ETV Bharat / bharat

୪ରୁ ସଂସଦ ଶୀତ ଅଧିବେଶନ, ଆଜି ବସିଲା ସର୍ବଦଳୀୟ ବୈଠକ

author img

By ETV Bharat Odisha Team

Published : Dec 2, 2023, 1:37 PM IST

All party meeting: ୪ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ । ଗୃହକାର୍ଯ୍ୟ ସୁରୁଖୁରୁରେ ସାରିବାକୁ ଆଜି ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ସଂସଦ ଶୀତ ଅଧିବେଶନ ପାଇଁ  ସର୍ବଦଳୀୟ ବୈଠକ
ସଂସଦ ଶୀତ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଦିନକ ପରେ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାକୁ ଆଜି(ଶନିବାର) କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ସଂସଦର ଲାଇବ୍ରେରୀ ବିଲ୍ଡିଂରେ ବୈଠକ ଜାରି ରହିଛି । ଏଥିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ସାଂସଦ ଜୟରାମ ରମେଶଙ୍କ ସମେତ ବିଭିନ୍ନ ଦଳର ନେତାମାନେ ସାମିଲ ହୋଇଛନ୍ତି ।

ସଂସଦର ଶୀତକାଳୀନ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିପାରେ । ବିଶେଷ କରି ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଏଥିକ୍ସ କମିଟି ଲୋକସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିବ । ଯାହା ଉପରେ ସଭିଁଙ୍କ ନଜର ରହିଛି । କମିଟି ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଏଥିରେ ମୋଇତ୍ରାଙ୍କ ସଂସଦ ସଦସ୍ୟତା ରବ୍ଦ କରିବାକୁ ସୁପାରିଶ୍ କରାଯାଇଥିବା କୁହାଯାଉଛି । ଏହାକୁ ନେଇ ଗୃହ ସରଗରମ ଦେଖିବାକୁ ମିଳିପାରେ ।

ଏହା ମଧ୍ୟ ପଢନ୍ତୁ: Winter Session of Parliament: ଡିସେମ୍ବର 4ରୁ ଆରମ୍ଭ, ରହିବ 19ଟି କାର୍ଯ୍ୟଦିବସ

ଗତ ମୌସୁମୀ ଅଧିବେଶନରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା । ଆସନ୍ତା ଶୀତ ଅଧିବେଶନରେ ଇଣ୍ଡିଆନ ପେନାଲ କୋଡ (IPC), କୋଡ ଅଫ କ୍ରିମିନାଲ ପ୍ରୋସିଡ୍ୟୁର (CrPC) ଏବଂ ଏଭିଡେନ୍ସ ଆକ୍ଟକୁ ଉଚ୍ଛେଦ କରାଯାଇ ଏହା ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ବିଲ୍ ଲାଗୁ କରିବା ଉପରେ ଆଲୋଚନା କରାଯାଇପାରେ । ଏହି ବିଲକୁ ଗୃହ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ଅନୁମୋଦନ ଦେଇସାରିଛି । ଏହାବ୍ୟତୀତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଆୟୋଗର ଅନ୍ୟ ଆୟୁକ୍ତଙ୍କ ନିଯୁକ୍ତ ପ୍ରକ୍ରିୟା ସମ୍ପର୍କିତ ସଂଶୋଧନ ବିଲ୍ ମଧ୍ୟ ଆସିପାରେ । ଏହି ବିଲ ଗତ ମୌସୁମୀ ଅଧିବେଶନରେ ଗୃହରେ ଆଗତ ହୋଇଥିବା ବେଳେ ଆସନ୍ତା ଅଧିବେଶନରେ ଏହା ଉପରେ ଚର୍ଚ୍ଚା ହୋଇ ପାରିତ ହେବା ପ୍ରକ୍ରିୟା ଆରମ୍ଭ ହେବ ।

ପ୍ରକାଶ ଥାଉକି, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ଯେ, ଆସନ୍ତା ୪ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ଏହି ଅଧିବେଶନରେ ମୋଟ ୧୫ଟି ସିଟିଂ ଓ ୧୯ଟି କାର୍ଯ୍ୟଦିବସ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.