ETV Bharat / state

ଜୁନିଅର ଟିଚର ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

author img

By ETV Bharat Odisha Team

Published : Jan 20, 2024, 2:17 PM IST

Junior Teacher Recruitment
ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲା

Junior Teacher Recruitment: ଜୁନିଅର ଟିଚର ନିଯୁକ୍ତି ମାମଲାରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ଆସନ୍ତା ୨୪ ତାରିଖ ଯାଏ ନିଯୁକ୍ତି ହୋଇପାରିବ ନାହିଁ । ଅଧିକ ପଢନ୍ତୁ

କଟକ: ଜୁନିଅର ଟିଚର (କନିଷ୍ଠ ଶିକ୍ଷକ) ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଲେ ଓଡ଼ିଶା ହାଇକୋର୍ଟ । ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ଆସନ୍ତା ୨୪ ତାରିଖ ଯାଏ ନିଯୁକ୍ତି ହୋଇପାରିବ ନାହିଁ । ଡକ୍ୟୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଜାରି ରହିବ ମାତ୍ର ଚୂଡାନ୍ତ ଚୟନ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତା 24 ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧର୍ଯ୍ୟ କରିଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ: ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି, ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'


ଆବେଦନକାରୀ ଚିନ୍ତାମଣି ଭୂୟାଁ ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି ଉଚ୍ଚ ଅଦାଲତ ଏପରି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି । ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ (ଜୁନିଅର ଟିଚର) ପଦରେ ଶିକ୍ଷକଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ବର୍ଷ ସେପ୍ଟେମ୍ବର ୧୩ରୁ ଏଥିପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ୨୦୨୩ ଅକ୍ଟୋବର ୧୦ ତାରିଖ ଆବେଦନର ଶେଷ ତାରିଖ ଥିଲା । ତେବେ ସମସ୍ତ ପରୀକ୍ଷା ଶେଷ ହୋଇଥିବା ବେଳେ ଦୁଇ ଦିନ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥାନ୍ତା । କିନ୍ତୁ ଏହି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା । ଏପରିକି ନିଯୁକ୍ତି ବିଜ୍ଞପ୍ତିର ନିୟମ ଆଧାରରେ ଚୂଡାନ୍ତ ମେଧା ତାଲିକା ବା ମେରିଟ ଲିଷ୍ଟ ପ୍ରକାଶ କରାଯାଇ ନାହିଁ । ଫଳରେ ଆବେଦନକାରୀ ଏଥିରୁ ବାଦ୍ ପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହୀରାକୁଦ କଲେଜରେ ପରୀକ୍ଷା ଅନିୟମିତତା ଘଟଣା, ତଦନ୍ତ ଆରମ୍ଭ

ଏହା ମଧ୍ୟ ପଢନ୍ତୁ: ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଓ ମାର୍କକୁ ନେଇ ସ୍ପଷ୍ଟୀକରଣ ଦେଲା ସିଏଚଏସଇ


ତେଣୁ ଏହା ବେଆଇନ ବୋଲି ଦର୍ଶାଇ ଏହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଆବେଦନକାରୀ । ତେବେ ଏହାର ପ୍ରାଥମିକ ଶୁଣାଣି କରି ଜବାବ ଦାଖଲ କରିବାକୁ ରାଜ୍ୟ ସରକାର ଏବଂ ଓସେପାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚୂଡାନ୍ତ ଚୟନ ତାଲିକା କିମ୍ବା ଉକ୍ତ ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.