍ରୀ, INDIA ପରିବର୍ତ୍ତେ ଲେଖିଲେ ‘ଭାରତ’

ଗୌହାଟୀ: ଗତକାଲି ବିରୋଧୀଙ୍କ ମିଳିତ ମେଣ୍ଟ ନିଜ ନାମ ଘୋଷଣା କରିଛି । ଯାହାର ନାମ ଭାରତୀୟ ଜାତୀୟ ପ୍ରଗତିଶୀଳ ସମାବେଶୀ ମେଣ୍ଟ ବା ଦେଶର ନାମ ସହ ‘INDIA’ ରଖାଯାଇଛି । ଯାହାକୁ ନେଇ ସମାଲୋଚନାମୂଳକ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । କିଛି ଏନଡିଏ ସହଯୋଗୀ ଏକ ରାଜନୈତିକ ମେଣ୍ଟର ନାମ ଦେଶର ନାମ ସହ ନାମକରଣ କରିବା ଉଚିତ ନୁହେଁ ବୋଲି କହିଛନ୍ତି । ତେବେ ଏହାରି ମଧ୍ୟରେ ଏକ ରୋଚକ ଖବର ମଧ୍ୟ ସାମ୍ନାକୁ ଆସିଛି । ଭାରତୀୟ ଜନତା ପାର୍ଟିର ଅନ୍ୟତମ ବରିଷ୍ଠ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିରୋଧୀଙ୍କ ମେଣ୍ଟର ନାମ ଘୋଷଣା ହେବା ପରେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ବାୟୋରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ତାଙ୍କ ସୋସିଆଲ ମିଡିଆରେ ଏକାଧିକ ଆକାଉଣ୍ଟର ‘‘ଚିଫ୍‌ ମିନିଷ୍ଟର ଅଫ ଆସାମ, ଇଣ୍ଡିଆ’’ ଲେଖାଯାଇଥିବା ବେଳେ ବିଶ୍ବଶର୍ମା ଏହାକୁ ଇଣ୍ଡିଆ ପରିବର୍ତ୍ତେ ଭାରତକୁ ପରିବର୍ତ୍ତନ କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କର ଫେସ୍‌ବୁକ୍‌ ଓ ଟ୍ବିଟର ଆକାଉଣ୍ଟରେ ନିଜ ପରିଚୟ ବା ବାୟୋର କଭର ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ଫଟୋ ଥିଲା । ସେଠାରେ ତଳେ ଇଂରାଜୀରେ ତାଙ୍କ ନାମ ଲେଖାଯାଇଥିବା ସହ ‘‘ଚିଫ ମିନିଷ୍ଟର ଅଫ ଆସାମ, ଇଣ୍ଡିଆ’’ ଲେଖାଯାଇଥିଲା । ହେଲେ ଗତକାଲି ବିରୋଧୀଙ୍କ ମହାମେଣ୍ଟର ନାମ ‘ଇଣ୍ଡିଆ’ ରଖାଯିବା ପରେ ସେ ଏଥିରେ ପରିବର୍ତ୍ତନ କରିଛନ୍ତି । ଅନ୍ୟ ସମସ୍ତ ସୂଚନା ପୂର୍ବ ଭଳି ଥିବା ବେଳେ କେବଳ ଇଣ୍ଡିଆ ସ୍ଥାନରେ ସେ ଭାରତ ଲେଖିଛନ୍ତି । ଏହା ବିରୋଧୀଙ୍କ ମେଣ୍ଟ ନାମକରଣର ପ୍ରଭାବ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଏହି ପରିବର୍ତ୍ତନ ସମ୍ପର୍କରେ ବିଶ୍ବଶର୍ମା କୌଣସି ପୋଷ୍ଟ କରିନାହାନ୍ତି କିମ୍ବା ଅନ୍ୟ କୌଣସି ସୂଚନା ଦେଇନାହାନ୍ତି ।

2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର ପ୍ରାୟ 8 ମାସ ଥିବା ଜାତୀୟ ସ୍ତରରେ ମେଣ୍ଟ ରାଜନୀତି ଜୋର ଧରିଛି । ଗତକାଲି ବେଙ୍ଗାଲୁରୁରେ 26ଟି ଦଳକୁ ନେଇ ବିରୋଧୀ ମେଳି କରିଥିବା ବେଳେ ଦିଲ୍ଲୀରେ ବସିଥିଲା ଶାସକ ବିଜେପି ନେତୃତ୍ବାଧୀନ NDA ବୈଠକ । ଗତକାଲି ବୈଠକର ବିରୋଧୀ ମହାମେଣ୍ଟ ନିଜର ନାମ ‘ଭାରତୀୟ ଜାତୀୟ ପ୍ରଗତିଶୀଳ ସମାବେଶୀ ମେଣ୍ଟ’ ଅର୍ଥାତ (ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍‌ ଆଲିଆନ୍ସ) ବା INDIA ଘୋଷଣା କରିଥିଲା ।

ଏହା ମଧ୍ୟ ପଢନ୍ତୁ:-NDA Vs INDIA: ୨୦୨୪ରେ ହେବ ଜୋରଦାର ଲଢେଇ, 38 ଉପରେ ଭାରିପଡିବ କି 26 ?

ଅନ୍ୟପଟେ ଛୋଟ ବଡ 38 ଦଳଙ୍କୁ ନେଇ ରାଜଧାନୀ ଦିଲ୍ଲୀର ଗ୍ରାଣ୍ଡ୍‌ ଅଶୋକା ହୋଟେଲରେ ଶକ୍ତି ଦେଖାଇଥିଲା ଶାସକ ଏନଡିଏ ମେଣ୍ଟ । ଏଥର ମେଣ୍ଟରେ ଏକାଧିକ ଛୋଟ ରାଜନୈତିକ ଦଳ ବା ବିଭାଜିତ ହୋଇଥିବା ଗୋଷ୍ଠୀ ସାମିଲ ହୋଇଥିଲେ । କିଛି ପଞ୍ଜୀକରଣ ବିହୀନ ଗୋଷ୍ଠୀ ମଧ୍ୟ ଶାସକ ମେଣ୍ଟରେ ନଜର ଆସିଥିଲେ । ଯାହାକୁ ନେଇ ବିରୋଧୀ କଂଗ୍ରେସ କହିଥିଲା, ଏହା ବିଜେପିକୁ ବିରୋଧୀ ମହାମେଣ୍ଟର ଭୟ । ଅନ୍ୟପଟେ ମେଣ୍ଟ ସହଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏନଡିଏ ଏକ ସମୟ ପରୀକ୍ଷିତ ମେଣ୍ଟ । ଏହା ସର୍ବଦା ଜାତୀୟ ସ୍ବାର୍ଥ ସହ ନିଜର କ୍ଷେତ୍ରୀୟ ସହଯୋଗୀ ଦଳଙ୍କ ଆକାଂକ୍ଷାକୁ ସାମାନ ଗୁରୁତ୍ବ ଦେଇଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.