35 ବର୍ଷରେ ଅର୍ଚ୍ଚିତା; ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, 'ଡେଲିଭରି ବୟ 2'ରେ ଆସିବେ ନଜର
ଆଜି ଜୁନ 29ରେ ଅର୍ଚ୍ଚିତା ତାଙ୍କ 35ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଆଗାମୀ ଫିଲ୍ମ 'ଡେଲିଭରି ବୟ 2' ନଜର ଆସିବେ ବୋଲି ଜଣାପଡିଛି । ପ୍ରଥମ ଲୁକ ପୋଷ୍ଟର ଆଉଟ୍।

By ETV Bharat Entertainment Team
Published : June 29, 2025 at 12:42 PM IST
ହାଇଦ୍ରାବାଦ: ଆଜି ଜୁନ 29ରେ 35ବର୍ଷରେ ପାଦ ଥାପିଲେ ଓଡ଼ିଆ ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଅଭିନେତ୍ରୀ ବର୍ତ୍ତମାନ ଫିଲ୍ମ 'ବୋଉ ବୁଟୁ ଭୂତ' ର ସଫଳତାକୁ ଉପଭୋଗ କରୁଛନ୍ତି । ଏହି ସମୟରେ ତାଙ୍କ ଜନ୍ମଦିନରେ ଅଭିନେତ୍ରୀଙ୍କ ଫ୍ୟାନ୍ସଙ୍କୁ ଭେଟି ମିଳିଛି । ଅର୍ଚ୍ଚିତାଙ୍କ ନୂଆ ଫିଲ୍ମ 'ଡେଲିଭରି ବୟ 2' ରେ ନଜର ଆସିବେ ବୋଲି ଖୁଲାସା ହୋଇଛି । ଅଭିନେତ୍ରୀଙ୍କ ନୂଆ ପୋଷ୍ଟର ରିଲିଜ ହୋଇଥିବା ବେଳେ ତାଙ୍କ ଲୁକ ଓ ଚରିତ୍ର ଉପରୁ ପରଦା ଉଠିଛି ।
ଜନ୍ମଦିନରେ ଭେଟି
ନିର୍ମାତା ଅଶ୍ୱିନୀ ତ୍ରିପାଠୀ ଫିଲ୍ମସ ଦ୍ୱାରା ନିର୍ମିତ 'ଡେଲିଭରି ବୟ 2' ରେ ନଜର ଆସିବେ ଅର୍ଚ୍ଚିତା ସାହୁ । ଫିଲ୍ମରୁ ତାଙ୍କର ଲୁକ ଓ ଚରିତ୍ର ଉପରୁ ପରଦା ଉଠିଛି । ଅଭିନେତ୍ରୀଙ୍କ ନୂଆ ପୋଷ୍ଟର ଇନଷ୍ଟାଗ୍ରାମରେ ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, 'ଅପେକ୍ଷାର ଅନ୍ତ ହେଲା । ଏଥର, ଜଣେ ନୁହେଁ, ବରଂ ଦୁଇଜଣ ଡେଲିଭରି ବ୍ୟକ୍ତି ଆସିଛନ୍ତି । ଶୈଳେନ୍ଦ୍ର ଏବଂ ଅର୍ଚ୍ଚିତା (ପଲ୍ଲବୀ ଭାବରେ) ଆଶ୍ଚର୍ଯ୍ୟ ପ୍ରଦାନ କରିବାକୁ ପ୍ରସ୍ତୁତ । ଏହି ସ୍ୱତନ୍ତ୍ର ଦିନରେ, ଜନ୍ମଦିନର ଶୁଭେଚ୍ଛା ଅର୍ଚ୍ଚିତା । ଖୁବ୍ ଶୀଘ୍ର ମୁକ୍ତି ତାରିଖ ପ୍ରକାଶ ପାଉଛି । ଆମ ସହିତ ରୁହନ୍ତୁ ।' ପୋଷ୍ଟରରେ ଅର୍ଚ୍ଚିତାଙ୍କୁ ଡେଲିଭରି ଲେଡି ଲୁକରେ ଦେଖିବାକୁ ମିଳିଛି ।
2 ବର୍ଷ ପରେ ପରଦାକୁ ଆସୁଛି 'ଡେଲିଭରି 2'
2023 ଏପ୍ରିଲ ମାସରେ ପରଦାକୁ ଆସିଥିଲା 'ଡେଲିଭରି ବୟ' ଫିଲ୍ମ । ଏହି ଫିଲ୍ମରେ ଶୈଳେନ୍ଦ୍ର ସାମନ୍ତରାୟ, ପ୍ରିୟମ୍ୱଦା ସ୍ୱାଇଁ, ବୁଦ୍ଧାଦିତ୍ୟ ମହାନ୍ତି ଓ ସୂର୍ଯ୍ଯମୟୀ ମହାପାତ୍ର, ଚୌଧୁରୀ ବିକାଶ ଦାସ, ଜୀବନ ପଣ୍ଡାଙ୍କ ଭଳି ଅନେକ ତାରକା ନଜର ଆସିଥିଲେ । ଏହି ଫିଲ୍ମକୁ ସରକାର ଟ୍ୟାକ୍ସ ଫ୍ରି' ମଧ୍ୟ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ 2 ବର୍ଷ ପରେ ଫିଲ୍ମର ସିକ୍ୱେଲ ଆସୁଛି । ଫିଲ୍ମର ରିଲିଜ ତାରିଖ ପ୍ରକାଶ କରାଯାଇନାହିଁ । ଖୁବଶୀଘ୍ର ଏହା ଘୋଷଣା କରାଯିବ ବୋଲି ଆଶା । କହିରଖୁଛୁ କି, ଅଶ୍ୱିନୀ ତ୍ରିପାଠୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । 'ଡେଲିଭରି ବୟ 2' ମଧ୍ୟ ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶନା ଦେଇଛନ୍ତି । ଏହାକୁ ଜ୍ଯୋତି ରଞ୍ଜନ ମହାନ୍ତି ପ୍ରଯୋଜନା କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ: 10 କୋଟି ପାର୍ କଲା 'ବୋଉ ବୁଟୁ ଭୂତ'; ଟ୍ରେଲର 2 ରିଲିଜ, ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଲେ ବାବୁସାନ୍
ସୂଚନା ଥାଉ କି, ଏହା ପୂର୍ବରୁ ଅର୍ଚ୍ଚିତାଙ୍କୁ ନିକଟରେ ରଜ (ଜୁନ 12)ରେ ରିଲିଜ ହୋଇଥିବା ଫିଲ୍ମ 'ବୋଉ ବୁଟୁ ଭୂତ'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ବାବୁସାନ ମହାନ୍ତି, ଅପରାଜିତା ମହାନ୍ତି ନଜର ଆସିଛନ୍ତି । ଏହି ଫିଲ୍ମ ଲୋକଙ୍କ ମନ ଜିତିଥିବା ବେଳେ କୋଟି କୋଟି ଟଙ୍କା ରୋଜଗାର କରି ଇତିହାସ ରଚିଛି । ରିଲିଜର 11 ଦିନ ମଧ୍ୟରେ 11 କୋଟି ଆୟ କରି ସର୍ବାଧିକ ଆୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ପାଲଟିଛି । ବର୍ତ୍ତମାନ ଫିଲ୍ମ ଥିଏଟରରେ ଜାରି ରହିଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକା ଆୟ କରିବ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

