ETV Bharat / politics

ପାଣ୍ଡିଆନଙ୍କ ଦୃଢୋକ୍ତି, ରେକର୍ଡ ମାର୍ଜିନ ସହ ତିନି ଚତୁର୍ଥାଂଶ ଆସନରେ ଜିତିବ ବିଜେଡି - V K Pandian Reaction

author img

By ETV Bharat Odisha Team

Published : Apr 8, 2024, 9:14 AM IST

V K Pandian Reaction: ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀରେ ଭିକେ ପାଣ୍ଡିଆନଙ୍କ ପ୍ରତିକ୍ରିୟା । '2024 ନିର୍ବାଚନରେ ରେକର୍ଡ ମାର୍ଜିନରେ ଜିତିବ ବିଜେଡି ।' ଅଧିକ ପଢନ୍ତୁ

BJD
BJD

BJD

ଭୁବନେଶ୍ୱର: 'ରେକର୍ଡ ମାର୍ଜିନରେ ଜିତିବ ବିଜେଡି । ତିନି ଚତୁର୍ଥାଂଶ ଆସନରେ ବିଜୟ ହେବ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଠିଆ ହୋଇଛନ୍ତି ନିଜେ ନବୀନ ପଟ୍ଟନାୟକ । ତେଣୁ ପ୍ରାର୍ଥୀ ନୁହେଁ ନବୀନଙ୍କୁ ଦେଖି ଦିଅ ଭୋଟ ।' କିଛି ଏଭଳି ଢଙ୍ଗରେ ଭୁବନେଶ୍ୱରରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀରେ କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ ।

ରବିବାର ଦିନ ଭୁବନେଶ୍ୱରରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି ନବୀନ ଓଡିଶା ଏବଂ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଆସନ୍ତା ନିର୍ବାଚନକୁ ନେଇ ଆକଳନ କରି ସେ କହିଛନ୍ତି ଯେ, ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନରେ ବାଜିମାତ କରିବ । ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ମାର୍ଜିନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସିବେ । ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ । ସେହିଭଳି ଲୋକସଭାରେ ମଧ୍ୟ ଗତ ନିର୍ବାଚନ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବ ଦଳ । ସେଥିପାଇଁ ଲୋକଙ୍କଠୁ ଦୁଇଟି ଆଶୀର୍ବାଦ ଦରକାର । ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ । ପ୍ରାର୍ଥୀକୁ ଦେଖିବେ ନାହିଁ । ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନକୁ ଦେଖିବେ । କାରଣ ୧୪୭ ବିଧାସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନ ହିଁ ଛିଡା ହୋଇଛି ବୋଲି କହିଛନ୍ତି ପାଣ୍ଡିଆନ ।



ସେ ଆହୁରି ମଧ୍ୟ କହିଛନ୍ତି, "ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ । ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ସଶକ୍ତ ଓ ନବୀନ ଓଡିଶା ଗଠନରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଶ୍ରମିକଙ୍କ ରହିଛି । ସବୁ ବିକାଶ କାମ ପଛରେ ଶ୍ରମିକଙ୍କ ହାତ ରହିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଶ୍ରମିକମାନଙ୍କୁ ପ୍ରାଥମିକତା ଓ ସମ୍ମାନ ଦେଇ ଆସିଛନ୍ତି । ବିଜୁ ପଟ୍ଟନାୟକ ୧୧ ଟଙ୍କାରୁ ୨୫ ଟଙ୍କାକୁ ଦୈନିକ ମଜୁରୀ ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ । ନବୀନ ପଟ୍ଟନାୟକ ମଧ୍ୟ ସର୍ବାଧିକ ୧୦୦ ଟଙ୍କା ମଜୁରୀ ବୃଦ୍ଧି କରି ରେକର୍ଡ କରିଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗ ୧୦୦ ଟଙ୍କା ମଜୁରୀ ବୃଦ୍ଧି ସପକ୍ଷରେ ନଥିଲେ । କାରଣ ୧୦୦ ଟଙ୍କା ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ୫ରୁ ୬ ହଜାର କୋଟି ଟଙ୍କାର ଅଧିକ ବୋଝ ପଡିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତି ଥିଲା ଯେଉଁ ଶ୍ରମିକମାନେ ରାଜ୍ୟ ବିକାଶର ମୁଖ୍ୟ ବିନ୍ଧାଣୀ ସେମାନଙ୍କ ପାଇଁ ୫/୬ ହଜାର କୋଟିର ବୋଝ ନେବାକୁ ସରକାର ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ୩୫୦ ଟଙ୍କାରୁ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।"

