ETV Bharat / politics

ରାଜ୍ୟ ବିଜେପିର ରହସ୍ୟଜନକ ନୀରବତା ପଛର କାରଣ କଣ ?

author img

By ETV Bharat Odisha Team

Published : Feb 24, 2024, 9:03 PM IST

Why State BJP keeping silent ?: ସାଧାରଣ ନିର୍ବାଚନ ଆସୁଥିବାବେଳେ ବିରୋଧି ବିଜେପି ଶାସକ ଦଳକୁ ଯେଉଁ ପରିମାଣରେ ଟାର୍ଗେଟ୍‌ କରିବା କଥା, ତାହା କରୁନାହିଁ । ତେବେ ବିଜେପିର ଏହି ରହସ୍ୟଜନକ ନୀରବତା ପଛରେ କାରଣ କଣ ହୋଇପାରେ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ରାଜ୍ୟ ବିଜେପିର ରହସ୍ୟଜନକ ନୀରବତା ପଛର କାରଣ କଣ ?
ରାଜ୍ୟ ବିଜେପିର ରହସ୍ୟଜନକ ନୀରବତା ପଛର କାରଣ କଣ ?

ରାଜ୍ୟ ବିଜେପିର ରହସ୍ୟଜନକ ନୀରବତା ପଛର କାରଣ କଣ ?

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାବେଳେ ସରକାରୀ ଦଳକୁ ଘନ ଘନ ଆକ୍ରମଣ କରିବା କଥା ବିରୋଧୀ । ହେଲେ ରାଜ୍ୟ ବିଜେପିର ରହସ୍ୟଜନକ ନୀରବତା ପଛର କାରଣ କଣ ? ବିଜେପିର ରାଜ୍ୟ ନେତୃତ୍ବଙ୍କ ମଧ୍ୟରେ ଏହା ଦ୍ବନ୍ଦ୍ବ ନା ଫାନ୍ଦ ? ରଣନୀତିକୁ ନେଇ ନେତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି, ନା ବିରୋଧୀ କଂଗ୍ରେସ ଓ ବିଜେଡିକୁ କାଉଣ୍ଟର କରିବା ପାଇଁ କିଛି ଫାନ୍ଦ ବା ଷ୍ଟ୍ରାଟେଜି ତିଆରି କରୁଛି ବିଜେପି ? ଏବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ବଡ଼ କଥା ହେଲା ମୋଦି ତାଙ୍କର ଓଡିଶା ଗସ୍ତ ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହିଲେ ନାହିଁ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ନାହିଁ । ଯାହାକୁ ନେଇ ସନ୍ଦେହ ଉପୁଜିଛି ବିଜେପିର ଆଭିମୁଖ୍ୟକୁ ନେଇ । ବଡ଼ ପ୍ରଶ୍ନ, କାହିଁକି ରହସ୍ୟଜନକ ଭାବେ ନିରବ ରହିଛି ବିଜେପି ?

'ନିର୍ବାଚନ ପୂର୍ବରୁ ହୋଇପାରେ ବୁଝାମଣା': ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ବିଜେପିର ଓଡିଶା ଶାଖା ଗୋଟିଏ ନାରା ଦେଉଥିଲା, ଓଡିଶାରେ ବିଜେପି ଶାସନ କ୍ଷମତାକୁ ଆସିବ । କିନ୍ତୁ ମୋଦି ହୁଅନ୍ତୁ ଅବା ରାଜନାଥ, ଓଡିଶାରେ ବିଜେପି ଶାସନକୁ ଆସିବା ନେଇ ଠୋସ ବାର୍ତ୍ତା ଓଡିଶା ଗସ୍ତ ସମୟରେ ଦେଇନାହାନ୍ତି । ବଡ଼କଥା ହେଲା ୨୦୧୪ରୁ ୨୦୧୯ ମଧ୍ୟରେ ବିଜେପି ଶିବିରରେ ନେତା ଓ କର୍ମୀଙ୍କ ମଧ୍ୟରେ ଯେଉଁ ଉତ୍ସାହ ଥିଲା, ରାଜ୍ୟ ସରକାରଙ୍କ ବିରୋଧରେ ଯେଉଁ ଆକ୍ରୋଶ ଥିଲା, ତାହା ଏବେ ଦେଖିବାକୁ ମିଳୁନାହିଁ । ଯାହା ଆଲୋଚନା ହେଉଛି ବୋଧହୁଏ ଉପରସ୍ତରରେ ଦୁଇ ଦଳର ନେତାଙ୍କ ଭିତରେ ଯେଉଁ ସମ୍ପର୍କ ରହିଛି ତାକୁ ଜମିନକୁ ଉତାରିବାକୁ ଚାହୁଁଛନ୍ତି ।" ନିର୍ବାଚନ ପୂର୍ବରୁ ଦୁଇ ଦଳ ମଧ୍ୟରେ ବୁଝାମଣା ନେଇ ଆଲୋଚନା ହେବାର ସଙ୍କେତ ମିଳୁଥିବା ସେ କହିଛନ୍ତି । ସେଥିପାଇଁ ବିଜେପି ନୀରବତା ପ୍ରଦର୍ଶନ କରୁଛି । ରାଜ୍ୟ ନେତୃତ୍ବ କେଉଁ ରଣନୀତି ଆପଣେଇ ଶାସନ କ୍ଷମତାକୁ ଆସିବ ତାହା ସ୍ପଷ୍ଟ କରୁନାହିଁ । ତେଣୁ ସେମାନେ ଦ୍ବନ୍ଦ୍ବରେ ଥାଇପାରନ୍ତି ଅବା ଫାନ୍ଦ କଥା ଚିନ୍ତା କରୁଥାଇପାରନ୍ତି ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଚାଲିଛି ବୈବାହିକ ମେଣ୍ଟ ସରକାର: କଂଗ୍ରେସ

