ETV Bharat / bharat

‘ବିପର୍ଯ୍ୟୟ’ ଘଟାଇଲା ବିପର୍ଯ୍ୟୟ: ୨ ମୃତ, ଅନ୍ଧାରରେ ୯୪୦ ଗାଁ, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

author img

By

Published : Jun 16, 2023, 8:11 AM IST

Updated : Jun 16, 2023, 9:14 AM IST

ଲ୍ୟାଣ୍ଡଫଲ ପରେ ଗୁଜୁରାଟରେ ତାଣ୍ଡବ ରଚିଲା ବିପର୍ଯ୍ୟୟ । ବାତ୍ୟାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 22 ଜଣ ଆହତ । ଅଧିକ ପଢନ୍ତୁ

ଗୁଜୁରାଟରେ ବାତ୍ୟା ତାଣ୍ଡବ
ଗୁଜୁରାଟରେ ବାତ୍ୟା ତାଣ୍ଡବ

Cyclone Biparjoy
Cyclone Biparjoy

ଗାନ୍ଧୀନଗର: ଗୁଜୁରାଟରେ ତାଣ୍ଡବ ରଚିଛି ବାତ୍ୟା ବିପର୍ଯ୍ୟୟ । ଗତ ସନ୍ଧ୍ୟାରେ ଗୁଜୁରାଟ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ପ୍ରବଳ ଝଡ ତୋଫାନ ଅଧିକାଂଶ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବାତ୍ୟା ଯୋଗୁଁ 2 ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ଅତିକମରେ 22 ଜଣ ଆହତ ହୋଇଛନ୍ତି । ବଡ ବଡ ଦ୍ରୁମ, ବିଦ୍ୟୁତ ଖୁଣ୍ଟ ଉପୁଡି ରାସ୍ତା ଉପରେ ପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନରେ 23 ଜନ୍ତୁଙ୍କ ଜୀବନ ଯାଇଛି । 524ରୁ ଅଧିକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇଛି । ଯେଉଁ କାରଣରୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇ 940 ଖଣ୍ଡ ଗାଁ ଏବେ ଅନ୍ଧାରରେ ବୁଡିଛି ।

ରାଜସ୍ଥାନ ମୁହାଁ ବିପର୍ଯ୍ୟୟ: ସୂଚନା ମୁତାବକ, ବାତ୍ୟା ବିପର୍ଯ୍ୟୟ ମଧ୍ୟରାତ୍ର ସାଢେ 2ଟା ସୁଦ୍ଧା ନାଲିୟା ଠାରୁ 30 କିଲୋମିଟର ଦୂର ଉତ୍ତରରେ ସୌରାଷ୍ଟ୍ର-କଚ୍ଛ ଅଞ୍ଚଳରେ କେନ୍ଦ୍ରିତ ଥିଲା । ବାତ୍ୟା ବର୍ତ୍ତମାନ ରାଜସ୍ଥାନ ମୁହାଁ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) କହିଛି ଯେ, ବାତ୍ୟା ଉତ୍ତର-ପୂର୍ବ ଆଡକୁ ଗତ କରିବ । ଏହା ଧୀରେ ଧୀରେ ଦୁର୍ବଳ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ରାଜସ୍ଥାନ ଅଞ୍ଚଳରେ ଅବପାତରେ ପରିଣତ ହେବ ।

ଅତି ଭୀଷଣ ବାତ୍ୟା ରୂପରେ ବିପର୍ଯ୍ୟୟ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ 6ଟା ସମୟରେ ଜଖାଉ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁଥିଲା । ଏହି ସମୟରେ ଘଣ୍ଟା ପ୍ରତି 115ରୁ 125 କିଲୋମିଟର ବେଗରେ ପବନ ବହିବା ସହ ପବନର ବେଗ ସର୍ବାଧିକ 145 କିମି ରହିଥିଲା । ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ବାତ୍ୟା । କଚ୍ଛ ଉପକୂଳରେ ବିଶେଷ କ୍ଷତି ହୋଇଛି । ଲ୍ୟାଣ୍ଡଫଲ ପରେ ଏବେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ବିଦ୍ୟୁତ ସେବା ସ୍ବାଭାବିକ କରିବା ପାଇଁ ଜୋରସୋରରେ କାର୍ଯ୍ୟ ଚାଲିଛି ।

ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି: ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଫୋନରେ କଥା ହୋଇ ବାତ୍ୟା ଲ୍ୟାଣ୍ଡଫଲ ପରେ ରାଜ୍ୟର ସ୍ଥିତି ଓ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି । ବନ୍ୟଜନ୍ତୁ ବିଶେଷକରି ଗିର ଜଙ୍ଗଲରେ ସିଂହଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କ'ଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ପଟେଲ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 16, 2023, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.