ETV Bharat / politics

ଆଜି ପୁଣି ଓଡ଼ିଶା ଆସୁଛନ୍ତି ରାହୁଲ, ରାୟଗଡ଼ାରେ କରିବେ ହାଇଭୋଲଟେଜ ପ୍ରଚାର - Rahul Gandhi to visit Odisha

author img

By ETV Bharat Odisha Team

Published : May 3, 2024, 8:27 AM IST

Rahul Gandhi to visit Odisha: ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାୟଗଡା ଗସ୍ତ କରି ଜନସଭାକୁ କରିବେ ସମ୍ବୋଧନ । ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ । ଅଧିକ ପଢନ୍ତୁ

Rahul Gandhi
Rahul Gandhi (Rahul Gandhi)

ରାୟଗଡା: ନିର୍ବାଚନ ପ୍ରଚାର ପାଇଁ ରାଜ୍ୟକୁ ଛୁଟୁଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଏହି କ୍ରମରେ ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାୟଗଡାରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ରାହୁଲ ରାୟଗଡ଼ା ଗସ୍ତ କରି ସେଠାରେ ଏକ ଜନସଭାକୁ ସମ୍ବୋଧନ କରିବା ସହ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ହାଇଭୋଲଟେଜ ପ୍ରଚାରରେ କମ୍ପିବ ରାୟଗଡା । ସପ୍ତାହେ ମଧ୍ୟରେ ଏହା ରାହୁଲଙ୍କ ଦ୍ବିତୀୟ ଥର ଓଡ଼ିଶା ଗସ୍ତ । ଏପ୍ରିଲ 28 ତାରିଖରେ ସାଲେପୁର ଗସ୍ତରେ ଆସିଥିଲେ ରାହୁଲ ।

ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବେଶ ଚଳଚଞ୍ଚଳ ହୋଇପଡିଛି କଂଗ୍ରେସ ଶିବିର । ତାଙ୍କୁ ସ୍ବାଗତ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି କଂଗ୍ରେସ ନେତାଗଣ । ଅପରାହ୍ନ 12ଟା ସମୟରେ ହେଲିକପ୍ଟର ଯୋଗେ ରାୟଗଡ଼ାରେ ପହଞ୍ଚିବେ ରାହୁଲ । ଏହାପରେ ସ୍ଥାନୀୟ ଜିଆଇଏସିଆର୍‌ କଲେଜ ସମ୍ମୁଖ ପଡିଆରେ ଆୟୋଜିତ ବିଶାଳ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏମ୍‌ ବିକ୍ରମ ଭଟ୍ଟୀ, ପିସିସି ପ୍ରଭାରୀ ଡଃ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ସାମିଲ ହେବେ । ସେହିପରି ଏହି ସଭାରେ କୋରାପୁଟ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନେ ଉପସ୍ଥିତ ରହିବେ । କଂଗ୍ରେସର ଗ୍ୟାରେଣ୍ଟି ନେଇ ଉପସ୍ଥିତ ଜନସାଧାରଣ ଓ କଂଗ୍ରେସ କର୍ମୀମାନଙ୍କୁ ବୁଝାଇବେ ରାହୁଲ ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାବାସୀଙ୍କୁ ରାହୁଲଙ୍କ 5 ଗ୍ୟାରେଣ୍ଟି; 200ୟୁନିଟ ନିଶୁଳ୍କ ବିଜୁଳି, ମହିଳାଙ୍କୁ ମାସିକ 2ହଜାର ଟଙ୍କା - Rahul Gandhi 5 Guarantees

ମେ' 13ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ଏହି ଆସନ ଅଧିନରେ ଥିବା 28 ବିଧାନସଭା ଆସନ ପାଇଁ ମତଦାନ ହେବ । ଏଥିପାଇଁ ଚାରିଆଡେ ଚାଲିଛି ଜୋରଦାର ପ୍ରଚାର । ତିନି ପ୍ରତିଦ୍ବନ୍ଦ୍ବୀ ଦଳର ହେବିଓ୍ବେଟ ନେତା ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି । କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଗସ୍ତ କରି ଦଳୀୟ ପ୍ରଚାରରେ ସାମିଲ ହୋଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଏପରିକି ସମ୍ବୋଧନ ସମୟରେ ବିପକ୍ଷ ଦଳକୁ ଟାର୍ଗେଟ କରୁଥିବା ଦେଖାଯାଉଛି ।

ଏପ୍ରିଲ 28 ତାରିଖରେ ସାଲେପୁର ଗସ୍ତରେ ଆସିଥିଲେ ରାହୁଲ । ରାଜ୍ୟବାସୀଙ୍କୁ 5 ଗ୍ୟାରେଣ୍ଟି ଦେଇଥିଲେ । ଓଡ଼ିଶାବାସୀ ଯଦି କଂଗ୍ରେସକୁ କ୍ଷମତାକୁ ଆସିବାକୁ ସୁଯୋଗ ଦିଅନ୍ତି, ତେବେ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ପ୍ରତିଶୃତି ଦେଇଥିଲେ । ଏଥିସହ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.