ETV Bharat / bharat

ସ୍ପଷ୍ଟ ବାର୍ତ୍ତା ଏବଂ ଆଗୁଆ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ପାଇଁ କୋରୋନା ମୁକାବିଲାରେ ନ୍ୟୁଜିଲାଣ୍ଡ ସଫଳ: ଭାରତୀୟ ରାଷ୍ଟ୍ରଦୂତ

author img

By

Published : Jun 13, 2020, 7:05 AM IST

ଆଗୁଆ ସତର୍କତା ଅବଲମ୍ବନ, ବେଳ ଥାଉ ଥାଉ ସଠିକ ପଦକ୍ଷେପ ଏବଂ ବ୍ୟାପକ ସଚେତନତା ପାଇଁ କୋରୋନା ନିୟନ୍ତ୍ରଣରେ ସଫଳ ହୋଇଛି ନ୍ୟୁଜିଲାଣ୍ଡ । ସମଗ୍ର ବିଶ୍ବରେ କୋରୋନା କହର ଜାରି ରହିଥିବା ବେଳେ କୋରୋନା ଭୂତାଣୁକୁ ମାଡି ଚାଲିଛି । ହେଲେ ନ୍ୟୁଜିଲାଣ୍ଡ କୋରୋନା ଗତିରେ ବ୍ରେକ୍ ଲଗାଇଛି । ତେବେ ଏହା କିଭଳି ସମ୍ଭବ ହେଲା, ସେ ସମ୍ପର୍କରେ ଅକ୍‌ଲାଣ୍ଡରୁ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହିତ ବାର୍ତ୍ତାଳାପ ଅବସରରେ ମତାମତ ପ୍ରକାଶ କରିଛନ୍ତି ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ।

clear-messaging-and-early-health-system-key-to-new-zealands-covid-success-indian-envoy
clear-messaging-and-early-health-system-key-to-new-zealands-covid-success-indian-envoy

ଆଗୁଆ ସତର୍କତା ଅବଲମ୍ବନ, ବେଳ ଥାଉ ଥାଉ ସଠିକ ପଦକ୍ଷେପ ଏବଂ ବ୍ୟାପକ ସଚେତନତା ପାଇଁ କୋରୋନା ନିୟନ୍ତ୍ରଣରେ ସଫଳ ହୋଇଛି ନ୍ୟୁଜିଲାଣ୍ଡ । ସମଗ୍ର ବିଶ୍ବରେ କୋରୋନା କହର ଜାରି ରହିଥିବା ବେଳେ କୋରୋନା ଭୂତାଣୁକୁ ମାଡି ଚାଲିଛି । ହେଲେ ନ୍ୟୁଜିଲାଣ୍ଡ କୋରୋନା ଗତିରେ ବ୍ରେକ୍ ଲଗାଇଛି । ତେବେ ଏହା କିଭଳି ସମ୍ଭବ ହେଲା, ସେ ସମ୍ପର୍କରେ ଅକ୍‌ଲାଣ୍ଡରୁ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହିତ ବାର୍ତ୍ତାଳାପ ଅବସରରେ ମତାମତ ପ୍ରକାଶ କରିଛନ୍ତି ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ।

ସ୍ପଷ୍ଟ ବାର୍ତ୍ତା ଏବଂ ଆଗୁଆ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ହିଁ କୋଭିଡ୍‌ ମୁକାବିଲାରେ ନ୍ୟୁଜିଲାଣ୍ଡର ସଫଳତା ପଛର ପ୍ରମୁଖ କାରଣ: ଭାରତୀୟ ରାଷ୍ଟ୍ରଦୂତ

ନ୍ୟୁଜିଲାଣ୍ଡରେ ଘରୋଇ ଗମନାଗମନ, ଲୋକଙ୍କ ସମାବେଶ ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମ ଉପରୁ ସମସ୍ତ ପ୍ରକାର ପ୍ରତିବନ୍ଧକ ପ୍ରତ୍ୟାହାର କରିନିଆଯାଇଛି । କେବଳ ଦେଶ ସୀମାରେ କେତେକ କଟକଣା ରହିଛି ଏବଂ ନିକଟ ଭବିଷ୍ୟତରେ ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଛୋଟ ଛୋଟ ଦ୍ବୀପକୁ ପୁଣି ବିମାନ ଚଳାଚଳ ଆରମ୍ଭ ହେବାର ସମ୍ଭାବନା ରହିଛି ।

