ETV Bharat / bharat

Delhi Excise policy scam: ପୁଣି ବଢିଲା ନ୍ୟାୟିକ ହାଜତ ଅବଧି, ନଭେମ୍ବର 22 ପର୍ଯ୍ୟନ୍ତ ଜେଲରେ ରହିବେ ସିସୋଦିଆ

author img

By ETV Bharat Odisha Team

Published : Oct 19, 2023, 6:22 PM IST

ନଭେମ୍ବର 22 ପର୍ଯ୍ୟନ୍ତ ବଢିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି । ଫେବୃଆରୀ 26ରେ ଗିରଫ କରିଥିଲା ସିବିଆଇ । ଅଧିକ ପଢନ୍ତୁ

Delhi exise policy scam: ନଭେମ୍ବର 22 କୁ ବଢିଲା ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି
Delhi exise policy scam: ନଭେମ୍ବର 22 କୁ ବଢିଲା ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପୁଣି ବଢିଲା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି । ଏବେ ସେ ଆସନ୍ତାମାସ (ନଭେମ୍ବର) 22 ପର୍ଯ୍ୟନ୍ତ ଜେଲରେ ରହିବେ । ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି ବୃଦ୍ଧି କରିଛନ୍ତି । ପ୍ରଥମେ ସିବିଆଇ ଓ ପରେ ଇଡି ଦ୍ବାରା ଗିରଫ ହୋଇ ଏପର୍ଯ୍ୟନ୍ତ ବେଲ ପାଇବାରେ ସଫଳ ହୋଇନାହାନ୍ତି ସିସୋଦିଆ । ଉଭୟ ରାଉଜ ଆଭିନ୍ୟୁ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରୁ ଜାମିନ ପାଇବାରେ ନିରାଶ ହେବା ପରେ ସିସୋଦିଆ ଏବେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ସର୍ବୋଚ୍ଚ କୋର୍ଟରେ ମଧ୍ୟ ସିସୋଦିଆଙ୍କ ଜାମିନକୁ ମାମଲାର ତଦନ୍ତ ପ୍ରଭାବିତ ହେବା ଆଶଙ୍କା ଦର୍ଶାଇ ଉଭୟ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦଶାଳୟ ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବିରୋଧ କରୁଛନ୍ତି ।

ତେବେ ରାଜଧାନୀ ଦିଲ୍ଲୀରେ ଅବକାରୀ ଲାଇସେନ୍ସ ମାମଲାରେ ନୂତନ ନୀତି ପ୍ରଣୟନ କରି ମଦ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇ ଶାସନରେ ଥିବା ଆମ ଆଦମୀ ପାର୍ଟି ଲାଭାନ୍ବିତ ହୋଇଥିବା ସର୍ବୋଚ୍ଚ କୋର୍ଟଙ୍କୁ ତଦନ୍ତକାରୀ ସଂସ୍ଥା କହିଥିଲା । ଯଦି ସରକାରଙ୍କ କୌଣସି ନିଷ୍ପତ୍ତି ଯୋଗୁ ଏହି ଘୋଟାଲା ହୋଇଛି ଓ ଏଥିରେ ନିର୍ଦ୍ଦିଷ୍ଟ ଦଳ ଲାଭାନ୍ବିତ ହୋଇଥାଏ, ତେବେ କାହିଁକି ଉକ୍ତ ଦଳକୁ ମଧ୍ୟ ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଗଲା ନାହିଁ ବୋଲି କୋର୍ଟ ପାଲଟା ପ୍ରଶ୍ନ କରିଥିଲେ । ସର୍ବୋଚ୍ଚ ଅଦାଲତଙ୍କ ଏହି ଟିପ୍ପଣୀ ସହ ଆମ ଆଦମୀ ପାର୍ଟି (ଆପ)କୁ ମଧ୍ୟ ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହା ମଧ୍ୟ ପଢନ୍ତୁ :- କୁମାରାସ୍ବାମୀ କର୍ଣ୍ଣାଟକ JDS ସଭାପତି, ପୁରୁଣା କମିଟି ଭଙ୍ଗ କଲେ ଦେବେଗୌଡା

ଏହି ବହୁଚର୍ଚ୍ଚିତ ମାମଲାରେ ଆମ ଆଦମୀ ପାର୍ଟିର ବହୁ ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରେ ରହିଛନ୍ତି । ଏକାଧିକ ଚଢାଉ ଓ ସିରିଜ ସମନ ପରେ ଫେବୃଆରୀ 26 ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ସେ ଜେଲରେ ରହିଥିବା ସମୟରେ ଏହି ମାମଲାରେ ପୁଣି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା । ଏବେ ଉଭୟ କେନ୍ଦ୍ରୀୟ ସଂସ୍ଥା ଏହି ମାମଲାର ତଦନ୍ତ କରୁଛନ୍ତି । ତଳ କୋର୍ଟରୁ ହାଇକୋର୍ଟ ପର୍ଯ୍ୟନ୍ତ ନିରାଶ ହେବା ପରେ ସିସୋଦିଆ ଏବେ ଜାମିନ ଆବେଦନ ସହ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ପରବର୍ତ୍ତୀ ସମୟରେ ଏହି ମାମଲାରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲ ଯାଇଛନ୍ତି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.