ETV Bharat / bharat

ରିପବ୍ଲିକାନ୍‌ ନ୍ୟାସନାଲ କନଭେନ୍‌ସନ୍‌ ଏବଂ ଟ୍ରମ୍ପଙ୍କ ଭାଷଣର ନିହିତାର୍ଥ

author img

By

Published : Aug 28, 2020, 9:46 PM IST

ରିପବ୍ଲିକାନ୍‌ ନ୍ୟାସନାଲ କନ୍‌ଭେନସନ ଉଦ୍‌ଯାପିତ ହେବା ସହିତ ଶାସକ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ତାଙ୍କ ପୁନଃ ମନୋନୟନକୁ ଡୋନାଲ୍‌ଡ ଟ୍ରମ୍ପ ଆଜି ଆନୁଷ୍ଠାନିକ ଭାବେ ସ୍ବୀକାର କରିଛନ୍ତି । ହ୍ବାଇଟ୍‌ ହାଉସ୍‌ ପ୍ରାଙ୍ଗଣରେ ସମବେତ ପ୍ରତିନିଧିମାନଙ୍କ ଆଗରେ, ଝିଅ ଇଭାଙ୍କା ଟ୍ରମ୍ପ୍‌ ତାଙ୍କ ବାପାଙ୍କ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ...

Decoding Republican National Convention and Trump's speech
ରିପବ୍ଲିକାନ୍‌ ନ୍ୟାସନାଲ କନଭେନ୍‌ସନ୍‌ ଏବଂ ଟ୍ରମ୍ପଙ୍କ ଭାଷଣର ନିହିତାର୍ଥ

ରିପବ୍ଲିକାନ୍‌ ନ୍ୟାସନାଲ କନ୍‌ଭେନସନ ଉଦ୍‌ଯାପିତ ହେବା ସହିତ ଶାସକ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ତାଙ୍କ ପୁନଃ ମନୋନୟନକୁ ଡୋନାଲ୍‌ଡ ଟ୍ରମ୍ପ ଆଜି ଆନୁଷ୍ଠାନିକ ଭାବେ ସ୍ବୀକାର କରିଛନ୍ତି । ହ୍ବାଇଟ୍‌ ହାଉସ୍‌ ପ୍ରାଙ୍ଗଣରେ ସମବେତ ପ୍ରତିନିଧିମାନଙ୍କ ଆଗରେ, ଝିଅ ଇଭାଙ୍କା ଟ୍ରମ୍ପ୍‌ ତାଙ୍କ ବାପାଙ୍କ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଆମେରିକାରେ 180000ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବିଶ୍ବ ମହାମାରୀର ପ୍ରକୋପ ଅବ୍ୟାହତ ରହିଥିବା ସମୟରେ ସାମାଜିକ ଦୂରତା ବିନା ପ୍ରତିନିଧିମାନେ ବସିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମାସ୍କ ପିନ୍ଧି ନଥିଲେ । ଭାଷଣରେ ଇଭାଙ୍କା ତାଙ୍କ ବାପାଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ ରୂପେ ଉପସ୍ଥାପନ କରିଥିଲେ ଏବଂ ହୁଏତ ସେ ରାଜନୈତିକ ଦୃଷ୍ଟିକୋଣରୁ ଭୁଲ ସାବ୍ୟସ୍ତ ହୋଇପାରନ୍ତି, କିନ୍ତୁ ‘ଆମେରିକାକୁ ପୁଣି ମହାନ କରିବା’ ଦିଗରେ ସେ କଠିନ ପରିଶ୍ରମ କରନ୍ତି ବୋଲି କହିଥିଲେ ।

