ETV Bharat / state

ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଅସୁସ୍ଥ, କଟକ ବଡ଼ ଡାକ୍ତରଖାନାରେ ଚାଲିଛି ଚିକିତ୍ସା

author img

By ETV Bharat Odisha Team

Published : Jan 25, 2024, 5:03 PM IST

Freedom Fighter Nilamani Samal admitted in SCB : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ,

ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ
ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ

କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ । ଗତକାଲି(ବୁଧବାର) ରାତିରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ମେଡିସିନ ବିଭାଗର ଆଇସିୟୁରେ ଚାଲିଛି ଚିକିତ୍ସା । ତାଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି । ନୀଳମଣିଙ୍କ ଅବସ୍ଥା ଏବେ ଗୁରୁତର ଥିବା ସୂଚନା ଦେଇଛନ୍ତି ଏସସବି କୁଳ ସଚିବ ଡଃ ଅଭିନାଶ ରାଉତ ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆ ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଯାଜପୁର ଜିଲ୍ଲାପାଳଙ୍କ ପରାମର୍ଶକ୍ରମେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ ନୀଳମଣି । ମେଡିକାଲରୁ ଡିସଚାର୍ଜ ହେବା ପରେ ନିଜ ଘରେ ଚାଲିଥିଲା ଚିକିତ୍ସା । ସେ ଶୋଇଥିବା ବେଳେ ଖଟରୁ ଖସି ପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ପ୍ରଥମେ ଯାଜପୁରରେ ଚିକିତ୍ସା କରାଯାଇଥିଲା । ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନଆସିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ନୀଳମଣିଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଶଙ୍କଟାପନ୍ନ ରହିଛି । ତାଙ୍କୁ ଏସସିବି ମେଡିସିନ ବିଭାଗର ଆଇସିୟୁରେ ରଖାଯାଇଥିବା ବେଳେ, ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ କରାଯାଇଛି ।

ଏହା ମଧ୍ୟ ପଡ଼ନ୍ତୁ... ମେ 6ରୁ ଓଜେଇଇ: ଓଡ଼ିଶାରେ 30 କେନ୍ଦ୍ରରେ ପରୀକ୍ଷା, ଆଜିଠାରୁ ପଞ୍ଜିକରଣ ଆରମ୍ଭ

ନୀଳମଣିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏସସବି ମେଡିକାଲ କଲେଜ କୁଳ ସଚିବ ଡଃ ଅଭିନାଶ ରାଉତ କହିଛନ୍ତି ଯେ, ‘‘ ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ବିଭାଗୀୟ ମୁଖ୍ୟ ସରୋଜ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତାଙ୍କ ଚିକିତ୍ସା କରାଯାଉଛି । ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ’’

ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ: ରାଜ୍ୟ ସ୍ବାଧୀନତା ସଂଗ୍ରାମ ସମିତିର ସଭାପତି ଭାବେ କାର୍ଯ୍ୟ କରୁଥିଲେ ନୀଳମଣି ସାମଲ । ମାତ୍ର 19 ବର୍ଷ ବୟସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ଯାହା ପାଇଁ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥିଲା । ଏବେ ସେ 101 ବର୍ଷରେ ପଦାର୍ପଣ କରିଥିବା ବେଳେ, ଚାରିଥର ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହୋଇ ସାରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.