ETV Bharat / politics

ଅଶ୍ବିନୀଙ୍କ ଜରିଆରେ କେଉଁ ଉଦ୍ଦେଶ୍ୟ ସାଧୁଛି ବିଜେପି ? ନିର୍ବାଚନରେ କାହାର ହେବ କ୍ଷତି

author img

By ETV Bharat Odisha Team

Published : Feb 15, 2024, 8:00 PM IST

Ashwini Vaishnaw Files Nomination: ରାଜ୍ୟସଭା ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ । ଶେଷ ଦିନରେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନାମାଙ୍କନ ବେଳେ ଦଳୀୟ ବିଧାୟକ ପ୍ରସ୍ତାବ ଥିଲେ । ହେଲେ ଅଶ୍ବିନୀଙ୍କୁ ସମର୍ଥନ କରିଥିବା ବିଜେଡି କିନ୍ତୁ ଅନୁପସ୍ଥିତ ଥିଲା । ନିର୍ବାଚନ ପୂର୍ବରୁ ଉଭୟ ଦଳର ଏହି ଲୁଚକାଳି ଖେଳକୁ ନେଇ ଏବେ ରାଜନୀତି ମହଲରେ ଏକାଧିକ ପ୍ରଶ୍ନ ? ଅଧିକ ପଢନ୍ତୁ

Union Minister Ashwini Vaishnaw
Union Minister Ashwini Vaishnaw

ଅଶ୍ବିନୀଙ୍କ ଜରିଆରେ କେଉଁ ଉଦ୍ଦେଶ୍ୟ ସାଧୁଛି ବିଜେପି

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ । ଶେଷ ଦିନରେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନାମାଙ୍କନ ବେଳେ ଦଳୀୟ ବିଧାୟକ ପ୍ରସ୍ତାବ ଥିଲେ । ହେଲେ ଅଶ୍ବିନୀଙ୍କୁ ସମର୍ଥନ କରିଥିବା ବିଜେଡି କିନ୍ତୁ ଅନୁପସ୍ଥିତ ଥିଲା । ନିର୍ବାଚନ ପୂର୍ବରୁ ଉଭୟ ଦଳର ଏହି ଲୁଚକାଳି ଖେଳକୁ ନେଇ ଏବେ ରାଜନୀତି ମହଲରେ ଏକାଧିକ ପ୍ରଶ୍ନ ? ପ୍ରଶ୍ନ ଉଠୁଛି ଅଶ୍ବିନୀ ବୈଷ୍ଣବଙ୍କୁ କାହିଁକି ବିଜେଡି ସମର୍ଥନ ଦେଲା ? ବିଜେଡିକୁ କିଏ ମାଗିଥିଲା ସମର୍ଥନ ? ବିଜେଡି କେଉଁ ସ୍ବାର୍ଥ ହାସଲ ପାଇଁ ଗୋଟିଏ ଆସନ ଛାଡିଦେଲା ? ପ୍ରେସ ରିଲିଜରେ ଯେଉଁ ରାଜ୍ୟ ସ୍ବାର୍ଥ କଥା ବିଜେଡି ଉଲ୍ଲେଖ କରିଛି ସେତିକିରେ ଦଳ ସୀମିତ ନା କଣ ରହିଛି ଗୁପ୍ତ ବୁଝାମଣା ? ବିଜେପି କାହିଁକି ସଂଖ୍ୟା ନଥାଇ ପ୍ରାର୍ଥୀ ଦେଲା ? ବିଜେଡିକୁ ଚାପରେ ରଖି ବିଜେପି ସମର୍ଥନ ହାସଲ କରିନାହିଁ ତ ? ନା ଦେଖାଇଛି ପ୍ରଲୋଭନ ? ନିର୍ବାଚନରେ ବିଜେଡିକୁ କ୍ଷମତାଚ୍ୟୁତ କରିବାକୁ ଦମ୍ଭୋକ୍ତି ଦେଖାଉଥିବା ବିଜେପି ବିଜେଡି ଠାରୁ ସମର୍ଥନ ଆଣି ଦୁର୍ବଳ ହୋଇନାହିଁ ତ ? ବିଜେଡି ବିଜେପିର ଏହି ଲୁଚକାଳି ଖେଳରୁ କଂଗ୍ରେସ ରାଜନୈତିକ ଫାଇଦା ନେଇପାରିବ ତ ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ରାଜନୈତିକ ସମୀକ୍ଷକ ବି ରଖିଛନ୍ତି ମତ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଅଧିକ ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଅଶ୍ବିନୀ ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡିର ଦେଖା ମିଳିନାହିଁ: ଆଜି ପୂର୍ବାହ୍ନ ୧୧ଟା ବେଳେ ରାଜ୍ୟସଭା ସଦସ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଶ୍ବିନୀଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ଦଳୀୟ ବିଧାୟକ ପ୍ରସ୍ତାବ ଥିଲେ । ଏହାସହ ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ଦଳୀୟ ନେତା ଥିଲେ । ହେଲେ ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କରିଥିବା ବିଜେଡିର କୌଣସି ନେତା ଆସିନଥିଲେ । ନାମାଙ୍କନ ଦାଖଲ ପରେ ମଧ୍ୟ ଅଶ୍ବିନୀ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ବିଜେଡିର ସମର୍ଥନ ନେଇ କୌଣସି ମତ ମନ୍ତବ୍ୟ ଦେଇନଥିଲେ । ଯାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ବିଜେଡି ରାଜ୍ୟର ସ୍ବାର୍ଥ ଦୃଷ୍ଟିରେ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଘୋଷଣା କରିଥିବା କହିଥିବା ବେଳେ ବିଜେପି କହୁଛି ଆମେ ସମର୍ଥନ ମାଗି ନାହୁଁ । ଏଥିରୁ ସ୍ପଷ୍ଟ ଯେ ଉଭୟ ଦଳ ବୁଝାମଣା ଭିତ୍ତିରେ ଅଶ୍ବିନୀଙ୍କୁ ପ୍ରାର୍ଥୀ କରିଛନ୍ତି ।

