ETV Bharat / bharat

ଇରାନ ସଂପର୍କରେ ଆମେରିକାର ହୁକୁମ ଆଗରେ ମୁଣ୍ଡ ନୁଆଁଇ ନାହୁଁ: ଭାରତୀୟ ରାଷ୍ଟ୍ରଦୂତ

author img

By

Published : Jul 25, 2020, 12:34 PM IST

ଇରାନ ଶାସନତନ୍ତ୍ର ଏବଂ ଟ୍ରମ୍ପ୍‌ ପ୍ରଶାସନ ମଧ୍ୟରେ ସଂପର୍କ ବିଗିଡ଼ିବାରେ ଲାଗିଥିବା ବେଳେ ଚାବହାର ଜହେଦନ ରେଳ ସଂଯୋଗ ପ୍ରକଳ୍ପ ନିର୍ମାଣରେ ଭାରତର ଉପସ୍ଥିତିକୁ କେନ୍ଦ୍ର କରି ବିବାଦୀୟ ସ୍ଥିତି ଏବଂ ଚାବହାର ବନ୍ଦର ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଉପୁଜିଥିବା ସମୟରେ ତେହରାନ ସଂପର୍କରେ ଆମେରିକାର ଦୃଷ୍ଟିଭଙ୍ଗୀକୁ ଅନୁସରଣ କରୁନାହିଁ ବୋଲି ଭାରତ କହିଛି ।

ଇରାନ ସଂପର୍କରେ ଆମେରିକାର ହୁକୁମ ଆଗରେ ମୁଣ୍ଡ ନୁଆଁଇ ନାହୁଁ : ଭାରତୀୟ ରାଷ୍ଟ୍ରଦୂତ
ଇରାନ ସଂପର୍କରେ ଆମେରିକାର ହୁକୁମ ଆଗରେ ମୁଣ୍ଡ ନୁଆଁଇ ନାହୁଁ : ଭାରତୀୟ ରାଷ୍ଟ୍ରଦୂତ

ସ୍ମିତା ଶର୍ମା, ନୂଆଦିଲ୍ଲୀ

ଇରାନ ଶାସନତନ୍ତ୍ର ଏବଂ ଟ୍ରମ୍ପ୍‌ ପ୍ରଶାସନ ମଧ୍ୟରେ ସଂପର୍କ ବିଗିଡ଼ିବାରେ ଲାଗିଥିବା ବେଳେ ଚାବହାର ଜହେଦନ ରେଳ ସଂଯୋଗ ପ୍ରକଳ୍ପ ନିର୍ମାଣରେ ଭାରତର ଉପସ୍ଥିତିକୁ କେନ୍ଦ୍ର କରି ବିବାଦୀୟ ସ୍ଥିତି ଏବଂ ଚାବହାର ବନ୍ଦର ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଉପୁଜିଥିବା ସମୟରେ ତେହରାନ ସଂପର୍କରେ ଆମେରିକାର ଦୃଷ୍ଟିଭଙ୍ଗୀକୁ ଅନୁସରଣ କରୁନାହିଁ ବୋଲି ଭାରତ କହିଛି । ଇଂରାଜୀ ଦୈନିକ ‘ତେହରାନ ଟାଇମ୍‌ସ’ର ବରିଷ୍ଠ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ତେହରାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗଦ୍ଦାମ ଧର୍ମେନ୍ଦ୍ର ଏହି ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ଜୁଲାଇ 15 ତାରିଖରେ ଅନୁଷ୍ଠିତ ଏକ ବୈଠକର ପୂର୍ବ ପ୍ରସାରିତ ଭିଡିଓ କ୍ଲିପ୍‌ରେ ଧର୍ମେନ୍ଦ୍ର କହିଥିଲେ ଯେ, ଇରାନ ଉପରେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିବନ୍ଧକ ଜାରି ହୋଇଥିବା ସତ୍ତ୍ବେ ଇରାନ ମୁଦ୍ରାରେ ବାଣିଜ୍ୟିକ କାରବାରକୁ ସୁଗମ କରିବାରେ ଭାରତ ଏକମାତ୍ର ଦେଶ । ସଂପ୍ରତି ଭାରତ ଇରାନକୁ ପ୍ରାୟତଃ ଚା’, ଚାଉଳ ଭଳି କୃଷିଜାତ ଦ୍ରବ୍ୟ ଏବଂ କେତେକ କାର୍ ପାର୍ଟ୍‌ସ ରପ୍ତାନୀ କରୁଛି ଏବଂ ଆମେରିକା ଚାପରେ ପଡ଼ି ଭାରତ ଇରାନରୁ ତୈଳ ଆମଦାନୀକୁ ପାଖାପାଖି ଶୂନରେ ପହଞ୍ଚାଇ ଦେଇଛି । ସାମଗ୍ରୀ ବିନିମୟ କ୍ଷେତ୍ରରେ ଇରାନର ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇରାନ (CBI) ଏବଂ ଭାରତର ରିଜର୍ଭ ବ୍ୟାଙ୍କ ସହିତ ୟୁକୋ ବ୍ୟାଙ୍କ ଏବଂ ଇରାନର 6 ଟି ଅନ୍ୟ ବ୍ୟାଙ୍କ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟିକ କାରବାର ସୁଯୋଗ ଯୋଗାଇ ଦେଉଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ତାଙ୍କ ବକ୍ତବ୍ୟରେ ସେ କହିଥିଲେ “ଚାବହାରରେ ଆମକୁ କ’ଣ କରିବାକୁ ହେବ ସେ କଥା ଆମେରିକୀୟମାନେ ଆମକୁ କହିପାରିବେ ନାହିଁ ।”

