ETV Bharat / business

ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI

author img

By ETV Bharat Odisha Team

Published : Feb 8, 2024, 11:06 AM IST

Updated : Feb 8, 2024, 11:35 AM IST

RBI MPC Meet: କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ । ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ

ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ
RBI keeps repo rate unchanged

ନୂଆଦିଲ୍ଲୀ: ଏଥର ବି ବଦଳିଲାନି ସୁଧହାର । ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟ୍ ବା ବ୍ୟାଙ୍କ ସୁଧହାରରେ କୌଣସି ପରିବର୍ତ୍ତନ ହୋଇନି । ରେପୋ ରେଟ୍ 6.5 ପ୍ରତିଶତରେ ସ୍ଥିର ରଖିବା ନେଇ ରିଜର୍ଭ ବ୍ୟାଙ୍କର 6 ଜଣିଆ ମୁଦ୍ରାନୀତି କମିଟି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଘୋଷଣା କରିଛନ୍ତି । ଏହାର ଅର୍ଥ ଆପଣଙ୍କ EMIରେ ମଧ୍ୟ କୌଣସି ପରିବର୍ତ୍ତନ ହେବନି । ତେବେ ରେପୋ ରେଟ୍ ସ୍ଥିର ରହିବା ନେଇ ପୂର୍ବରୁ ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଥିଲେ ।

ରେପୋ ରେଟ୍ ବଢିଲେ ବ୍ୟାଙ୍କ ଋଣ ମହଙ୍ଗା ହୋଇଥାଏ । ଫଳରେ ଲୋକଙ୍କ ଉପରେ ଅଧିକ EMI ବୋଝ ପଡିଥାଏ । ତେଣୁ ଏହି ସୁଧହାର ଅପରିବର୍ତ୍ତିତ ରହିବା ସାଧାରଣ ଲୋକଙ୍କୁ ବଡ ଆଶ୍ୱସ୍ତି ଦେଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ 2023 ଫେବୃଆରୀ 8ରେ ଶେଷ ଥର ରେପୋ ରେଟ୍ ବଢାଇଥିଲା । ଆରବିଆଇ ମୁଦ୍ରାନୀତି କମିଟି 25 ବେସିସ୍ ପଏଣ୍ଟ ବୃଦ୍ଧି କରିବା ସହିତ ସୁଧହାର 6.5 ପ୍ରତିଶତ ହୋଇଥିଲା । ସେବେଠୁ କ୍ରମାଗତ ଷଷ୍ଠ ମୁଦ୍ରାନୀତି କମିଟି ବୈଠକରେ ସୁଧହାର ଅପରିବର୍ତ୍ତିତ ରଖାଯାଇଛି । ଏଥର ମଧ୍ୟ ଏହାକୁ ସ୍ଥିର ରଖାଯିବା ନେଇ ପୂର୍ବରୁ ଆକଳନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଅଶୋଧିତ ତୈଳ ଉପରେ ୱିଣ୍ଡଫଲ ଟ୍ୟାକ୍ସ ବୃଦ୍ଧି କଲେ ଭାରତ ସରକାର, ଆଜିଠାରୁ ନୂଆ ଦର ଲାଗୁ


ରେପୋ ରେଟ୍ ସହିତ ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟ୍ 3.5 ପ୍ରତିଶତରେ ସ୍ଥିର ରଖିଛି । ଏହି କ୍ରମରେ ସ୍ଥାୟୀ ଜମା ସୁବିଧା (SDF) 6.25 ପ୍ରତିଶତ ଓ ସୀମାନ୍ତ ଜମା ସୁବିଧା(MSF) ରେଟ୍ 6.75 ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ତେବେ 2024 ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର 7 ପ୍ରତିଶତ ରହିବା ନେଇ ଆକଳନ କରିଛି କେନ୍ଦ୍ରୀୟ ବ୍ୟାଙ୍କ । ମୁଦ୍ରାସ୍ଫୀତି ମଧ୍ୟ 5.4 ପ୍ରତିଶତରେ ରହିବାର ଆକଳନ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଯେଉଁ ସୁଧହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ ତାହା ହେଉଛି ରେପୋ ରେଟ୍ । ତେଣୁ ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ହେଲେ ବ୍ୟାଙ୍କ୍‌ ଲୋନ୍‌ ଓ ଅନୁରୂପ ଭାବେ EMI ପ୍ରଭାବିତ ହୋଇଥାଏ ।

Last Updated : Feb 8, 2024, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.