ETV Bharat / bharat

Delhi Liquor Policy Case: କବିତାଙ୍କୁ ୧୦ ଘଣ୍ଟା ଜେରା, ତୃତୀୟ ଥର ଇଡିରେ ହାଜର

author img

By

Published : Mar 21, 2023, 8:36 AM IST

Updated : Mar 21, 2023, 2:17 PM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ୧୦ ଘଣ୍ଟା ଜେରା କରାଯାଇଛି । ଆଜି ପୁଣିଥରେ ପଚରାଉଚରା ପାଇଁ ଡାକରା ମିଳିଛି । ଅଧିକ ପଢନ୍ତୁ

କବିତାଙ୍କୁ ୧୦ ଘଣ୍ଟା ଜେରା
କବିତାଙ୍କୁ ୧୦ ଘଣ୍ଟା ଜେରା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବିଆରଏସ ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଗତକାଲି(ସୋମବାର) ଦୀର୍ଘ ୧୦ ଘଣ୍ଟା କାଳ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମଦ ଦୁର୍ନୀତି ସଂକ୍ରାନ୍ତରେ ବିଆରଏସ ନେତ୍ରୀଙ୍କୁ ଗୁଡାଇତୁଡାଇ ପ୍ରଶ୍ନ କରାଯାଇଛି । ଆଜି ଦିନ ୧୧ଟାରେ ପୁଣିଥରେ ତାଙ୍କୁ ଜେରା ପାଇଁ ହାଜର ହେବାକୁ ନୋଟିସ୍ ଦେଇଛି ଇଡି । ପୂର୍ବରୁ ଗତ ୧୧ ତାରିଖରେ କବିତାଙ୍କୁ ଜେରା କରାଯାଇଥିବାବେଳେ ଆଜି ଲାଗାତର ଦ୍ବିତୀୟ ଦିନରେ ସେ ଇଡି ପ୍ରଶ୍ନର ସାମ୍ନା କରୁଛନ୍ତି ।

ସୂଚନା ମୁତାବକ, ବିଆରଏସ ନେତ୍ରୀ କବିତା ଗତକାଲି ଦଳୀୟ ନେତା ଓ ସମର୍ଥକଙ୍କ ସହ ଦିନ ୧୦ଟାରେ ଜେରା ପାଇଁ ଇଡି ଅଫିସରେ ପହଞ୍ଚିଥିଲେ । ପିଏମଏଲଏ ଆକ୍ଟର ଧାରା ୫୦ରେ ତାଙ୍କୁ ଦିନ ୧୧ଟାରୁ ପଚରାଉଚରା ଆରମ୍ଭ ହୋଇଥିଲା । ଯାହାକି ରାତି ୯ଟାରେ ଶେଷ ହୋଇଥିଲା । ଦୀର୍ଘ ୧୦ ଘଣ୍ଟାର ମାରାଥନ ଜେରା ପରେ ସେ ରାତିରେ ଇଡି ଅଫିସରୁ ବାହାରିଥିବାବେଳେ ଆଜି(ମଙ୍ଗଳବାର) ପୁଣିଥରେ ତାଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ତୃତୀୟ ଥର ସେ ହାଜର ହୋଇଛନ୍ତି ।

ପ୍ରକାଶଥାଉ କି, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ପ୍ରଥମେ ମାର୍ଚ୍ଚ ୮ରେ କବିତାଙ୍କୁ ନୋଟିସ୍ କରିଥିଲା । ୧୧ ତାରିଖରେ ପୂର୍ବରୁ ଗିରଫ ହୋଇଥିବା ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କ ସାମ୍ନାସାମ୍ନି ବସାଇ ତାଙ୍କୁ ୯ ଘଣ୍ଟା ଜେରା କରାଯାଇଥିଲା । ଏହାପରେ ପୁଣିଥରେ ମାର୍ଚ୍ଚ ୧୬ରେ ହାଜର ହେବାକୁ ସମନ କରାଯାଇଥିବାବେଳେ ଏହାକୁ ଚ୍ୟାଲେଞ୍ଜ କରି କବିତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏଥିସହ ଏହି ମାମଲା କୋର୍ଟରେ ବିଚାରଧୀନ ଥିବା କହି ଇଡିରେ ହାଜର ହୋଇନଥିଲେ । କିନ୍ତୁ ସର୍ବୋଚ୍ଚ ଅଦାଲତ ତାଙ୍କ ଆବଦେନର ଜରୁରୀ ଶୁଣାଣି ପାଇଁ ମନା କରିଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: Delhi Liquor Scam: ପୁଣି ଇଡିରେ ହାଜର ହେଲେ କବିତା, ପଚରାଉଚରା ଜାରି

ଏହାପରେ ଗତକାଲି ବିଆରଏସ ନେତ୍ରୀ ଇଡିରେ ହାଜର ହୋଇଥିଲେ । ଆଜି ପୁଣିଥରେ କବିତା ଓ ଅରୁଣ ରାମଚନ୍ଦ୍ରଙ୍କୁ ସାମ୍ନାସାମ୍ନା ଜେରା କରାଯିବ ବୋଲି ସୂଚନା ମିଳିଛି । ଗତ ମାର୍ଚ୍ଚ ୬ତାରିଖରେ ଅରୁଣ ଗିରଫ ହୋଇଥିଲେ । ସେ ମଦ ଦୁର୍ନୀତି ମାମଲାରେ ଜଡିତ ଥିବା ସାଉଥ ଗ୍ରୁପର ପ୍ରତିନିଧି ଥିଲେ । ଏହି ଘଟଣାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଏଯାବତ୍ ୧୨ ଜଣ ଗିରଫ ହୋଇସାରିଲେଣି । ଏବେ କବିତାଙ୍କ ମୁଣ୍ଡରେ ମଧ୍ୟ ଏହି ଗିରଫଦାରୀର ଖଣ୍ଡା ଝୁଲୁଥିବା ଆଶଙ୍କା କରାଯାଉଛି ।

Last Updated : Mar 21, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.