ଭାରତୀୟ ରାଷ୍ଟ୍ରଦୂତ କହିଲେ, “ଆମ ଉପରେ ଚାପ ପଡ଼ିବା ସଂପର୍କରେ ମୁଁ ଯାହା କହିଲି ତାହା ହିଁ ଠିକ୍‌ ଯେ, ଆମେ ହେଉଛୁ ଏକମାତ୍ର ଦେଶ, ଯେ କି ଟଙ୍କା-ରିୟାଲ ବିନିମୟ ଭିତ୍ତିରେ ବାଣିଜ୍ୟ କାରବାର ଅବ୍ୟାହତ ରଖିଛୁ ଏବଂ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ପାଇଁ ଅର୍ଥ ଲଗାଣ କରୁଛୁ । ସତକଥା ହେଉଛି ଯେ, ଆମେ ଚାବହାରରେ କାର୍ଯ୍ୟ କରୁଛୁ, ଚାବହାର ପାଇଁ ଆମେ ବିଭିନ୍ନ ଉପକରଣ କିଣୁଛୁ ଏବଂ ଚାବହାର ପାଇଁ ପ୍ରସ୍ତୁତ ହେଉଛୁ । ଆମେ ଆମେରିକାକୁ କହି ଦେଇଛୁ ଯେ, ଚାବହାରରେ ଆମକୁ କ’ଣ କରିବାକୁ ହେବ ସେକଥା ସେମାନେ ଆମକୁ କହିପାରିବେ ନାହିଁ ।”

ପ୍ରଥମେ ‘ତେହରାନ ଟାଇମ୍‌ସ’ ପକ୍ଷରୁ ଟ୍ବିଟ୍‌ କରାଯାଇ ପରେ ଡିଲିଟ୍‌ କରିଦିଆଯାଇଥିବା ଏହି ଭିଡିଓରେ ବିସ୍ତୃତ ବିବରଣୀ ଦେଇ ଗଦ୍ଦାମ ଏହା ମଧ୍ୟ କହୁଥିବା ଦେଖାଯାଇଛି ଯେ, 2018 ଡିସେମ୍ବରରେ ଦୁଇ ଦେଶ ମଧ୍ୟରେ ବାର୍ଷିକ ଭିତ୍ତିରେ ସ୍ବାକ୍ଷରିତ ଏକ ବୁଝାମଣାପତ୍ର କିମ୍ବା ଅନ୍ତରୀଣ ଚୁକ୍ତିନାମା ଅନୁସାରେ ଚାବହାର ବନ୍ଦର ଦେଇ ଜାହାଜରେ ସାମଗ୍ରୀ ପରିବହନ ଆଖି ଦୃଶିଆ ଭାବେ ବୃଦ୍ଧି ପାଇଛି । ରାଷ୍ଟ୍ରଦୂତ କହିଛନ୍ତି, “ଡିସେମ୍ବର 2018 ଏବଂ 2019 ମଧ୍ୟରେ ସଂପାଦିତ ଅନ୍ତରୀଣ ଚୁକ୍ତିନାମା ଅନୁସାରେ, ଗୋଟିଏ ବର୍ଷ ମଧ୍ୟରେ ଆମେ ଜାହାଜରେ ଅଧିକ 6000 ଟନ୍‌ କଣ୍ଟେନର ଏବଂ ଉଭୟ ଇରାନ ଓ ଆଫଗାନିସ୍ତାନ ପାଇଁ ପ୍ରାୟ ଦଶ ଲକ୍ଷ ଟନ୍‌ ଓଜନର ଖୋଲା ସାମଗ୍ରୀ, ଚାଉଳ, ଚିନି, ଗହମ ପରିବହନ କରିଛୁ । ବର୍ଷକ ମଧ୍ୟରେ ଜାହାଜ ଚଳାଚଳ ବହୁ ମାତ୍ରାରେ ବୃଦ୍ଧି ପାଇଛି । ହେଲେ ଏହା ଏକ ନୂଆ ବନ୍ଦର । ଏହାର ବିକାଶ ପାଇଁ ସମୟ ଲାଗିବ ।”

