ETV Bharat / international

ଦୁଇ ବର୍ଷ ପୂରିଲା, ତଥାପି ସରୁନି ଋଷ-ୟୁକ୍ରେନ ଯୁଦ୍ଧ: ମସ୍କୋ ଉପରେ 500 କଟକଣା ଲଗାଇଲାଣି ୱାଶିଂଟନ

author img

By ETV Bharat Odisha Team

Published : Feb 24, 2024, 11:42 AM IST

Russia Ukraine War Second Anniversary: ଋଷ-ୟୁକ୍ରେନ ଯୁଦ୍ଧକୁ 2 ବର୍ଷ ପୂରିଛି । ନା ଯୁଦ୍ଧ ସରୁଛି, ନା ଫିଟୁଛି କୌଣସି ସମାଧାନର ବାଟ । ମହାଯୁଦ୍ଧର ଘନାଘଟା ଭିତରେ ରୁନ୍ଧି ହେଉଛି ୟୁକ୍ରେନ । ଅଧିକ ପଢନ୍ତୁ

Russia Ukraine War
Russia Ukraine War

କିଭ୍(ୟୁକ୍ରେନ): ଚାହୁଁ ଚାହୁଁ ବିତିଗଲା ଦୁଇ ବର୍ଷ । ଯୁଦ୍ଧରେ ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରିଲାନି ଯୁଦ୍ଧ । ମୁଣ୍ଡ ନ ନୁଆଁଇବା କାରଣରୁ ଋଷ-ୟୁକ୍ରେନ ଦୁହିଁଙ୍କର ଅନେକ କ୍ଷତି ହୋଇଛି । ତଥାପି କ୍ଷୟକ୍ଷତି ଆଗରେ ଜିତ କରୁଛି ଜିଦି । ଘନ ଘନ ମିସାଇଲ ମାଡରେ ଜାରି ରହିଛି ଧ୍ବଂସଲୀଳା । ଆଜକୁ ଠିକ୍ ଦୁଇ ବର୍ଷ ପୂର୍ବେ ୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ଆରମ୍ଭ ହୋଇଥିଲା ଋଷ-ୟୁକ୍ରେନ ଯୁଦ୍ଧ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେବା ପରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା ଋଷ । ଦେଶବ୍ୟାପୀ ଘନଘନ ମିଶାଇଲ ମାଡ କରିଥିଲା । ଏବେ ଯୁଦ୍ଧ ଭିତରେ ଜୁଝି ହେଉଛି ୟୁକ୍ରେନ ।

ଯୁଦ୍ଧକୁ ଦୁଇ ବର୍ଷ ହୋଇଥିବା ବେଳେ ମସ୍କୋ ବିରୋଧରେ 500ରୁ ଅଧିକ କଟକଣା ଘୋଷଣା କରିଛି ଆମେରିକା । ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଏହି ଘୋଷଣା କରାଯାଇଛି । ପ୍ରକାଶଥାଉକି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ସବୁଠାରୁ ବଡ ସମାଲୋଚକ ଆଲେକ୍ସି ନବଲନିଙ୍କ ମୃତ୍ୟୁ ପରେ ଆମେରିକା ନୂଆ ପ୍ରତିବନ୍ଧକ ଘୋଷଣା କରିଛି । ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୟୁକେନର ସାହସି ବ୍ୟକ୍ତିମାନେ ସେମାନଙ୍କର ସ୍ବାଧୀନତା ଏବଂ ଭବିଷ୍ୟତର ସୁରକ୍ଷା ପାଇଁ ସଂକଳ୍ପ ସହିତ ସଂଗ୍ରାମ ଜାରି ରଖିଛନ୍ତି । ପୂର୍ବ ଅପେକ୍ଷା ନାଟୋ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଛି । ୟୁକ୍ରେନକୁ ସମର୍ଥନ କରି ଋଷକୁ କଟାକ୍ଷ କରିଛନ୍ତି ବାଇଡେନ । ଋଷ ରାଷ୍ଟ୍ରପତିଙ୍କ ଜିଦ ସାଙ୍ଗକୁ ନାଟୋରେ ମିଶିବାକୁ ୟୁକ୍ରେନର ଆଶଙ୍କା ଭିତରେ ଦୁର୍ବିସହ ଜୀବନ ବିତାଉଛନ୍ତି ଲୋକେ । ଋଷ ମୁଣ୍ଡ ନନୁଆଁଇ ଏକାକି ଲଢିବ ବୋଲି କହିଛନ୍ତି ପୁଟିନ ।

ଏହା ମଧ୍ୟ ପଢନ୍ତୁ: Russia-Ukraine War: ଯୁଦ୍ଧକୁ ବର୍ଷେ, ଜିତୁଛି ଜିଦ୍‌ ଫିଟୁନି ସମାଧାନର ବାଟ

ଦୁଇ ବର୍ଷ ମଧ୍ୟରେ ପ୍ରାୟ 10 ହଜାରରୁ ଅଧିକ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 40 ହାଜରରୁ ଉର୍ଦ୍ଧ୍ବ ସୈନ୍ୟ ନିହତ ହୋଇଛନ୍ତି । ଆମେରିକା ସମେତ ନାଟୋ ଏବଂ ଇୟୁ ୟୁକ୍ରେନକୁ ଆର୍ଥିକ ଏବଂ ସାମରିକ ସହାୟତା ଯୋଗାଇ ଆସୁଛନ୍ତି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ସହାୟତା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ଗୋଟିଏ ପଟେ କଟକଣା ସତ୍ତ୍ବେ ମଧ୍ୟ ଋଷ ମୁଣ୍ଡ ନୁଆଁଉନଥିବା ବେଳେ ୟୁକ୍ରେନକୁ ଆମେରିକାର ସହଯୋଗ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଯୁଦ୍ଧ କେବେ ସରିବ ତାହା ଆକଳନ କରିବା ମଧ୍ୟ ଅସମ୍ଭବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.