ମାଗିନଥିଲା ବିଜେପି, କାହିଁକି ସମର୍ଥନ ଦେଲା ବିଜେଡି: ଏନେଇ ବିଜେପି ବିଧାୟକ ନାଉରୀ ନାଏକ କହିଛନ୍ତି ଆମ ଦଳର ବିଧାୟକଙ୍କ ଉପସ୍ଥିତିରେ ଆମ ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିଛନ୍ତି । ଆମର ପ୍ରସ୍ତାବକ ଥିଲେ । ଆମର ଅଧିକାର ଅଛି ପ୍ରାର୍ଥୀ ଦେବାର ଦେଇଛୁ । ଆମେ କାହାକୁ ସମର୍ଥନ ମାଗିନୁ । ବିଜେଡିର ତୃତୀୟ ପ୍ରାର୍ଥୀ ଜିତିବା ପାଇଁ ବିଜେଡି ପାଖରେ ମଧ୍ୟ ଆବଶ୍ୟକ ସଂଖ୍ୟା ନାହିଁ । ସେହିପରି ବିଧାୟକ ମୋହନ ମାଝୀ କହିଛନ୍ତି ଆମ ପ୍ରାର୍ଥୀଙ୍କ ଆମେ ପ୍ରସ୍ତାବକ ରହିଛୁ । ଆମ ପ୍ରାର୍ଥୀ ଜିତିବେ । କିଏ ସମର୍ଥନ ଦେବ କାହିଁକି ଦେବ ତାହା ସେମାନେ କହିପାରିବେ । ଆମେ ତ କାହାକୁ ସମର୍ଥନ ମାଗିନୁ କିଏ କାହିଁକି ସମର୍ଥନ ଦେଇଛି ତାହାଙ୍କୁ ପଚାରନ୍ତୁ ।

ଅଧିକ ପଢନ୍ତୁ- ଆମେ କାହାକୁ ସମର୍ଥନ ମାଗି ନାହୁଁ, ବିଜେପି ରାଜ୍ୟସଭା ଏକାକୀ ଲଢ଼ିବ ଓ ଜିତିବ: ମନମୋହନ ସାମଲ

