ETV Bharat / bharat

ଆମେରିକାରେ ଅଭୂତପୂର୍ବ ଧ୍ରୁବୀକରଣ ସୃଷ୍ଟି ହୋଇଛି: ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ

author img

By

Published : Nov 3, 2020, 6:58 PM IST

ଇଟିଭି ଭାରତର ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ଏକ ସ୍ତ୍ରତନ୍ତ୍ର ସାକ୍ଷାତକାରରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଦର୍ଶାଇଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଉଭୟ ଦଳର ଭିନ୍ନ ଆଭିମୁଖ୍ୟ ରହିଛି ଏବଂ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ କିପରି ନିଜର ଦୃଷ୍ଟିକୋଣ ଦେଇଛନ୍ତି। ଶଙ୍କର କହିଛନ୍ତି ଯେ ଆମେରିକା ନିର୍ବାଚନ ପୂର୍ବ ପରି ଧ୍ରୁବୀକରଣ ହୋଇଛି । ଅଧିକ ପଢନ୍ତୁ...

ଆମେରିକାରେ ଅଭୂତପୂର୍ବ ଧ୍ରୁବୀକରଣ ସୃଷ୍ଟି ହୋଇଛି: ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ
ଆମେରିକାରେ ଅଭୂତପୂର୍ବ ଧ୍ରୁବୀକରଣ ସୃଷ୍ଟି ହୋଇଛି: ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଜାରି ରହିଥିବା ବେଳେ ବ୍ୟାପକ ହିଂସା ଆଶଙ୍କାରେ ଆମେରିକାର ବିଭିନ୍ନ ବଡ଼ ବଡ଼ ସହରରେ ବ୍ୟକ୍ତିଗତ ଓ ବାଣିଜ୍ୟିକ ପ୍ରତିଷ୍ଠାନ କୋଠାଗୁଡ଼ିକରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଏ ସଂପର୍କରେ ନିଜର ମତାମତ ଦେଇ ଆମେରିକାରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ମୀରା ଶଙ୍କର କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭୂତପୂର୍ବ କାର୍ଯ୍ୟଶୈଳୀ ଏବଂ ଦ୍ବିତୀୟ ଥର ପାଇଁ ସେ ନିର୍ବାଚିତ ନ ହେଲେ ନିର୍ବାଚନ ଫଳାଫଳ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିବା ଲାଗି ତାଙ୍କ ସମର୍ଥକମାନଙ୍କୁ ସେ ଦେଇଥିବା ଆହ୍ବାନ ଯୋଗୁଁ ହିଁ ବିଶ୍ବର ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ରରେ ସଂପ୍ରତି ଏହି ଅଭୂତପୂର୍ବ ପରିସ୍ଥିତି ଉପୁଜିଛି । ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ବାର୍ତ୍ତାଳାପ ଅବସରରେ ରାଷ୍ଟ୍ରଦୂତ ମୀରା ଶଙ୍କର, କେମିତି ଆମେରିକୀୟ ସମାଜରେ ଅଭୂତପୂର୍ବ ଧ୍ରୁବୀକରଣ ସୃଷ୍ଟି ହୋଇଛି ଏବଂ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ବୈଦେଶିକ ଓ ଅର୍ଥନୈତିକ ନୀତି କ୍ଷେତ୍ରରେ ଉଭୟ ମୁଖ୍ୟ ରାଜନୈତିକ ଦଳରେ ପୂର୍ବରୁ ରହିଆସିଥିବା ମଧ୍ୟମପନ୍ଥୀ ସ୍ବର ବଦଳରେ ଏବେ ଏହି ମଧ୍ୟମପନ୍ଥୀଙ୍କ ମଧ୍ୟରେ ରହିଥିବା କେବଳ ଉଗ୍ର ଦକ୍ଷିଣପନ୍ଥୀ ଏବଂ ବାମପନ୍ଥୀ ସ୍ବର ଉତ୍ତୋଳିତ ହୋଇଛି, ସେ ସଂପର୍କରେ ବର୍ଣ୍ଣନା କରିଛନ୍ତି । ଏହି ଏକ୍‌ସକ୍ଲୁସିଭ୍‌ ସାକ୍ଷାତକାରରେ ଟ୍ରମ୍ପ ଓ ବାଇଡେନ୍‌ଙ୍କ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ସଂପର୍କରେ ନିଜ ମତାମତ ଦେବା ସହିତ, କାହିଁକି ଆମେରିକାରେ ବହୁଦଳୀୟ ବ୍ୟବସ୍ଥା ପ୍ରଚଳନ କରାଯାଉନାହିଁ, ସମ୍ଭାବ୍ୟ ନିର୍ବାଚନ ଫଳାଫଳ ଏବଂ ନିର୍ଣ୍ଣାୟକ ରାଜ୍ୟ ସମୂହ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ପୂର୍ବତନ ରାଷ୍ଟ୍ରଦୂତ କହିଛନ୍ତି । ଏହି ସାକ୍ଷାତକାରର ଭାବାନୁବାଦ ।

