ETV Bharat / politics

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଜବାବ ପରେ ବିଜେପିର ଉତ୍ତର, ସରକାରକୁ ଆସିଲେ ରତ୍ନଭଣ୍ଡାରର ହେବ CBI ତଦନ୍ତ - BJP Targets BJD

author img

By ETV Bharat Odisha Team

Published : May 12, 2024, 7:29 PM IST

BJP Targets BJD: ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଟାର୍ଗେଟ୍ ପରେ ଜବାବ ରଖିଲା ବିଜେପି । ଦୋହରାଇଲା ରତ୍ନ ଭଣ୍ଡାର ପ୍ରସଙ୍ଗ । ଏମିତି କହିଲେ ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ।

BJP Targets BJD
BJP Targets BJD (ETV Bharat Odisha)

BJP Targets BJD (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଜୋର ଧରିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଟାର୍ଗେଟ୍ ପରେ ଜବାବ ରଖିଲା ବିଜେପି । ଏନେଇ ରାଜ୍ୟ ବିଜେପି ପୂର୍ବତନ ସଭାପତି କହିଛନ୍ତି, "ଓଡ଼ିଶାରେ ବିଜେପି ସରକାର ହେଲେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ ବୋଲି ମୋଦି ଗ୍ୟାରେଣ୍ଟି ଦେଇଛନ୍ତି । ପରିକ୍ରମା ପ୍ରକଳ୍ପ ନାଁରେ 4 ହଜାର 200 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ଅଣ ଓଡ଼ିଆ କଣ୍ଟ୍ରାକ୍ଟରମାନଙ୍କୁ ଲଗାଇ ଯେଉଁ ଦୁର୍ନୀତି ହୋଇଛି, ତାହାର ସିବିଆଇ ତଦନ୍ତ କରାଯିବ । ଓଡ଼ିଆ ଲୋକ ଏବଂ ଜଗନ୍ନାଥ ପ୍ରେମୀ ଚାହୁଁଛନ୍ତି ଯେ, ରତ୍ନ ଗଣତି ହେଉ ଏବଂ ସତ୍ୟ ପଦାକୁ ଆସୁ । ଡୁପ୍ଲିକେଟ ଚାବି କାହା ପାଖରେ ଥିଲା, ମିଳିଲା କେମିତି, ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ଅଛି କି ନାହିଁ । ଏସବୁ ସତ୍ୟ ବିଜେଡି ସରକାର ଆସିଲେ ପୁରା ଲୁଚିଯିବ ।"


ସେ ଆହୁରି କହିଛନ୍ତି, "ମୁଖ୍ୟମନ୍ତ୍ରୀ କାହାର ଗୋଟେ ହାତଲେଖା ପଢ଼ିଲେ । ଗତକାଲି (ଶନିବାର) ଅଧ ଘଣ୍ଟା ବର୍ଷା ପରେ ଭୁବନେଶ୍ଵର ଜଳାର୍ଣ୍ଣବ ହେଲା, ରୋଡ୍ ଜାମ ହେଲା । ପୂର୍ବରୁ ଅଳିଆ ପାହାଡ଼କୁ ନେଇ ବିଜେପି ମାସେ ଆନ୍ଦୋଳନ କଲା । କିନ୍ତୁ ସେ ଅଳିଆ ପାହାଡ଼ ସେମିତି ରହିଲା । ମୁଖ୍ୟମନ୍ତ୍ରୀ ନିଜେ ରହୁଥିବା ଭୁବନେଶ୍ବରର ସ୍ଥିତି ଏମିତି । ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ଵ କରୁଥିବା ଗଞ୍ଜାମ ଜିଲ୍ଲାରେ ଦାଦନ ଖଟିବା ପାଇଁ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି । ଆଉ ଦାଦନରୁ ପଇସା ଆଣି ନିଜ ଗାଁକୁ ପିଇବା ପାଣି ପହଞ୍ଚାଉଛନ୍ତି ଲୋକ । ଗଞ୍ଜାମ ଜିଲ୍ଲାରେ ଓଭର ହେଡ୍ ପାଣି ହୋଇଛି । କିନ୍ତୁ ଇନଟେକ ୱେଲ୍ ଅଧା କାମ ହୋଇଛି, ଦାଣ୍ଡରେ ପାଇପ ଲାଗିଛି ହେଲେ ପାଣି ଆସୁନି । ପ୍ରତିଦିନ ଜଳ କଷ୍ଟ ଭୋଗୁଛନ୍ତି ଲୋକ । ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଲୋକ କହିଲେଣି । ସୀମା ସୁରକ୍ଷା କରି ପାରୁନାହାନ୍ତି ରାଜ୍ୟ ସରକାର । ଲୋକ ସକାଳେ ଆନ୍ଧ୍ରରେ ଭୋଟ ଦେଉଛନ୍ତି ଓ ସନ୍ଧ୍ୟାରେ ଓଡ଼ିଶାରେ ଭୋଟ ଦେଉଛନ୍ତି । କେବଳ ଲମ୍ବା ଲେଖା ପଢ଼ିଲେ କିଛି ହେବ ନାହିଁ, ଏହା ପ୍ରକୃତରେ ରାଜ୍ୟର ବାସ୍ତବ ସ୍ଥିତି ।"

ଏହା ବି ପଢନ୍ତୁ...ରତ୍ନଭଣ୍ଡାର ଅଳଙ୍କାର ସୁରକ୍ଷା ପ୍ରସଙ୍ଗ; ପ୍ରଧାନମନ୍ତ୍ରୀ ମୋଦିଙ୍କ ମତକୁ ଜଗନ୍ନାଥପ୍ରେମୀଙ୍କ ସମର୍ଥନ - PM Modi Over Ratna Bhandar Issue


ସେହିପରି 10 ବର୍ଷରେ ପର୍ଯ୍ୟନ୍ତ ବିଜେପି ସରକାରକୁ ଆସି ପାରିବ ନାହିଁ ବୋଲି ନବୀନ କହିବା ପରେ ଜବାବ ରଖିଲା ବିଜେପି । "ଲୋକ ଗଣତନ୍ତ୍ରରେ ମାଲିକ । ଆଉ ବେଶୀ ଦିନ ନାହିଁ । ଗଣତନ୍ତ୍ରରେ ବିଜୟ ବି ଅଛି ଆଉ ପରାଜୟ ବି ଅଛି । ନବୀନ ସ୍ରୋତ ଅନୁକୂଳରେ ଗତି କରୁଛନ୍ତି କିନ୍ତୁ ସ୍ରୋତ ପ୍ରତିକୂଳ ଦେଖି ନାହାନ୍ତି । ମୁଖ୍ୟମନ୍ତ୍ରୀ ଧୈର୍ଯ୍ୟ ଧରନ୍ତୁ । କାହା ଲେଖାକୁ ପଢ଼ି ବାହାସ୍ଫୋଟ ମାରିବା ଉପରେ ଲୋକ ଜବାବ ଦେବେ । ଗୁମସ୍ତା ଯାହା ଲେଖୁଛନ୍ତି, ମୁଖ୍ୟମନ୍ତ୍ରୀ ତାହା ପଢୁଛନ୍ତି । ଲୋକ ଜୁନ 4 ତାରିଖରେ ଉଚିତ ଜବାବ ଦେବେ" ବୋଲି କହିଛନ୍ତି ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.