ସମର୍ଥନ ପଛରେ ଅଛି କି ଚାପ ? ସେପଟେ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଚାପରେ ଆସି ବିଜେଡି ସମର୍ଥନ ଦେଇଛି । କାରଣ ରାଜ୍ୟ ବିଜେପି ଏହି ପ୍ରସଙ୍ଗରେ କହୁଛି, ଆମେ ସମର୍ଥନ ମାଗି ନାହୁଁ । ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ଚାପର ବଶବର୍ତ୍ତୀ ହୋଇ ଏହି ସମର୍ଥନ । କାରଣ ଯିଏ ଦମ୍ଭୋକ୍ତି ପ୍ରକାଶ କରିବା କଥା ସେ ଚୁପ ରହୁଛି ଆଉ ଯାହାର ସମର୍ଥନ ଦରକାର ସେ ଦମ୍ଭୋକ୍ତି ପ୍ରକାଶ କରୁଛି । ବିଜେଡି 2ଜଣ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କୁ ଯଦି ପ୍ରାର୍ଥୀ କଲା ତୃତୀୟ ପ୍ରାର୍ଥୀ କାହିଁକି ଦେଲା ନାହିଁ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ ।

ବୁଝାମଣାରେ ପ୍ରାର୍ଥୀ: ଅନ୍ୟପଟେ ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ବିଜେଡି ଚାହୁଁଛି, ରାଜ୍ୟରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ନବୀନ ପଟ୍ଟନାୟକ । ତେଣୁ 90 ପ୍ରତିଶତ ଲୋକଙ୍କୁ ସନ୍ତୁଷ୍ଟ କରିବା ଭଳି ବିଭିନ୍ନ ଯୋଜନା ନୀତି ଘୋଷଣା ହେଉଛି । ନିର୍ବାଚନକୁ ଆଉ ଅଳ୍ପଦିନ ବାକି ରହିଲା । ସେପଟେ ମୋଦି ସରକାର ଚାହୁଁଛନ୍ତି ପୁଣି ଥରେ ଶାସନ ଅକ୍ତିଆର କରିବେ । 300ରୁ ଅଧିକ ଆସନ ଜିତିବେ । ତେଣୁ କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ନବୀନ ସରକାର ଏହି ଆଭିମୁଖ୍ୟ ରଖି ବିଜେଡି ଓ ବିଜେପିର କେନ୍ଦ୍ରୀୟ ନେତୃତ୍ବ ମଧ୍ୟରେ ବୁଝାମଣା ହୋଇଛି । କାରଣ ବିଜେଡି କହିଛି ରେଳବାଇ କ୍ଷେତ୍ରରେ ରାଜ୍ୟର ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ସମର୍ଥନ ଦିଆଯାଇଛି । ଅର୍ଥାତ ବିଜେଡି ଜାଣିସାରିଛି 2024ରେ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଆସିବେ । ନୂଆ ସରକାରରେ ଅଶ୍ବିନୀ ବୈଷ୍ଣବଙ୍କୁ ପୁଣି ରେଳ ମନ୍ତ୍ରାଳୟ ଦିଆଯିବ । ମୋଟାମୋଟି କହିବାକୁ ଗଲେ ଉତ୍ତମ ବୁଝାମଣା ଭିତ୍ତିରେ ବିଜେଡି ଏହି ସମର୍ଥନ ଦେଇଛି । ଯାହାକି ରାଜ୍ୟବାସୀଙ୍କୁ ସ୍ତମ୍ଭିଭୂତ କରିଛି ।

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ ବିଜେଡି ମଧ୍ୟରେ ରାଜନୈତିକ ଛକା ପଞ୍ଚା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ବିନା ଡିମାଣ୍ଡରେ ବିଜେଡି ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିବା ନୂଆ ରାଜନୈତିକ ବାର୍ତ୍ତା ଦେଇଛି ରାଜ୍ୟବାସୀଙ୍କୁ । ଚାପର ବଶବର୍ତ୍ତୀ ହୋଇ ବିଜେଡି ଏପରି କରିଥାଇପାରେ କିମ୍ବା ବିଜେଡି ଓ ବିଜେପି ମଧ୍ୟରେ ବୁଝାମଣା ଯୋଗୁଁ ଏପରି ସମର୍ଥନ ସମ୍ଭବ ହୋଇଥାଇପାରେ । ବିଜେପି କିନ୍ତୁ ମାପିଚୁପି ଜବାବ ଦେଉଛି । ଆଉ ବିଜେଡି ଗତକାଲି ଠାରୁ କହିଆସିଛି ରାଜ୍ୟର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜେପିକୁ ସମର୍ଥନ ଦେଇଛି । ନିର୍ବାଚନ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଏବେ ଅପେକ୍ଷା ଉଭୟ ଦଳର ଏହି ବୁଝାମଣା ରାଜନୀତିର କଣ ପ୍ରଭାବ ପଡୁଛି ଆଗାମୀ ନିର୍ବାଚନରେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.