ରିପବ୍ଲିକାନ୍‌ ନ୍ୟାସନାଲ କନଭେନ୍‌ସନ୍‌ ଏବଂ ଟ୍ରମ୍ପଙ୍କ ଭାଷଣର ନିହିତାର୍ଥ

ଇଭାଙ୍କା ଟ୍ରମ୍ପ୍‌ କହିଲେ, “ମୋ ବାପାଙ୍କର ଦୃଢ଼ ଆତ୍ମବିଶ୍ବାସ ରହିଛି । ସେ ଜାଣନ୍ତି ଯେ ସେ କ’ଣ ବିଶ୍ବାସ କରନ୍ତି ଏବଂ ଯାହା ଭାବନ୍ତି, ତାହା କହନ୍ତି । ଆପଣ ତାଙ୍କ ସହ ଏକମତ ହୁଅନ୍ତୁ ବା ନାହିଁ, ଆପଣ ତାଙ୍କ ଦୃଷ୍ଟିକୋଣକୁ ଜାଣନ୍ତି । ମୁଁ ସ୍ବୀକାର କରୁଛି ଯେ ମୋ ବାପାଙ୍କ ଯୋଗାଯୋଗ ଶୈଳୀ ସମସ୍ତଙ୍କୁ ସୁହାଇଲା ଭଳି ନୁହେଁ । ଆଉ ମୁଁ ଜାଣିଛି ଯେ ତାଙ୍କର ଅଶୋଧିତ ଟ୍ବିଟ୍‌ଗୁଡ଼ିକ ଅସ୍ବସ୍ତିକର ହୋଇପାରେ । କିନ୍ତୁ ତାଙ୍କ ଉପଲବ୍‌ଧି ହିଁ ତାଙ୍କ କାମ ସଂପର୍କରେ ବୟାନ କରେ ।”

ତାଙ୍କ ଭାଷଣରେ ଟ୍ରମ୍ପ ମୁଖ୍ୟତଃ ବିରୋଧୀ ଜୋ ବିଡେନ ଓ ତାଙ୍କର 47 ବର୍ଷର ସଂସଦୀୟ ରେକର୍ଡ ସଂପର୍କରେ କହିଥିଲେ । ଡେମୋକ୍ରାଟ୍‌ମାନଙ୍କୁ ‘ଊଗ୍ର ମୌଳବାଦୀ ବାମପନ୍ଥୀ’ ରୂପରେ ଚିତ୍ରିତ କରିବା ସହିତ ବର୍ଣ୍ଣବାଦ ଓ କୃଷ୍ଣକାୟମାନଙ୍କ ଜୀବନକୁ କେନ୍ଦ୍ର କରି କାହିଁକି କେବଳ ଡେମୋକ୍ରାଟ୍‌ଙ୍କ ନିୟନ୍ତ୍ରଣାଧୀନ ମିନିପୋଲିସ ଏବଂ କେନୋଶା ଭଳି ନଗରୀରେ ହିଂସା ଓ ପୋଡ଼ାଜଳା କାଣ୍ଡ ଘଟୁଛି ବୋଲି ପ୍ରଶ୍ନ କରିଥିଲେ । ଟ୍ରମ୍ପ୍‌ କହିଲେ, “ଆମ ଦେଶର ଇତିହାସରେ ଏହା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ । ଏହା ପୂର୍ବରୁ କେବେହେଲେ ଭୋଟଦାତାମାନଙ୍କ ଆଗରେ ସ୍ପଷ୍ଟ ଭାବରେ ଦୁଇଟି ଦଳ, ଦୁଇଟି ପରିକଳ୍ପନା, ଦୁଇଟି ଦର୍ଶନ ଏବଂ ଦୁଇଟି କାର୍ଯ୍ୟସୂଚୀର ବିକଳ୍ପ ରହି ନଥିଲା । ଏହି ନିର୍ବାଚନରୁ ହିଁ ଆମେ ନିଷ୍ପତ୍ତି ନେବା ଯେ ଆମେରିକାର ସ୍ବପ୍ନକୁ ଆମେ ଉଜ୍ଜୀବିତ କରି ରଖିବା ନା ଏକ ସମାଜବାଦୀ କାର୍ଯ୍ୟଧାରା ହାତରେ ଆମର ଅଭୀଷ୍ଟ ଭାଗ୍ୟକୁ ଧୂଳିସାତ୍‌ ହେବା ଲାଗି ଛାଡ଼ି ଦେବା ।”

