ETV Bharat / politics

ଆଜି ପଶ୍ଚିମ ଓଡ଼ିଶାରେ ନବୀନଙ୍କ ମାରାଥନ ପ୍ରଚାର, କଣ୍ଟାବାଞ୍ଜି ପରେ ଗଲେ ବରଗଡ଼ - CM Naveen patnaik

author img

By ETV Bharat Odisha Team

Published : May 12, 2024, 12:55 PM IST

CM Naveen patnaik election campaign: ଆଜି ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ । କଣ୍ଟାବାଞ୍ଜିରେ ନିର୍ବାଚନୀ ସଭାକୁ କଲେ ସମ୍ବୋଧିତ । ଅପରାହ୍ନରେ ବରଗଡରେ ମାଗିବେ ଭୋଟ । ଅଧିକ ପଢନ୍ତୁ

ଆଜି ପଶ୍ଚିମ-ଓଡିଶାରେ ନବୀନଙ୍କ ମାରାଥନ ପ୍ରଚାର, କଣ୍ଟାବାଞ୍ଜି ପରେ ଗଲେ ବରଗଡ
ଆଜି ପଶ୍ଚିମ-ଓଡିଶାରେ ନବୀନଙ୍କ ମାରାଥନ ପ୍ରଚାର, କଣ୍ଟାବାଞ୍ଜି ପରେ ଗଲେ ବରଗଡ (PIC-ETV Bharat Odisha)

ଆଜି ନବୀନଙ୍କ ମାରଥାନ ପ୍ରଚାର, କଣ୍ଟାବାଞ୍ଜି ପରେ ଯିବେ ବରଗଡ (Video-ETV Bharat Odisha)

ବରଗଡ: ଆଜି ପଶ୍ଚିମ ଓଡିଶାରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଦ୍ବନ୍ଦ୍ବିତା କରୁଥିବା କଣ୍ଟାବାଞ୍ଜିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ଏହାପରେ ସେ ବରଗଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଅପରାହ୍ନରେ ବରଗଡରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ । ସାଙ୍ଗରେ ବିଜେଡିର ଦ୍ବିତୀୟ ଷ୍ଟାର-ପ୍ରଚାରକ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଏନେଇ ବରଗଡ ଜିଲ୍ଲାରେ ବିଜେଡ଼ି ମହଲରେ ବ୍ୟାପକ ଉତ୍ସାହ ଦେଖିବାକୁ ଲାଗିଛି । ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅପରାହ୍ନରେ ପ୍ରାୟ ସାଢେ 3ଟାରେ ଅବତରଣ କରିବେ । ୪ଟା ସମୟରେ ଆୟୋଜିତ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏହାପରେ ୪ଟା ୫୦ ମିନିଟରେ ସେ ପୁଣି ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ ଅଭିମୁଖେ ଉଡାଣ ଭରିବେ । ସନ୍ଧ୍ୟା ପ୍ରାୟ ୫ଟା ୧୦ ମିନିଟରେ ସେଠାରେ ମଧ୍ୟ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ପରେ ସନ୍ଧ୍ୟାରେ ଭୁବନେଶ୍ବର ଫେରିଆସିବେ । ନବୀନଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଆସନ୍ତା 20 ତାରିଖରେ ବରଗଡ ଜିଲ୍ଲାରେ ମତଦାନ ହେବାକୁ ଯାଉଛି । ସମସ୍ତ ଦଳର ଷ୍ଟାର ପ୍ରଚାରକ ଏବଂ ହେଭିୱେଟ ନେତାମାନଙ୍କର ଜିଲ୍ଲାକୁ ସୁଅ ଛୁଟିବା ଜାରି ରହିଛି । କିଛି ଦିନ ତଳେ ବରଗଡ଼କୁ ବିଜେଡିର ଚର୍ଚ୍ଚିତ ନେତା ଭି.କେ ପାଣ୍ଡିଆନ ଦୁଇଦିନିଆ ଗସ୍ତରେ ଆସି ସିରିଜ ପ୍ରଚାର କରିଥିଲେ । 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯାଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ମାଗିଥିଲେ ପାଣ୍ଡିଆନ । ଆଜି ଦଳର ଶୀର୍ଷ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ।

ଏହା ମଧ୍ୟ ପଢନ୍ତୁ :- ମୋଦିଙ୍କ ସମାଲୋଚନାର ନବୀନଙ୍କ ଦୃଢ଼ ଜବାବ; ‘ମୋର କଣ ମନେ ଅଛି ନାହିଁ ଓଡିଶାବାସୀ ଭଲ ଭାବେ ଜାଣିଛନ୍ତି’ - cm naveen patnaik targets pm modi

ଅନ୍ୟପଟେ ଗତକାଲି (ଶନିବାର) ବିଜେପିର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ ଗସ୍ତରେ ଆସିଥିଲେ । ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ସେ ବିଜେପିକୁ ଭୋଟ ଦେବା ପାଇଁ ନିବେଦନ କରିବା ସହ ତମାମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାର ଉପରେ ବର୍ଷିଥିଲେ । ଏହାର ମାତ୍ର ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ବରଗଡରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.