ETV Bharat / bharat

କେନ୍ଦ୍ର ଡାକିଲା ସର୍ବଦଳୀୟ ବୈଠକ, ଶୀତକାଳୀନ ଅଧିବେଶନ 2 ଦିନ ପୂର୍ବରୁ ବୈଠକ

author img

By ETV Bharat Odisha Team

Published : Nov 26, 2023, 8:05 AM IST

All-party Meet on Dec 2: ସଂସଦ ଶୀତକାଳୀନ ଅଧିବେଶନ 2 ଦିନ ପୂର୍ବରୁ ଡକାଗଲା ସର୍ବଦଳୀୟ ବୈଠକ । ଅଧିକ ପଢନ୍ତୁ

କେନ୍ଦ୍ର ଡାକିଲା ସର୍ବଦଳୀୟ ବୈଠକ
କେନ୍ଦ୍ର ଡାକିଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଡିସେମ୍ବର 4 ତାରିଖରୁ ଆରମ୍ଭ ହେବ ସଂସଦ ଶୀତକାଳୀନ ଅଧିବେଶନ । ତେବେ ସୁଚାରୁରୂପେ ଗୃହକାର୍ଯ୍ୟ ସମ୍ପାଦନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡକାଗଲା ସର୍ବଦଳୀୟ ବୈଠକ । ଡିସେମ୍ବର 2 ଦିନ 11ଟାରେ ଏହି ସର୍ବଦଳୀୟ ବୈଠକ ବସିବାକୁ ଯାଉଥିବା ବେଳେ ସମସ୍ତ ଦଳୀୟ ନେତା ଏଥିରେ ସାମିଲ ହେବାକୁ ଅପିଲ କରାଯାଇଛି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।

ଡିସେମ୍ବର 4 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର 22 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ 15 ସିଟିଂ ଓ 19ଟି କାର୍ଯ୍ୟଦିବସ ରହିଛି । ଆଜି ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନଭେମ୍ବର 9 ତାରିଖ ଦିନ ସୂଚନା ଦେଇଥିଲେ । ଯଦିଓ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଥାଏ କିନ୍ତୁ ଚଳିତ ଥର ଡିସେମ୍ବର 3ରେ ପାଞ୍ଚଟି ରାଜ୍ୟରେ ହୋଇଥିବା ମତଦାନର ଭୋଟ୍ ଗଣନା ଚାଲିଥିବା ହେତୁ ଏହା 2 ଦିନ ପୂର୍ବରୁ ଅନୁଷ୍ଠିତ ହେବାକୁ ଯାଉଛି ।

ଏହାମଧ୍ୟ ପଢନ୍ତୁ..Winter Session of Parliament: ଡିସେମ୍ବର 4ରୁ ଆରମ୍ଭ, ରହିବ 19ଟି କାର୍ଯ୍ୟଦିବସ

ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ସରଗରମ ହୋଇପାରେ ଗୃହ । ତେବେ ଏହି ଅଧିବେଶନରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆସିବାକୁ ଯାଉଥିବା ମୁଖ୍ୟତଃ 3ଟି ବିଲ ଉପରେ ସମସ୍ତଙ୍କ ନଜର ରହିବ । ଏଗୁଡିକ ମଧ୍ୟରେ ଗତ ସ୍ବତନ୍ତ୍ର ଅଧିବେଶନରେ ଗୃହରେ ଆଗତ ହୋଇଥିବା ଇଣ୍ଡିଆନ ପେନାଲ କୋଡ (IPC), କୋଡ ଅଫ କ୍ରିମିନାଲ ପ୍ରୋସିଡ୍ୟୁର (CrPC) ଓ ଏଭଡେନ୍ସ ଆକ୍ଟ ବା ସାକ୍ଷ୍ୟ ଆଇନ ସଂଶୋଧନ ପରି ପ୍ରମୁଖ ବିଲ୍‌ ରହିଛି । ଏହି ବିଲକୁ ଗୃହ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟି ଅନୁମୋଦନ ଦେଇସାରିଛି । ସେହିପରି ଆଗତ ତାଲିକାରେ ଥିବା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଲ ହେଉଛି, ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଆୟୋଗର ଅନ୍ୟ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ସଂଶୋଧନ ବିଲ୍‌ ।

ଏହା ମୌସୁମୀ ଅଧିବେଶନରେ ଗୃହରେ ଆଗତ ହୋଇସାରିଥିବା ବେଳେ ଚଳିତ ଥର ଚର୍ଚ୍ଚା ସହ ପାରିତ ହେବା ନେଇ ପ୍ରକ୍ରିୟା ଆରମ୍ଭ ହେବ । ସେପ୍ଟେମ୍ବରରେ ଶେଷ ହୋଇଥିବା 5 ଦିନିଆ ସ୍ବତନ୍ତ୍ର ଅଧିବେଶନରେ କେବଳ ଗୋଟିଏ ମାତ୍ର ବିଲ୍‌ ପାରିତ ହୋଇଥିଲା । ଏହି ଶେସନରେ ନୂତନ ସଂସଦ ଭବନ ପ୍ରବେଶ ସହ ଦେଶର 75 ବର୍ଷର ଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା । ଚର୍ଚ୍ଚିତ ତଥା ଐତିହାସିକ ମହିଳା ସଂରକ୍ଷଣ ବିଲ୍‌ ମଧ୍ୟ ଏହି ଅଧିବେଶନରେ ପାରିତ ହୋଇଥିଲା । ଯାହା ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କ ପ୍ରତିନିଧିତ୍ବକୁ 33 ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଶ୍ଚିତ କରିବ । ଏହାକୁ ଏନ୍‌ଡିଏ ସହଯୋଗୀ ଦଳଙ୍କ ସମେତ କଂଗ୍ରେସ ଓ ଅନ୍ୟ କିଛି ବିରୋଧୀ ଦଳ ମଧ୍ୟ ସମର୍ଥନ ଦେଇଥିଲେ । ଅନ୍ୟପଟେ ଏକକ ନିର୍ବାଚନ ପ୍ରସଙ୍ଗ ଓ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’କୁ ପରିବର୍ତ୍ତନ କରାଯିବା ନେଇ ଜାରି ରହିଥିବା ଚର୍ଚ୍ଚା ଏଥର ଅଧିବେଶନରେ ପ୍ରାୟତଃ ଚର୍ଚ୍ଚାରେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.