ETV Bharat / state

ମହାନ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ 202ତମ ଜୟନ୍ତୀ ପାଳନ, ଚାଖିଙ୍କ ସ୍ମୃତିରେ ମ୍ୟୁଜିୟମ ନିର୍ମାଣ ଦାବି

author img

By ETV Bharat Odisha Team

Published : Jan 20, 2024, 8:04 PM IST

Freedom Fighter Chakhi Khuntia: ୧୮୫୭ ମସିହା ପ୍ରଥମ ସ୍ବାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ନେଇଥିବା ବିପ୍ଳବୀ ଚାଖି ଖୁଣ୍ଟିଆ ତଥା ଚନ୍ଦନ ହଜୁରୀଙ୍କର ଆଜି ହେଉଛି ୨୦୨ତମ ଜୟନ୍ତୀ । ପୁରୀରେ ଚାଖିଙ୍କ ସ୍ମୃତିରେ ମ୍ୟୁଜିୟମ ନିର୍ମାଣ ଦାବି । ଅଧିକ ପଢ଼ନ୍ତୁ

ଚାଖି ଖୁଣ୍ଟିଆଙ୍କ 202 ତମ ଜୟନ୍ତୀ
ଚାଖି ଖୁଣ୍ଟିଆଙ୍କ 202 ତମ ଜୟନ୍ତୀ

ଚାଖି ଖୁଣ୍ଟିଆଙ୍କ 202 ତମ ଜୟନ୍ତୀ

ପୁରୀ: ୧୮୫୭ ମସିହା ପ୍ରଥମ ସ୍ବାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ନେଇଥିବା ବିପ୍ଳବୀ ଚାଖି ଖୁଣ୍ଟିଆ ତଥା ଚନ୍ଦନ ହଜୁରୀଙ୍କର ଆଜି ହେଉଛି ୨୦୨ତମ ଜୟନ୍ତୀ । ଏହି ଅବସରରେ ତାଙ୍କର ବଳିଦାନକୁ ସ୍ମୃତିଚାରଣ କରିବା ପାଇଁ ପୁରୀ ସଂସ୍କୃତି ଭବନ ଠାରେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ । ସେପଟେ ଦୀର୍ଘ ଦିନ ଧରି ଚାଖି ଖୁଣ୍ଟିଆଙ୍କୁ ନେଇ ଏକ ମ୍ୟୁଜିୟମ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଥିବା ବେଳେ ଏକ୍ଷେତ୍ରରେ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନେବାକୁ ଚାଖି ଖୁଣ୍ଟିଆଙ୍କ ବଂଶଧର ନିବେଦନ କରିଛନ୍ତି ।