ତାଙ୍କ 71 ମିନିଟ୍‌ର ଭାଷଣରେ ସେ ଆହୁରି କହିଥିଲେ, “ଏବଂ ଏହି ନିର୍ବାଚନରେ ହିଁ ସ୍ଥିର ହେବ ଯେ ଆମେ, ଆମେରିକୀୟ ଜୀବନ ଶୈଳୀକୁ ରକ୍ଷା କରିବାରେ ସକ୍ଷମ ହେବା ନା ଏହାକୁ ଖଣ୍ଡଖଣ୍ଡ କରି ଧ୍ବଂସ ହେବା ସକାଶେ ଏକ ମୌଳବାଦୀ କାର୍ଯ୍ୟକ୍ରମ ଉପରେ ଛାଡ଼ି ଦେବା । ଡେମୋକ୍ରାଟ୍‌ ନ୍ୟାସନାଲ କନ୍‌ଭେନ୍‌ସନରେ ଜୋ ବିଡେନ ଓ ତାଙ୍କ ଦଳ ଆମେରିକାକୁ ବର୍ଣ୍ଣବାଦୀ, ଅର୍ଥନୈତିକ ଏବଂ ସାମାଜିକ ଅନ୍ୟାୟରେ ପରିପୂର୍ଣ୍ଣ ଏକ ଦେଶ ରୂପେ ବାରମ୍ବାର ଅଭିହିତ କରିଥିଲେ । ତେଣୁ ଆଜି ରାତିରେ ମୁଁ ଆପଣମାନଙ୍କୁ ଏକ ସରଳ ପ୍ରଶ୍ନ ପଚାରିବି: ଆମ ଦେଶକୁ ଖଣ୍ଡବିଖଣ୍ଡିତ କରିବାରେ ଏତେ ସମୟ ବିତାଉଥିବା ଡେମୋକ୍ରାଟ୍‌ ପାର୍ଟି କେମିତି ଆମ ଦେଶର ନେତୃତ୍ବ ନେଇପାରିବ ?”

ହେଲେ ଗତ ସପ୍ତାହରେ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ଡେମୋକ୍ରାଟିକ କନଭେନ୍‌ସନ ତୁଳନାରେ ବାସ୍ତବରେ ଅନୁଷ୍ଠିତ ରିପବ୍ଲିକାନ ନ୍ୟାସନାଲ କନ୍‌ଭେନସନ କେତେ ସଫଳ ହେଲା ? ଆମେରିକା ରାଷ୍ଟ୍ରପତିଙ୍କ ବାସସ୍ଥଳୀ, ଐତିହାସିକ ହ୍ବାଇଟ୍‌ ହାଉସ୍‌କୁ ଗୋଟିଏ ପାର୍ଟିର କନ୍‌ଭେନ୍‌ସନ ଆୟୋଜନ ନିମନ୍ତେ ରାଜନୈତିକ ସାଧନ ରୂପରେ ବ୍ୟବହାର କରିବା କଥାକୁ ଅନେକ ସମାଲୋଚନା କରୁଛନ୍ତି । ଟ୍ରମ୍ପ୍‌ଙ୍କ ନିକଟରେ ମାନବୀୟ ଗୁଣର ପ୍ରତିଫଳନ ସହିତ ତାଙ୍କୁ ଅଧିକ ଯତ୍ନବାନ ଏବଂ ସହାନୁଭୂତିପୂର୍ଣ୍ଣ ବ୍ୟକ୍ତି ରୂପେ ଉପସ୍ଥାପନ କରିବା ଉଦ୍ଦେଶ୍ୟକୁ ଆଖିରେ ରଖି, ସେଠାରେ ଭାଷଣ ଦେଇଥିବା ପ୍ରତିନିଧିମାନଙ୍କ ଚୟନ ଲାଗି ପ୍ରୟାସ କରାଯାଇଥିଲା କି ? ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ନିର୍ଣ୍ଣୟ କରିବାରେ ମୁଖ୍ୟ ପ୍ରସଙ୍ଗ କ’ଣ ହେବ ?