ଆମେରିକାରେ ଅଭୂତପୂର୍ବ ଧ୍ରୁବୀକରଣ ସୃଷ୍ଟି ହୋଇଛି: ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ

ପ୍ରଶ୍ନ-ବିଶ୍ବର ସର୍ବପୁରାତନ ଗଣତନ୍ତ୍ରରେ ନିର୍ବାଚନ ଦିନ ବ୍ୟାପକ ହିଂସା ଓ ଉତ୍ତେଜନା ସଂପର୍କରେ ଆପଣଙ୍କ ମତାମତ କ’ଣ ?

ସ୍ପଷ୍ଟତଃ, ଏହା ଏକ ଅଭୂତପୂର୍ବ ଘଟଣା । ଅତୀତର ଆମେରିକାରେ ସଂସ୍ଥା ଭିତ୍ତିକ ଗଣତନ୍ତ୍ରର ପ୍ରାମାଣିକତାକୁ ବିଚାର କଲେ ଦିନେ ଏଠାରେ ଏଭଳି ପରିସ୍ଥିତି ଦେଖାଦେବ ବୋଲି କେହି ଚିନ୍ତା କରିନଥିବେ । କିନ୍ତୁ ଏହାର ଅଧିକାଂଶ ଭାଗ ନିର୍ଭର କରେ ବର୍ତ୍ତମାନର ରାଷ୍ଟ୍ରପତିଙ୍କ କାର୍ଯ୍ୟଶୈଳୀ ଉପରେ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସେହି ସବୁ ବିବୃତି ଉପରେ, ଯେଉଁଥିରେ କି ଅନ୍ୟାନ୍ୟ କଥା ସହିତ ବିଶେଷତଃ ମେଲ୍‌-ଇନ୍‌ ଭୋଟରେ ଜାଲିଆତି କରି, ଡେମୋକ୍ରାଟ୍‌ମାନେ ଏହି ନିର୍ବାଚନ ଫଳାଫଳକୁ ସେମାନଙ୍କ ସପକ୍ଷରେ କରାଇ ନେଲେ ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ତାଙ୍କ ସମର୍ଥକମାନଙ୍କୁ କହିସାରିଛନ୍ତି । ତେଣୁ ମୂଳକଥା ହେଉଛି ଯେ, ପ୍ରମୁଖ ରାଜନୈତିକ ଦଳର ଜଣେ ପ୍ରାର୍ଥୀ ନିଜେ ହିଁ ନିର୍ବାଚନର ଆଇନଗତ ବୈଧତା ଉପରେ ପ୍ରଶ୍ନ ଉଠାଇବା ସହିତ ନିର୍ବାଚନ ଫଳାଫଳକୁ ଗ୍ରହଣ ନକରିବାକୁ ପୂର୍ବରୁ ଘୋଷଣା କରିସାରିଛନ୍ତି । ସୁତରାଂ, ତାଙ୍କ ସମର୍ଥକମାନେ ମଧ୍ୟ ଏଭଳି ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ଏହାକୁ ଆପଣ ଦକ୍ଷିଣପନ୍ଥୀ ଉଗ୍ରବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ସଜିଲ କଲେଣି ବୋଲି ବା ଏମିତି ଆଉ କିଛି କହିପାରନ୍ତି । ତେଣୁ ବର୍ତ୍ତମାନର ସ୍ଥିତି ପଛରେ କୌଣସି ଦୈବୀଶକ୍ତି ନାହିଁ । ଏହାର କାରଣ ହେଉଛି ଯେ ଜଣେ ପ୍ରାର୍ଥୀ ଏହାକୁ ତାଙ୍କ ନିର୍ବାଚନ ରଣକୌଶଳର ଏକ ପ୍ରମୁଖ ଅଂଶ ରୂପେ ବ୍ୟବହାର କରୁଛନ୍ତି ।