ସ୍ପଷ୍ଟ ବାର୍ତ୍ତା ଏବଂ ଆଗୁଆ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ହିଁ କୋଭିଡ୍‌ ମୁକାବିଲାରେ ନ୍ୟୁଜିଲାଣ୍ଡର ସଫଳତା ପଛର ପ୍ରମୁଖ କାରଣ: ଭାରତୀୟ ରାଷ୍ଟ୍ରଦୂତ

ତେବେ କୋଭିଡ୍‌ ସଂକ୍ରମଣ ପୂର୍ବବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାରେ ନ୍ୟୁଜିଲାଣ୍ଡ ଏକମାତ୍ର ଦେଶ ହେବ ବୋଲି ଭାରତୀୟ ରାଷ୍ଟ୍ରଦୂତ ମୁକ୍ତେଶ୍ ପରଦେଶୀ ସୂଚନା ଦେଇଛନ୍ତି । କୋଭିଡ୍‌ 19ର ପ୍ରଭାବ ଏବଂ ନ୍ୟୁଜିଲାଣ୍ଡ ସହ ଚୀନର ନିବିଡ଼ ବାଣିଜ୍ୟିକ ସଂପର୍କ ପ୍ରସଙ୍ଗରେ ବେଜିଂର ଆକ୍ରମଣାତ୍ମକ ମନୋଭାବ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ଭାରତୀୟ ରାଷ୍ଟ୍ରଦୂତ କହିଲେ ଯେ, କୌଣସି ଗୋଟିଏ ଦେଶ ଉପରେ ଅତି ମାତ୍ରାରେ ନିର୍ଭରଶୀଳ ହେବା କ୍ଷେତ୍ରରେ ଯେଉଁ ସବୁ ଅସୁବିଧା ରହିଛି ତାହାକୁ ନ୍ୟୁଜିଲାଣ୍ଡର ଲୋକେ ଧିରେ ଧିରେ ହୃଦୟଙ୍ଗମ କଲେଣି ଏବଂ କୋଭିଡ୍‌ ପରବର୍ତ୍ତୀ ସମୟରେ ଏହି ନିର୍ଭରଶୀଳତା ହୁଏତ ବଦଳି ଯାଇପାରେ ।

ଏଠାରେ ସମ୍ପୂର୍ଣ୍ଣ ସାକ୍ଷାତକାର ଦିଆଗଲା

ପ୍ରଶ୍ନ- ଆୟତନ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି । କିନ୍ତୁ କୋଭିଡ୍‌-19 ମୁକାବିଲାରେ ନ୍ୟୁଜିଲାଣ୍ଡର ସଫଳତାରୁ ବହୁତ କିଛି ଶିଖିବାର ଅଛି ?

ଏଭଳି ଏକ ସମୟରେ ନ୍ୟୁଜିଲାଣ୍ଡରେ ରହିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମଣୁଛି । ନିଜକୁ କୋରୋନା ଭାଇରସ୍‌ ମୁକ୍ତ ବୋଲି ଘୋଷଣା କରି ଏହି ଦେଶ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ସ୍ଥାନରେ ରହିଛି । ଜୁନ୍‌ 9 ତାରିଖ ଦିନ କୋରୋନା ଭାଇରସ୍‌ କବଳରୁ ମୁକ୍ତି ପାଇଥିବା ବିଶ୍ବର ନଅଟି ଦେଶ ମଧ୍ୟରୁ ନ୍ୟୁଜିଲାଣ୍ଡ ଅନ୍ୟତମ । ଅନ୍ୟ ଦେଶଗୁଡ଼ିକରେ ରହିଛି ୟୁରୋପର ମଣ୍ଟେ ନିଗ୍ରୋ, ସାମୋଆ ଭଳି ଏକ ପ୍ରଶାନ୍ତ ମହାସାଗରୀୟ ଦେଶ ମଧ୍ୟ । ଏକ ଉନ୍ନତ, ଶିଳ୍ପ ସମୃଦ୍ଧ ତଥା ପାଶ୍ଚାତ୍ୟ ଦେଶ ସମୂହ ସହିତ ସୁସଂପର୍କ ଥିବାରୁ ନ୍ୟୁଜିଲାଣ୍ଡ ଲୋକଙ୍କ ଧ୍ୟାନ ଆକର୍ଷଣ କରିପାରିଲା ।