‘ଯୁଦ୍ଧକ୍ଷେତ୍ରଆମେରିକା2020’ ଶୀର୍ଷକ ଏକ୍‌ସକ୍ଲୁସିଭ୍‌ ରିପୋର୍ଟ ଶୃଙ୍ଖଳର ଏହି ଅଧ୍ୟାୟରେ, ରିପବ୍ଲିକାନ୍‌ ନ୍ୟାସନାଲ କନ୍‌ଭେନସନ ଏବଂ ଆନୁଷ୍ଠାନିକ ଭାବେ ପ୍ରାର୍ଥିତ୍ବ ସ୍ବୀକାର ପୂର୍ବକ ଟ୍ରମ୍ପଙ୍କ ଭାଷଣର ପ୍ରମୁଖ ଦିଗ ଉପରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା । ୱାଶିଂଟନ ଡିସିରୁ ବାର୍ତ୍ତାଳାପରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ସୀମା ସିରୋହୀ କହିଲେ, “ହ୍ବାଇଟ୍‌ ହାଉସ୍‌ ପ୍ରାଙ୍ଗଣରେ ପ୍ରାୟ 1500 ଲୋକ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଲୋକ ମାସ୍କ ପିନ୍ଧିଥିଲେ । ତାହା ହିଁ ଭଲ ଭାବରେ ନଜରରେ ପଡ଼ିଥିଲା । ଚଉକିଗୁଡ଼ିକ ବି ଲଗାଲଗି ହୋଇ ପଡ଼ିଥିଲା । ଯେମିତି କି ବିଶ୍ବ ମହାମାରୀ ଆଉ ନାହିଁ । ଜଣେ ବକ୍ତା, ବିଶ୍ବ ମହାମାରୀ ସଂପର୍କରେ ଅତୀତ କାଳର ବାକ୍ୟରେ କହିଲେ । ତେଣୁ ଏହା ଏକ ଭିନ୍ନ ବାସ୍ତବତା ଭଳି ଥିଲା, ଏକ ବିକଳ୍ପ ବିଶ୍ବ । ହ୍ବାଇଟ୍‌ ହାଉସ୍‌ର ଗୋଟିଏ ପ୍ରବେଶ ପଥରେ ପ୍ରତିବାଦକାରୀମାନେ ଥିଲେ ଏବଂ ପୋଲିସ ଫାଟକରେ ପହରା ଦେଉଥିଲା । ଆସନ୍ତାକାଲି ୱାଶିଂଟନରେ ଏକ ବିରାଟ ପଦଯାତ୍ରା ହେବ । ମୋତେ ଲାଗିଲା, ଯେମିତି କି ଏହା ଦୁଇଟି ଅଲଗା ଅଲଗା ଦେଶ । କିଛି ସମୟ ପାଇଁ ତାହା ହିଁ ଲାଗିଲା, କିନ୍ତୁ ଆଜିର ସ୍ଥିତି ଭାଷାରେ ବର୍ଣ୍ଣନା କରି ହେଲା ଭଳି ସ୍ପଷ୍ଟ ଥିଲା ।”

‘ଦି ହିନ୍ଦୁ’ର ସହଯୋଗୀ ସଂପାଦକ ଭର୍ଗିଜ୍‌ କେ. ଜର୍ଜଙ୍କ ଯୁକ୍ତି ଅନୁସାରେ, “ଆଜି ଆପଣ ଆମେରିକାର ବର୍ତ୍ତମାନର ସ୍ଥିତି କ’ଣ ଅଛି ଏବଂ ଟ୍ରମ୍ପ୍‌ଙ୍କ ଦୃଷ୍ଟିକୋଣରୁ କ’ଣ ହେବା ଉଚିତ ତାହା ଶୁଣିଲେ ଏବଂ କିଛି ଦିନ ତଳେ ଆମେ ଆମେରିକାର ବର୍ତ୍ତମାନ ସ୍ଥିତି ଏବଂ ବିଡେନ୍‌ଙ୍କ ପ୍ରଚାର ଦୃଷ୍ଟିରୁ କ’ଣ ହେବା ଉଚିତ ବୋଲି ଶୁଣିଥିଲୁ । ଗୋଟିଏ ସ୍ତରରେ ଉଭୟ କଥା ଯୁକ୍ତିଯୁକ୍ତ କିମ୍ବା ଯୁକ୍ତିହୀନ ମନେହୁଏ । ବାସ୍ତବରେ କିଏ ନିଜ ବର୍ଣ୍ଣିତ କାହାଣୀ ପାଇଁ ସଂଖ୍ୟାଗରିଷ୍ଠ ସମର୍ଥନ ହାସଲ କରିବେ ତାହା ହିଁ କୌଣସି ନିର୍ବାଚନର ଫଳାଫଳ ନିର୍ଦ୍ଧାରିତ କରିଥାଏ ।” ଭର୍ଗିଜ୍‌ ହେଉଛନ୍ତି “ଓପନ୍‌ ଏମ୍ବ୍ରେସ୍‌: ଇଣ୍ଡୋ-ୟୁଏସ୍‌ ଟାଇଜ୍‌ ଇନ୍‌ ଦି ଏଜ୍‌ ଅଫ୍‌ ମୋଦି ଆଣ୍ଡ ଟ୍ରମ୍ପ୍‌” ଶୀର୍ଷକ ପୁସ୍ତକର ରଚୟିତା ।