ପ୍ରଶ୍ନ-ଅତୀତରେ ମଧ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ତୀବ୍ର ପ୍ରତିଯୋଗିତା ପରିଲକ୍ଷିତ ହୋଇଛି । କିନ୍ତୁ 2020ର ନିର୍ବାଚନ ଆମେରିକା ଇତିହାସର ମୋଡ଼ ବଦଳାଇ ଦେବା ଭଳି ଏକ ସନ୍ଧିକ୍ଷଣ ପ୍ରମାଣିତ ହେବ କି ?

ହଁ । ଉଭୟ ପ୍ରାର୍ଥୀ ଦୁଇଟି ଭିନ୍ନ ଭିନ୍ନ ଆଭିମୁଖ୍ୟ ଓ ବିଚାରଧାରା ଉପସ୍ଥାପନ କରିଛନ୍ତି । ଅର୍ଥନୈତିକ ନୀତି ହେଉ କି ସ୍ବାସ୍ଥ୍ୟ ପ୍ରସଙ୍ଗ, ଜଳବାୟୁ ପରିବର୍ତ୍ତନ ହେଉ କି ଶକ୍ତି ସଂପର୍କିତ ନୀତି କିମ୍ବା ବୈଦେଶିକ ନୀତି । ଆପଣଙ୍କ ସମ୍ମୁଖରେ ଦୁଇ ଜଣ ପ୍ରାର୍ଥୀ ଅଛନ୍ତି, ଯେଉଁମାନଙ୍କର ଆଭିମୁଖ୍ୟ ସଂପୂର୍ଣ୍ଣ ଭିନ୍ନ । ସେମାନଙ୍କ ଆଭିମୁଖ୍ୟ ଯେ ଠିକ୍‌, ଆମେରିକାବାସୀଙ୍କୁ ଏହା ବୁଝାଇବା ଲାଗି ଉଭୟ ପ୍ରାର୍ଥୀ ପ୍ରୟାସ କରୁଛନ୍ତି । ବିଗତ କିଛି ବର୍ଷରେ ଆମେରିକାରେ କେତେଦୂର ଧ୍ରୁବୀକରଣ ହୋଇଛି ତାହାର ଏକ ପ୍ରତିଫଳନ ମଧ୍ୟ ଏଥିରେ ଘଟିଛି । ଅତୀତରେ ଉଭୟ ଡେମୋକ୍ରାଟ ଏବଂ ରିପବ୍ଲିକାନ୍‌ ଦଳରେ କେତେକ ମଧ୍ୟମପନ୍ଥୀ ଗୋଷ୍ଠୀ ରହିଥିଲେ । ଯେଉଁମାନେ କି ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଦଳଗତ ମତବାଦ ନିର୍ବିଶେଷରେ ବୈଦେଶିକ ଏବଂ ଅର୍ଥନୈତିକ ନୀତି କ୍ଷେତ୍ରରେ ସମ୍ମତି ପ୍ରକାଶ କରୁଥିଲେ । ଏବେ ଜାତୀୟ ସ୍ବାର୍ଥକୁ ରୂପ ଦେଉଥିବା ସେହି ମଧ୍ୟବର୍ତ୍ତୀ କ୍ଷେତ୍ର ଉଭେଇ ଯାଇଛି । ଆପଣଙ୍କ ଆଗରେ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ଦିଗଗାମୀ ଦୁଇଟି ଦଳ ଅଛନ୍ତି । ଗୋଟିଏ ପଟେ ରିପବ୍ଲିକାନ୍‌ ପାର୍ଟି, ଯାହା କି ଏକ ପ୍ରକାରର ଦକ୍ଷିଣପନ୍ଥୀ ମୌଳବାଦୀ ନୀତିକୁ ରୂପରେଖ ଦେବାରେ ଲାଗିଛି । ଅନ୍ୟପକ୍ଷରେ ଡେମୋକ୍ରାଟିକ୍‌ ପାର୍ଟି, ଯାହାକି ବାମପନ୍ଥୀ ଭାବରେ ନିଜକୁ ଖୁବ ଭଲରେ ସାବ୍ୟସ୍ତ କରିପାରିଛି ଏବଂ କଂଗ୍ରେସ ଓ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭରେ ଏହି ବାମପନ୍ଥୀ ଡେମୋକ୍ରାଟିକ ପାର୍ଟିର ଅନେକ ଯୁବକ ଯୁବତୀ ପ୍ରତିନିଧିତ୍ବ କରୁଛନ୍ତି । ତେଣୁ, ଗୋଟିଏ କଥାରେ, ଉଭୟ ପକ୍ଷ ପୂରାପୂରି ଭିନ୍ନ ବାଟରେ ଆଗେଇବାରେ ଲାଗିଛନ୍ତି । ଉପରାଷ୍ଟ୍ରପତି ବାଇଡେନ୍‌ ଜଣେ ମଧ୍ୟମପନ୍ଥୀ । ବର୍ତ୍ତମାନ ସ୍ଥିତିରେ ଟ୍ରମ୍ପଙ୍କୁ ଶାସନ କ୍ଷମତାରୁ ହଟାଇବା ଲାଗି ଡେମୋକ୍ରାଟିକ୍‌ ପାର୍ଟିର ସମସ୍ତେ ଏକଜୁଟ ହୋଇ ପ୍ରୟାସ କରୁଛନ୍ତି । ଏମିତି କି ବର୍ଣ୍ଣି ସାଣ୍ଡର୍‌ସଙ୍କ ଭଳି ବାମପନ୍ଥୀମାନେ ବି ବାଇଡେନ୍‌ଙ୍କ ପ୍ରାର୍ଥିତ୍ବ ପ୍ରତି ଆନ୍ତରିକ ସମର୍ଥନ ପ୍ରଦାନ କରିଛନ୍ତି । କିନ୍ତୁ ଥରେ ନିର୍ବାଚନ ସରିଗଲେ, ଯଦି ବାଇଡେନ୍‌ ବିଜୟ ଲାଭ କରନ୍ତି, ତେବେ ତାଙ୍କ ନିଜ ଦଳର ବାମପନ୍ଥୀମାନଙ୍କୁ ଏବଂ ଟ୍ରମ୍ପଙ୍କ ବିରୋଧରେ ମୁଖର ହୋଇଉଠିଥିବା ମଧ୍ୟମପନ୍ଥୀ ରିପବ୍ଲିକାନ୍‌ ପାର୍ଟି ସଦସ୍ୟମାନଙ୍କୁ ଏକତ୍ର କରାଇବା ତାଙ୍କ ପାଇଁ ଏକ ବଡ଼ ଆହ୍ବାନ ହେବ । ରେଗାନଙ୍କ ସହିତ ହେଉ କି ଜର୍ଜ ବୁଶ୍‌ ସିନିଅର କିମ୍ବା ଜର୍ଜ ବୁଶ ଜୁନିଅରଙ୍କ ସହିତ କାର୍ଯ୍ୟ କରିଥିବା ପାରମ୍ପରିକ ରିପବ୍ଲିକାନ୍‌ମାନଙ୍କ ମଧ୍ୟରୁ ଅଧିକାଂଶ ‘ଟି ପାର୍ଟି’ ନାଁରେ ଖୋଲାଖୋଲି ଟ୍ରମ୍ପଙ୍କୁ ବିରୋଧ କରିଛନ୍ତି ଏବଂ ଆବ୍ରାହମ ଲିଙ୍କନଙ୍କ ନାମରେ ନାମିତ ଲିଙ୍କନ ପ୍ରୋଜେକ୍‌ଟ ଚଳାଇଛନ୍ତି । ଏଥିରେ ସେମାନେ ବାଇଡେନ୍‌ଙ୍କୁ ଭୋଟ ଦେବା ପାଇଁ ନିବେଦନ ସହିତ ଖୋଲାଖୋଲି ଭାବେ ଟ୍ରମ୍ପଙ୍କ ବିରୋଧରେ ପ୍ରଚାର କରୁଛନ୍ତି ଏବଂ ବିଜ୍ଞାପନ ପ୍ରକାଶ କରୁଛନ୍ତି । ଦକ୍ଷିଣପନ୍ଥୀ ନିର୍ବାଚନ କ୍ଷେତ୍ର ରୂପେ ପରିଗଣିତ ଟ୍ରମ୍ପଙ୍କ ନିଜ ନିର୍ବାଚନ କ୍ଷେତ୍ରରେ ତାଙ୍କ ପ୍ରତି ଦୃଢ଼ ସମର୍ଥନ ରହିଛି । ଏମିତି କି ନିହାତି ପ୍ରତିକୂଳ ସ୍ଥିତିରେ ବି ସେଠାରେ ତାଙ୍କ ପ୍ରାର୍ଥିତ୍ବ ପ୍ରତି 42 ପ୍ରତିଶତ ସମର୍ଥନ ରହିଥିଲା । ଏହା ଫଳରେ ତାଙ୍କ ପ୍ରାର୍ଥିତ୍ବ ପ୍ରତି ଅନୁମୋଦନ ଦୃଢ଼ ସ୍ଥିତିରେ ରହିଥିଲା । ଟ୍ରମ୍ପ ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ବଂଶଗତ ପ୍ରଭେଦକୁ କେନ୍ଦ୍ର କରି ଉତ୍ତେଜନା ଓ ଆନ୍ଦୋଳନକୁ ପ୍ରସଙ୍ଗ କରି ତାଙ୍କ ଚାଲ ଚଳାଇଛନ୍ତି ଏବଂ ଏହା ଫଳରେ ତାଙ୍କ ଉପରୁ ଆସ୍ଥା ହରାଇଥିବା କେତେକ ଶ୍ବେତାଙ୍ଗ ଭୋଟରଙ୍କ ଭୋଟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି । ଏହା ସହିତ ଅର୍ଥନୈତିକ ଦୃଷ୍ଟିରୁ କୋଭିଡ୍‌ ପୂର୍ବବର୍ତ୍ତୀ ସମୟର ତାଙ୍କ ଶାସନ କାଳରେ ଆଫ୍ରିକୀୟ ଓ ଲାଟିନ୍‌ ଆମେରିକୀୟମାନଙ୍କ ମଧ୍ୟରେ ବେକାର ସମସ୍ୟା ସବୁଠାରୁ କମ୍‌ ରହିଥିଲା ବୋଲି ଦର୍ଶାଇ ସେମାନଙ୍କ ଭୋଟ ହାସଲ ପାଇଁ ଚେଷ୍ଟା କରୁଛନ୍ତି ।