ପୁରୀର ସ୍ବାଧିନତା ସଂଗ୍ରାମୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ଥିଲେ ପ୍ରବଳ ଦେଶପ୍ରେମୀ । ଭାରତ ମାଟିରୁ ଇଂରେଜ ସରକାର କିଭଳି ବିତାଡ଼ିତ ହେବେ ସେନେଇ ଚାଖି ଖୁଣ୍ଟିଆ ଅନେକ ଘାତ ପ୍ରତିଘାତକୁ ସାମ୍ନା କରି ଇଂରେଜ ସରକାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ । ୧୮୫୭ରେ ଇଂରେଜ ସରକାରଙ୍କ ବିରୋଧରେ ହୋଇଥିବା ବିଦ୍ରୋହରେ ଚାଖି ଖୁଣ୍ଟିଆ ପଟ୍ଟପୁରୋଧା ଥିଲେ । ଯାହା ଫଳରେ ଇଂରେଜ ସରକାର ବିରୁଦ୍ଧରେ ଭାରତବାସୀ ଏକତ୍ରିତ ହୋଇ ଲଢେଇର ମୂଳଦୁଆ ପକାଇଥିଲେ । ପରବର୍ତ୍ତୀ ସମୟରେ ବହୁ ସ୍ବାଧିନତା ସଂଗ୍ରାମୀ ସ୍ବାଧିନତା ସଂଗ୍ରାମରେ ଝାସ ଦେଇ ଦେଶକୁ ସ୍ବାଧୀନ କରିଥିଲେ । ତେବେ ପ୍ରତ୍ୟେକ ଭାରତୀୟ ନିଜ ମାଟିକୁ ଭଲ ପାଇବା ସହ ଦେଶ ଯେଭଳି ବିଦେଶୀ ହାତରେ ପରାଧିନ ନହେବ, ଅନ୍ୟାୟ ବିରୋଧରେ ଦୃଢ଼ ଭାବେ ସ୍ବର ଉତ୍ତୋଳନ କରିବ, ସେଥିପାଇଁ ପ୍ରତ୍ୟେକ ଭାରତୀୟ ବିଶେଷ କରି ଯୁବପିଢି ମନରେ ଦେଶପ୍ରେମ ରଖି ଆଗେଇ ଆସିବା ଉଚିତ୍‌ । ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ୧୮୫୭ ବିଦ୍ରୋହର ମୁଖ୍ୟ ପୁରୋଧା ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ ଆଜି ୨୦୨ ତମ ଜୟନ୍ତୀ ସମାରୋହରେ ସଂସ୍କୃତି ଭବନରେ ଯୋଗ ଦେଇଥିବା ବୁଦ୍ଧିଜୀବୀମାନେ ଏହା ମତବ୍ୟକ୍ତ କରିଛନ୍ତି । ତେବେ ଏହି ଜୟନ୍ତୀ ସମାରୋହରେ ଅନେକ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ ସ୍ମୁତିରେ ପୁରୀରେ ଏକ ମ୍ୟୁଜିୟମ ନିର୍ମାଣ କରିବାକୁ ସବୁ ମହଲରେ ଦାବି ହୋଇଛି ।

ମହାନ୍ ବିପ୍ଳବୀ ଚାଖି ଖୁଣ୍ଟିଆ ୧୮୨୨ ମସିହା ଜାନୁଆରୀ ୨୨ ତାରିଖ ଶାମ୍ବ ଦଶମୀ ତିଥିରେ ଜନ୍ମଗ୍ରହଣ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ଲାଗି ଖୁଣ୍ଟିଆ ସେବକ ତଥା ପୁରୀ ହରଚଣ୍ଡୀ ସାହିର ହଜୁରୀ ଭୀମସେନ ଖୁଣ୍ଟିଆ ଓ କମଳାବତୀଙ୍କ କୋଳ ମଣ୍ଡନ କରିଥିଲେ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ । ପିଲାଟି ଦିନରୁ ସେ ଶ୍ରୀକ୍ଷେତ୍ରର ପରମ୍ପରା, କୁସ୍ତି ବା ମଲ୍ଲଯୋଦ୍ଧା ବିଦ୍ୟାରେ ନିଜକୁ ସାମିଲ କରି ସେଥିରେ ବେଶ୍ ସିଦ୍ଧହସ୍ତ ହୋଇଥିଲେ । ଉତ୍ତର ପ୍ରଦେଶ ଝାନ୍ସିର ରାଣୀ ଲକ୍ଷ୍ମୀବାଇ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଚାଖି ଖୁଣ୍ଟିଆଙ୍କ ସାହାଯ୍ୟ ମାଗିଥିଲେ । ଚାଖି ଖୁଣ୍ଟିଆ ଥିଲେ ଉତ୍ତର ପ୍ରଦେଶର ପଣ୍ଡା । ତାଙ୍କର ନିଖୁଣ କୁସ୍ତି ଏବଂ ମଲ୍ଲ ବିଦ୍ୟା ଯୋଗୁ ସେ ବେଶ୍ ପରିଚିତ ଥିବାବେଳେ ରାଣୀ ଲକ୍ଷ୍ମୀବାଇ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଚାଖିଙ୍କ ସାହାଯ୍ୟ ଲୋଡ଼ିଥିଲେ । ୧୮୫୭ ମସିହାରେ ଚାଖି ଖୁଣ୍ଟିଆ ରାଣୀ ଲକ୍ଷ୍ମୀବାଇଙ୍କ ସହ ଯୋଗଦେଇ ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ କରିଥିଲେ । ସେହି ସମୟରେ ଥିବା ବିଭିନ୍ନ ପ୍ରସିଦ୍ଧ ସ୍ବାଧିନତା ସଂଗ୍ରାମୀ ତାନ୍ତିଆ ଟୋପେ ସହ ମିଶି ଇଂରେଜ ସରକାରଙ୍କ ବିରୋଧରେ ଜୋରଦାର ଲଢେ଼ଇ କରିଥିଲେ । ଚାଖି ଖୁଣ୍ଟିଆ ଛଦ୍ମବେଶ ଧାରଣ କରି ଇଂରେଜ ସରକାରର ପ୍ରତିଟି ଗତିବିଧି ଉପରେ ନଜର ରଖୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....କଥାଶିଳ୍ପୀ ମହାପାତ୍ର ନୀଳମଣି ସାହୁଙ୍କ ୯୯ତମ ଜୟନ୍ତୀ, ଧୁମଧାମରେ ପାଳିଲା ଜନ୍ମମାଟି

