ETV Bharat / state

ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ନିକଟରେ ଭିଡ଼, ମାନସିକ ପୂରଣ ପାଇଁ ରୂପ ଚଢ଼ାଇଲେ ଭକ୍ତ

author img

By ETV Bharat Odisha Team

Published : Mar 6, 2024, 7:11 PM IST

Lord Lokanath Temple Rituals: ପବିତ୍ର ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି । ମାନସିକ ପୂରଣ ହେବା ପାଇଁ ରୂପ ଦାନ କରିଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ମାନସିକ ପୂରଣ ପାଇଁ ରୂପ ଚଢ଼ାଇଲେ ଭକ୍ତ
ମାନସିକ ପୂରଣ ପାଇଁ ରୂପ ଚଢ଼ାଇଲେ ଭକ୍ତ

ମାନସିକ ପୂରଣ ପାଇଁ ରୂପ ଚଢ଼ାଇଲେ ଭକ୍ତ

ପୁରୀ: ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ପୁରୀରେ ପ୍ରଭୁ ଲୋକନାଥଙ୍କ ନିକଟରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷ ଠାକୁର ଭାବେ ପରିଚିତ ବାବା ଲୋକନାଥଙ୍କ ପାଖରେ ଯାହା ବି ମାନସିକ କରାଯାଏ, ତାହା ନିଶ୍ଚିତ ପୂରଣ ହୋଇଥାଏ । ବିଶେଷ କରି ଶାରୀରିକ ଅସୁସ୍ଥତା ଭଲ ପାଇଁ ଭକ୍ତମାନେ ପ୍ରଭୁ ଲୋକନାଥଙ୍କ ନିକଟରେ ମାନସିକ ରଖିଥାନ୍ତି । ତେବେ ଏଠାର ମାନସିକ ରଖୁଥିବା ଭକ୍ତ ଶରୀରରେ ଯେଉଁଠି ସମସ୍ୟା ଥାଏ ସେହି ଅଙ୍ଗ ରୂପାରେ ତିଆରି କରି ପ୍ରଭୁ ଲୋକନାଥଙ୍କ ନିକଟରେ ଦାନ କରି ମାନସିକ ପୂଜା କଲେ ଶରୀର ସୁସ୍ଥ ହୋଇଥାଏ ବୋଲି ଭକ୍ତଙ୍କ ପ୍ରଗାଢ ବିଶ୍ବାସ ରହିଛି । ଏଣୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀରେ ଶହ ଶହ ଭକ୍ତ ନିଜର ମାନସିକ ପୂରଣ ପାଇଁ ରୂପା ନିର୍ମିତ ରୂପ ଦାନ କରିଛନ୍ତି । ମନ୍ଦିର ବେଢ଼ାରେ ସେବାୟତ ମାନେ ରୂପାରେ ତିଆରି ବିଭିନ୍ନ ରୂପ ବିକ୍ରି କରିଛନ୍ତି । ହାତ, ପେଟ, ପିଠି, ଆଖି, କାନ, ନାକ, ଗୋଡ, ପାଦ, ସହିତ ପ୍ରଭୂ ବେଲପତ୍ରୀ, ତ୍ରିଶୂଳ ଓ ନାଗ ମୂର୍ତି ଭକ୍ତ ମାନେ କିଣି ମାନସିକ ପୂଜା କରିଛନ୍ତି ।

ପ୍ରଭୁ ଲୋକନାଥଙ୍କ ପୀଠର ସ୍ଵତନ୍ତ୍ର ମାହାତ୍ମ୍ୟ ରହିଛି । କିମ୍ବଦନ୍ତୀରୁ ଜଣାଯାଏ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ପ୍ରଭୁ ଲୋକନାଥଙ୍କୁ ପ୍ରତିଷ୍ଠା କରି ସିଦ୍ଧି ପ୍ରାପ୍ତି ନିମନ୍ତେ ପୂଜା କରିଥିଲେ । ଏଣୁ ଭକ୍ତ ମାନେ ପ୍ରଭୁ ଲୋକନାଥଙ୍କ ନିକଟରେ ନିଜର ମାନସିକ ପୂରଣ ପାଇଁ ରୂପାରେ ନିମିତ୍ତ ରୂପ ଦାନ କରିଥାନ୍ତି । ପବିତ୍ର ପଙ୍କୋଦ୍ଧାର ଏକାଦଶୀକୁ ନେଇ ଉତ୍ସବ ମୁଖରିତ ପ୍ରଭୁ ଲୋକନାଥଙ୍କ ମନ୍ଦିର । ବର୍ଷ ତମାମ ପ୍ରଭୁ ଲୋକନାଥଙ୍କ ଉପରେ ପଡି ରହିଥିବା ବେଲପତ୍ର, ଫୁଲ ଆଦିକୁ ସେବକ ମାନେ କାଢିଥିଲେ । ସକାଳ 7 ଟା ଯାଏ ଏହି ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଥଲା । ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥଲା । ପ୍ରଭୁ ଲୋକନାଥଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାରେ ଅପେକ୍ଷାରେ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ...ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ପର୍ବ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

ବର୍ଷର ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏଣୁ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ଦିବ୍ୟ ଲିଙ୍ଗକୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛି । ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ପାଇଁ ପୁରୀ ପୋଲିସ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା, ଧାଡ଼ି ବ୍ୟବସ୍ଥା ସହିତ କିଭଳି ଶୀଘ୍ର ଦର୍ଶନ ଭକ୍ତ କରିପାରିବେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ରଖାଯାଇଛି । ଚୋରି, ଛିନତାଇ, ଗଣ୍ଡଗୋଳକୁ ରୋକିବାକୁ 8 ପ୍ଲାଟୁନ ପୋଲିସ ଫୋର୍ସ ସହ ସାଧା ପୋଷାକ ରେ ପୋଲିସ ମୁତୟନ ରହିଛନ୍ତି ।2 ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ଵରେ ରହିଛନ୍ତି । ଆସନ୍ତା ଶୁକ୍ରବାର ପ୍ରଭୁ ଲୋକନାଥଙ୍କ ପୀଠରେ ପାଳନ ହେବ ପ୍ରସିଦ୍ଧ ଜାଗର ପର୍ବ । ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଶ୍ରୀମନ୍ଦିର ରେ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ଥିବାରୁ ସେଠାରେ ମଧ୍ୟ ପୋଲିସ ଫୋର୍ସ ମୁତୟନ କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.