ପୂର୍ବରୁ 2016 ନିର୍ବାଚନ ସମୟରେ ୱାଶିଂଟନରେ ଅବସ୍ଥାପିତ ଭର୍ଗିଜ୍‌ ଜର୍ଜ ଆହୁରି କହିଲେ, “ତା’ହେଲେ ଟ୍ରମ୍ପ୍‌ ଓ ବିଡେନ୍‌ଙ୍କ ଦ୍ବାରା ଉପସ୍ଥାପିତ ଦୁଇଟି କାହାଣୀ ମଧ୍ୟରେ ପ୍ରତିଯୋଗିତା ହେଉଛି । ଏବଂ ଏଥିରେ, ଯେମିତି କି ଟ୍ରମ୍ପ ତାଙ୍କ ଭାଷଣରେ ଆଜି ଏକଥା ବି କହିଲେ “ଆମେ ଭୂତାଣୁକୁ ଖାତିର କରୁନାହିଁ, ଆମେ ଏମିତି ଏକ ସଭ୍ୟତାରେ ରହିଛୁ, ଯାହା ଭୂତାଣୁ ଆଗରେ ଆତ୍ମସମର୍ପଣ କରେନାହିଁ, ବରଂ ପାଲଟା ଲଢ଼େଇ ବଳରେ ଭୂତାଣୁକୁ ଧ୍ବଂସ କରି ବିଜୟଲାଭ କରେ’, ଏହା ହିଁ ସାରା ବିଶ୍ବ ଆଗରେ ଏବଂ ଆମେରିକାବାସୀଙ୍କ ଆଗରେ ଉପସ୍ଥାପିତ ଆମେରିକୀୟ ଇତିହାସକୁ ସୂଚାଇ ଦେଉଥିବା ଏକ ରେଖାଙ୍କିତ ବିବରଣ । ଏହା ଏମିତି ଏକ ଦେଶ ଯାହା ବିଶ୍ବାସ କରେ ଯେ, ମଧ୍ୟ ପ୍ରାଚ୍ୟରେ ଲଢ଼େଇ କରି ଗଣତନ୍ତ୍ର ସ୍ଥାପନ କରିବାକୁ ହିଁ ଆମେରିକୀୟମାନେ ଇରାକ୍‌ ଯାଇଥିଲେ ।”