ମେ 29 ତାରିଖରୁ ଏଠାରେ ନୂତନ ସଂକ୍ରମଣ ଦେଖାଯାଇନାହିଁ । ତେଣୁ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା 1504ରେ ରହିଛି ଏବଂ 22 ଜଣ ପ୍ରାଣ ହରାଇଛନ୍ତି । ଏହା ବେଶ ଉତ୍ସାହଜନକ । ସେମାନେ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ଏବଂ ଏବେ ଦେଶ ସୀମାବର୍ତ୍ତୀ ଅଞ୍ଚଳରୁ କୋରୋନା ଭାଇରସ୍‌କୁ ବାହାର କରିବା ଦିଗରେ ନ୍ୟୁଜିଲାଣ୍ଡ ପ୍ରୟାସ କରୁଛି । ଆୟତନ ଏବଂ ଜନସଂଖ୍ୟାର ଘନତା ଭଳି ଅନେକ କାରଣ ନ୍ୟୁଜିଲାଣ୍ଡ ସପକ୍ଷରେ ରହିଛି । ଦେଶର ଲୋକସଂଖ୍ୟା 50 ଲକ୍ଷ, କିନ୍ତୁ ଭୌଗୋଳିକ ଆୟତନକୁ ବିଚାର କଲେ ଲୋକେ ବିସ୍ତୃତ ଭାବରେ ରହିଛନ୍ତି । ତେଣୁ, ଦେଶ ସାରା ଲୋକେ ବିଛେଇ ହୋଇ ରହିଛନ୍ତି ଏବଂ ଭାରତ ତୁଳନାରେ ଜଣେ ସଙ୍ଗରୋଧରେ ରହିବା ଭଳି କାମ ଏଠାରେ ବେଶ୍‌ ସହଜ ।

ପ୍ରଶ୍ନ-ସାରା ବିଶ୍ବର ଅନ୍ୟତମ କଠୋର ଲକ୍‌ଡାଉନ୍‌ ଭାରତରେ ଲାଗୁ ହୋଇଥିଲା । ତଥାପି, ସଂକ୍ରମଣ ସଂଖ୍ୟା ଏଭଳି ଦ୍ରୁତ ହାରରେ ବଢ଼ିବାରେ ଲାଗିଛି । ନ୍ୟୁଜିଲାଣ୍ଡରେ ଏ ସଂପର୍କିତ ଆପଣଙ୍କର ବାସ୍ତବ ଅଭିଜ୍ଞତାରୁ କିଛି କହନ୍ତୁ ।

ସେମାନେ ହାତକୁ ନେଇଥିବା କାର୍ଯ୍ୟକ୍ରମ ହେଲା, ପ୍ରଥମ ସପ୍ତାହରେ ହିଁ ଚତୁର୍ଥ ପର୍ଯ୍ୟାୟର ସ୍ବାସ୍ଥ୍ୟ ସଂପର୍କିତ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥା । ଏଠାରେ କୋରୋନାର ଚତୁର୍ଥ ସ୍ତର ଘୋଷଣା ହୋଇଥିଲା । ମାର୍ଚ୍ଚ 20 ତାରିଖରେ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଥିବା ଘୋଷଣା ପରେ, ମାତ୍ର 3-4 ଦିନ ଭିତରେ 4ର୍ଥ ସ୍ତର ଘୋଷଣା କରିଥିଲେ । କାରଣ ଭୂତାଣୁ ଏଠାରେ ବ୍ୟାପିପାରେ ବୋଲି ସେମାନଙ୍କର ହୃଦ୍‌ବୋଧ ହୋଇଥିଲା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକାଂଶ ଭୂତାଣୁ ସଂକ୍ରମଣ ମାମଲା ବିଦେଶରୁ ଆସିଥିବା ଛାତ୍ରଛାତ୍ରୀ କିମ୍ବା ଇରାନ୍‌, ଚୀନରୁ ଫେରିଥିବା ଲୋକଙ୍କ ନିକଟରୁ ଆସିଥିଲା । ସେମାନେ ସେହି ସବୁ ଦେଶ ସହ ସୀମା ବନ୍ଦ କରିଦେଲେ, 4ଟି ସ୍ତରରେ ଥିବା ସ୍ବାସ୍ଥ୍ୟ ସଂପର୍କିତ ସତର୍କତା ବ୍ୟବସ୍ଥା ଲାଗୁ କଲେ ଏବଂ ସଂକ୍ରମଣର ବିଭିନ୍ନ ପର୍ଯ୍ୟାୟରେ କ’ଣ ହୁଏ ବୋଲି ଲୋକଙ୍କୁ ଅବିରତ ଭାବରେ ଶିକ୍ଷା ଦେବାରେ ଲାଗିଲେ ।

