ETV Bharat / bharat

Shocking: ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଏସିଡ୍‌ ଢାଳି ଜାଳିଦେଲେ

author img

By

Published : Jul 14, 2023, 10:02 AM IST

ରାଜସ୍ଥାନରେ ଲୋମହର୍ଷଣକାରୀ କାଣ୍ଡ । ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଏସିଡ୍‌ ଢାଳି କୂଅରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

Dalit girl gang raped and killed in Rajasthan
Dalit girl gang raped and killed in Rajasthan

ଜୟପୁର: ପୁଣି ସୀମା ଟପିଲା ବର୍ବରତା । ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କଲେ ଯୌନ ପିପାସୁ । ଦୁଷ୍କର୍ମ କରିବା ପରେ ମୁହଁରେ ଏସିଡ୍ ଢାଳି ଫିଙ୍ଗିଦେଲେ । ରାଜସ୍ଥାନ କରୌଲି ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । କୂଅ ଭିତରୁ ପୀଡିତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁଯାୟୀ, କରୌଲି ବଲଘାଟ ଥାନା ଅଞ୍ଚଳରେ ଏହି ଲୋମହର୍ଷଣକାରୀ କାଣ୍ଡ ଘଟିଛି । ଗତ ଗୁରୁବାର ଭୋର ସମୟରୁ ଯୁବତୀ ଜଣକ ଘରୁ ନିଖୋଜ ହୋଇଯାଇଥିଲେ । ଏହାର କିଛି ସମୟ ପରେ ପାଖ ଗାଁର ଲୋକେ କୂଅରୁ ପାଣି କାଢୁଥିବା ବେଳେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ମୃତଶରୀରର ମୁହଁ ପୋଡି ଯାଇଥିବାର ଦେଖାଯାଇଥିଲା । ଏହି ଖବର ପ୍ରଘଟ ପରେ ପୀଡିତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପୀଡିତାଙ୍କ ମାଆ କହିଛନ୍ତି, ‘‘ବୁଧବାର ମଧ୍ୟରାତ୍ରିରେ ଝିଅ ବାଥରୁମ ଯିବାକୁ ଉଠିଥିଲା । ସେ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ଲଗାଇଥିବା ୩ରୁ ୪ ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ କାର ଭିତରକୁ ଟାଣି ନେଇ କୁଆଡେ ପଳାଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଏହାପରେ ସୋସିଆଲ ମିଡିଆ ଜରିଆରେ କୂଅରୁ ଝିଅର ମୃତଦେହ ମିଳିବା ସମ୍ପର୍କରେ ପରିବାର ଲୋକେ ଜାଣିବାକୁ ପାଇଥିଲେ ।’’

ଏହାମଧ୍ୟ ପଢନ୍ତୁ: ବନ୍ୟା ଦୁର୍ଦ୍ଦଶା: ଶ୍ମଶାନ ଯାଇପାରିଲାନି ମୃତଦେହ, ରାସ୍ତାକଡରେ ହେଲା ସତ୍କାର

ଏ ଖବର ପାଇବା ପରେ ବିଜେପି ସାଂସଦ କିରୋଡି ଲାଲ ମୀନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନ୍ୟାୟ ଦାବିରେ ପୀଡିତାଙ୍କ ପରିବାର ଲୋକଙ୍କ ସହ ଧାରଣା ଦେଇଥିଲେ । ସାଂସଦ ଅଭିଯୋଗ କରିଛନ୍ତି ଯେ, ଗେହଲଟ ସରକାରରେ ରାଜ୍ୟର କୌଣସି ଝିଅ ସୁରକ୍ଷିତ ନୁହଁନ୍ତି । ଦୁର୍ବୃତ୍ତମାନେ ୧୯ ବର୍ଷୀୟ ପୀଡିତାଙ୍କୁ ଅପହରଣ କରିବା ପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହାପରେ ମୁହଁରେ ଏସିଡ୍‌ ଢାଳି କୂଅରେ ଫିଙ୍ଗି ଦେଇଥିଲେ । ତେଣୁ ପୀଡିତାଙ୍କୁ ନ୍ୟାୟ ଦାବିରେ ସେ ଧାରଣା ଦେଇଛନ୍ତି ।

ସାଂସଦ ମୀନା ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଦାବି କରିଛନ୍ତି । ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଅପରାଧିଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସହ ଚାକିରି ଦିଆଯାଉ । ଏହାପରେ ହିଁ ପୀଡିତାଙ୍କ ମୃତଦେହ ସତ୍କାର କରାଯିବ ବୋଲି ସାଂସଦ କହିଛନ୍ତି । ସେପଟେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପଠାଇ ଏକ ମାମଲା ରୁଜୁ କରିଛି । ଘଟଣାରେ ଛାନଭିନ୍ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.