ରିପବ୍ଲିକାନ୍‌ ପାର୍ଟି ଏବଂ ବିଜେପିର ରାଜନୈତିକ ଆଦର୍ଶବାଦ ଭିତ୍ତିକ ପ୍ରଚାର ମଧ୍ୟରେ ସମାନତାର ଅବତାରଣା କରି ସେ କହିଲେ ଯେ, ଏକ ବୃହତ୍‌ ହିନ୍ଦୁ ଓ ହିନ୍ଦୁତ୍ବ କାର୍ଯ୍ୟଧାରାକୁ ସ୍ଥାପିତ କରିବା ପାଇଁ ପ୍ରଧାନ ମନ୍ତ୍ରୀ ମୋଦି ଜାତିଗତ ଭେଦଭାବର ଊର୍ଦ୍ଧ୍ବକୁ ଉଠିପାରିଥିଲେ ଏବଂ ଅନୁରୂପ ଭାବରେ ଟ୍ରମ୍ପ୍‌ ମଧ୍ୟ ‘କୃଷ୍ଣକାୟଙ୍କ ଜୀବନ ଅର୍ଥପୂର୍ଣ୍ଣ’ ଶୀର୍ଷକ ପ୍ରସଙ୍ଗରେ, କାଥୋଲିକ ବିଚାରଧାରାକୁ ପ୍ରଭାବିତ କରିବା ସହିତ ତାଙ୍କ ରକ୍ଷଣଶୀଳ ଓ ଖ୍ରୀଷ୍ଟ ଧର୍ମ ପ୍ରତି ଅନୁରକ୍ତି ସୂଚକ ବର୍ଣ୍ଣନ ଜରିଆରେ ଆଫ୍ରିକୀୟ-ଆମେରିକୀୟ ସଂପ୍ରଦାୟକୁ ଐକ୍ୟବଦ୍ଧ କରିବା ଲାଗି ପ୍ରୟାସ କରିଛନ୍ତି ।

ପ୍ରାର୍ଥିତ୍ବ ସ୍ବୀକାର କରି ଟ୍ରମ୍ପ୍‌ ଦେଇଥିବା ତାଙ୍କ ଭାଷଣରେ ବେଜିଂ ପ୍ରତି ବିଡେନ୍‌ ନରମ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି କହିଥିଲେ, “ଯଦି ଜୋ ବିଡେନ୍‌ ନିର୍ବାଚିତ ହୁଅନ୍ତି, ତେବେ ଚୀନ ଆମ ଦେଶର ମାଲିକ ହୋଇଯିବ ।” ଆମେରିକା ଦୂତାବାସକୁ ଜେରୁଜେଲମକୁ ସ୍ଥାନାନ୍ତରିତ କରାଯିବା ଏବଂ ଆମେରିକାର ଉଦ୍ୟମକ୍ରମେ ୟୁଏଇ ଏବଂ ଇସ୍ରାଏଲ ମଧ୍ୟରେ ଶାନ୍ତି ବୁଝାମଣା ସଂପାଦିତ ହେବା ପ୍ରସଙ୍ଗ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଟ୍ରମ୍ପ୍‌ କହିଲେ, “ମୁଁ ପଦଭାର ଗ୍ରହଣ କରିବା ସମୟରେ ମଧ୍ୟ ପ୍ରାଚ୍ୟ ଦେଶ ସମୂହରେ ସଂପୂର୍ଣ୍ଣ ଅରାଜକତା ଲାଗି ରହିଥିଲା । ଆଇଏସ୍‌ଆଇଏସ୍‌ ସଂଗଠନର ହିଂସାକାଣ୍ଡ ଲାଗି ରହିଥିଲା । ଇରାନ ବିକଶିତ ହେଉଥିଲା ଏବଂ ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ଦୃଷ୍ଟିଗୋଚର ହେଉ ନଥିଲା । ମୁଁ ଇରାନର ସେହି ଭୟାବହ ଏକପାଖିଆ ଆଣବିକ ଚୁକ୍ତିନାମାରୁ ଓହରି ଗଲି । ମୋ ପୂର୍ବରୁ ଅନେକ ରାଷ୍ଟ୍ରପତି ଯାହା କରିପାରି ନଥିଲେ ମୁଁ ତାହା କଲି ଏବଂ ମୋ ପ୍ରତିଶ୍ରୁତି ପୂରଣ କଲି, ଇସ୍ରାଏଲର ପ୍ରକୃତ ରାଜଧାନୀକୁ ସ୍ବୀକୃତି ଦେଲି ଏବଂ ଆମ ଦୂତାବାସକୁ ଜେରୁଜେଲମକୁ ସ୍ଥାନାନ୍ତର କଲି । ହେଲେ ଆମେ କେବଳ ଏହାକୁ ଭବିଷ୍ୟତର ଏକ ପୀଠ ହିସାବରେ ଗ୍ରହଣ କରି ଆଲୋଚନା କଲୁ ନାହିଁ, ବରଂ ଏହାକୁ ଗଢ଼ି ତୋଳିଲୁ ।”