ପ୍ରଥମ ପର୍ଯ୍ୟାୟ ଲାଗୁ କରିବା ସମୟରେ ଚତୁର୍ଥ ପର୍ଯ୍ୟାୟରେ କ’ଣ ହୋଇପାରେ ସେ ସଂପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିଥିଲେ । ତେଣୁ ଯେତେବେଳେ ପ୍ରଧାନମନ୍ତ୍ରୀ ଆର୍‌ଡର୍ନ, ଦେଶକୁ ସ୍ବାସ୍ଥ୍ୟ ସତର୍କତା ବ୍ୟବସ୍ଥାର ଆଉ ଏକ ପର୍ଯ୍ୟାୟକୁ ନେବାକୁ ଗଲେ, ସେତେବେଳକୁ ଲୋକେ ଏସବୁ ଆହ୍ବାନର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ହୋଇସାରିଥିଲେ । ତେଣୁ ମୁଁ କହିବି ଯେ ସରକାରଙ୍କୁ ଲୋକଙ୍କ ଆସ୍ଥାଭାଜନ କରାଇବା କ୍ଷେତ୍ରରେ ଏଠାକାର ସ୍ବାସ୍ଥ୍ୟ ସତର୍କତା ବ୍ୟବସ୍ଥାର ପ୍ରସାର ଏକ ଚମତ୍କାର ଉଦାହରଣ ।

ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍‌ଡର୍ନଙ୍କର ଗ୍ରହଣୀୟତା ଖୁବ୍‌ ଅଧିକ । ତେଣୁ ଲୋକେ ସରକାରଙ୍କ ସତର୍କ ସୂଚନା ବ୍ୟବସ୍ଥାରେ ସହଯୋଗ କଲେ, ସେମାନେ ତଦନୁସାରେ କାମ କଲେ ଏବଂ ସରକାର ଯାହା କରୁଥିଲେ, ତା ଉପରେ ଲୋକଙ୍କର ଗଭୀର ବିଶ୍ବାସ ରହିଥିଲା । ମୁଁ କହିବି ଯେ, ସ୍ପଷ୍ଟ ବାର୍ତ୍ତା ଏବଂ ସେମାନଙ୍କ ଦ୍ବାରା ପ୍ରଣୀତ ଅବିରତ ଏବଂ ଆଗୁଆ ସତର୍କତା ସୂଚନା ବ୍ୟବସ୍ଥା ହିଁ ନ୍ୟୁଜିଲାଣ୍ଡ ସପକ୍ଷରେ ରହିଲା ।

ପ୍ରଶ୍ନ-କୋଭିଡ୍‌ ମୁକାବିଲାରେ ଦକ୍ଷିଣ କୋରିଆକୁ ବି ସଫଳତାର ଏକ ଆଦର୍ଶ ରୂପେ ବିବେଚନା କରାଯାଏ । କିନ୍ତୁ ଏହା ଏବଂ ଅନ୍ୟ କେତେକ ଦେଶ ଏବେ ସଂକ୍ରମଣର ସମ୍ଭାବ୍ୟ ଦ୍ବିତୀୟ ଲହର ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ନ୍ୟୁଜିଲାଣ୍ଡ କେଉଁ ସବୁ ସତର୍କତାମୂଳକ ପଦକ୍ଷେପ ଅବ୍ୟାହତ ରଖିବ ?

