ETV Bharat / bharat

ଛତିଶଗଡ଼ରେ ସରକାର ଗଠନ ନେଇ ବିଜେପିର ଦୃଢ଼ୋକ୍ତି, ରାଜ୍ୟ ସଭାପତି କହିଲେ...

author img

By ETV Bharat Odisha Team

Published : Dec 3, 2023, 3:09 PM IST

ଛତିଶଗଡ଼ରେ ବିଜେପି 55 ସିଟ୍‌ରେ ଭାରି ମତରେ ଲିଡ୍‌ କରୁଛି । ଏହାକୁ ନେଇ ବିଜେପି କ୍ୟାମ୍ପ୍‌ରେ ସେଲିବ୍ରେସନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ସରକାର ଗଠନ ନେଇ ଦୃଢ଼ୋକ୍ତି ଦେଇଛନ୍ତି ଅରୁଣ ସାଓ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ରାୟପୁର: ଛତିଶଗଡ଼ରେ ବର୍ତ୍ତମାନ ବିଜେପି ୟୁନିଟ୍‌ର ଉତ୍ସାହ ଚରମ ସୀମାରେ ରହିଛି । ଖୋଦ ବିଜେପି ରାଜ୍ୟ ସଭାପତି ଛତିଶଗଡ଼ରେ ସରକାର ଗଠନ ନେଇ ଦୃଢ଼ୋକ୍ତି ଦେଇଛନ୍ତି । ମ୍ୟାଜିକ ନମ୍ବର ହାସଲ କରି ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ଅରୁଣ ସାଓ । ଲାଟେଷ୍ଟ ଟ୍ରେଣ୍ଡ୍‌ ମୁତାବକ ବିଜେପି 55 ଆସନରେ ଭାରି ମତରେ ଲିଡ୍‌ କରୁଛି । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ କଂଗ୍ରେସ 34ଟି ଆସନରେ ଲିଡ୍‌ କରୁଛି । ସମସ୍ତ ଏକଜିଟ୍‌ ପୋଲ୍‌ ଅଙ୍କ ଭୁଲ ପ୍ରମାଣିତ ହୋଇଛି ।

ଏହାକୁ ନେଇ ଛତିଶଗଡ଼ ବିଜେପି ସଭାପତି ଅରୁଣ ସାଓ କହଛନ୍ତି, "ଛତିଶଗଡ଼ ବାସିନ୍ଦା ବିଜେପିକୁ ଆଶୀର୍ବାଦ କରିବାକୁ ଯାଉଛନ୍ତି । ସାରା ରାଜ୍ୟରେ ଆମେ ଲୋକଙ୍କ ନିକଟରେ ପହଞ୍ଚି ପାରିଥିଲୁ । ଆମେ ଏଠାରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବୁ।"

ଛତିଶଗଡ଼ରେ 2018 ପର୍ଯ୍ୟନ୍ତ ବିଜେପି ଲଗାତାର 3ଟି ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଆସିଥିଲା । ଏହା ପରେ ଦଳ ପୁଣି ସରକାରକୁ ଫେରିବାକୁ ସଜ ହୋଇଛି । ଖଣି ଦୁର୍ନୀତି, ମଦ ଦୁର୍ନୀତି ଓ ମହାଦେବ ଆପ୍‌ ଘୋଟାଲା କଂଗ୍ରେସର ରଣନୀତି ବିଗାଡ଼ି ଦେଇଥିବା ନେଇ ଆଲୋଚନା ହେଉଛି । ଏହାଛଡ଼ା ବିଜେପି କଂଗ୍ରେସ ସରକାରକୁ ନିଯୁକ୍ତି ଦୁର୍ନୀତି, ଗୋଧନ ଦୁର୍ନୀତି ନେଇ ସରକାରକୁ ଘେରିଥିଲା। ଏହାକୁ ମୁଦ୍ଦା କରି ଘରକୁ ଘର ବୁଲି କ୍ୟାମ୍ପେନ୍‌ କରିଥିଲା ବିଜେପି । ଯାହାର ସୁଫଳ ଦଳକୁ ମିଳୁଥିବା ନଜର ଆସିଛି ।

ଛତିଶଗଡ଼ରେ 90 ବିଧାନସଭା ଆସନରେ ମୋଟ 1181 ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛନ୍ତି । ନଭେମ୍ବର 7 ତାରିଖ ପ୍ରଥମ ପର୍ଯ୍ୟାୟରେ 20ଟି ଆସନରେ 223 ପ୍ରାର୍ଥୀଙ୍କ ପାଇଁ ଭୋଟ ପଡ଼ିଥିବା ବେଳେ ନଭେମ୍ବର 17 ତାରିଖରେ ବାକି 958 ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଇଥିଲେ ମତଦାତା । ପ୍ରଥମ ପର୍ଯ୍ୟାୟରେ 76.31 ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ 75.88 ପ୍ରତିଶତ ଭୋଟିଂ ହୋଇଥିଲା । ଯାହାକି 2018 ନିର୍ବାଚନ ତୁଳନାରେ ଖୁବ କମ ରହିଥିଲା ।

ଚଳିତ ନିର୍ବାଚନରେ ଛତିଶଗଡ଼ରେ ବିଜେପି, କଂଗ୍ରେସ, ଜନତା କଂଗ୍ରେସ ଛତିଶଗଡ଼ ଓ ବହୁଜନ ସମାଜ ପାର୍ଟି ପ୍ରମୁଖ ରାଜନୈତିକ ଦଳ ଭାବରେ ପ୍ରଚାର କରିଥିଲେ। ଏହାଛଡ଼ା ଗଣ୍ଡୱାନା ଗଣତନ୍ତ୍ର ପାର୍ଟି ହମାରା ରାଜ୍‌ ପାର୍ଟି ଓ ବାମ ଦଳର ପ୍ରାର୍ଥୀ ମଧ୍ୟ ନାମାଙ୍କନ ଭରିଥିଲେ । ଏବେ ସମସ୍ତଙ୍କୁ ପଛରେ ପକାଇ ବିଜେପି ଲିଡ୍‌ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.