ROTI BANK; ବୁଢା ବୁଢିଙ୍କ ପାଇଁ ଫ୍ରି’ରେ ଟେଷ୍ଟି ଫୁଡ୍ ହୋମଡେଲିଭରି ! ଗରିବ ଅସହାୟଙ୍କୁ ମାଗଣାରେ ପେଟପୁରା ପୌଷ୍ଟିକ ଖାଦ୍ୟ - free roti bank for poor people
unique concept free roti bank for poor sambalpur Roti Bank feeding the poor underprivileged: ଖିଦମତ ଅନୁଷ୍ଠାନର ‘ରୋଟି ବ୍ୟାଙ୍କ’ରେ ପ୍ରତ୍ୟେକ ଦିନ ରାତି ସମୟରେ 40ରୁ 50 ଜଣ ଗରିବ ଲୋକ ଆସୁଛନ୍ତି । ସେମାନେ ଏହି ଅନୁଷ୍ଠାନର ସଦସ୍ୟଙ୍କ ବ୍ୟବହାରରେ ମଧ୍ୟ ବହୁତ ଖୁସି l ତେବେ ଜାଣନ୍ତୁ କାହିଁକି ଏପରି ନିଆରା କାର୍ଯ୍ୟକ୍ରମ ହାତକୁ ନେଲେ ଅନୁଷ୍ଠାନର ସଦସ୍ୟ । କଣ ସେମାନଙ୍କ ଉଦ୍ଦେଶ୍ୟ ?

Published : August 26, 2024 at 12:14 PM IST
ସମ୍ବଲପୁର: ଆପଣ ମାନେ ଟଙ୍କା ପଇସାର ‘ବ୍ୟାଙ୍କ’ ଶୁଣିଥିବେ । ତେବେ "ରୋଟି ବ୍ୟାଙ୍କ" କଥା ହୁଏତ କେହି ଶୁଣିଥିବେ । ଆଜ୍ଞା ହଁ ସମ୍ବଲପୁରରେ ରହିଛି ଏକ ରୋଟି ବ୍ୟାଙ୍କ ଯେଉଁଠି ଗରିବ ଖଟିଖିଆ, ଅସହାୟ, ଭୋକିଲା ଲୋକଙ୍କୁ ମାଗଣାରେ ପେଟପୁରା ଖାଦ୍ୟ ଦିଆ ଯାଇଥାଏ । ସମ୍ବଲପୁର ସହରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ "ଖିଦମତ" ଅନୁଷ୍ଠାନ ଏପରି ଏକ ବ୍ୟାଙ୍କ ଖୋଲିଛି । ଏଠାରେ ପ୍ରତ୍ୟେକ ଦିନ ରାତି ସମୟରେ ଯେ କୌଣସି ଗରିବ ଲୋକ ଆସିଲେ ତାଙ୍କୁ ମାଗଣାରେ ପେଟପୁରା ଖାଦ୍ୟ ଦିଆଯାଏ । ପୁଣି ସାଧାରଣ ଖାଦ୍ୟ ନୁହେଁ ପୁରା ପୁରି ପୌଷ୍ଟିକ ଖାଦ୍ୟ । ଯେମିତି କି ଭାତ, ରୁଟି, ଡାଲି, ତରକାରୀ ଆଉ ଆଚାର l
ଏଥିପାଇଁ "ଖିଦମତ ' ଅନୁଷ୍ଠାନର ସଦସ୍ୟ ମାନେ ସ୍ବେଛାକୃତ ଭାବେ କାର୍ଯ୍ୟ କରୁଥିବା ବେଳେ କୌଣସି ସରକାରୀ ସହାୟତା ଆସେ ନାହିଁ କି ସେମାନେ ଦାବି ମଧ୍ୟ କରନ୍ତି ନାହିଁ । ସମ୍ବଲପୁରର ବିଭିନ୍ନ ଲୋକ ବିଭିନ୍ନ ସମୟରେ ଯାହା ସହାୟତା କରୁଛନ୍ତି ସେହି ସହାୟତାରେ ‘ରୋଟି ବ୍ୟାଙ୍କ’ ଚାଲୁଛି । ଏହା ଆରମ୍ଭ ହେବା ଜାଣିବା ପରେ ପ୍ରତ୍ୟେକ ଦିନ କେହି ନା କେହି ବଦାନ୍ୟ ବ୍ୟକ୍ତି ଅଟା, ଡାଲି, ଚାଉଳ, ପନି ପରିବା, ରାସନ ସାମଗ୍ରୀ ଯୋଗାଇ ଆସୁଛନ୍ତି । କେତେକ ବ୍ୟକ୍ତି ଏଥିପାଇଁ ଫ୍ରିଜର, ରୋଷେଇ କରିବା ପାଇଁ ଜିନିଷ ପତ୍ର, ଗ୍ୟାସ ସିଲିଣ୍ଡର ସ୍ୱଇଚ୍ଛାରେ ପ୍ରଦାନ କରିଥିବା ଖିଦମତ କମିଟିର ସଭାପତି ମହମ୍ମଦ ଫାରୁକ ରିଜବି କୁହନ୍ତି l

‘ରୋଟି ବ୍ୟାଙ୍କ’ରେ "ଖିଦମତ" କମିଟିର 8ରୁ 10 ଜନ ସଦସ୍ୟ ପ୍ରତ୍ୟେକ ଦିନ ସେବା ଦେଇଥିବା ବେଳେ ଖାଦ୍ୟ ସାମଗ୍ରୀ ରୋଷେଇ ପାଇଁ 2 ଜଣ ମହିଳା ନିୟୋଜିତ ହୋଇଛନ୍ତି । ଏହି ମହିଳାମାନେ ସେବା ମନୋବୃତିରେ ଅତି କମ ପରିଶ୍ରମିକରେ ଏହି ସେବା ଯୋଗେଇ ଆସୁଛନ୍ତି l ଏଠାରେ 11 ମାସ ହେଲା ପ୍ରତ୍ୟେକ ଦିନ 40 ରୁ 60 ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଆସୁଛି l ଏଥିପାଇଁ ପ୍ରତ୍ୟେକ ମାସ ପାଖାପାଖି 50 ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ସମ୍ବଲପୁର ସହରର ଗୋଲ ବଜାର ଛକରୁ ଜିଲାପାଳ କାର୍ଯ୍ୟାଳୟ ଆଡକୁ ଯିବା ସମୟରେ ପୀର ବାବା ଛକ ଠାରେ ରହିଛି ‘ରୋଟି ବ୍ୟାଙ୍କ’ । ସନ୍ଧ୍ୟା 7 ଟାରୁ ଏହା 10 ଟା ପର୍ଯ୍ୟନ୍ତ ଖୋଲିଥାଏ ‘ରୋଟି ବ୍ୟାଙ୍କ’ ।

ଏନେଇ ଖିଦମତ କମିଟିର ସଭାପତି ମହମ୍ମଦ ଫାରୁକ ରିଜବି କୁହନ୍ତି, "ଏହି କନସେପ୍ଟ ଏକଚୁଏଲି ଆମେ ଲକଡାଉନରେ ଯେତେବେଳେ ଖାନା ଖୁଆଉଥିଲୁ, ଘରକୁ ଘର ଯାଇ ଖାଦ୍ୟ ପହଞ୍ଚାଉଥିଲୁ । ସେ ସମୟରେ ବହୁତ ଅସୁବିଧା ଥିଲା । ଲୋକଙ୍କୁ ଖାଇବା ପିଇବାକୁ ମିଳୁ ନଥିଲା । ସବୁ କାମ ଯେତେବେଳେ ବନ୍ଦ ହୋଇ ଯାଇଥିଲା ଯେତେବେଳେ ବନ୍ଦ ହୋଇ ଯାଇଥିଲା ସେ ଟାଇମରେ ଯେତେବେଳେ ଆମେ ଖାନା ପହଞ୍ଚେଇଥିଲୁ, ଯେଉଁ ଲୋକମାନେ ଆମକୁ ଆଶୀର୍ବାଦ ଦେଲେ ଆମକୁ ବହୁତ ଖୁସି ଲାଗିଲା l ତ ଆମେ ଭାବିଲୁ ଯେ ଲକଡାଉନ ସରିଲା ପରେ ଆମକୁ ଖାଲି ଖାଲି ଲାଗିଲା, ଏହା ପରେ କଣ କରିବୁ କଣ କରିବୁ ଭାବି ‘ରୋଟି ବ୍ୟାଙ୍କ’ ରାତି ସମୟରେ ଖାଇବାର ବ୍ୟବସ୍ଥା କଲୁ । ପୂର୍ବରୁ ବହୁତ ଅଭାବ ଥିଲା ତେବେ ଧିରେ ଧିରେ ଏମିତି ସିଷ୍ଟମ ହୋଇଗଲା । ସମ୍ବଲପୁରବାସୀଙ୍କୁ ବହୁତ ଧନ୍ୟବାଦ ଦେବି ସେମାନେ ବହୁତ ସହଯୋଗ କଲେ ।"

