ETV Bharat / bharat

Chhattisgarh: ନିର୍ବାଚନର 3ଦିନ ପୂର୍ବରୁ BJP ନେତାଙ୍କୁ ହତ୍ୟା କଲେ ନକ୍ସଲ

author img

By ETV Bharat Odisha Team

Published : Nov 4, 2023, 7:29 PM IST

ଛତିଶଗଡରେ ପ୍ରଥମ ପର୍ଯ୍ୟାୟର ଭୋଟିଂର 3 ଦିନ ପୂର୍ବରୁ ଜଣେ BJP ନେତାଙ୍କୁ ହତ୍ୟା କଲେ ନକ୍ସଲ । ଗୁରୁବାର ଦୁଇଟି ସ୍ଥାନରେ 4 ଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ କରିଥିଲେ ହତ୍ୟା । ଅଧିକ ପଢନ୍ତୁ

Chhattisgarh: ନିର୍ବାଚନର 3 ଦିନ ପୂର୍ବରୁ BJP ନେତାଙ୍କୁ ହତ୍ୟା କଲେ ନକ୍ସଲ
Chhattisgarh: ନିର୍ବାଚନର 3 ଦିନ ପୂର୍ବରୁ BJP ନେତାଙ୍କୁ ହତ୍ୟା କଲେ ନକ୍ସଲ

ରାୟପୁର: ବିଧାନସଭା ନିର୍ବାଚନ ପର୍ବରୁ ଛତିଶଗଡରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇବାରେ ଲାଗିଛି ଲାଲବାହିନୀ । ଆଜି ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି । ନକ୍ସଲଙ୍କ ହତ୍ୟାର ଶିକାର ହୋଇଥିବା ବିଜେପି ନେତା ନାରାୟଣପୁର ଜିଲ୍ଲା ବିଜେପି ଉପସଭାପତି ରତନ ଦୁବେ । ସେ ନିର୍ବାଚନ କ୍ୟାମ୍ପନିଂ କରିବା ସମୟରେ ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ସ୍ଥାନୀୟ ପୋଲିସ ସୂଚନା ଅନୁସାରେ, ବିଜେପିର ଏହି କାର୍ଯ୍ୟକର୍ତ୍ତା ରତନ ଦୁବେ ନିର୍ବାଚନୀ ପ୍ରଚାର କରୁଥିଲେ । ଆଜି ଜିଲ୍ଲାର କୌଶଲକର ଏରିଆରେ ନକ୍ସଲମାନେ ତାଙ୍କୁ ହତ୍ୟା କରିଛନ୍ତି । ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିର୍ବାଚନ ଦାୟିତ୍ବରେ ଥିବା କେନ୍ଦ୍ରୀୟ ସୁରକ୍ଷାବଳର ମୁତୟନ ମଧ୍ୟ ଉକ୍ତ ସ୍ଥାନରେ ବୃଦ୍ଧି କରାଯାଇଛି । ଆଉ ମାତ୍ର 3 ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ଭୋଟିଂ ହେବାକୁ ଯାଉଥିବା ବେଳେ ନକ୍ସଲମାନେ ନିର୍ବାଚନକୁ ବିରୋଧ କରିବା ସହ ସେମାନଙ୍କ ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି । ଏହା ପୂର୍ବରୁ ଗୁରୁବାର କାଙ୍କେର ଓ ବିଜାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବସ୍ତର ନିର୍ବାଚନୀ କାର୍ଯ୍ୟକ୍ରମ ପୂର୍ବରୁ ନକ୍ସଲମାନେ 4 ସ୍ଥାନୀୟ ବାସିନ୍ଦାଙ୍କୁ ହତ୍ୟା କରିଥିଲେ । ସମସ୍ତଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ : Maoists violence ahead of PM meeting: ମାତିଲେ ନକ୍ସଲ, ଛତିଶଗଡରେ ନେଲେ 4 ମୁଣ୍ଡ

ଗୁରୁବାର ବସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ନିର୍ବାଚନୀ କାର୍ଯ୍ୟକ୍ରମର କିଛି ଘଣ୍ଟା ପୂର୍ବରୁ ଏକାଧିକ ମୁଣ୍ଡ ଗଡାଇଥିଲେ ନକ୍ସଲ । ଛତିଶଗଡ-ମହାରାଷ୍ଟ୍ର ସୀମାନ୍ତ କାଙ୍କେର ଅନ୍ତର୍ଗତ ନାରାୟଣପୁରରେ ନକ୍ସଲମାନେ 3 ସ୍ଥାନୀୟ ବାସିନ୍ଦାଙ୍କୁ ହତ୍ୟା କରିଥିଲେ । ସେମାନଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଅପହରଣ କରିନେବା ପରେ ଲାଲବାହିନୀ ହତ୍ୟା କରିଥିଲେ । ସେହିପରି ବିଜାପୁରରେ ମଧ୍ୟ ଜଣଙ୍କୁ ନକ୍ସଲ ହତ୍ୟା କରିଥିଲେ । ତେବେ ଦୁଇଟି ସ୍ଥାନରେ 4 ସ୍ଥାନୀୟଙ୍କୁ ହତ୍ୟା କରିବା ପରେ ରାଜ୍ୟର ମାଓପ୍ରବଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲା । ନକ୍ସଲମାନେ ଗ୍ରାମବାସୀଙ୍କୁ ଭୋଟ ବର୍ଜନ ଧମକ ସହ ପ୍ରଶାସନକୁ ମଧ୍ୟ ଭୋଟଗ୍ରହଣ ବ୍ୟବସ୍ଥା ନକରିବା ପାଇଁ ଚେତାବନୀ ଦେଇଥିଲେ । ଏହା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲେ ସୁଦ୍ଧା ଆଜି ଜଣେ ସ୍ଥାନୀୟ ବିଜେପି ନେତା ନକ୍ସଲଙ୍କ ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.