ତେବେ ରାଣୀ ଲକ୍ଷ୍ମୀବାଇଙ୍କ ମନ୍ତ୍ରୀ ମଣ୍ଡଳର କିଛି ସଦସ୍ୟ ବିଶ୍ବାସଘାତକତା କରି ଇଂରେଜ ସରକାରଙ୍କୁ ସହଯୋଗ କରିବା କରିବାରୁ ଯୁଦ୍ଧରେ ରାଣୀ ଲକ୍ଷ୍ମୀବାଇ ପରାସ୍ତ ହେବା ସହ ମୃତ୍ୟୁବରଣ କରିଥିଲେ । ୧୮୫୭ ମସିହା ସ୍ବାଧିନତା ସଂଗ୍ରାମରେ ଯୋଗ ଦେଇଥିବା ଚାଖି ଖୁଣ୍ଟିଆ ଦୀର୍ଘ ୧୨ ବର୍ଷ ଧରି ଘର ସହିତ ଯୋଗାଯୋଗ ରଖିନଥିଲେ । ଚାଖି ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ତାଙ୍କ ପତ୍ନୀ ବିଧବା ମଧ୍ୟ ହୋଇଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଚାଖି ଖୁଣ୍ଟିଆ ଶ୍ରୀକ୍ଷେତ୍ର ଫେରିଆସି ମହାପ୍ରଭୁଙ୍କ ସେବାରେ ଲାଗିଥିଲେ । ଏକଥା ପ୍ରଘଟ ହେବା ପରେ ଚାଖିଙ୍କ ବିଧବା ପତ୍ନୀ ସଧବା ହୋଇଥିଲେ । ମହାପ୍ରଭୁଙ୍କ ଚନ୍ଦନ ଲାଗି ସମୟରେ ଚାଖି ଖୁଣ୍ଟିଆ ଜନ୍ମ ହୋଇଥିବାରୁ ତାଙ୍କୁ ତାଙ୍କ ପରିବାର ଲୋକେ ଚନ୍ଦନ ହଜୁରୀ ଭାବେ ନାମକରଣ କରିଥିଲେ ।

୧୮୮୧ ମସିହା ନଭେମ୍ବର ୧୭ ତାରିଖରେ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ତିରୋଧାନ ଘଟିଥିଲା । ମହାନ୍ ବିପ୍ଳବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କ ବୀରତ୍ବ ଇତିହାସରେ ବେଶ୍ ଚର୍ଚ୍ଚିତ । ରଥଯାତ୍ରା ସମୟରେ ସେ ରଥର ବିଶାଳ ଚକକୁ ଏକୁଟିଆ ସମସ୍ତଙ୍କ ସମ୍ମୁଖରେ ଟେକି ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ତେବେ ସେହି ମହାନ୍ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ ଆଜି ଜୟନ୍ତୀ ସମାରୋହରେ ପୁରୀ ସହରବାସୀ ଏବଂ ବୁଦ୍ଧିଜୀବିମାନେ ତାଙ୍କ ବୀରତ୍ବକୁ ମନେ ପକାଇ ବେଶ୍ ଗର୍ବ ଅନୁଭବ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.