ଏହି ସେବା କାର୍ଯ୍ୟରେ 2 ଜଣ ମହିଳା ପ୍ରତ୍ୟେକ ଦିନ ଖାଦ୍ୟ ତିଆରି କରିବାକୁ ଆସନ୍ତି l ଏମାନଙ୍କ ମଧ୍ୟ ରୁ ଜଣେ ହେଉଛନ୍ତି ଲକ୍ଷ୍ମୀ ସାହୁ l ଏଠାରେ କାମ କରିକି ବହୁତ ଖୁସି ଲାଗେ ବୋଲି ଲକ୍ଷ୍ମୀ କୁହନ୍ତି, "ସରକାର ଯଦି ଦେଉଛନ୍ତି ଗୋଟିଏ ଓଳି ପାଇଁ ଦେଉଛନ୍ତି, ତା ମାନେ ରାତି ସମୟରେ ସେମାନଙ୍କୁ ଭୋକରେ ଶୋଇବାକୁ ପଡୁଥିଲା l ଏହି ସମୟରେ ଆମ ସଂସ୍ଥାର ଦାଦା (ବଡ଼ ଭାଇ) ମାନେ ଫାରୁକ ଦାଦା, ଜେବେଦ ଦାଦା ଏମାନେ ସବୁ ଭାବିଲେ ଯେ ରାତିରେ ଯେଉଁ ଭୋକରେ ଶୋଉଛନ୍ତି ତାଙ୍କ ପାଇଁ ଆମେ କିଛି କିଛି କରିବା l ସେମାନେ ଭାବିଲେ ଯେ ସକାଳ ସମୟରେ ସରକାର ଯଦି 5 ଟଙ୍କିଆ ମିଲ ଦେଉଛନ୍ତି, ରାତିରେ ଆମେ 5 ଟଙ୍କା ବି ନେବାନି ମାଗଣାରେ ଖୁଆଇବା ସମସ୍ତଙ୍କୁ l ଆମକୁ ବି ଖୁସି ଲାଗିଲା ଯେ ଆମେ ସହଯୋଗ କଲେ ଆମର ବି କିଛି ପୁଣ୍ୟ କାମ ହୋଇଯିବ ଭାବିକି ଆମେ ନିଜେ ସହଯୋଗ କରି ଭାତ ରୁଟି ସବୁ ତିଆରି କରିକି ଆମେ ରଖି ଦେଉ ଆଉ ଦାଦା ମାନେ ସବୁ ଲୋକଙ୍କୁ ଖୁଆନ୍ତି l"
To donate to Roti Bank, one can contact 9437739192, 6372166608, 9937749165

ଅନ୍ୟପଟେ ଆଗକୁ ଏହି ଅନୁଷ୍ଠାନ ଅସହାୟ, ବରିଷ୍ଠ ନାଗରିକ ଯେଉଁମାନଙ୍କ କେହି ନାହାଁନ୍ତି ତଥା ଦିବ୍ୟାଙ୍ଗ ମାନଙ୍କ ପାଇଁ ମଧ୍ୟ ମାଗଣା ହୋମ ଡେଲିଭରିରେ ଖାଦ୍ୟ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏନେଇ ଖିଦମତ କମିଟିର ଉପସଭାପତି ଅଲିମ କାମଦାର କୁହନ୍ତି, "ଏଟା ବର୍ଷେ ପାଖା ପାଖି ହୋଇଯିବ ଆମେ ରାତି ସମୟରେ ମାଗଣାରେ ଖାଇବାକୁ ଦେଉଛୁ । ଯେଉଁମାନେ ବାହାରୁ ଆସନ୍ତି ଅସୁବିଧାରେ ଥାନ୍ତି ଆମେ ଜାଣିଲେ ସେମାନଙ୍କୁ ଖାଇବାକୁ ପ୍ରଭାଇଡ କରୁ l ଆଉ ବର୍ତ୍ତମାନ ଆମର ଯୋଜନା ଅଛି ଯେ ଯେଉଁମାନଙ୍କର ଘରେ ରାତିରେ ରୋଷେଇ ହେଉନାହିଁ, ଯେଉଁ ମାନଙ୍କ ବାପା ମା’ ନାହାଁନ୍ତି, ଅନାଥ ଅଟନ୍ତି, କି ଦିବ୍ୟାଙ୍ଗ ଅଟନ୍ତି ସେମାନଙ୍କ ପାଇଁ ଆମେ ସୁବିଧା କରିବୁ ଯେ ତାଙ୍କ ଘରକୁ ମାଗଣା ରେ ଖାଦ୍ୟ ହୋମ ଡେଲିଭରି ଦେବାକୁ l"
ଏଠାକୁ ଖାଇବାକୁ ଆସୁଥିବା ଯଶବନ୍ତ କୁମାର କୁହନ୍ତି, "ଏହା ବହୁତ ଦିନରୁ ମିଳୁଛି, ମୋ ଦେଖିବାରେ 8/9 ମାସ ହୋଇଗଲା ହୋଇଗଲା l ଏଠାରେ ଖାଇବା ଭଲ ଦିଅନ୍ତି ଡାଲି, ରୁଟି, ଭାତ, ତରକାରୀ ମିଠା ଆଦି ଖାଇବାକୁ ଦିଅନ୍ତି ।"
ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

