ETV Bharat / bharat

ଗୁଜୁରାଟ ଉପରେ ପ୍ରକୃତି କୋପ ! ବାତ୍ୟାମାଡ ପୂର୍ବରୁ ଭୂକମ୍ପରେ ଥରିଲା କଚ୍ଛ

author img

By

Published : Jun 15, 2023, 7:27 AM IST

ବାତ୍ୟା ଲ୍ୟାଣ୍ଡଫଲ ପୂର୍ବରୁ ଗୁଜୁରାଟ କଚ୍ଛରେ ଭୂମିକମ୍ପ ଝଟକା ଅନୁଭୂତ । ଅଧିକ ପଢନ୍ତୁ

ଗୁଜୁରାଟ କଚ୍ଛରେ ଭୂମିକମ୍ପ ଝଟକା
ଗୁଜୁରାଟ କଚ୍ଛରେ ଭୂମିକମ୍ପ ଝଟକା

ଗାନ୍ଧୀନଗର: ବାତ୍ୟାମାଡ ପୂର୍ବରୁ ଭୂମିକମ୍ପରେ ଦୋହଲିଲା ଗୁଜୁରାଟ । ଭୟଙ୍କର ବାତ୍ୟା ବିପର୍ଯ୍ୟୟ ଆଜି ଗୁଜୁରାଟ ଜଖାଉ ବନ୍ଦର ଠାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ବୁଧବାର କଚ୍ଛରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ଭୀଷଣ ବାତ୍ୟା ଭୟ ଭିତରେ ଏହି ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳର କଚ୍ଛ ଜିଲ୍ଲାର ୫ କିମି ଦକ୍ଷିଣ ପଶ୍ଚିମରେ ରହିଥିଲା । ଏଥିରେ ବିଶେଷ କ୍ଷୟକ୍ଷତି ହୋଇନାହିଁ ।

ବୁଧବାର ସକାଳେ ଜମ୍ମୁ କାଶ୍ମୀରର କତ୍ରା ଓ ଦୋଦାରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା । ଦୋଦାରେ ୫.୪ ତୀବ୍ରତାର ଭୂକମ୍ପ ସଂଗଠିତ ହୋଇଥିଲା । ଏଥିରେ କିଛି ବିଲ୍ଡିଂ କ୍ଷତିଗ୍ରସ୍ତ ହେବା ସହ ୫ ଜଣ ଆହତ ହୋଇଥିଲେ । ଏହାପୂର୍ବରୁ ଜୁନ ୧୪ ମଧ୍ୟରାତ୍ରି ପ୍ରାୟ ୨ଟା ୨୦ ମିନିଟ ସମୟରେ କତ୍ରାରେ ୪.୩ ତୀବ୍ରତାର ଭୂକମ୍ପ ହୋଇଥିଲା । ଅଳ୍ପ ସମୟ ବ୍ୟବଧାନରେ ଜମ୍ମୁ-କାଶ୍ମୀରରେ ୪ଥର ଭୂକମ୍ପ ଝଟକା ଅନୁଭୂତ ହେବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା ।

ଅନ୍ୟପରେ ଭୀଷଣ ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ସୌରାଷ୍ଟ୍ର, ଦ୍ବାରକା ଓ କଚ୍ଛ ପାଇଁ ରେଡ ଆଲର୍ଟ ଜାରି କରିଛି । ବାତ୍ୟା ବିପର୍ଯ୍ୟୟ କଚ୍ଛ ମୁହାଁ ହୋଇଥିବାରୁ ଗୁଜୁରାଟର ୮ଟି ଉପକୂଳବର୍ତ୍ତୀ ଜିଲ୍ଲାରୁ ପାଖାପାଖି ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ରିଲିଫ ଏବଂ ରେସ୍କ୍ୟୁ ଅପରେସନ ପାଇଁ ୧୮ଟି NDRF ଟିମ୍ ନିୟୋଜିତ କରାଯାଇଛି । କଚ୍ଛରେ କେବଳ ୪ଟି NDRF ଟିମ୍ ସଜାଗ ରହିଛନ୍ତି । ଏହି କ୍ରମରେ ରାଜକୋଟରେ ଏବଂ ଦେବଭୂମି ଦ୍ବାରକାରେ ୩ଟି ଟିମ୍, ଜାମନଗରରେ ଦୁଇଟି ଓ ପୋରବନ୍ଦର, ଜୁନାଗଡ, ଗିର ସୋମନାଥ, ମୋରବି, ଭଲସାଦ, ଗାନ୍ଧୀନଗରରେ ଗୋଟିଏ ଲେଖାଏଁ NDRF ଟିମ୍ ମୁତୟନ କରାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାତ୍ୟା ମୁକାବିଲା ପାଇଁ ସେନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ବାତ୍ୟା ପରିସ୍ଥିତର ମୁକାବିଲା ଏବଂ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ସେନା ପ୍ରସ୍ତୁତ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଭର୍ଚୁଆଲରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଥିଲେ । ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ଏବଂ ସେମାନଙ୍କ ଲାଗି ବିଦ୍ୟୁତ, ସ୍ବାସ୍ଥ୍ୟସେବା, ପାନୀୟ ଜଳ ଭଳି ଆବଶ୍ୟକୀୟ ସେବା ସୁନିଶ୍ଚିତ କରିବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ସମୁଦ୍ର ତଟରୁ ୧୦ କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ଉଦ୍ୟମ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.