ETV Bharat / state

ବ୍ଲାକ ରୋଜ ବୁଡି ମାମଲାର ତଦନ୍ତ ପ୍ରସଙ୍ଗରେ ସିବିଆଇର ସତ୍ୟପାଠ

author img

By ETV Bharat Odisha Team

Published : Mar 19, 2024, 4:23 PM IST

Black Rose Ship Sinking case: ବ୍ଲାକ ରୋଜ ଜାହାଜ ବୁଡି ମାମଲାରେ ସିବିଆଇ ତଦନ୍ତ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ । ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ 2 ଥର ଅନୁମତି ମାଗିଛି ସିବିଆଇ । ଅଧିକ ପଢନ୍ତୁ

Black Rose Ship Sinking case
Black Rose Ship Sinking case

କଟକ: ହାଇକୋର୍ଟରେ ବ୍ଲାକ ରୋଜ ଜାହାଜ ବୁଡି ମାମଲାରେ ସିବିଆଇ ତଦନ୍ତ ପ୍ରସଙ୍ଗ । ସିବିଆଇ ପକ୍ଷରୁ ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଘଟଣାର ସିବିଆଇ ତଦନ୍ତ ଅନୁମତି ପାଇଁ ଦୁଇ ଦୁଇ ଥର ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରିଛି ସିବିଆଇ । ଅନ୍ୟପଟେ ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଏମଭି ବ୍ଲାକ ରୋଜ ଜାହାଜ ବୁଡି ମାମଲାରେ ସିବିଆଇ ତଦନ୍ତ ପ୍ରସଙ୍ଗରେ ଆଜି (ମଙ୍ଗଳବାର) ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ଅନୁଯାୟୀ, କେନ୍ଦ୍ର ଜାହାଜ ଚଳାଚଳ ବିଭାଗର ସୁପାରିଶ ପରେ ସିବିଆଇ ଏହି ଘଟଣାର ତଦନ୍ତ ପାଇଁ ଦୁଇ ଦୁଇ ଥର ରାଜ୍ୟ ସରକାରଙ୍କୁ ଅନୁମତି ମାଗିଛି । ନଭେମ୍ୱର 19ରେ ପ୍ରଥମ ଥର ରାଜ୍ୟ ସରକାରଙ୍କୁ ସିବିଆଇ ଅନୁମତି ମାଗିଥିବା ବେଳେ ଏହାର 2 ମାସ ପରେ ମଧ୍ୟ ପୁଣି ଥରେ ଅନୁମତି ମାଗିଥିଲା । ତେବେ ଏବେସୁଦ୍ଧା ରାଜ୍ୟ ସରକାର ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ଅନୁମତି ଦେଇନଥିବା ସତ୍ୟପାଠରେ ଦାଖଲ କରିଛି ସିବିଆଇ ।

ଏହାମଧ୍ୟ ପଢନ୍ତୁ.. ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ, ବନ୍ଧୁକ ଦେଖାଇ ଘେରିଲେ ଟ୍ରଲର ମାଫିଆ

ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ. ଏସ. ରମଣ ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରାଯାଇଛି । ମାର୍ଚ୍ଚ ୪ର ନିର୍ଦ୍ଦେଶ ଅନୁସାରେ ନିଜ ସମ୍ପର୍କରେ ଆବେଦନକାରୀଙ୍କ ତରଫରୁ ଏକ ତଥ୍ୟ ସମ୍ବଳିତ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଥିଲା । ସତ୍ୟପାଠର ନକଲ କେନ୍ଦ୍ର, ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ପ୍ରଦାନ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏନେଇ ସିବିଆଇ ପକ୍ଷରୁ ଆଜି (ମଙ୍ଗଳବାର) ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।

ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ୱର ୯ ତାରିଖରେ ପାରାଦୀପ ଉପକୂଳରେ ବ୍ଲାକ ରୋଜ ଜାହାଜ ବୁଡି ଯାଇଥିଲା । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା । ବେଆଇନ ଆଇରନ ଓର ଓ ଖଣିଜ ଦ୍ରବ୍ୟ ପରିବହନ ବେଳେ ଏହି ଜାହାଜ ବୁଡି ଥିବା ଅଭିଯୋଗ ହୋଇଥିଲା । ଏହି କାରବାରର ଚେର ବିଦେଶ ପର୍ଯ୍ୟନ୍ତ ଲମ୍ବି ଥିବା ନେଇ ଜଣାପଡିଥିଲା । ତେବେ ଏହି ମାମଲାର ତଦନ୍ତ କରିବା ପାଇଁ ସିବିଆଇ ସପକ୍ଷରେ କେନ୍ଦ୍ର ଜାହାଜ ଚଳାଚଳ ବିଭାଗ ମତ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଦାୟିତ୍ଵ ଦେଇ ନ ଥିଲେ । ବ୍ଲାକ ରୋଜ ବୁଡି ଘଟଣାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ କୋର୍ଟରେ ଆବେଦନ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.