ETV Bharat / state

ଆନ୍ଦୋଳନରତ ଚିନିକଳ କର୍ମଚାରୀଙ୍କୁ ମିଳିବ ବକେୟା ଦରମା

author img

By ETV Bharat Odisha Team

Published : Mar 17, 2024, 11:40 AM IST

Updated : Mar 17, 2024, 11:54 AM IST

Sugar mill workers protest: ଚିନିକଳ କର୍ମଚାରୀଙ୍କୁ 76 ମାସର ବକେୟା ଦରମା ମିଳିବା ନେଇ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି । ମୁଖ୍ୟମନ୍ତ୍ରୀ ଓ ବରଗଡ଼ ବିଧାୟକଙ୍କୁ ଧନ୍ୟବାଦ ଜଣାଇଲେ କର୍ମଚାରୀ । ଅଧିକ ପଢନ୍ତୁ

Sugar mill workers
Sugar mill workers

Sugar mill workers protest

ବରଗଡ: ଆନ୍ଦୋଳନରତ ଚିନିକଳ କର୍ମଚାରୀଙ୍କୁ ମିଳିବ 76 ମାସର ବକେୟା ଦରମା । ଏନେଇ ପ୍ରତିଶ୍ରୁତି ଦେଲା ବରଗଡ ଜିଲ୍ଲା ପ୍ରଶାସନ । ଦୀର୍ଘ ୪୫ ଦିନ ଧରି ଧାରଣାରେ ବସିଥିବା ଚିନିକଳ କର୍ମଚାରୀଙ୍କୁ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ମିଳିବା ପରେ ମୁଖ୍ୟମନ୍ତ୍ରୀ ଓ ବରଗଡ଼ ବିଧାୟକଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ବିଳମ୍ବରେ ହେଲେ ମଧ୍ୟ ସରକାର ଚିନିକଳ କର୍ମଚାରୀଙ୍କ ଦୁଃଖ ବୁଝିଲେ । ସମସ୍ତ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ଦୋଳନକାରୀ କର୍ମଚାରୀମାନେ କୃତଜ୍ଞତା ଜଣାଇଛନ୍ତି ।

କ୍ଷତିରେ ଚାଲିବାରୁ 2017 ମସିହାରୁ ବନ୍ଦ ହୋଇ ପଡିରହିଥିଲା ବରଗଡର ଚିନି କାରଖାନା । ଚିନିକଳର ପୁନଃଉଦ୍ଧାର ପାଇଁ ବ୍ୟାପକ ଆନ୍ଦୋଳନ ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା ଏବଂ ଶତାଧିକ ଚିନିକଳ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ କୁହାଯାଇଥିଲା । ମାତ୍ର ଚିନିକଳକୁ ବିଧିବଦ୍ଧ ଭାବରେ ସଂପୂର୍ଣ୍ଣ ବନ୍ଦ କରାନଯାଇ କର୍ମଚାରୀମାନଙ୍କ ଦୀର୍ଘ ମାସର ଦରମା ପ୍ରଦାନ କରାଯାଇନଥିଲା । ତେବେ ଅନେକ କର୍ମଚାରୀ ଲଗାତାର ଦାବି ଉପସ୍ଥାପନ ସହିତ ଆନ୍ଦୋଳନ କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରିନଥିଲା । ଏପରି ଭାବେ ଦୀର୍ଘ 6 ବର୍ଷ ବିତିଯାଇଥିଲା ଏବଂ ଶେଷରେ ଏହି ଚିନିକଳ ସହିତ ଏଠାକାର ଜମିକୁ ରାଜ୍ୟ ସରକାର ଏକ ଘରୋଇ କମ୍ପାନୀ ଇଡ଼କୋକୁ ବିକ୍ରି କରିଦେଇଥିଲେ ।

ଇଡ଼କୋ କମ୍ପାନୀ ଏହି ଚିନିକଳକୁ କ୍ରୟ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ଏହି ଚିନିକଳର ସମୁଦାୟ ୧୦୩.୨୧ ଏକର ଜମି ରହିଥିବା ବେଳେ ସେଥିମଧ୍ୟରୁ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ଜମିର ମାଲିକାନା କାଗଜପତ୍ର ଚିନିକଳ ନାମରେ ନଥିବାରୁ ବାକିତକ ଜମିର ମାଲିକାନା ଚିନିକଳ ନାମରେ ହେବାପରେ ଇଡକୋକୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ରାଉରକେଲାରେ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେବ ଯାହାକୁ ନେଇ ବରଗଡ଼ ସମବାୟ ଚିନିକଳ କର୍ମଚାରୀ ସଂଘ ମଧ୍ୟରେ ନୂଆ ଆଶା ସଞ୍ଚାର ହେଇଛି । ଶନିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଚିନିକଳ କର୍ମଚାରୀଙ୍କୁ ବରଗଡ଼ ଏଡିଏମ ଓ DRCS ଭେଟି ଖୁସି ଖବର ଦେଇଥିଲେ ।

ବରଗଡ଼ ଜିଲ୍ଲା ପ୍ରଶାସନ ପାଖରେ ଚିନିକଳ ବିକ୍ରି ଟଙ୍କା ଜମା ହୋଇସାରିଥିବା ବେଳେ ଅତିଶୀଘ୍ର ସମସ୍ତ କର୍ମଚାରୀଙ୍କ 76 ମାସର ବକେୟା ପ୍ରାପ୍ୟ ପାଇବେ ବୋଲି ଜଣାଇଥିଲେ । ଏନେଇ ଚିନିକଳ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଓ ବରଗଡ଼ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଚିନିକଳ କର୍ମଚାରୀମାନେ ତାଙ୍କର ବକେୟା ଦରମା ଆଉ ଫେରିପାଇବା ଆଶାରେ ନ ଥିବାବେଳେ ଏବେ ତାଙ୍କ ମଧ୍ୟରେ ନୂଆ ଆଶାର ସଞ୍ଚାର ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଦାବି ପୂରଣ ହୋଇଛି ଏବଂ ସେମାନେ ତାଙ୍କ ହକ୍ ଅଧିକାର ପାଇପାରିବେ ବୋଲି ଖୁସି ଜାହିର କରିଛନ୍ତି କର୍ମଚାରୀମାନେ ।

ଇଟିଭି ଭାରତ, ବରଗଡ

Last Updated : Mar 17, 2024, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.