ସେ ଆହୁରି କହିଲେ ଯେ, “ବିବାଦୀୟ ‘ଗୋଲାନ ହାଇଟ୍‌ସ’ କ୍ଷେତ୍ର ଉପରେ ଇସ୍ରାଏଲର ସାର୍ବଭୌମତ୍ବକୁ ଆମେ ସ୍ବୀକୃତି ଦେଲୁ ଏବଂ ଏହି ମାସରେ, 25 ବର୍ଷରେ ପ୍ରଥମ ଥର ପାଇଁ ଆମେ ମଧ୍ୟ-ପ୍ରାଚ୍ୟ ଶାନ୍ତି ରାଜିନାମା ସଂପାଦିତ କଲୁ । ଏହା ସହିତ ଆମେ ଆଇଏସ୍‌ଆଇଏସ୍‌ ସଂଗଠନର ଖଲିଫାମାନଙ୍କ 100 ପ୍ରତିଶତ ଅଧିକାର କ୍ଷେତ୍ରର ବିଲୋପ ସାଧନ କଲୁ ଏବଂ ଏହାର ପ୍ରତିଷ୍ଠାତା ଏବଂ ନେତା ଆବୁ ବକ୍‌ର ଅଲ୍‌-ବାଗଦାଦିକୁ ହତ୍ୟା କଲୁ । ତା’ପରେ ଆଉ ଏକ ଅଭିଯାନ ଚଳାଇ ଆମେ ବିଶ୍ବର ଏକ ନମ୍ବର ଆତଙ୍କବାଦୀ କାସିମ ସୁଲେମାନିକୁ ନିପାତ କଲୁ । ମୁଁ ଆମେରିକାକୁ କୌଣସି ନୂତନ ଯୁଦ୍ଧରୁ ଦୂରେଇ ରଖିଲି ଏବଂ ଆମ ସେନାବାହିନୀ ଏବେ ଘରକୁ ଫେରିବାରେ ଲାଗିଛନ୍ତି, ଯାହାକି ପୂର୍ବବର୍ତ୍ତୀ ସରକାରଙ୍କ ଅମଳରେ ହୋଇପାରି ନଥିଲା ।”

ମଧ୍ୟ ପ୍ରାଚ୍ୟରେ ଟ୍ରମ୍ପ୍‌ଙ୍କ ଶାନ୍ତି ସ୍ଥାପନ ଯୋଜନା ଏବଂ ବାଗଦାଦି ଏବ ସୁଲେମାନିଙ୍କ ହତ୍ୟା ଭଳି ସୁରକ୍ଷା ପ୍ରସଙ୍ଗ ଆସନ୍ତା ନିର୍ବାଚନରେ ପ୍ରସଙ୍ଗ ରୂପେ ପ୍ରତିଧ୍ବନିତ ହେବ କି ? ହିଂସ୍ର ଉଗ୍ରବାଦକୁ ପ୍ରତିହତ କରିବାର ଧାରା ଉପରେ କାର୍ଯ୍ୟରତ ‘ମିଥୋସ୍‌ ଲାବ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟଙ୍କ ମାଥୁରଙ୍କୁ ସ୍ମିତା ଶର୍ମା ଏହି ପ୍ରଶ୍ନ ପଚାରିଥିଲେ । ଶାନ୍ତି ଚୁକ୍ତିନାମାର ଭଲ ଓ ମନ୍ଦ ଦିଗ ନିର୍ବିଶେଷରେ ଏହା ଏକ ଧାର୍ମିକ ଆଧାର ସ୍ଥାପନ ଦିଗରେ ସଂକେତ ଦେଉଛି ବୋଲି ଯୁକ୍ତି ଉପସ୍ଥାପନ କରି ପ୍ରିୟଙ୍କ ମାଥୁର କହିଲେ, “ସାଧାରଣତଃ ଆମେରିକାର ନିର୍ବାଚନରେ ବୈଦେଶିକ ନୀତି ଏକ ପ୍ରମୁଖ ପ୍ରସଙ୍ଗ ରୂପରେ ସ୍ଥାନ ପାଏନାହିଁ । କିନ୍ତୁ ଦୁଇଟି ଦୃଶ୍ୟପଟ୍ଟରେ ଏହା ସମ୍ଭବ ହୋଇପାରେ । ଏହା ଏକ ସ୍ବତନ୍ତ୍ର ଘଟଣା, କାରଣ ଆମେରିକାର ବୈଦେଶିକ ନୀତିର ଏକ ସ୍ବତନ୍ତ୍ର ଉପ ବର୍ଗରେ ଇସ୍ରାଏଲ ରହିଛି । ଦକ୍ଷିଣପନ୍ଥୀମାନଙ୍କ ପାଇଁ ଆସ୍ଥା ଏକ ବିରାଟ ଅଂଶ । ଖ୍ରୀଷ୍ଟ ଧର୍ମାବଲମ୍ବୀ ଦକ୍ଷିଣପନ୍ଥୀଙ୍କ ସହିତ ଇସ୍ରାଏଲର ନିବିଡ଼ ସଂପର୍କ ରହିଛି ।”