ପ୍ରଶ୍ନ- ଆମେରିକାରେ ବହୁଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ ହେଉନାହିଁ କାହିଁକି ?

ମୁଁ ଭାବୁଛି, ଦୁଇଦଳୀୟ ବ୍ୟବସ୍ଥା ପରିଚାଳନା ସେମାନଙ୍କ ପାଇଁ କଷ୍ଟକର ହେଉଛି । ରାଷ୍ଟ୍ରପତି ପଦ ପାଇଁ କେତେ ଜଣ ସ୍ବାଧାନ ପ୍ରାର୍ଥୀ ବି ପ୍ରତିଦ୍ବନ୍ଦ୍ବିତା କରନ୍ତି । ଅଲ୍‌ ଗୋରେଙ୍କ ସମୟରେ ଆପଣ ଏହା ଦେଖିଛନ୍ତି । ଗତ ନିର୍ବାଚନରେ ବି ହିଲାରୀଙ୍କ ବିରୋଧରେ ଜଣେ ସ୍ବାଧୀନ ପ୍ରାର୍ଥୀ ଠିଆ ହୋଇଥିଲେ । ହେଲେ, ବାସ୍ତବରେ ଆମେରିକା ରାଜନୀତିର ମୁଖ୍ୟସ୍ରୋତ ଏହି ଦୁଇଟି ରାଜନୈତିକ ଦଳକୁ କେନ୍ଦ୍ର କରି ପ୍ରବାହିତ ଏବଂ ଏଥିରେ ସେତେ ବେଶୀ ବ୍ୟତିକ୍ରମ ହୋଇନାହିଁ । ଉଭୟ ଦଳ ଭିନ୍ନ ଭିନ୍ନ ମତବାଦର ଧାରା ଗ୍ରହଣ କରିଥାନ୍ତି । ତେଣୁ ଦଳୀୟ ମତବାଦରେ ବିଭିନ୍ନତା ପ୍ରତିଫଳିତ ହୋଇଥାଏ । ‘ଟି ପାର୍ଟି’ ଏକ ଭିନ୍ନ ଦଳ ନୁହେଁ । ଏହା ରିପବ୍ଲିକାନ ପାର୍ଟିର ଏକ ଅଂଶ । ଯେମିତି କି ପ୍ରୋଗ୍ରେସିଭ୍‌ସ ଏବଂ ଲେଫ୍‌ଟ ଉଇଙ୍ଗ, ଡେମୋକ୍ରାଟିକ୍‌ ପାର୍ଟିର ଅଂଶବିଶେଷ । ସେମାନେ ଅଲଗା ନୁହନ୍ତି ।

