ETV Bharat / state

ପ୍ରଦୀପଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ସତ୍ୟପାଠ, ହାଇକୋର୍ଟ ଯିବୁ କହିଲେ ଓକିଲ - Job Fraud Case

author img

By ETV Bharat Odisha Team

Published : May 22, 2024, 4:58 PM IST

Job Fraud Case Against Pradeep: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲା । ଥାନାରେ ରୁଜୁ ହୋଇଥିବା ୫ଟି ମାମଲାରୁ ୪ଟି ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ସତ୍ୟପାଠ ଦାଖଲ କଲେ ଅଭିଯୋଗକାରୀ । ଅଧିକ ପଢନ୍ତୁ

ପ୍ରଦୀପ ପାଣିଗ୍ରାହୀ ଠକେଇ କେସ୍; ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଅଭିଯୋଗକାରୀଙ୍କ ସତ୍ୟପାଠ
ପ୍ରଦୀପ ପାଣିଗ୍ରାହୀ ଠକେଇ କେସ୍; ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଅଭିଯୋଗକାରୀଙ୍କ ସତ୍ୟପାଠ (ETV Bharat Odisha)

ପ୍ରଦୀପଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ସତ୍ୟପାଠ, ହାଇକୋର୍ଟ ଯିବୁ କହିଲେ ଓକିଲ (ETV Bharat Odisha)

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦାଖଲ ହୋଇଥିବା ଠକେଇ ମାମଲାରେ ନୂଆ ଟ୍ବିଷ୍ଟ । ୫ଟି ମାମଲା ମଧ୍ୟରୁ ୪ଟି ମାମଲାର ଅଭିଯୋଗକାରୀମାନେ ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ସେମାନେ ମାମଲାରୁ ଓହରିଯିବାକୁ ବ୍ରହ୍ମପୁର ସ୍ବତନ୍ତ୍ର ଜେ.ଏମ.ଏଫ.ସି କୋର୍ଟରେ ସତ୍ୟପାଠ ଦାଖଲ କରିଥିବା ଜଣାପଡିଛି । ହେଲେ ଏହି ମାମଲା ଗୁଡିକର ବିଚାର ଆରମ୍ଭ ହୋଇସାରିଥିବାରୁ କୋର୍ଟ ସେହି ସତ୍ୟପାଠକୁ ଅଗ୍ରାହ୍ୟ କରିଦେଇଛନ୍ତି । ଯାହାଫଳରେ ଏବେ ହାଇକୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି ପ୍ରଦୀପଙ୍କ ଓକିଲ ।

ଓକିଲ ପୀତବାସ ପଣ୍ଡା କହିଛନ୍ତି ଯେ, ବ୍ରହ୍ମପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ତ‌ଥା ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରୁଜୁ ହୋଇଥିବା ମୋଟ ୫ଟି ମାମଲା ମଧ୍ୟରୁ ଗୋଟିଏ ଭୁବନେଶ୍ୱର, ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଗୋଟିଏ ଏବଂ ଗୋଳନ୍ଥରା ଥାନାରେ ତିନୋଟି ମାମଲା ରୁଜୁ ହୋଇଥିଲା । ସେହି ୫ ମାମଲା ମଧ୍ୟରୁ ୪ ଜଣ ଅଭିଯୋଗକାରୀ ନିଜ ମାମଲା ଆଉ ଆଗକୁ ବଢାଇବାକୁ ଚାହୁଁନଥିବାରୁ ଜେ.ଏମ.ଏଫ.ସି କୋର୍ଟରେ ସତ୍ୟପାଠ ଦାଖଲ କରି ଓହରିଯିବାକୁ ଚାହୁଁଛନ୍ତି । ଅଭିଯୋଗକାରୀମାନେ ବିଭିନ୍ନ କାରଣ ଦର୍ଶାଇ ସିଆରପିସି ୩୦୨ ଅନୁଯାୟୀ ଆଉ ମାମଲା ଲଢିବାକୁ ଚାହୁଁନଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ହେଲେ କୋର୍ଟ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିବାରୁ ଏନେଇ ସେ ହାଇକୋର୍ଟରେ ପିଟିସନ ଦାଖଲ କରିବେ ବୋଲି କହିଛନ୍ତି ଆଇନଜୀବୀ ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ହିଂସା, ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ କାର୍ପଟଦାର କହିଲେ ପ୍ରଦୀପ - Pradeep Panigrahi On Poll Violence


ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୦-୨୧ରେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଓ ଗୋପାଳପୁରର କେତେକ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ଠକେଇ ଓ ଷଡଯନ୍ତ୍ର ମାମଲା ରୁଜୁ ହେବା ସହ ତାଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା । ପ୍ରଦୀପଙ୍କୁ ଗିରଫ କରି ଜେଲ୍ ପଠାଯାଇଥିବା ବେଳେ ସେ ଜାମିନରେ ଆସିଥିଲେ । ସାଂସଦ ଓ ବିଧାୟକଙ୍କ ମାମଲାର ବିଚାର ପାଇଁ ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଜେଏମ୍ଏଫସି ଅଦାଲତରେ ମାମଲା ଗୁଡ଼ିକର ବିଚାର ଚାଲିଥିଲା । ଏଭଳି ସ୍ଥିତିରେ ୫ ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୪ ଜଣ ନିଜ ମାମଲାରୁ ଓହରିଯିବାକୁ ଅଦାଲତରେ ସତ୍ୟପାଠ ଦାଖଲ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଏହି ୪ ବ୍ୟକ୍ତି ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକରଡାର ପ୍ରଶାନ୍ତ କର, କେଳୁଆପଲ୍ଲୀର ପ୍ରଭାତ କୁମାର ନାୟକ, ଗୁଣୁପୁର ବଡସାହିର ଲକ୍ଷ୍ମୀନାରାୟଣ ନାୟକ ଓ ମାଝିଗାଁର ବି. ଶିବ ପାତ୍ର । ପ୍ରଶାନ୍ତଙ୍କ ଭାଇଙ୍କୁ ଟାଟା ମୋଟର୍ସରେ ଚାକିରି ଦେବାକୁ କହି ପ୍ରଦୀପ ୩ ଲକ୍ଷ ଟଙ୍କା ଟଙ୍କା ନେଇଥିବା ସେ ଅଭିଯୋଗ କରିଥିଲେ । ସେହିପରି ପ୍ରଭାତଙ୍କ ଭାଇଙ୍କୁ ଚାକିରି ଦେବାକୁ ୫ ଲକ୍ଷ, ଲକ୍ଷ୍ମୀନାରାୟଣ ନାୟକଙ୍କ ପୁଅର ଚାକିରି ପାଇଁ ୬ ଲକ୍ଷ, ବି.ଶିବପାତ୍ରଙ୍କ ଠାରୁ ପ୍ରଦୀପ ଓ ତାଙ୍କ ସହଯୋଗୀ ୪ ଲକ୍ଷ ଟଙ୍କା ନେଇଥିବା ସେତେବେଳେ ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.