ବର୍ତ୍ତମାନ ସ୍ଥିତିରେ, ଜୁନ୍‌ 9 ତାରିଖରୁ ଏଦେଶ ସ୍ବାସ୍ଥ୍ୟ ସତର୍କତାର ପ୍ରଥମ ପର୍ଯ୍ୟାୟରେ ରହିଛି । ତେଣୁ ଏହା ସଂପୂର୍ଣ୍ଣ ସ୍ବାଭାବିକ ହୋଇନାହିଁ । କିନ୍ତୁ ସାମାଜିକ ସମାବେଶ ହେଉଛି । ଯାତାୟାତ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ । ଅର୍ଥନୀତି ବି ସ୍ବାଭାବିକ ସ୍ଥିତିକୁ ଫେରିଆସିଛି, ମୁଁ କହିବି ଏହା 95 ପ୍ରତିଶତ । ସୀମା ବନ୍ଦ ହୋଇ ରହିଛି । ପ୍ରଥମ ପର୍ଯ୍ୟାୟରେ କୌଣସି ବିଦେଶୀଙ୍କୁ ପ୍ରବେଶ ଅନୁମତି ଦିଆଯାଉନାହିଁ । କେବଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ଲୋକଙ୍କୁ ନେଇ ବିମାନ ଚଳାଚଳ ହେଉଛି ଏବଂ ସେମାନେ 14 ଦିନ ପାଇଁ ସରକାରୀ ପୃଥକ୍‌ବାସରେ ରହୁଛନ୍ତି ।

ଗତ ସପ୍ତାହରେ ଭାରତରୁ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଆସିଥିଲା ଏବଂ ସେମାନଙ୍କୁ ସରକାରୀ ସହାୟତାରେ ପରିଚାଳିତ ପୃଥକ୍‌ବାସ କେନ୍ଦ୍ରକୁ ନିଆଯାଇଥିଲା । ଦେଶର ସୀମା ବନ୍ଦ ରହିଛି ଏବଂ ସେମାନେ ଏହା ହିଁ ଅବ୍ୟାହତ ରଖିବାକୁ ଇଚ୍ଛୁକ । ଯଦି ଆସନ୍ତା ପନ୍ଦର ଦିନ କିମ୍ବା ତିନି ସପ୍ତାହ ଭିତରେ କୌଣସି ନୂତନ ସଂକ୍ରମଣ ଦେଖା ନଦିଏ, ତେବେ ପ୍ରଶାନ୍ତ ମହାସାଗରରେ ଥିବା କେତେକ ଦ୍ବୀପ କିମ୍ବା ଅଷ୍ଟ୍ରେଲିଆରୁ ଯାତାୟାତ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । କାରଣ ସେମାନଙ୍କ ସହିତ ଘନିଷ୍ଠ ସଂପର୍କ ରହିଛି । ଅନ୍ୟଥା ସେମାନେ ସୀମା ଦେଇ ଶୀଘ୍ର ଚଳାଚଳ ଆରମ୍ଭ କରିବାକୁ ଚାହୁଁନାହାନ୍ତି ।

ପ୍ରଶ୍ନ-ଅଗଷ୍ଟ ସୁଦ୍ଧା କେତେକ ପୂର୍ବ ନିର୍ଦ୍ଧାରିତ କିନ୍ତୁ ସୀମିତ ସଂଖ୍ୟକ ଅନ୍ତର୍ଜାତୀୟ ବିମାନ ଚଳାଚଳ ପୁଣି ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସଙ୍କେତ ଦେଇଥିବା ବେଳେ ଭାରତରୁ ନ୍ୟୁଜିଲାଣ୍ଡ ଯାତ୍ରାର କୌଣସି ସମ୍ଭାବନା ରହିଛି କି ?

ବର୍ତ୍ତମାନ ସ୍ଥିତିରେ ଆମେ ଆମ ଦେଶର ଲୋକଙ୍କୁ ସ୍ବଦେଶ ଫେରାଇ ନେବାକୁ ପ୍ରସ୍ତୁତ ରହିଛୁ । ଏଠାରେ ପ୍ରାୟ 3000 ଭାରତୀୟ ଅଟକି ରହିଛନ୍ତି । ବନ୍ଦେ ଭାରତ ମିଶନ (VBM) ଅଧିନରେ ଏହି ମାସ ଭିତରେ ଏୟାର ଇଣ୍ଡିଆର 9ଟି ବିମାନ ଚଳାଚଳ କରିବ । ଗତ ସପ୍ତାହରେ ଆମର ପ୍ରଥମ ବିମାନ ଯାତ୍ରା କରିଥିଲା ଏବଂ ଏହା ଜୁନ୍‌ 30 ଯାଏଁ ଅବ୍ୟାହତ ରହିବ । ତେଣୁ ଏଠାରେ ଅଟକି ରହିଥିବା ଭାରତୀୟମାନେ ଭାରତକୁ ଯିବେ ଏବଂ ଭାରତର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ନ୍ୟୂଜିଲାଣ୍ଡ ନାଗରିକମାନଙ୍କୁ ମଧ୍ୟ ଏଠାକୁ ଆଣିବା ବ୍ୟବସ୍ଥା କରାଯାଇଛି । ଏହା ଏକ ଦୁଇପାଖିଆ ବ୍ୟବସ୍ଥା ଏବଂ ଏ ମାସ ଶେଷ ସୁଦ୍ଧା ଅଟକି ରହିଥିବା ଅଧିକାଂଶ ଲୋକ ନିଜ ନିଜ ଦେଶକୁ ଫେରିପାରିବେ ବୋଲି ଆମେ ଆଶା କରୁଛୁ ।