ପ୍ରଶ୍ନ-ଜାତୀୟ ସ୍ତରରେ ମତାମତ ସଂଗ୍ରହରେ ଜୋ ବାଇଡେନ ମହତ୍ତ୍ବପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ବେଳେ ଆମେରିକାର ନିର୍ବାଚନ ବିଶେଷଜ୍ଞ ଓ ବିଦ୍ବାନମାନେ ଲଗାତାର ଦ୍ବିତୀୟ ଥର ପାଇଁ ନିର୍ବାଚନ ଫଳାଫଳ ନେଇ କେଉଁ କ୍ଷେତ୍ରରେ ଭୁଲ ହେବାର ଆଶଙ୍କା କରୁଛନ୍ତି ?

ଜାତୀୟ ସ୍ତରରେ ଅନେକ ମତାମତ ସଂଗ୍ରହରେ ବାଇଡେନ ଅଗ୍ରଣୀ ହାସଲ କରିଛନ୍ତି । ପୂର୍ବବର୍ତ୍ତୀ ମତାମତ ସଂଗ୍ରହର ଫଳାଫଳ ସଂକଳନ କରି ଗତ ସପ୍ତାହରେ କି ଗତ 15 ଦିନ ଭିତରେ ପ୍ରକାଶିତ ମତାମତକୁ ଆପଣ ଯଦି ଦେଖନ୍ତି, ତେବେ ଜାତୀୟ ସ୍ତରରେ ବାଇଡେନ୍‌ 7.8ରୁ 10 ପ୍ରତିଶତ ଭୋଟରେ ଅଗ୍ରଣୀ ରହିଥିବା ଲକ୍ଷ୍ୟ କରିପାରିବେ । କିନ୍ତୁ କଥା ହେଉଛି ଯେ କିଏ ରାଷ୍ଟ୍ରପତି ହେବେ, ତାହା ସଂଖ୍ୟାଧିକ ଭୋଟ ଉପରେ ନିର୍ଭର କରେନାହିଁ । ସଂଖ୍ୟାଗରିଷ୍ଠ ଇଲେକ୍‌ଟୋରାଲ କଲେଜ ଭୋଟ ଉପରେ ଏହା ନିର୍ଭର କରେ ଏବଂ ତାହା ରାଜ୍ୟୱାରୀ ନିର୍ବାଚନରେ ସ୍ଥିର ହୋଇଥାଏ । ଗତ ନିର୍ବାଚନରେ ହିଲାରୀ ଲୋକପ୍ରିୟତା ଭୋଟ ଆଧାରରେ ରାଷ୍ଟ୍ରପତି ଟ୍ରମ୍ପଙ୍କଠାରୁ 30 ଲକ୍ଷ ଭୋଟ ଆଗରେ ରହିଥିଲେ ହେଁ ନିର୍ବାଚନ ହାରିଯାଇଥିଲେ । ଇଲେକ୍‌ଟୋରାଲ କଲେଜ ଭୋଟ କମ୍‌ ପାଇଥିବାରୁ ସେ ହାରିଯାଇଥିଲେ । ପାରମ୍ପରିକ ଭାବେ ଡେମୋକ୍ରାଟ୍‌ମାନଙ୍କ ଦୃଢ଼ ସମର୍ଥକ ରୂପେ ପରିଗଣିତ ପେନ୍‌ସିଲଭାନିଆ, ମିଶିଗାନ୍‌, ଉଇସ୍‌କନ୍‌ସିନ ଭଳି କେତେକ ନିର୍ଣ୍ଣାୟକ ରାଜ୍ୟରେ ସେ ପରାସ୍ତ ହୋଇଥିଲେ । କିନ୍ତୁ ଟ୍ରମ୍ପ, ତାଙ୍କର ‘ପ୍ରଥମେ ଆମେରିକା’, ଅର୍ଥନୈତିକ ସୁରକ୍ଷା ଓ ଆମେରିକୀୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସଂପର୍କିତ ବାର୍ତ୍ତା ବଳରେ ଡେମୋକ୍ରାଟ୍‌ମାନଙ୍କ ପାରମ୍ପରିକ ସମର୍ଥକ ରୂପେ ବିବେଚିତ ଶ୍ବେତାଙ୍ଗ କର୍ମଜୀବୀ ଶ୍ରେଣୀକୁ ନିଜ ସପକ୍ଷକୁ ଆଣିବାରେ ସମର୍ଥ ହୋଇଥିଲେ । ଆମେରିକାର ଏକ ବର୍ଗ ବିଶ୍ବାସ କରନ୍ତି ଯେ ଜଗତୀକରଣ ଯୋଗୁଁ ଆମେରିକା ପଛରେ ପଡ଼ିଯାଇଛି ଏବଂ ଏହା ସେମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିପାରିନାହିଁ । ଏହା ଫଳରେ ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଚୀନକୁ ଏବଂ ଆଇଟି କିମ୍ବା ସଫ୍‌ଟୱେୟାର କ୍ଷେତ୍ରରେ ଭାରତକୁ ନିଯୁକ୍ତି ସୁଯୋଗ ସ୍ଥାନାନ୍ତରିତ ହୋଇଛି । ଏହା ଫଳରେ ଆମେରିକାରେ ମଜୁରି ବୃଦ୍ଧି ହାର ମଧ୍ୟ ନିମ୍ନଗାମୀ ହୋଇଛି । କାରଣ, କର୍ମଚାରୀମାନେ ମଜୁରି ବୃଦ୍ଧି ପାଇଁ ଦାବି କଲେ ସେମାନେ ପ୍ରତିଦ୍ବନ୍ଦ୍ବିତାରେ ପଛରେ ପଡ଼ିଯିବା କଥା କହି କମ୍ପାନୀ ବିଦେଶରେ ସାମଗ୍ରୀ ନିର୍ମାଣ କରାଇବା କଥା କହୁଛି । ତେଣୁ ଆମେରିକାର ଏକ ବୃହତ୍‌ ବର୍ଗ ଜଗତୀକରଣ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଅନୁଭବ କରନ୍ତି । ତେଣୁ ସେମାନେ ରାସ୍ତା ବଦଳାଇ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ । କିନ୍ତୁ ଏ କ୍ଷେତ୍ରରେ ହିଲାରୀଙ୍କ ତୁଳନାରେ ବାଇଡେନ୍‌ ସୁବିଧାଜନକ ସ୍ଥିତିରେ ଅଛନ୍ତି । କାରଣ, ସେ ନିଜେ କର୍ମଜୀବୀ ପୃଷ୍ଠଭୂମିରୁ ଆସିଛନ୍ତି । ତେଣୁ ବର୍ତ୍ତମାନ ସେ ମିଶିଗାନ, ଉଇସ୍‌କନ୍‌ସିନ ଭଳି ରାଜ୍ୟରେ ସୁବିଧାଜନକ ସ୍ଥିତିରେ ଅଛନ୍ତି ବୋଲି ମତାମତ ସଂଗ୍ରହରୁ ଜଣାପଡ଼ିଛି । ପେନ୍‌ସିଲଭାନିଆରେ ଅଗ୍ରଣୀ ହାର 5.5%କୁ ଖସି ଆସିଛି । ଏବଂ ଫ୍ଲୋରିଡା ଏବଂ ଜର୍ଜିଆରେ ବାଇଡେନ 2% ଅଗ୍ରଣୀ ହାସଲ କରିଛନ୍ତି । ତେଣୁ ଏ ସବୁ କ୍ଷେତ୍ରରେ ନିର୍ବାଚନୀ ହିସାବ ଏପଟସେପଟ ହେବାର ଆଶଙ୍କା ରହିଛି ଏବଂ ଟ୍ରମ୍ପ ଏହି ସବୁ ରାଜ୍ୟ ଉପରେ ଧ୍ୟାନ ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.