ETV Bharat / bharat

ବଜରଙ୍ଗ ଦଳ ବ୍ୟାନ ଇସ୍ତାହାର: ଏହା କଂଗ୍ରେସ ନୁହେଁ ମୁସଲିମ ଲିଗର ଇସ୍ତାହାର କହିଲେ ବିଶ୍ବଶର୍ମା

author img

By

Published : May 3, 2023, 8:56 AM IST

ବଜରଙ୍ଗ ଦଳ ବ୍ୟାନ ଇସ୍ତାହାର ପ୍ରସଙ୍ଗ । କଂଗ୍ରେସ ନୁହେଁ ମୁସଲିମ ଲିଗର ଇସ୍ତାହାର ସଦୃଶ କହିଲେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା । ଅଧିକ ପଢନ୍ତୁ

ବଜରଙ୍ଗ ଦଳ ବ୍ୟାନ ଇସ୍ତାହାର
ବଜରଙ୍ଗ ଦଳ ବ୍ୟାନ ଇସ୍ତାହାର

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଥିବା ଘମାଘୋଟ ପ୍ରଚାର ମଧ୍ୟରେ କଂଗ୍ରେସର ବଜରଙ୍ଗ ଦଳ ନିଷେଧ ଇସ୍ତାହାରକୁ ନେଇ ଆହୁରି ଉଷ୍ମତା ବଢିଛି । ଦଳ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ପିଏଫଆଇ ପରି ବ୍ୟାନ ଘୋଷଣା କରାଯିବା ନେଇ ଇସ୍ତାହାରରେ କଂଗ୍ରେସ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ତମାମ ବିଜେପି ନେତା କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଷ୍ଟାର ପ୍ରଚାରକ ଭାବେ କର୍ଣ୍ଣାଟକରେ ଡେରା ପକାଇଥିବା ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଗତକାଲି (ମଙ୍ଗଳବାର) ପ୍ରେସମିଟ କରି କଂଗ୍ରେସକୁ ଏହି ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଛନ୍ତି ।

ହିମନ୍ତ କହିଛନ୍ତି, କଂଗ୍ରେସ ଯଦି ବଜରଙ୍ଗ ଦଳକୁ ପିଏଫଆଇ ସହିତ ତୁଳନା କରୁଛି, ତାହାଲେ ସିଦ୍ଧରମୈୟା ସରକାର ଥିବା ବେଳେ କାହିଁକି ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଗଲାନାହିଁ । ସେମାନେ ପିଏଫଆଇର ଶତାଧିକ ଅଭିଯୁକ୍ତଙ୍କୁ ମୁକ୍ତ କରିଥିଲେ । ସେମାନଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରିଥିଲେ । ସେମାନେ କେରଳରେ ମୁସଲିମ ଲିଗ୍‌ ସହ ମେଣ୍ଟ କରିଛନ୍ତି । ଏବେ କଂଗ୍ରେସ ଜାରି କରିଥିବା ଇସ୍ତାହାର ଏକ ଧର୍ମ ନିରପେକ୍ଷ ଦଳର ନୁହେଁ ବରଂ ମୁସଲିମ ଲିଗର ନିର୍ବାଚନୀ ଇସ୍ତାହାର ପରି ଲାଗୁଛି । କର୍ଣ୍ଣାଟକ ପାଇଁ ବିଜେପିକୁ ଓ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତ:-‘ସେମାନେ ପ୍ରଭୁ ରାମକୁ ତାଲା ବନ୍ଦ କରିଥିଲେ, ଏବେ ବଜରଙ୍ଗବାଲୀଙ୍କୁ’; କଂଗ୍ରେସ ଉପରେ କଡା ପ୍ରହାର କଲେ ମୋଦି

ଗତକାଲି ବିଶ୍ବଶର୍ମାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ନିର୍ବାଚନୀ ସଭାମଞ୍ଚରୁ ଏହି ପ୍ରସଙ୍ଗ ନେଇ କଂଗ୍ରେସ ଉପରେ ବର୍ଷିଥିଲେ । କର୍ଣ୍ଣାଟକର ହୋସପେଟରେ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି କଂଗ୍ରେସର ଇସ୍ତାହାରରେ ବଜରଙ୍ଗ ଦଳ ବ୍ୟାନ ଘୋଷଣାକୁ ନେଇ ପ୍ରଧାନମନ୍ତ୍ରୀ ବର୍ଷିଥିଲେ । କହିଥିଲେ, ‘‘ସେମାନେ ପ୍ରଥମେ ପ୍ରଭୁ ରାମଙ୍କୁ ତାଲା ବନ୍ଦ କରିଥିଲେ । ଏବେ ବଜରଙ୍ଗବାଲୀଙ୍କୁ ମଧ୍ୟ ତାଲା ବନ୍ଦ ସଂଙ୍କଳ୍ପ ନେଇଛନ୍ତି ।’’

କଂଗ୍ରେସ କରିଥିବା ଘୋଷଣା ପତ୍ରରେ ବଜରଙ୍ଗ ଦଳକୁ କେନ୍ଦ୍ର ସରକାରଙ୍କ ଦ୍ବାରା ନିଷେଧ ଘୋଷଣା ହୋଇଥିବା ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ସହ ତୁଳନା କରାଯାଇଥିଲା । କଂଗ୍ରେସ କହିଥିଲା ଏହି ସ୍ବଂୟ ସେବକ ସଂଘ ଓ ବିଶ୍ବ ହିନ୍ଦୁ ପରିଷଦର ଯୁବ ଶାଖା ବଜରଙ୍ଗ ଦଳ ସମାଜରେ ଘୃଣା ଓ ଶତୃତା ସୃଷ୍ଟି କରୁଛି । କୌଣସି ସଂଖ୍ୟାଲଘୁ କିମ୍ବା ସଂଖ୍ୟାଗରିଷ୍ଠ ହୁଅନ୍ତୁ, ଏପ୍ରକାର ସମସ୍ତ ସଂଗଠନ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘୋଷଣା ପରେ ବିଜେପି କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏହି ଇସ୍ତାହାରକୁ ଏକ ଧର୍ମ ନିରପେକ୍ଷ ପାର୍ଟି ନୁହେଁ ବରଂ ମୁସଲିମ୍‌ ଲିଗ୍‌ ଦ୍ବାରା ପ୍ରସ୍ତୁତ ଇସ୍ତାହାର ସହ ତୁଳନା କରିଛନ୍ତି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.