ETV Bharat / state

ମୋ ସ୍କୁଲ ପରିଚାଳନା ପରିଷଦ ବୈଠକ; ଆକାଂକ୍ଷୀ ପାଠ୍ୟକ୍ରମର ସୁପରିଚାଳନାକୁ ଗୁରୁତ୍ବ

author img

By ETV Bharat Odisha Team

Published : Feb 8, 2024, 10:40 PM IST

Mo School: ମୋ ସ୍କୁଲ ଅଭିଯାନ’ର ୧୨ ତମ ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି । ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡି଼କରେ ଆକାଂକ୍ଷୀ ପାଠ୍ୟକ୍ରମର ସଠିକ ପ୍ରଚଳନ, ତତ୍ତ୍ବାବଧାନ ଓ ପର୍ଯ୍ୟାଲୋଚନା ସହ ‘ମୋ ସ୍କୁଲ’ ପ୍ରକଳ୍ପ ସମ୍ବନ୍ଧରେ ବିଭିନ୍ନ ଆଲୋଚନା ହୋଇଛି ।

ମୋ ସ୍କୁଲ ପରିଚାଳନା ପରିଷଦ ବୈଠକ; ଆକାଂକ୍ଷୀ ପାଠ୍ୟକ୍ରମର ସୁପରିଚାଳନାକୁ ଗୁରୁତ୍ବ
ମୋ ସ୍କୁଲ ପରିଚାଳନା ପରିଷଦ ବୈଠକ; ଆକାଂକ୍ଷୀ ପାଠ୍ୟକ୍ରମର ସୁପରିଚାଳନାକୁ ଗୁରୁତ୍ବ

ଭୁବନେଶ୍ବର: ମୋ ସ୍କୁଲ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଆକାଂକ୍ଷୀ ପାଠ୍ୟକ୍ରମର ସୁପରିଚାଳନା ଓ ତତ୍ତ୍ବାବଧାନକୁ ଗୁରୁତ୍ବ ଦିଆଯାଇଛି । ରାଜ୍ୟରେ ଥିବା ୩୨୭୩ଟି ବିଦ୍ୟାଳୟ ପାଇଁ ୧୧୮ କୋଟିରୁ ଊର୍ଦ୍ଧ୍ବ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।

ମୋ ସ୍କୁଲ ଅଭିଯାନ’ର ୧୨ ତମ ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି । ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡି଼କରେ ଆକାଂକ୍ଷୀ ପାଠ୍ୟକ୍ରମର ସଠିକ ପ୍ରଚଳନ, ତତ୍ତ୍ବାବଧାନ ଓ ପର୍ଯ୍ୟାଲୋଚନା ସହ ‘ମୋ ସ୍କୁଲ’ ପ୍ରକଳ୍ପ ସମ୍ବନ୍ଧରେ ବିଭିନ୍ନ ଆଲୋଚନା ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ସୁନିଶ୍ଚିତ କରିବା ପାଇଁ କ୍ଲବର ସଠିକ ପ୍ରଚଳନକୁ ବୈଠକରେ ଗୁରୁତ୍ବ ଦିଆଯାଇଛି । ଏହା ସହ କ୍ଲବ ପାଠ୍ୟକ୍ରମର ଏକ ଅଂଶ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ଭ୍ରମଣର ସୁବିଧା ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ଅଧିକ ପଢନ୍ତୁ- ମୋ ସ୍କୁଲ ଅଭିଯାନର ୫ ବର୍ଷ ରେ ୫୦ହଜାର ସ୍କୁଲ ଅନ୍ତର୍ଭୁକ୍ତ, ଡିଜିଟାଲ ଭିତ୍ତିଭୂମିକୁ ଗୁରୁତ୍ଵ

ଚଳିତ ଶିକ୍ଷା ବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି କ୍ଲବ ସିଷ୍ଟମକୁ ଅଧିକ ପ୍ରସାରିତ କରିବା ପାଇଁ ଆଗାମୀ ଶିକ୍ଷା ବର୍ଷଠାରୁ ସହଭାଗିତାକୁ ଅଧିକ ସଦୃଢ଼ କରାଯିବ । ଏହା ସହ ୪ଟି କ୍ଲବ ପ୍ରଚଳନରେ ସହଯୋଗ କରିଥିବା ସହଯୋଗୀମାନଙ୍କ ସହ ପ୍ରତି ୨ ମାସକୁ ଥରେ ସମୀକ୍ଷା ବୈଠକର ଆୟୋଜନ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ବଥୀ ଏସ ଗୁରତ୍ବରୋପ କରିଛନ୍ତି । ଏହା ସହ ‘ମୋ ସ୍କୁଲ’ ମାଧ୍ୟମରେ ବିଭିନ୍ନ କର୍ପୋରେଟ ସଂସ୍ଥା ସହଯୋଗରେ ଶିକ୍ଷାର୍ଥୀ କ୍ଲବକୁ ଗୁରୁତ୍ବ ଦେଇ ଛାତ୍ର ଛାତ୍ରୀମାନଙ୍କର ଆକାଂକ୍ଷାକୁ ବାସ୍ତବ ରୂପ ଦିଆଯାଇପାରିବ । ନିରନ୍ତର ଭାବରେ ବିଦ୍ୟାଳୟ ଶିକ୍ଷଣ ଓ ଭିତ୍ତିଭୂମିରେ ବିକାଶ କରାଯାଉଛି । ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ନିକଟ ଅତୀତରେ ଚତୁର୍ଥ ପର୍ଯ୍ୟାୟ ଶେଷ କରିଛି । ବିଦ୍ୟାଳୟ କମିଟି ଗୁଡ଼ିକ ସହାୟତାରେ ଏହି ରୂପାନ୍ତରିତ ବିଦ୍ୟାଳୟ ଗୁଡ଼ିକର ଉପଯୁକ୍ତ ରକ୍ଷଣା ବେକ୍ଷଣା ଦିଗରେ ଆଗାମୀ ଦିନମାନଙ୍କରେ ‘ମୋ ସ୍କୁଲ’ କାର୍ଯ କରିବ ବୋଲି ପରିଚାଳନା ପରିଷଦ ନିଷ୍ପତି ନେଇଛି ।

ଗତ ୬ ମାସ ମଧ୍ୟରେ ୩୯ ହଜାରରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ସହ ଯୋଡି଼ ହୋଇଛନ୍ତି । ବିଭିନ୍ନ ଜରିଆରେ ସେବା ଓ ଶ୍ରମ ପ୍ରଦାନ କରିଆସୁଛନ୍ତି । ସେହିପରି ଭାବରେ ବିଦ୍ୟାଳୟ ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମ ଅଧିନରେ ମୋଟ ୧୩୮୦ଟି ବିଦ୍ୟାଳୟକୁ ସରକାରୀ ସ୍କୁଲରେ ପାଠ ପଢ଼ିଥିବା ବିଭିନ୍ନ ବିଶିଷ୍ଠ ବ୍ୟକ୍ତି ବିଶେଷ ପୋଷ୍ୟ ଭାବରେ ଗ୍ରହଣ କରି ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ‘ମୋ ସ୍କୁଲ’ର ବିଭିନ୍ନ ସହଯୋଗୀମାନଙ୍କ ସହଭାଗିତାରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ସହ ଯୋଡି ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରାଯିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.