ଓବାମାଙ୍କ ଶାସନକାଳରେ ଆମେରିକୀୟ ନୌସେନାର ଜଳ-ସ୍ଥଳ-ଆକାଶ ବାହିନୀ ଦ୍ବାରା ଓସାମା ବିନ୍‌ ଲାଡେନକୁ ହତ୍ୟା କରାଯିବା ପରେ ଆମେରିକାର ରାସ୍ତାଘାଟ ଉତ୍ସବ ମୁଖରିତ ହୋଇଉଠିଥିବା କଥା ମନେ ପକାଇ ପ୍ରିୟଙ୍କ କହିଲେ, “କାସିମ ସୁଲେମାନି କିମ୍ବା ବାଗଦାଦି, ଓସାମା ବିନ୍‌ ଲାଡେନ ଭଳି ବଡ଼ ଆତଙ୍କବାଦୀ ନଥିଲେ । ହୁଏତ ସେମାନେ ପୁଣି ସେହିଭଳି ଚାଞ୍ଚଲ୍ୟକର କାଣ୍ଡ କରିବାକୁ ଚେଷ୍ଟା କରୁଥିଲେ ବୋଲି ଆପଣ କହିପାରନ୍ତି । ତାକୁ ସେମାନଙ୍କର ବିନ୍‌ ଲାଡେନ ଭାବରେ ଉପସ୍ଥାପନ କରିବାକୁ ସେମାନେ ଚେଷ୍ଟା କରୁଥିଲେ ଏବଂ ଆମେ ତାକୁ ହତ୍ୟା କଲୁ । ପ୍ରକୃତ ଘଟଣା ହେଲା କାସିମ ସୁଲେମାନି କିଏ ବୋଲି ଅଧିକାଂଶ ଆମେରିକୀୟ ଜାଣିନାହାନ୍ତି ।”

କୋରୋନା ଭାଇରସ୍‌ ଯୋଗୁଁ ଆମେରିକାରେ ଡାକ ଜରିଆରେ ଭୋଟଦାନକୁ କେନ୍ଦ୍ର କରି ଲାଗି ରହିଥିବା ବିବାଦ ଏବଂ ଭୋଟଦାତାଙ୍କ ଉଦବେଗର ଯଥାର୍ଥତା ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲା । ପୂର୍ବବର୍ତ୍ତୀ ନିର୍ବାଚନ ଭଳି ଭୋଟଗ୍ରହଣ ପରେ ନଭେମ୍ବର 4 ତାରିଖରେ ଫଳାଫଳ ଘୋଷଣା କରାଯିବ ନାହିଁ ଏବଂ ଏଥିରେ ପ୍ରାୟ ସପ୍ତାହ ପର୍ଯ୍ୟନ୍ତ ବିଳମ୍ବ ହେବାର ସମ୍ଭାବନା ଥିବାରୁ ନିର୍ବାଚନ ଫଳାଫଳକୁ ନେଇ ଗୋଳମାଳିଆ ସ୍ଥିତି ଉପୁଜିବାର ଆଶଙ୍କା ରହିଛି ବୋଲି ଆଲୋଚକମାନେ ସମ୍ମତି ପ୍ରକାଶ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.