ETV Bharat / bharat

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନୀ ଗୋଷ୍ଠାୀର ଧମକ, ଆଲର୍ଟରେ ପୋଲିସ

author img

By

Published : Apr 2, 2023, 10:16 PM IST

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କୁ ଖଲିସ୍ତାନୀ ଗୋଷ୍ଠାୀର ଧମକ । ଅଡିଓ ଜାରି କରି ଧମକ ଦେଲା ସଂଗଠନ । ଆଲର୍ଟ ମୋଡରେ ପୋଲିସ । ଅଧିକ ପଢନ୍ତୁ

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନୀ ଗୋଷ୍ଠାୀର ଧମକ
ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନୀ ଗୋଷ୍ଠାୀର ଧମକ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଖଲିସ୍ତାନୀ ଗୋଷ୍ଠୀର ଧମକ ପରେ ଆଲର୍ଟ ମୋଡରେ ପୋଲିସ । ମୁଖ୍ୟମନ୍ତ୍ରୀଙ୍କୁ ଏକ ଅଡିଓ କଲରେ ଧମକ ମିଳିଛି । ସମସ୍ତ ଜିଲ୍ଲାର ଏସ.ପି ଓ କମିଶନରଙ୍କୁ ଆଲର୍ଟ ମୋଡରେ ରଖାଯାଇଛି । ଅଡିଓ କଲକୁ ଯାଞ୍ଚ କରାଯାଉଛି ।

ଆସାମର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ହିରେନ ନାଥ ସମ୍ପୂର୍ଣ୍ଣ ପୋଲିସ ବିଭାଗକୁ ଆଲର୍ଟମୋଡରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସିଥିବା ଅଡିଓକୁ ଯାଞ୍ଚ କରାଯାଇ ଏହାର ଲୋକେସନ ଟ୍ରାକ କରିବା ପାଇଁ ପୋଲିସର ସାଇବର ସେଲ୍‌ କାମରେ ଲାଗିଛନ୍ତି । ଏଡିଜିପି କହିଛନ୍ତି, ଏହି ଅଡିଓ ମିଳିବା ପରେ ସମସ୍ତ ଜିଲ୍ଲାର ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ମିଳିଛି । ଏ ସମ୍ପର୍କରେ କେନ୍ଦ୍ରୀୟ ସଂସ୍ଥାକୁ ମଧ୍ୟ ଅବଗତ କରାଯାଇଛି ।

ମିଳିଥିବା ଅଡିଓ ବାର୍ତ୍ତାରେ କୁହାଯାଇଛି, ଆସାମରେ ଖଲିସ୍ତାନୀ ସମର୍ଥକ ଶିଖ୍‌ଙ୍କୁ ନିର୍ଯାତନା ଦିଆଯାଉଛି । ଜେଲ୍‌ରେ ଥିବା ଶିଖ୍‌ କଏଦୀଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଛି । ଏହି ଘଟଣାରୁ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ଦୂରେଇ ରହିବାକୁ ମଧ୍ୟ ଅଡିଓରେ ଚେତାବନୀ ଦିଆଯାଇଛି । ସ୍ବତନ୍ତ୍ର ଖଲିସ୍ତାନ ଗଠନ ଦାବି ପ୍ରସଙ୍ଗରେ ଯଦି ବିଶ୍ବଶର୍ମାଙ୍କ ସରକାର ଶିଖ୍‌ଙ୍କ ପ୍ରତି ଏପରି ଆଭିମୁଖ୍ୟ ଗ୍ରହଣ କରନ୍ତି ତେବେ ମୁଖ୍ୟମନ୍ତ୍ରୀ ନିଜେ ହିଁ ଦାୟୀ ରହିବେ ବୋଲି ଅଡିଓରେ ଧମକ ଦିଆଯାଇଛି ।

ଭାରତରେ ବ୍ୟାନ ଘୋଷଣା ହୋଇଥିବା ଶିଖ ଉଗ୍ରବାଦୀ ସଂଗଠନ ଶିଖ-ଫର-ଜଷ୍ଟିସ ସହ ଜଡିତ ଗୁରୁପତଓ୍ବାନ ସିଂଙ୍କ ପକ୍ଷରୁ ଜାରି କରାଯାଇଥିବା ଅଡିଓରେ ଦାବି କରାଯାଇଛି । ପୋଲିସ ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି । ଅଡିଓ କ୍ଲିପକୁ ସାଇବର ସେଲର ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ କରାଯାଉଛି । ଏହା କେଉଁଠୁୁ ରେକର୍ଡ କରାଯାଇଛି, ସେ ନେଇ ଖୁବଶୀଘ୍ର ସ୍ପଷ୍ଟ ହେବା ନେଇ ପୋଲିସ କହିଛି । ଏହି ନିଷେଧ ଘୋଷିତ ସଂଗଠନର ଏକାଧିକ ଶାଖା ବିଦେଶରେ ମଧ୍ୟ କାର୍ଯ୍ୟ କରୁଛି, ତେଣୁ ଏହି ଧମକପୂର୍ଣ୍ଣ ଅଡିଓଟି ବିଦେଶରୁ ଆସିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ପଞ୍ଜାବରେ ଖଲିସ୍ତାନୀ ଗୋଷ୍ଠୀର ନେତା ଅମ୍ରିତପାଲ ସିଂ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଅମ୍ରିତପାଲ ଏବେ ଫେରାର ଥିବା ବେଳେ ତାର ଅନେକ ସହଯୋଗୀ ତଥା ସେ ଚଳାଉଥିବା ସଂଗଠନର ଅନେକ ସଦସ୍ୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାୟ ଶତାଧିକ ସଦସ୍ୟଙ୍କୁ ପୋଲିସ ଗିରଫ କରିସାରିଥିଲେ ସୁଦ୍ଧା ଅମ୍ରିତପାଲକୁ ଗିରଫ କରିବାରେ ସଫଳତା ପାଇନାହିଁ । ବିଦେଶରେ ଥିବା ଖଲିସ୍ତାନୀ ସମର୍ଥବାଦୀ ଶିଖମାନେ ଭାରତ ବିରୋଧରେ ନାରାବାଜୀ କରୁଛନ୍ତି । ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସରେ ସେମାନେ ଭଙ୍ଗାରୁଜା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.