ପ୍ରଶ୍ନ-କୋଭିଡ୍‌-19 ପରିପ୍ରେକ୍ଷୀରେ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଣ କ୍ଷେତ୍ରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କେଉଁ ପ୍ରକାରର ସହଯୋଗ ରହିଛି ? ଏବଂ ନ୍ୟୁଜିଲାଣ୍ଡର ଅଭିଜ୍ଞତାରୁ ଭାରତ କ’ଣ ଶିଖିପାରିବ ବୋଲି ଆପଣ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟାଳୟକୁ ପ୍ରସ୍ତାବ ଦେଇଛନ୍ତି ?

ଆମେ ପରସ୍ପରକୁ ସହଯୋଗ କରୁଛୁ । କିଛି ସପ୍ତାହ ତଳେ ଆମ ବୈଦେଶିକ ବ୍ୟାପାର ମନ୍ତ୍ରୀ ନ୍ୟୁଜିଲାଣ୍ଡର ଉପ ପ୍ରଧାନ ମନ୍ତ୍ରୀଙ୍କ ସହିତ ଟେଲିଫୋନ୍‌ରେ କଥାବାର୍ତ୍ତା କରିଥିଲେ । ପ୍ରକୃତରେ, ଏଠାକାର ଉପ ପ୍ରଧାନମନ୍ତ୍ରୀ ଫେବ୍ରୁଆରୀ ଶେଷରେ ଭାରତ ଗସ୍ତରେ ଯାଇଥିଲେ । ସେତେବେଳେ ସେମାନେ ଅଳ୍ପ କିଛି ସମୟ ପାଇଁ ସାକ୍ଷାତ କରିଥିଲେ କିନ୍ତୁ ଏହି ସଂକଟ ଉପୁଜିବା ପରେ ସେମାନେ ଟେଲିଫୋନ୍‌ରେ ସଂପର୍କ ରଖିଛନ୍ତି । କେତେକ ଫାର୍ମାସ୍ୟୁଟିକାଲ ଉତ୍ପାଦ ଯୋଗାଣ କ୍ଷେତ୍ରରେ ନ୍ୟୁଜିଲାଣ୍ଡ ଆମ ଉପରେ ନିର୍ଭର କରୁଥିଲା । ସେମାନେ ଆମ ପାଖରେ ଏ ପ୍ରସଙ୍ଗ ଉଠାଇବା ପରେ ଆମେ ଦିଲ୍ଲୀ ସହ ଯୋଗାଯୋଗ କରିଥିଲୁ ଏବଂ ସେହି ଯୋଗାଣ ଅବ୍ୟାହତ ରହିଥିଲା । ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳର କେତେକ ଦେଶ ମଧ୍ୟ ଆମ ସହ ବୈଦେଶିକ ସଚିବ ସ୍ତରରେ ସଂପର୍କ ରଖିଥିଲେ ଏବଂ ନ୍ୟୁଜିଲାଣ୍ଡ ସେହି ଦେଶ ସମୂହ ମଧ୍ୟରେ ଥିଲା । ସେମାନେ ଯୋଗାଣ ଶୃଙ୍ଖଳର ବିଭିନ୍ନ ଦିଗ, ଏବକାର ସଂକଟ ସହ କିଭଳି ମୁକାବିଲା କରାଯିବ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ସ୍ଥିରୀକୃତ ରୂପରେଖ ମଧ୍ୟରେ ରହି କିଭଳି ଦେଶ ଦେଶ ମଧ୍ୟରେ ସହଯୋଗ ସ୍ଥାପିତ ହୋଇପାରିବ, ସେ ସଂପର୍କରେ ଆଲୋଚନା କରିଥିଲେ । ବିଳମ୍ବରେ ହେଲେ ମଧ୍ୟ, ବନ୍ଦେ ଭାରତ ମିଶନ ଜରିଆରେ ନିଜ ନିଜ ଦେଶର ନାଗରିକମାନଙ୍କୁ କିଭଳି ସ୍ବଦେଶକୁ ଫେରାଇ ନିଆଯିବ ସେ ସଂପର୍କରେ ଆମେ ପରସ୍ପର ସହ ସଂପର୍କ ରଖିଛୁ । ଆମେ ବନ୍ଧୁତ୍ବପୂର୍ଣ୍ଣ ଢଙ୍ଗରେ ଏବଂ ଭରସାଯୋଗ୍ୟ ସହଯୋଗୀ ହିସାବରେ ପରସ୍ପରକୁ ସହଯୋଗ କରିଆସୁଛୁ ।