ଇରାନର ଏକ ଅଗ୍ରଣୀ ଇଂରାଜୀ ଦୈନିକ ସମ୍ବାଦପତ୍ର ସହ ଭାରତୀୟ ରାଷ୍ଟ୍ରଦୂତଙ୍କ ଏହି ଆଲୋଚନା ଏଭଳି ଏକ ସମୟରେ ପ୍ରକାଶିତ ହୋଇଛି ଯେତେବେଳେ କି ତେହରାନ ବେଜିଂ ସହିତ ଏକ 25 ବର୍ଷିଆ ବିସ୍ତୃତ ସହଯୋଗ ରାଜିନାମାରେ ସ୍ବାକ୍ଷର କରିବାକୁ ଯାଉଛି ଏବଂ ଏହି ରାଜିନାମା ପାରଦର୍ଶୀ ଭାବରେ ସଂପାଦିତ ହେଉଛି ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ କହିଛନ୍ତି । ରାଷ୍ଟ୍ରଦୂତ ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ, ଚାବହାର ବନ୍ଦର ପାଇଁ ଆବଶ୍ୟକ ଉପକରଣ କିଣିବା ନିମନ୍ତେ ଇଟାଲୀ, ଫିନ୍‌ଲ୍ୟାଣ୍ଡ, ଜର୍ମାନୀ ଏବଂ ଚୀନ ଭଳି ପ୍ରମୁଖ ଯୋଗାଣକାରୀ ଦେଶକୁ ବରାଦ ଦିଆ ସରିଛି ଏବଂ ଏ ବର୍ଷ ଅକ୍ଟୋବର ସୁଦ୍ଧା ସେ ସବୁ ପହଞ୍ଚିବା ଆଶା କରାଯାଉଛି । ସଂଯୋଗବଶତଃ, ଗୁରୁବାର ଦିନ ଭାରତର ସାଧାରଣ ଆର୍ଥିକ ନିୟମାବଳୀ-2017ରେ ସଂଶୋଧନ କରାଯାଇ ‘ଭାରତର ପ୍ରତିରକ୍ଷା, କିମ୍ବା ଜାତୀୟ ସୁରକ୍ଷା ସମେତ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବରେ ତତ୍‌ସଂଲଗ୍ନ ପ୍ରସଙ୍ଗ ଆଧାରରେ ଭୂପୃଷ୍ଠରେ ଭାରତ ସୀମା ସଂଲଗ୍ନ କୌଣସି ଦେଶ ନିଲାମ ଡାକିବା ଉପରେ ପ୍ରତିବନ୍ଧକ’ ଜାରି କରାଯାଇଛି । ସାର୍ବଜନୀନ ଭାବରେ ଚୀନରୁ କ୍ରୟ କରାଯାଉଥିବା ସାମଗ୍ରୀ ଉପରେ ଅତିରିକ୍ତ ଯାଞ୍ଚ ବ୍ୟବସ୍ଥା ଲାଗୁ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ମନେକରାଯାଉଛି ।

