ETV Bharat / sports

ରଣଜୀରେ ଚମକିଲେ ପୂଜାରା; ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପୂରଣ କଲେ 20 ହଜାର ରନ

author img

By ETV Bharat Odisha Team

Published : Jan 21, 2024, 8:27 PM IST

Ranji Trophy 2024: ଜାରି ରହିଥିବା ରଣଜୀ ଟ୍ରଫି 2024 ସିଜିନ୍‌ରେ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି ଭାରତୀୟ ଦଳରୁ ବାଦ ପଡ଼ିଥିବା ଅଭିଜ୍ଞ ବ୍ୟାଟର ଚେତେଶ୍ବର ପୂଜାରା । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପୂରଣ କଲେ 20 ହଜାର ରନ । ଅଧିକ ପଢ଼ନ୍ତୁ

ରଣଜୀରେ ଚମକିଲେ ପୂଜାରା
ରଣଜୀରେ ଚମକିଲେ ପୂଜାରା

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ଟେଷ୍ଟ ଦଳରୁ ବାଦ ପଡ଼ିଥିବା ଅଭିଜ୍ଞ ବ୍ୟାଟର ଚେତେଶ୍ବର ପୂଜାରା ନିଜ ନାମରେ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି । ନିଜ ପ୍ରଥମ ଶ୍ରେଣୀ କ୍ରିକେଟ୍‌ କ୍ୟାରିୟରରେ ପୂଜାରା 20 ହଜାର ରନ ପୂର୍ଣ୍ଣ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏହି ମାଇଲଷ୍ଟୋନ ଛୁଇଁବାରେ ସେ 4ର୍ଥ ଭାରତୀୟ କ୍ରିକେଟର ହୋଇଛନ୍ତି । ଜାରି ରହିଥିବା ରଣଜୀ ଟ୍ରଫି 2024ରେ ସୌରାଷ୍ଟ୍ର ଓ ବିଦର୍ଭ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ଏହି ରେକର୍ଡ ହାସଲ କରିଛନ୍ତି 35 ବର୍ଷୀୟ ଚେତେଶ୍ବର ପୂଜାରା । ସୌରାଷ୍ଟ୍ର ପକ୍ଷରୁ ରଣଜୀ ଖେଳୁଥିବା ପୂଜାରା ବିଦର୍ଭ ବିପକ୍ଷରେ ନିଜ ପ୍ରଥମ ଶ୍ରେଣୀ କ୍ୟାରିୟରର 20 ହଜାର ରନ ପୂରଣ କରିଛନ୍ତି ।

ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଚେତେଶ୍ବର ପୂଜାରା 105 ବଲର ସମ୍ମୁଖୀନ ହୋଇ 4 ଚୌକା ଓ ଗୋଟିଏ ଛକା ସହିତ 43 ରନ କରିଥିଲେ । ସେହିଭଳି ଏହି ମ୍ୟାଚ୍‌ର ଦ୍ବିତୀୟ ପାଳିରେ ସେ 137 ବଲରୁ 10 ଚୌକା ବଳରେ 66 ରନର ପାଳି ଖେଳିଥିଲେ । ଏହା ପୂଜାରାଙ୍କର 260 ତମ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମ୍ୟାଚ୍‌ ଥିଲା । ଏହି ମ୍ୟାଚ୍‌ରେ ସେ 20 ହଜାର ପ୍ରଥମ ଶ୍ରେଣୀ ରନ ପୂରଣ କରିଥିଲେ । ପୂଜାରା ନିଜ ପ୍ରଥମ ଶ୍ରେଣୀ କ୍ରିକେଟ୍‌ କ୍ୟାରିୟରରେ 61 ଶତକ ଓ 78 ଅର୍ଦ୍ଧଶତକ ସହିତ ଏବେ ପର୍ଯ୍ୟନ୍ତ 20,013 ରନ ସଂଗ୍ରହ କରିଛନ୍ତି । ଗତ ମ୍ୟାଚ୍‌ରେ ମଧ୍ୟ ଶତକୀୟ ପାଳି ଖେଳିଥିଲେ ଚେତେଶ୍ବର ପୂଜାରା ।

ଏହା ମଧ୍ୟ ପଢ଼ନ୍ତୁ...କୋହଲିଙ୍କ ପାଇଁ ଆସୁଛି ରେକର୍ଡ ବ୍ରେକିଂ ସିଜିନ୍‌; ଭାଙ୍ଗିବେ ସଚିନ-ଗାଭାସ୍କରଙ୍କ ରେକର୍ଡ

ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ପ୍ରଥମ ପାଳିରେ 206 ରନ ସଂଗ୍ରହ କରିଥିଲା । ଜବାବରେ ବିଦର୍ଭ କେବଳ 78 ରନରେ ହିଁ ନିଜର ପାଳି ସମାପ୍ତ କରିଥିଲା । ଏହାପରେ ଦ୍ବିତୀୟ ପାଳିରେ ସୌରାଷ୍ଟ୍ର 244 ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା । ସେପଟେ ବିଦର୍ଭ ଦ୍ବିତୀୟ ପାଳିରେ କେବଳ 134 ରନ ହିଁ କରିବାରେ ସକ୍ଷମ ହୋଇଥିଲା । ଫଳରେ ପୂଜାରାଙ୍କ ସୌରାଷ୍ଟ୍ର 238 ରନରେ ବିଜୟ ହାସଲ କରିଥିଲା । ଚେତେଶ୍ବର ପୂଜାରାଙ୍କ ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ 20 ହଜାର ରନ ପୂରଣ କରିବାରେ ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଓ ରାହୁଲ ଦ୍ରାବିଡ ସଫଳ ହୋଇଛନ୍ତି ।

ପ୍ରଥମ ଶ୍ରେଣୀ କ୍ରିକେଟରେ ସବୁଠାରୁ ଅଧିକ ରନ୍‌:

  • ସୁନୀଲ ଗାଭାସ୍କର- 25,834
  • ସଚିନ ତେନ୍ଦୁଲକର- 25,356
  • ରାହୁଲ ଦ୍ରାବିଡ- 23,794
  • ଚେତେଶ୍ବର ପୂଜାରା- 20,013*

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.