'ରାଜ୍ୟରେ ବିଜେପି କ୍ଷମତାକୁ ଆସିବ': ସେପଟେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ରହସ୍ୟମୟ ଚୁପ ବୋଲି କିଛି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଭାବେ ସାରା ଦେଶରେ ବିକାଶ କରିଚାଲିଛନ୍ତି, ସେହିପରି ପୂର୍ବ ଭାରତର ବିକାଶରେ ଓଡିଶାକୁ ଗୁରୁତ୍ବ ଦେଉଛନ୍ତି । ଆମେ ମୋଦି ସରକାରଙ୍କ ଜନକ୍ୟାଣକାରୀ ଯୋଜନାକୁ ନେଇ ବୁଥ ସ୍ତରରେ ପହଞ୍ଚୁଛୁ । ରାଜ୍ୟରେ ମୋଦି ଗ୍ୟାରେଣ୍ଟିକୁ ନେଇ ବିଜେପି ସରକାରକୁ ଆସିବ । ୨୦୨୪ ପାଇଁ ରଣନୀତି ହେଉଛି ମୋଦି ଗ୍ୟାରେଣ୍ଟି । ଗଣମାଧ୍ୟମରେ ପ୍ରକାଶ ପାଉଛି ଲୋକେ କିପରି ପରିବର୍ତ୍ତନ ଚାହୁଁଛନ୍ତି । ଲୋକେ ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି । ମୋଦି ଗ୍ୟାରେଣ୍ଟିକୁ ନେଇ ଆମେ ପଜିଟିଭ କ୍ୟାମ୍ପେନ୍‌ କରିବୁ । ରାଜନାଥ ସିଂହ କହିଲେ ଯେ ଯେଉଁମାନେ ଯୋଜନାର ଲାଭ ପାଇପାରୁନାହାନ୍ତି, ବିଜେପି ସରକାର ଆସିଲେ ସେମାନେ ତାହା ପାଇବେ । ତେଣୁ ରାଜ୍ୟ ସରକାର ଯେଉଁ ପାତରଅନ୍ତର ନୀତି କରୁଛନ୍ତି ତାକୁ ପରୋକ୍ଷରେ କଟାକ୍ଷ କରିଛନ୍ତି ରାଜନାଥ ।" 2024ରେ ରାଜ୍ୟରେ ମୋଦି ଗ୍ୟାରେଣ୍ଟି କାମ କରିବ ଏବଂ ବିଜେପି କ୍ଷମତାକୁ ଆସିବ ବୋଲି କହିଛନ୍ତି ଦିଲ୍ଲୀପ ମଲ୍ଲିକ ।

ସେ ଯାହା ହେଉନା କାହିଁକି, ରାଜ୍ୟ ସରକାରଙ୍କୁ ସମାଲୋଚନା ପ୍ରସଙ୍ଗରେ ବିଜେପିର ନୀରବତା ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୨୦୧୪ରୁ ୨୦୧୯ ମଧ୍ୟରେ ବିଜେପି ଯେଉଁ ରଣନୀତି ନେଇ ଆଗେଇଥିଲା, ଏଥର ତା'ର ଆଭାସ ମଧ୍ୟ ମିଳୁନାହିଁ । ତେଣୁ ପ୍ରଶ୍ନ ଉଠୁଛି ବଡ଼ ବଡ଼ ନେତା ରାଜ୍ୟ ସରକାରଙ୍କ ବିରୋଧରେ କିଛି ନକହିବା ବିଜେପିର ବୁଝାମଣା ରଣନୀତିର ଗୋଟିଏ ଅଂଶ ନୁହେଁ ତ ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.