ଏହା ପୂର୍ବରୁ, ଜୁଲାଇ 20 ତାରିଖ ଦିନ ଇରାନର ଜଣେ କନିଷ୍ଠ ମନ୍ତ୍ରୀଙ୍କ ସହିତ ଭାରତୀୟ ରାଷ୍ଟ୍ରଦୂତଙ୍କ ବୈଠକ ପରେ ନିକଟରେ ପ୍ରକାଶିତ ବିବାଦୀୟ ରିପୋର୍ଟ ଗୁଡ଼ିକ ପଛରେ ‘ନ୍ୟସ୍ତସ୍ବାର୍ଥ ତତ୍ତ୍ବ’ ରହିଥିବା କଥା ଇରାନ ପକ୍ଷରୁ କୁହାଯାଇଥିଲା ବୋଲି ଭାରତୀୟ ଦୂତାବାସ ପ୍ରକାଶ କରିଥିଲା । ଭାରତୀୟ ଦୂତାବାସର ସରକାରୀ ଟ୍ବିଟର ହ୍ୟାଣ୍ଡଲରେ ଟ୍ବିଟ୍‌ କରାଯାଇଛି ଯେ, “ସଂପ୍ରତି କାର୍ଯ୍ୟକାରୀ ହେଉଥିବା ଚାବହାର-ଜହେଦନ ରେଳବାଇ ପ୍ରକଳ୍ପରେ ସହଯୋଗର ସମୀକ୍ଷା ନିମନ୍ତେ ଇରାନର ସଡ଼କ ବିଭାଗ ଉପମନ୍ତ୍ରୀ ଏବଂ ଇରାନ ରେଳବାଇର ମୁଖ୍ୟ ମହାମହିମ ସୟିଦ ରାସୋଲି ଆଜି ରାଷ୍ଟ୍ରଦୂତ ଗଦ୍ଦାମ ଧର୍ମେନ୍ଦ୍ରଙ୍କୁ ଆମନ୍ତ୍ରଣ କରିଥିଲେ । ମହାମହିମ ରାସୋଲି ଉଲ୍ଲେଖ କରିଥିଲେ ଯେ, ଚାବହାର-ଜହେଦନ ରେଳବାଇ ପ୍ରକଳ୍ପରୁ ଭାରତକୁ ଇରାନ ବାଦ୍‌ ଦେଇଥିବା ସଂପର୍କରେ ନିକଟରେ ପ୍ରକାଶିତ ରିପୋର୍ଟ ଗୁଡ଼ିକ ପଛରେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ଭୂମିକା ରହିଛି ।”

ରଣନୈତିକ ଦୃଷ୍ଟିରୁ ଦକ୍ଷିଣ ପୂର୍ବ ଇରାନରେ ଅବସ୍ଥିତ ଚାବହାର ବନ୍ଦର ଉନ୍ନୟନ ପ୍ରକଳ୍ପକୁ କେନ୍ଦ୍ରୀୟ ଏସିଆର ପ୍ରବେଶ ଦ୍ବାର ଏବଂ ପାକିସ୍ତାନ ଦ୍ବାରା ଭାରତରୁ ଆଫଗାନିସ୍ତାନକୁ ଭୂପୃଷ୍ଠ ବାଣିଜ୍ୟ ପଥ ଅବରୁଦ୍ଧ ହେବା ପରେ, ଆଫଗାନିସ୍ତାନକୁ ମାନବିକ ସହାୟତା ଯୋଗାଣର ପରିବହନ ପଥ ରୂପେ ଭାରତ ଉପସ୍ଥାପନ କରିଆସିଛି । ଭାରତ ପ୍ରଥମ ପର୍ଯ୍ୟାୟରେ ଚାବହାରରେ ଶାହିଦ ବହିସ୍ତି ବନ୍ଦରର ବିକାଶ କାର୍ଯ୍ୟ ହାତକୁ ନେଇଛି ।

‘ତେହରାନ ଟାଇମ୍‌ସ’ର ବରିଷ୍ଠ ସାମ୍ବାଦିକମାନଙ୍କୁ ଦେଇଥିବା ତାଙ୍କ ମନ୍ତବ୍ୟରେ ଭାରତୀୟ ରାଷ୍ଟ୍ରଦୂତ ଆଶ୍ବାସନା ଦେଇ କହିଲେ, “ମୂଳତଃ ଚାବହାର ଏକ ନୂତନ ବନ୍ଦର ରୂପେ କାର୍ଯ୍ୟ କରୁଛି । ଏବେ ବି ଏହା ଉନ୍ନୟନ ପର୍ଯ୍ୟାୟରେ ରହିଛି ଏବଂ ଆଗକୁ ଜାହାଜ ଚଳାଚଳ ବୃଦ୍ଧି ପାଇବ ବୋଲି ଆମେ ଆଶା କରୁଛୁ । ଏଠାରୁ ଆଜରବୈଜାନ ଦେଇ ଆଫଗାନିସ୍ତାନ, କେନ୍ଦ୍ରୀୟ ଏସିଆକୁ ଜାହାଜ ଚଳାଚଳ କରିବ । ବର୍ତ୍ତମାନ ସମୟରେ ‘ବନ୍ଦର ଅବ୍ବାସ’ ହିଁ ଇରାନର ମୁଖ୍ୟ ବନ୍ଦର । ଗୋଟିଏ ବର୍ଷରେ ଆମେ ଚାବହାରରେ 3 ପ୍ରତିଶତ ହାସଲ କରିଛୁ । ଆମକୁ ଚାବହାରର ବିକାଶ କରିବାକୁ ହେବ । ଏଥିରେ ସମୟ ଲାଗିବ ।”

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.