ପ୍ରଶ୍ନ-କ୍ରିକେଟ ପ୍ରତି ଆବେଗ ଦ୍ବିପାକ୍ଷିକ ସଂପର୍କର ଏକ ବଡ଼ ଦିଗ । ନ୍ୟୁଜିଲାଣ୍ଡବାସୀ କ୍ରିକେଟ ମ୍ୟାଚ୍‌କୁ ମନେ ପକାଉଛନ୍ତି କି ? କିଛି ଦିନ ପାଇଁ କୋଭିଡ୍‌ ସଂକଟ ଲାଗି ରହିବାକୁ ଥିବା ବେଳେ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ କିଭଳି ସଂପର୍କର ସମ୍ଭାବନା ରହିଛି ?

ଜାନୁଆରୀ ମାସରେ ହିଁ ଭାରତୀୟ କ୍ରିକେଟ ଟିମ୍‌ ଏଠାକୁ ଆସିଥିଲା ଏବଂ ମାର୍ଚ୍ଚ 5 ତାରିଖ ଯାଏଁ ରହିଥିଲା । ନ୍ୟୁଜିଲାଣ୍ଡ ସୀମା ବନ୍ଦ କରିବାର ମାତ୍ର କିଛି ଦିନ ପୂର୍ବରୁ ସେମାନେ ଫେରିଥିଲେ । ଏଠାରେ ସେମାନେ ରଗ୍‌ବୀକୁ ଖୁବ୍‌ ଭଲ ପାଆନ୍ତି ଏବଂ ସେମାନେ ଏହାର ଘରୋଇ ସିରିଜ୍‌ ଆରମ୍ଭ କରିବାକୁ ଯାଉଛନ୍ତି ।

ପ୍ରଶ୍ନ-ଷ୍ଟାଡିଅମ୍‌ରେ କୌଣସି ଦର୍ଶକ ନଥାଇ ଖେଳ ହେବ ବୋଲି ଭାରତରେ ଯେଭଳି ଘୋଷଣା କରାଯାଇଛି, ଏହା ସେହିଭଳି ହେବ କି ?

ଲୋକେ ଏକତ୍ର ହେବାରେ ଏବଂ ଘରୋଇ ଯାତାୟତ କ୍ଷେତ୍ରରେ ଏଠାରେ କୌଣସି କଟକଣା ନାହିଁ । ବାସ୍ତବରେ ପୂର୍ବ ବର୍ଷମାନଙ୍କ ଭଳି ଆମେ ଏ ବର୍ଷ ମଧ୍ୟ ଜୁନ୍‌ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଯାଉଛୁ । ବୋଧହୁଏ, ସ୍ବାଭାବିକ ଢଙ୍ଗରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାରେ ପ୍ରଥମ କେତେକ ଦେଶ ଭିତରେ ନ୍ୟୁଜିଲାଣ୍ଡ ସ୍ଥାନ ପାଇବ । ତେଣୁ ଏବେ ଆପଣ ହଜାର ହଜାର ଲୋକଙ୍କୁ ଏକତ୍ର କରିପାରିବେ । କୌଣସି ପ୍ରତିବନ୍ଧକ ନାହିଁ । ଏକମାତ୍ର ପ୍ରତିବନ୍ଧକ ହେଲା ଯେ ଦେଶର ସୀମା ବନ୍ଦ ରହିଛି ।

