ETV Bharat / international

ମେ’ 10 ସୁଦ୍ଧା ସେନା ପ୍ରତ୍ୟାହାର ଶେଷ କରିବ ଭାରତ: ମାଳଦ୍ୱୀପ ରାଷ୍ଟ୍ରପତି

author img

By ETV Bharat Odisha Team

Published : Feb 5, 2024, 4:41 PM IST

Maldivian President Muizzu: ମେ’ 10 ସୁଦ୍ଧା ପ୍ରତ୍ୟାହୃତ ହେବ ଭାରତୀୟ ସେନା । ସଂସଦରେ କହିଲେ ମାଳଦ୍ୱୀପ ରାଷ୍ଟ୍ରପତି । ଅଧିକ ପଢନ୍ତୁ

Maldivian President Muizzu
Maldivian President Muizzu

ହାଇଦ୍ରାବାଦ: ଭାରତ-ମାଳଦ୍ୱୀପ ବିବାଦ ମଧ୍ୟରେ ବିରୋଧୀଙ୍କ ପ୍ରବଳ ଚାପ ସତ୍ତ୍ୱେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତୀୟ ସେନା ପ୍ରତ୍ୟାହାର ପ୍ରସଙ୍ଗକୁ ଗୁରୁତ୍ୱ ଦେବାରେ ଲାଗିଛନ୍ତି । ମାର୍ଚ୍ଚ 10 ତାରିଖ ସୁଦ୍ଧା ପ୍ରଥମ ପ୍ରର୍ଯ୍ୟାୟ ସେନା ପ୍ରତ୍ୟାହାର ଶେଷ ହେବା ସହ ମେ’ 10 ତାରିଖ ମଧ୍ୟରେ ଭାରତୀୟ ସେନା ମାଳଦ୍ୱୀପ ଛାଡିବା ନେଇ ଆଜି ସଂସଦରେ ମୁଇଜୁ କହିଛନ୍ତି ।

ମୁଇଜୁ କହିଛନ୍ତି, "କୌଣସି ଦେଶର ଯେକୌଣସି ପ୍ରକାର ରାଜିନାମା ଯଦି ମାଳଦ୍ୱୀପର ସାର୍ବଭୌମ୍ୟ ସହ ବଝାମଣା କରୁଥାଏ, ତାହାକୁ ରଦ୍ଦ କରାଯିବ । ଦେଶରେ ନିୟୋଜିତ ଭାରତୀୟ ସେନାକୁ ପ୍ରତ୍ୟାହାର କରାଯିବା ମାଳଦ୍ୱୀପବାସୀଙ୍କ ନିଷ୍ପତ୍ତି । ଏହା ପରେ ଅନ୍ୟ କୌଣସି ଦେଶର ସାମରିକ ସାହାଯ୍ୟ ମଧ୍ୟ ମାଳଦ୍ୱୀପ ସରକାର ନେବେନାହିଁ । ଏନେଇ ନୂଆଦିଲ୍ଲୀ ସହିତ ନିୟମିତ ଯୋଗାଯୋଗରେ ତାଙ୍କ ସରକାର ରହିଛି । ମାର୍ଚ୍ଚ 10 ମଧ୍ୟରେ ସେନା ପ୍ରତ୍ୟାହାର କରିବା ପାଇଁ କୁହାଯାଇଥିଲା । ହେଲେ ମାର୍ଚ୍ଚ 10 ସୁଦ୍ଧା ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର କରାଯିବା ସହ ମେ’ 10 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଚୂଡାନ୍ତ ରୂପ ନେବ ।"

ଏଠାରେ ସୂଚନାଯୋଗ୍ୟ ଯେ, ମାଳଦ୍ୱୀପର ବିଭିନ୍ନ ସ୍ଥାନରେ ପ୍ରାୟ 88 ଭାରତୀୟ ସୈନିକ ନିୟୋଜିତ ରହିଛନ୍ତି । ଭାରତ ମାଳଦ୍ବୀପକୁ ଦୁଇଟି ଡ୍ରୋନିୟର ସର୍ଭିଲାନ୍ସ ବିମାନ ମଧ୍ୟ ଯୋଗାଇ ଦେଇଥିଲା । ହେଲେ ବିବାଦ ବଢିବା ପରେ ଏହି ବିମାନଗୁଡିକର ବ୍ୟବହାରକୁ ମାଳଦ୍ବୀପ ସରକାର ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି ।

ମାଳଦ୍ୱୀପରେ ନିର୍ବାଚନ ହେବା ପୂର୍ବରୁ ଏହି ଅଭିଯାନ ଜୋର ଧରିଥିଲା । ମୁଇଜୁଙ୍କ ନେତୃତ୍ୱରେ ‘ଆଉଟ ଇଣ୍ଡିଆ’ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ଯାହାର ପ୍ରଭାବ ନିର୍ବାଚନ ଫଳାଫଳରେ ମଧ୍ୟ ଦେଖାଯାଇଥିଲା । ମୁଇଜୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ସେ ଜଣେ ଚୀନ ଅନୁଗାମୀ ନେତା ଭାବେ ମଧ୍ୟ ପରିଚିତ । ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ପକ୍ଷରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଅଂଶଗ୍ରହଣ କରିଥିଲେ । ସେତେବେଳେ ଦ୍ବିପାକ୍ଷିକ ଆଲୋଚନାରେ ମଧ୍ୟ ଏହି ପ୍ରସଙ୍ଗରେ ମୁଇଜୁ ଗୁରୁତ୍ୱାରୋପ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ମାଳଦ୍ୱୀପର ରାଷ୍ଟ୍ରପତିମାନେ ପ୍ରଥମ ବିଦେଶ ଗସ୍ତ ଭାବେ ଭାରତ ଆସିବାର ପରମ୍ପରା ରହିଥିଲା । ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ମୁଇଜୁ ପ୍ରଥମ ଗସ୍ତରେ ତୁର୍କୀ ଯିବା ସହ ପରେ ଚୀନ ଗସ୍ତ କରି ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ବେଜିଂର ପ୍ରରୋଚନାରେ ମାଳଦ୍ୱୀପ ଭାରତ ସହ ଦୂରତା ବଢାଇବା ସହ ଚୀନର ନିକଟତର ହେବାରେ ଲାଗିଥିବା ବିଦେଶ ବ୍ୟାପାର ବିଶେଷଜ୍ଞ କୁହନ୍ତି ।

ଏହା ମଧ୍ୟ ପଢନ୍ତୁ :- ଦୁର୍ନୀତି ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି: ହେମନ୍ତ ସୋରେନ

ମୁଇଜୁଙ୍କ ଏହି ଭାରତ ବିରୋଧୀ ନୀତିକୁ ସ୍ଥାନୀୟ ବିରୋଧୀ ଦଳ ସମାଲୋଚନା କରିବା ଜାରି ରଖିଛନ୍ତି । ଏପରିକି ଭାରତ-ମାଳଦ୍ବୀପ ପର୍ଯ୍ୟଟନ ବିବାଦ ମଧ୍ୟରେ ମୁଇଜୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ ବିରୋଧୀ ଦଳ ଦାବି କରିଥିଲେ । ଗୃହରେ ମୁଇଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବା ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଥିଲେ ବିରୋଧୀ । ତାହା ପରବର୍ତ୍ତୀ କୌଣସି କାରଣବଶତଃ ସମୟରେ ଶିଥିଳ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.