ETV Bharat / bharat

G-20 ସମ୍ମିଳନୀ ପାଇଁ ବ୍ୟବସାୟ ମାନ୍ଦା: 400 କୋଟି ଟଙ୍କାର କ୍ଷତି, 9ହଜାର ଡେଲିଭରୀ ବଏ ପ୍ରଭାବିତ !

author img

By ETV Bharat Odisha Team

Published : Sep 11, 2023, 2:08 PM IST

G-20 ସମ୍ମିଳନୀ ପାଇଁ ଦିଲ୍ଲୀରେ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡିଛି। ପାଖାପାଖି 400 କୋଟି ଟଙ୍କାର କ୍ଷତି ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ

Businessmen lost Rs 400 crore
G-20 ସମ୍ମିଳନୀ ପାଇଁ ବ୍ୟବସାୟରେ କ୍ଷତି

ନୂଆଦିଲ୍ଲୀ: ସୁରୁଖୁରରେ ଶେଷ ହୋଇଛି ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା G-20 ଶିଖର ସମ୍ମିଳନୀ । ଯାହା ଭାରତ ପାଇଁ ଏକ ବଡ଼ ସଫଳତା ସାଜିଛି । ହେଲେ ଏହି ଉପଲବ୍ଧି ଭିତରେ ବି ରାଜଧାନୀର ବହୁ ଦୋକାନ ଓ ରେସ୍ତୋରାଁକୁ କ୍ଷତି ସହିବାକୁ ପଡ଼ିଛି । ଏକ ରିପୋର୍ଟ ଅନୁସାରେ, ବ୍ୟବସାୟୀଙ୍କୁ ପାଖାପାଖି 400କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ଏହାସହ ଆନୁମାନିକ 9ହଜାର ଡେଲିଭରୀ ବଏ ପ୍ରଭାବିତ ହୋଇଛନ୍ତି । G-20 ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରହିଥିଲା ରାଜଧାନୀ ଦିଲ୍ଲୀ ।

ଏଥିପାଇଁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଥିଲା । ଅନେକ ଟ୍ରେନ୍‌ର ରୁଟ୍ ପରିବର୍ତ୍ତନ କରାଯାଇଥିବାବେଳେ ବାହାରୁ ଆସୁଥିବା ଗାଡ଼ିଗୁଡିକର ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ତେବେ ପ୍ରଗତି ମୈଦାନ ସମେତ ନିୟନ୍ତ୍ରିତ ଅଞ୍ଚଳ ବାହାରର ମଧ୍ୟ ଅନେକ ଦୋକାନୀଙ୍କୁ କ୍ଷତି ସହିବାକୁ ପଡ଼ିଛି । କାରଣ ଟ୍ରାଫିକ୍ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ଘର ଭିତରେ ରହିବାକୁ ବାଧ୍ୟ ହୋଇଥିଲେ । ଫଳରେ ବ୍ୟବସାୟରେ ବାଧା ଉପୁଜିଥିଲା ।

ଏନେଇ ନୂଆଦିଲ୍ଲୀ ଟ୍ରେଡର୍ସ ଆସୋସିଏସନ୍ (NDTA)ର ସଭାପତି ଅତୁଲ ଭାର୍ଗଭ କହିଛନ୍ତି,"ଏହି 3 ଦିନ ମଧ୍ୟରେ ନୂଆଦିଲ୍ଲୀରେ ବ୍ୟବସାୟୀମାନେ ପ୍ରାୟ 300-400 କୋଟି ଟଙ୍କା କ୍ଷତି ସହିଛନ୍ତି । ଆମେ ଏହି କାର୍ଯ୍ୟକ୍ରମକୁ ଅପେକ୍ଷା କରିଥିଲୁ, କିନ୍ତୁ ସୁରକ୍ଷା ହେଉଛି ମୁଖ୍ୟ ବିଷୟ । ତେଣୁ ଅତିଥିମାନଙ୍କୁ ଭାରତର ଅତିଥି ସତ୍କାର ନିଶ୍ଚିତ ପସନ୍ଦ ଆସିଥିବ । ଏହାସହ ସେମାନେ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରିଥିବେ ବୋଲି ଆମେ ଆଶା କରୁଛୁ ।"

ସୂଚନା ଅନୁସାରେ, G -20 ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀର ସମସ୍ତ ବାଣିଜ୍ୟିକ ଏବଂ ଅର୍ଥନୈତିକ ପ୍ରତିଷ୍ଠାନ ଗତ 8 ରୁ 10 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଦିଲ୍ଲୀରେ ରେସ୍ତେରାଁ ଗୁଡିକରେ ଉଭୟ ଭୋଜନ ଏବଂ ଡେଲିଭରୀ ସଂଖ୍ୟା ମଧ୍ୟ ହ୍ରାସ ପାଇଥିଲା। ତେବେ G-20 ଶିଖର ସମ୍ମିଳନୀର ଆୟୋଜନ କାରଣରୁ ରାଜଧାନୀରେ ବ୍ୟବସାୟ ଫିକା ପଡିଥିବା ସ୍ପଷ୍ଟ ହୋଇଛି।

ଏହା ବି ପଢନ୍ତୁ...G-୨୦ ସମ୍ମିଳନୀ ପରେ ନବୀନଙ୍କୁ ବିଜେପିର ଟାର୍ଗେଟ, କଂଗ୍ରେସ କହିଲା ଉଭୟ ଭାଇଭାଇ

ଏନେଇ ସବୁ ବେଳେ ଚଳଚଞ୍ଚଲ ରହୁଥିବା ଦିଲ୍ଲୀର ଖାନ ମାର୍କେଟ, କନ୍ନାଟ୍ ପ୍ଲେସ୍ ଏବଂ ଜନପଥ ଭଳି ମାର୍କେଟଗୁଡିକ ବନ୍ଦ ରହିଥିଲା । ଆଉ କେତେକ ବ୍ୟବସାୟୀଙ୍କ କହିବା କଥା, କେବଳ ଦିଲ୍ଲୀ ନୁହେଁ । ଗୁରୁଗ୍ରାମରେ ମଧ୍ୟ ବ୍ୟବସାୟୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଦୋକାନୀମାନଙ୍କ ପାଇଁ ଏକ ଭଲ ରୋଜଗାରର ସୁଯୋଗ ଥିବାବେଳେ ତାହା ମିଳିନାହିଁ । ଫଳରେ ବ୍ୟବସାୟୀମାନେ କ୍ଷତି ସହିଥିବା କହି ଦୁଃଖ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.