ETV Bharat / politics

ଯୁବ କଂଗ୍ରେସ ବିକ୍ଷୋଭ: ରାଜ୍ୟ-କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବିଭି ଶ୍ରୀନିବାସ

author img

By ETV Bharat Odisha Team

Published : Mar 2, 2024, 6:57 AM IST

Youth Congress Protest: ଭୁବନେଶ୍ବରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ମାଷ୍ଟର କ୍ୟାଣ୍ଟିନ ଛକରେ ‘ନବୀନ ହଟାଅ ଓଡ଼ିଶା ବଞ୍ଚାଅ’ ବିକ୍ଷୋଭ ସଭା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହଜାର ହଜାର କଂଗ୍ରେସ କର୍ମୀ ନବୀନ ନିବାସ ଘେରିଥିଲେ । ଅଧିକ ପଢ଼ନ୍ତୁ

ଯୁବ କଂଗ୍ରେସ ବିକ୍ଷୋଭ
ଯୁବ କଂଗ୍ରେସ ବିକ୍ଷୋଭ

ଯୁବ କଂଗ୍ରେସ ବିକ୍ଷୋଭ

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲା ଯୁବ କଂଗ୍ରେସ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ମାଷ୍ଟର କ୍ୟାଣ୍ଟିନ ଛକରେ ‘ନବୀନ ହଟାଅ ଓଡ଼ିଶା ବଞ୍ଚାଅ’ ବିକ୍ଷୋଭ ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ହଜାର ହଜାର ଯୁବ କଂଗ୍ରେସ କର୍ମୀ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିଭି ଶ୍ରୀନିବାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ‘ନବୀନ ନିବାସ ଘେରାଉ’ ରାଲି ମଧ୍ୟ ହୋଇଥିଲା ।

ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିଭି ଶ୍ରୀନିବାସଙ୍କୁ ଭୁବନେଶ୍ବର ବିମାନ ବନ୍ଦରଠାରେ ବହୁ ଯୁବ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ ମାଷ୍ଟର କ୍ୟାଣ୍ଟିନ ଛକରେ ‘ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’ ସମାବେଶରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । କେନ୍ଦ୍ରରେ ଓ ଓଡ଼ିଶାରେ ରାଙ୍ଗାବିଲ୍ଲାର ସରକାର ଚାଲିଛି ବୋଲି ସେ କହିଥିଲେ । ଶ୍ରୀନିବାସ ଓଡ଼ିଶାରେ 'ନବୀନ-ମୋଦି'ଙ୍କର ସରକାର ଚାଲିଛି ବୋଲି କହିଥିଲେ । ଏହି ସରକାରକୁ ରାଙ୍ଗାବିଲ୍ଲା ସରକାର କହି ସେ ତାଚ୍ଛଲ୍ୟ କରିଥିଲେ । ମୋଦି ଓ ନବୀନଙ୍କର ନୀତି ନିଷ୍ପତ୍ତି ଗୋଟିଏ ବୋଲି ସେ ସ୍ପଷ୍ଟ କରିଥିଲେ ।

ଶ୍ରୀନିବାସ କହିଛନ୍ତି, "ଓଡ଼ିଶାର ଉଚ୍ଚଶିକ୍ଷା ଡିଗ୍ରୀଧାରୀ ଶିକ୍ଷିତ ଯୁବକମାନେ ଓଡ଼ିଶା ବାହାରେ ଯାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଯେକୌଣସି ଛୋଟିଆ ଚାକିରୀଟିଏ କରି ଜୀବିକା ନିର୍ବାହ କରୁଛନ୍ତି । ତା’ର କାରଣ ନବୀନ ସରକାର ସେମାନଙ୍କୁ କର୍ମ ସଂସ୍ଥାନ ବା ନିଯୁକ୍ତି ଯୋଗାଇ ପାରୁନାହାନ୍ତି । ନବୀନ ସରକାର ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଡ଼ିଶାରେ ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ । ଓଡ଼ିଶା ସରକାରଙ୍କର ସ୍ବାସ୍ଥ୍ୟ ସେବାରେ ୫୦ ପ୍ରତିଶତ ଡାକ୍ତର ନାହାନ୍ତି । ନବୀନ ସରକାର ଚାଷୀକୁ ମଧ୍ୟ ଧୋକା ଦେଇଛନ୍ତି । ଏଠି ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି । ଓଡ଼ିଶାର ଚାଷୀ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ଗରିବ । ଏଠି ମହିଳାମାନଙ୍କୁ ସରକାର ସୁରକ୍ଷା ଓ ନ୍ୟାୟ ଦେଇପାରୁନାହାନ୍ତି । ନବୀନ ସରକାର ଦୁର୍ନୀତିରେ ବୁଡ଼ି ରହିଛି । ଖଣି, ଡାଲି, ପାଣି, ଜମି, ଚିଟ୍‌ଫଣ୍ଡ ଓ ଛାତ୍ରବୃତି ଦୁର୍ନୀତି ପାଇଁ ଜନସାଧାରଣରେ ନବୀନ ସରକାର ନିନ୍ଦିତ । ଓଡ଼ିଶାର ସାଧାରଣ ଜନତା ଏବେ କଂଗ୍ରେସକୁ ସମର୍ଥନ କରିବା ପାଇଁ ସଂକଳ୍ପ ନେଇଛନ୍ତି । ୨୦୨୪ ନିର୍ବାଚନ ଏଠାରେ କଂଗ୍ରେସକୁ ଲୋକ କ୍ଷମତାସୀନ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସକୁ ପୁଣି ଝଟକା, ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ

ସେହିଭଳି ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି, "ନବୀନ ସରକାର ଓଡ଼ିଶାର ଯୁବକମାନଙ୍କର ଶତ୍ରୁ । କାରଣ ଦୀର୍ଘ ୨୪ ବର୍ଷ ଶାସନରେ ସେ ଯୁବକମାନଙ୍କର ସ୍ବାର୍ଥ ପ୍ରତି ନିଘା ଦେଇନାହାନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ବିଜୁ ଯୁବବାହିନୀ ଘୋଷଣା କଲେ, ଏବେ ବିଜୁ ଯୁବ ବାହିନୀ ବନ୍ଦ ହୋଇଛି । ସେହିପରି ଯୁବ ଭୋଟରଙ୍କୁ ହାତେଇବା ପାଇଁ ଯେଉଁ ‘ସ୍ବୟଂ’ ଯୋଜନା ହୋଇଛି ୨୦୨୪ ନିର୍ବାଚନ ପରେ ସେ ଯୋଜନା ଆଉ ନଥିବ । ଓଡ଼ିଶାର ଯୁବକମାନେ ରାଜ୍ୟ ବାହାରେ ଦାଦନ ଖଟୁଥିବାବେଳେ, ଆନ୍ଧ୍ରରେ ଇଟାଭାଟିରେ ପଶୁଭଳି ବଞ୍ଚୁଛନ୍ତି । ଏଭଳିସ୍ଥଳେ ନବୀନ ସରକାରକୁ ଓଡ଼ିଶା ଯୁବକ କାହିଁକି ସମର୍ଥନ ଦେବେ । ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟ୍ କରୁଥିବା ଶିଳ୍ପପତିଙ୍କ ଶିଳ୍ପରେ ଓଡ଼ିଶାର ଯୁବକମାନଙ୍କର ନିଯୁକ୍ତିର ଅଧିକାର ନାହିଁ । କାରଣ ସେହି ଶିଳ୍ପପତି ଓ ନବୀନ ସରକାରର ମଧୁଚନ୍ଦ୍ରିକା ଚାଲିଛି । ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା, ସରକାରୀ ଯୋଜନାର ବ୍ୟାପକ ଲୁଟ୍‌, କୃଷି ଓ କୃଷକର ସର୍ବନାଶ, ମହିଳା ଅତ୍ୟାଚାର ବୃଦ୍ଧି, ଉତ୍କଟ ବେକାରୀ ଓ ଦାରିଦ୍ର‌୍ୟ ପାଇଁ ଓଡ଼ିଶାର ସାଧାରଣ ଜନତା ନବୀନ ସରକାର ଉପରୁ ଭରସା ତୁଟାଇଛନ୍ତି । ଓଡ଼ିଶାର ଯୁବକମାନେ ନିଷ୍ପତ୍ତି ନେଇଛନ୍ତି ‘ନବୀନ ହଟାଅ ଓ ଓଡ଼ିଶା ବଞ୍ଚାଅ’, କାରଣ ନବୀନ ପଟ୍ଟନାୟକ ରହିଲେ ଓଡ଼ିଶାର ସର୍ବନାଶ ହେଉଛି ଏବଂ ଓଡ଼ିଶାର ଜନତା ହନ୍ତସନ୍ତ ହେଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.