ଏହାମଧ୍ୟ ପଢନ୍ତୁ.. ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପ୍ରଣୟନ ପାଇଁ ପ୍ରକ୍ରିୟା ଆରମ୍ଭ; ମତାମତ ଲୋଡିଲେ 5T ଅଧ୍ୟକ୍ଷ - Nabin Odisha Magic Card

ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସହିତ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ବିଭିନ୍ନ ପଦକ୍ଷେପର ସମ୍ପର୍କରେ ସୂଚନା ଦେଇଛନ୍ତି ପାଣ୍ଡିଆନ । BSKY ହେଉଛି ଗରୀବ ଲୋକଙ୍କ ବଡ ସ୍ବପ୍ନ । ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ଏଭଳି ଯୋଜନାର ପରିକଳ୍ପନା । ଗ୍ରାମାଞ୍ଚଳରେ ରହୁଥିବା ୯୦ ପ୍ରତିଶତ ଲୋକ BSKY କାର୍ଡ ପାଇଛନ୍ତି । ଫଳରେ ବସ୍ତିରେ ରହୁଥିବା ଲୋକ ମଧ୍ୟ ବଡ ବଡ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରିବାକୁ ସାହାସ କରିପାରୁଛି ବୋଲି କହିଛନ୍ତି ପାଣ୍ଡିଆନ ।


ସେ ଆଉମଧ୍ୟ କହିଛନ୍ତି, "ଦେଶରେ ଏକମାତ୍ର ରାଜ୍ୟ ହେଉଛି ଓଡିଶା ଯେଉଁଠି ସରକାର କଣ୍ଟ୍ରାକ୍ଟରେ ନେଇ ଆନ୍ତର୍ଜାତିକ ବିମାନ ସେବା ଲୋକଙ୍କୁ ଯୋଗାଇ ଦେଇଛନ୍ତି । କେବଳ ସେତିକି ନୁହେଁ ଦୁବାଇ ଓ ସାଉଦୀ ଭଳି ବାହାର ଦେଶରେ ଥିବା ଶ୍ରମିକ କିଭଳି କମ ପଇସାରେ ଘରକୁ ଯା ଆସ କରିପାରିବେ ସେଥିପାଇଁ ବିମାନ ଭଡା ମଧ୍ୟ କମ ରଖାଯାଇଛି । ଭଡା କମ ଯୋଗୁଁ ଆଜି ଶ୍ରମିକଟି ୫ ବର୍ଷରେ ଥରେ ଘରକୁ ଆସିବା ବଦଳରେ ବର୍ଷକୁ ଥରେ ଘରକୁ ଆସିପାରୁଛି । କେବଳ ସେତିକି ନୁହେଁ ଗ୍ରାମାଞ୍ଚଳରୁ ଶ୍ରମିକଙ୍କ ଯାତାୟତ ସୁବିଧା ପାଇଁ ରାଜ୍ୟସରକାର ଲକ୍ଷ୍ମୀ ବସ ଯୋଜନା କରିଛନ୍ତି । ଏବେ ୮୦ ପ୍ରତିଶତ ପଞ୍ଚାୟତରେ ଏହି ସୁବିଧା ମିଳୁଛି ।"

ଅନ୍ୟପଟେ ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଜୁ ଶ୍ରମିକ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ତଥା କଟକ ମେୟର ସୁବାସ ସିଂ, ଭୁବନେଶ୍ବର ଲୋକସଭା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.