ପ୍ରଶ୍ନ- କୋଭିଡ୍‌ 19ର ଉତ୍ପତ୍ତି ସ୍ଥଳ ସଂପର୍କରେ ତଦନ୍ତ କରିବା ଲାଗି ଜିଦ୍‌ ଧରିଥିବାରୁ ବାଣିଜ୍ୟ କ୍ଷେତ୍ରରେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଚୀନ୍‌ ଧମକ ଦେଇଥିବା କଥା ବିଚାରକୁ ନେଲେ ଚୀନ୍‌ ସଂପର୍କରେ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀ ଏବଂ କର୍ପୋରେଟ୍‌ ହାଉସ୍‌ ସଂପର୍କରେ ନ୍ୟୁଜିଲାଣ୍ଡର ସରକାରୀ ମହଲରେ କିଭଳି ଆଳାପ ଆଲୋଚନା ଚାଲିଛି ?

ପ୍ରକୃତ କଥା ହେଉଛି ଚୀନ୍‌ ସହ ନ୍ୟୁଜିଲାଣ୍ଡର ନିବିଡ଼ ସଂପର୍କ ରହିଛି, ଯେଉଁଥିରେ ଗତ ଦଶନ୍ଧିରୁ କିଛି ଅଧିକ କାଳ ହେଲା ଉନ୍ନତି ପରିଲକ୍ଷିତ ହୋଇଛି । ସେମାନଙ୍କ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (FTA) ରହିଛି । ବାଣିଜ୍ୟ କ୍ଷେତ୍ରରେ ଚୀନ ସେମାନଙ୍କର ସବୁଠାରୁ ବଡ଼ ଅଂଶୀଦାର । କିନ୍ତୁ ବିଶ୍ବ ମହାମାରୀ ପରିପ୍ରେକ୍ଷୀରେ, କୌଣସି ଗୋଟିଏ ଅଂଶୀଦାର ଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ଭବିଷ୍ୟତ ଦୃଷ୍ଟିରୁ ଠିକ୍‌ ହୋଇ ନପାରେ ବୋଲି ଧାରଣା ଦୃଢ଼ୀଭୂତ ହେବାରେ ଲାଗିଛି ଏବଂ ସେମାନଙ୍କ ବଜାରକୁ ବିବିଧତାମୁଖୀ ନକରିବା ଲାଗି ମଧ୍ୟ । ଏହି ଦୁଇଟି କଥାକୁ ବିଭିନ୍ନ ବ୍ୟାବସାୟିକ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବିଚାରକୁ ନେଇଛନ୍ତି । ବିଭିନ୍ନ ଖବରକାଗଜରେ ପ୍ରକାଶିତ ମତ ମନ୍ତବ୍ୟରୁ ଜଣାପଡୁଛି ଯେ କୋଭିଡ୍‌ 19 ପରବର୍ତ୍ତୀ ସମୟରେ ଯୋଗାଣ ଓ ନୂତନ ବଜାର ସୃଷ୍ଟି ପ୍ରସଙ୍ଗରେ ବୋଧହୁଏ ନ୍ୟୁଜିଲାଣ୍ଡ ବିବିଧତାକୁ ଆଦରି ନେବାକୁ ଚାହିଁବ ।

ପ୍ରଶ୍ନ- ଭାରତ ଚୀନରୁ ଆମଦାନୀ କରାଯାଇଥିବା ତ୍ରୁଟିପୂର୍ଣ୍ଣ ପରୀକ୍ଷଣ ଉପକରଣ ବା ଟେଷ୍ଟିଂ କିଟ୍‌ ସଂପର୍କିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛି । ନ୍ୟୁଜିଲାଣ୍ଡ ବି କ’ଣ ଚୀନ୍‌ରୁ ଟେଷ୍ଟିଂ କିଟ୍‌ ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (PPE) ଆଣୁଛି ନା ଅନ୍ୟ କେଉଁଠାରୁ ?

ସେମାନେ ବାହାର ଦେଶରୁ ଆଣୁଛନ୍ତି ଏବଂ ଏଠାରେ ପ୍ରସ୍ତୁତ ମଧ୍ୟ କରୁଛନ୍ତି । କିନ୍ତୁ ଏଠାରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ବୋଲି ମୁଁ ଭାବୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.