ETV Bharat / bharat

Delhi Excise policy case: ଆଜି ସିବିଆଇରେ ହାଜର ହେବେ କେଜ୍ରିୱାଲ

author img

By

Published : Apr 16, 2023, 8:03 AM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ସିବିଆଇରେ ହାଜର ହେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ

ଆଜି ସିବିଆଇରେ ହାଜର ହେବେ କେଜ୍ରିୱାଲ
ଆଜି ସିବିଆଇରେ ହାଜର ହେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ ସୁପ୍ରିମୋଙ୍କୁ ପଚରାଉଚରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(CBI) । ଏଥିପାଇଁ ଆଜି ତାଙ୍କୁ ଦିନ ୧୧ଟାରେ ହାଜର ହେବାକୁ ନୋଟିସ୍ ଦିଆଯାଇଛି । କେଜ୍ରିୱାଲ ସିବିଆଇରେ ହାଜର ହେବାକୁ ଥିବାରୁ ଆଜି ଦିଲ୍ଲୀ ସିଭିଲ ଲାଇନରେ ଥିବା ତାଙ୍କର ବାସଭବନରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା, ନେତା ଓ ବହୁସଂଖ୍ୟକ ସମର୍ଥକମାନେ ଏକଜୁଟ ହେବେ । ଏହାକୁ ଦୃଷ୍ଟିରେ ତାଙ୍କ ବାସଭବନ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଏବେ ରାଜଧାନୀରେ ଥିବାରୁ ସେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟି ତାଙ୍କ ସହ ସିବିଆଇ ମୁଖ୍ୟାଳୟ ଯିବେ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଯେତେବେଳେ ଅରବିନ୍ଦ କେଜ୍ରିୱାଲ ସିବିଆଇରେ ହାଜର ହେବାକୁ ଘରୁ ବାହାରବେ, ତାଙ୍କ ସହ କେତେକ ଦଳୀୟ ନେତା, ସାଂସଦ ଓ ଦିଲ୍ଲୀ ସରକାରଙ୍କ କ୍ୟାବିନେଟର ମନ୍ତ୍ରୀ କୈଳାସ ଗେହଲଟ, ସୌରଭ ଭରଦ୍ବାଜ, ଅତିଶୀ, ରାଜକୁମାର ଆନନ୍ଦ, ଇମାମ ହୁସେନ ଏବଂ ଗୋପାଳ ରାୟ ପ୍ରମୁଖ ଉପସ୍ଥିତ ରହିବେ । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ କେଜ୍ରିୱାଲଙ୍କୁ ସିବିଆଇରୁ ନୋଟିସ୍ ମିଳିବା ପରେ ଆପ୍ ବିଜେପି ପ୍ରତି ଆକ୍ରମଣାତ୍ମକ ହୋଇଯାଇଛି । ପାର୍ଟିର ନେତା ସଞ୍ଜୟ ସିଂହ, ସୌରଭ ଭରଦ୍ବାଜ, ଅତିଶୀ ଓ ରାଘବ ଚଢା ସାମ୍ବାଦିକ ସମ୍ମିଳନୀ ଡକାଇ ଆପ୍‌ର ଜଣେ ବି କାର୍ଯ୍ୟକର୍ତ୍ତା ନା ଡରିବା ନା ମୁଣ୍ଡ ନୁଆଁଇବ ବୋଲି କହିଛନ୍ତି । ଶନିବାର ଆପ୍ ମୁଖ୍ୟ ମଧ୍ୟ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ ଯେ, ଯଦି ମୁଁ ଭ୍ରଷ୍ଟାଚାରୀ ତେବେ ଦୁନିଆରେ କେହି ବି ସଚ୍ଚୋଟ ନାହାନ୍ତି । ସିବିଆଇ ଓ ଇଡି ପ୍ରାୟ ବର୍ଷେ ହେଲା ଏହି ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଛି । ଏ ଯାଏଁ ତ ତାଙ୍କୁ ଦୁର୍ନୀତି ଟଙ୍କା ଓ ପ୍ରମାଣ ମିଳିଯିବା ଉଚିତ୍ । ହେଲେ ଆଜି ପର୍ଯ୍ୟନ୍ତ ସେମିତି କିଛି ମିଳିନି । ୧୦୦ କୋଟି ଟଙ୍କା ଲାଞ୍ଚ ନେଣଦେଣ ହୋଇ ଏହା ଗୋଆ ନିର୍ବାଚନରେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ଯାଞ୍ଚ ଏଜେନ୍ସି ଗୋଆ ଯାଇ ଛାନଭିନ ମଧ୍ୟ କରିସାରିଛି ହେଲେ ସେଠାରେ ମଧ୍ୟ କିଛି ମିଳିଲା ନାହିଁ । ତାହାହେଲେ ଏହି ୧୦୦ କୋଟି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଆପ୍ ମୁଖିଆ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇଡି ଓ ସିବିଆଇକୁ ସମାଲୋଚନା କରି ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଦୁର୍ନୀତି ହୋଇନି ବରଂ ଲୋକଙ୍କ ଧମକ ଚମକ ଦେଇ ବୟାନ ଲେଖିବାକୁ ଚେଷ୍ଟା କରାଯାଉଛି । ଆମ୍ ଆଦମୀ ପାର୍ଟି ଦେଶବାସୀଙ୍କ ପାଇଁ ନୂଆ ଆଶା ଭାବେ ଉଭା ହୋଇଛି ଯାହା ପ୍ରଧାନମନ୍ତ୍ରୀ ଓ ବିଜେପିର ହଜମ ହେଉନି ।

ଅନ୍ୟପଟେ ଆଜି ବିଜେପି ନେତା କେଜ୍ରିୱାଲଙ୍କ ବିରୋଧରେ ରାଜଘଟସ୍ଥିତ ବାପୁଙ୍କ ସମାଧିସ୍ଥଳ ନିକଟରେ ଧାରଣା ପ୍ରଦର୍ଶନ କରିବେ । ଗତକାଲି ଆପ୍ ସାଂସଦ ରାଘବ ଚଢା ଅରବିନ୍ଦ କେଜ୍ରିୱାଲଙ୍କୁ ମହାତ୍ମା ଗାନ୍ଧୀ ସହ ତୁଳନା କରିଥିବାବେଳେ ଏହାକୁ ବିଜେପି ଅବାନ୍ତର ବୋଲି କହିଛି । କେଜ୍ରିୱାଲ ଏହି ଦଶନ୍ଧିର ସବୁଠୁ ଭ୍ରଷ୍ଟ ସରକାରର ମୁଖିଆ । ଯଦି ସେ କିଛି ଭୁଲ କାମ କରିନାହାନ୍ତି ତାହାହେଲେ ତଦନ୍ତ ପାଇଁ ଡରିବା ଅନୁଚିତ୍ । ମନୀଷ ସିସୋଦିଆ ଏହି ଦୁର୍ନୀତି ମାମଲାରେ ଗିରଫ ହୋଇ ୫୦ ଦିନ ହେଲା ଜେଲରେ ଅଛନ୍ତି । ଯଦି ସେ ଦୁର୍ନୀତି କରିନାହାନ୍ତି ତାହାହେଲେ କେମିତି ଜେଲ୍‌ରେ ଅଛନ୍ତି ବୋଲି ବିଜେପି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.